Unknown

 

 

 

 

 

 

 

 

 

 

ତିମିର ବନ୍ୟା

(ଡିଟେକ୍‌ଟିଭ ଉପନ୍ୟାସ)

ଆଶୁତୋଷ ରାୟ

 

 

 

 

 

 

 

 

 

 

ଉତ୍ସର୍ଗ

 

ଶ୍ରୀ......................................................

ଭକ୍ତି/ସ୍ନେହର ନିଦର୍ଶନ ସ୍ୱରୂପ ଅର୍ପିତ ହେଲା ।

 

କ୍ୟାପେଟେନ୍‌ ମ୍ୟାଡ଼ାନ୍‌ ପ୍ୟାଟାର୍ନିକ୍‌ଙ୍କ ଜୀବନ ଅତିଶୟ ରହସ୍ୟମୟ । ବାଲ୍ୟକାଳରୁ ସେ ଯେ ପିତୃମାତୃହୀନ–ତାହାହିଁ ଯଥେଷ୍ଟ ନୁହେଁ, ଏ ଦୁନିଆରେ ତାଙ୍କର ନିକଟ ଆତ୍ମିୟ କେହି ନାହାନ୍ତି । କୃତିତ୍ୱର ସହିତ ଇଞ୍ଜିନିୟରିଂ ପାଶ କରି ସେ ଦ୍ୱିତୀୟ ମହାସମରରେ ଜଣେ କମିସନ୍‌ଡ଼ ଅଫିସର ଭାବରେ ଯାଇଥିଲେ । ଅବଶେଷରେ ଇଞ୍ଜିନିୟରିଂ କୋର୍‌ର ଜଣେ କ୍ୟାପଟେନ୍‍ ହୋଇ ମହାଯୁଦ୍ଧର ଅବସାନ ପରେ ସେ ଫଉଜରୁ ଅବସର ଗ୍ରହଣ କଲେ ।

 

ସେ ବର୍ମା ଫ୍ରଣ୍ଟରେ ଲଢ଼ାଇ ଦେଖିଛନ୍ତି, ବ୍ରହ୍ମଦେଶ ପତନ ପରେ ସେ ଫୌଜୀ ଇଞ୍ଜିନିୟରିଂ ଭାବରେ ପୃଥିବୀର ବହୁସ୍ଥାନକୁ ଯାଇଛନ୍ତି । ମଧ୍ୟପ୍ରାଚ୍ୟର ମରୁଭୂମିରେ ମହାଦୁର୍ଦ୍ଧର୍ଷ ଜର୍ମାନୀ ସୈନ୍ୟଙ୍କ ସଙ୍ଗେ ଯୁଦ୍ଧ କରିଛନ୍ତି । ଇଟାଲିରେ ମଧ୍ୟ ସେ ବହୁଦିନ କଟାଇଛନ୍ତି, ଏହିଠାରେ ବର୍ତ୍ତମାନର ଏଇ ବିଚିତ୍ର ନାମଟି ସେ ଗ୍ରହଣ କରିଥିଲେ । ତାଙ୍କର ପିତୃଦତ୍ତ ପ୍ରକୃତ ନାମ ହେଉଛି ମଦନମୋହନ ପଟ୍ଟନାୟକ, ମ୍ୟାଡ଼ାନ୍‌ ପ୍ୟାଟାର୍ନିକ ନୁହେଁ ।

 

କେନ୍ଦ୍ରାପଡ଼ାର ଗୋଟିଏ ପ୍ରାଚୀନ ଜମିଦାର ବଂଶର ସେ ଶେଷ ପ୍ରଦୀପ । ଦେଶ ତ୍ୟାଗ କରିବା ପୂର୍ବରୁ ତାଙ୍କର ଘରବାଡ଼ି ଓ ସମସ୍ତ ସମ୍ପତ୍ତି ବିକ୍ରୀ କରି ସମ୍ପୂର୍ଣ୍ଣରୂପେ ଦାୟିତ୍ୱ ମୁକ୍ତ ହୋଇ ଯାଇଥିଲେ । ଜୀବନସାରା ବଡ଼ ଚାକିରି କରି ସେ ବହୁତ ରୋଜଗାର କରିଛନ୍ତି, ବିଭିନ୍ନ ବ୍ୟାଙ୍କରେ ତାଙ୍କର ପ୍ରଚୁର ଟଙ୍କା ଅଛି । ଇଚ୍ଛା କଲେ ସେ ଦେଶର କୌଣସି ସହରରେ ସୁନ୍ଦର ଖଣ୍ଡିଏ ଘର ନିର୍ମାଣ କରି ଜୀବନର ବାକି କେତୋଟି ବର୍ଷ ପରମ ନିଶ୍ଚିନ୍ତରେ କଟାଇ ପାରନ୍ତେ କିନ୍ତୁ କି ଏକ ଅଦ୍ଭୁତ ଉପାଦାନରେ ତାଙ୍କର ମନ ଗଢ଼ା–ନୀରବଚ୍ଛିନ୍ନ ସୁଖ ବା ଶାନ୍ତି ତାଙ୍କର ସହ୍ୟ ହୁଏ ନାହିଁ । ଗୋଟିଏ ସ୍ଥାନରେ ବେଶିଦିନ ରହି ପାରନ୍ତି ନାହିଁ, ଅତଏବ ପ୍ରଚୁର ଅର୍ଥର ଅଧିକାରୀ ହୋଇ ମଧ୍ୟ ସେ ଜଣେ ଗୃହହୀନ ଯାଯାବର । କେତୋଟି ବିଭିନ୍ନ କାଲିବରର ବନ୍ଧୁକ, କେତୋଟି ଟ୍ରଙ୍କ ଓ ବିଛଣା ଛଡ଼ା ଆଉ କୌଣସି ଚଳନ୍ତି ସମ୍ପତ୍ତି ତାଙ୍କର ନାହିଁ ।

 

ଫୌଜରୁ ଅବସର ଗ୍ରହଣ କରି କେତେକ ବର୍ଷ ସେ ଭାରତବର୍ଷର ବିଭିନ୍ନ ସ୍ଥାନରେ ବୁଲିଲେ । ହିମାଳୟର ତରାଇ ଅଞ୍ଚଳ, ନେପାଳ, ଭୁଟାନ୍‌ ଓ ତିବ୍ବତ୍‍ର ବହୁସ୍ଥାନରେ ସେ ପରିଭ୍ରମଣ କଲେ । ଅବଶେଷରେ ପୁଣି ଦିନେ ସେ କଟକ ଫେରି ଆସିଲେ । ସେ ଆଜିକୁ ପ୍ରାୟ ପାଞ୍ଚବର୍ଷ ତଳର କଥା ।

 

ଏଠାରେ ତାଙ୍କର ଏକମାତ୍ର ଅନ୍ତରଙ୍ଗ ବନ୍ଧୁ ଓ ସୁହୃଦ୍‌ ହେଉଛନ୍ତି ବିଖ୍ୟାତ ଡିଟେକ୍‌ଟିଭ ଭବାନୀ ମହାପାତ୍ର । ସେ ମଧ୍ୟ ଅବିବାହିତ ଓ କ୍ୟାପଟେନ୍‍ ମଦନ ପଟ୍ଟନାୟକଙ୍କ ପରି ସମ୍ପୂର୍ଣ୍ଣ ଆତ୍ମିୟସ୍ୱଜନହୀନ । ଉଭୟେ ବାଲ୍ୟବନ୍ଧୁ । ପ୍ରାୟ ପାଞ୍ଚବର୍ଷ ପୂର୍ବେ କ୍ୟାପଟେନ୍‌ ପଟ୍ଟନାୟକ କଟକକୁ ଆସି ଭବାନୀବାବୁଙ୍କ ଘରେ କିଛିଦିନ ରହିଥିଲେ, ପରମ ଆନନ୍ଦରେ ଏତେଦିନ ପରେ ବାଲ୍ୟବନ୍ଧୁଙ୍କୁ ଦେଖି ଭବାନୀବାବୁ ପାଛୋଟି ନେଇଥିଲେ । କିଛିଦିନ ତାଙ୍କ ନିକଟରେ ରହିବାକୁ କେତେ ଅନୁରୋଧ କରିଥିଲେ କିନ୍ତୁ ସେଥିରେ ସେ ଭବାନୀବାବୁଙ୍କ ନିକଟରେ ବେଶିଦିନ ରହି ପାରିଲେ ନାହିଁ । ରାଜସ୍ଥାନର ପର୍ବତ ଓ ମରୁଭୂମିକୁ ସୁଜଳାସୁଫଳା କରିବା ପାଇଁ ଭାରତ ସର୍କାର ଯେଉଁ ବିରାଟ ଯୋଜନାମାନ ପ୍ରସ୍ତୁତ କରିଥିଲେ, ସେହିପରି ଗୋଟିଏ ପ୍ରୋଜେକ୍‌ଟରେ ଇଞ୍ଜିନିୟର ଭାବରେ ନିଯୁକ୍ତି ପାଇ ସେ ଚାଲିଗଲେ ।

 

ତା’ପରେ ଦୀର୍ଘ ପାଞ୍ଚବର୍ଷ ପରେ ସେ ପୁଣି ଫେରି ଆସିଛନ୍ତି, ଏତେ ଦିନପରେ ପୁଣି ବାଲ୍ୟବନ୍ଧୁଙ୍କୁ ଦେଖି ଭବାନୀବାବୁ ଆନନ୍ଦରେ ତାଙ୍କୁ କୁଣ୍ଢାଇ ପକାଇଲେ । –ଏବେ କିଛିଦିନ ଏଠାରେ ରହିବ ନା ପୁଣି ପଳାଇବ ? ମତେ ଏଥର ତୁମକୁ କିପରି ଅବସନ୍ନ ଦେଖାଯାଉଛି । ମୋର ମନେହୁଏ ତୁମର ବର୍ତ୍ତମାନ କିଛି ଦିନ ବିଶ୍ରାମର ପ୍ରୟୋଜନ ।

 

ସାମାନ୍ୟ ହସି କ୍ୟାପଟେନ୍‌ ପଟ୍ଟନାୟକ କହିଥିଲେ–ପରିବ୍ରାଜକର ଜୀବନ ଓ ଚିନ୍ତାଧାରା ଅତି ବିଚିତ୍ର ଭାଇ, ପଥ’ର ମୋହ ଅତି ଦୁର୍ବାର । କେଉଁଦିନ ସେ ପଥ ଯେ ତା’ର ବନ୍ଧନହୀନ ଗ୍ରନ୍ଥିରେ ପୁଣି ମୋତେ ବାନ୍ଧି ନେଇଯିବ ସେ କଥା ମୁଁ କିପରି କହିବି । ତେବେ ବର୍ତ୍ତମାନ ମୁଁ ଏଠାରେ କିଛିଦିନ ରହିବାକୁ ଚାହେଁ । ଏଠାରେ ବସି ମୋର ଭ୍ରମଣ କାହାଣୀ ଲେଖିବି, ଆଉ ତୁମର ଯଦି ଆପତ୍ତି ନ ଥାଏ ତୁମର ଦୁଃସାହସିକ କର୍ମପଥରେ ଅବୈତନିକ ସହକାରୀ ହୋଇ କାମ କରିବି ।

 

ଡିସେମ୍ବର ମାସ । ହାଡ଼ଭଙ୍ଗା ଶୀତ ପଡ଼ିଛି । କ୍ୟାପଟେନ୍‌ ପଟ୍ଟନାୟକ ସକାଳବେଳୁ ବାହାରକୁ ଚାଲି ଯାଇଛନ୍ତି । ବହୁକ୍ଷଣ ପର୍ଯ୍ୟନ୍ତ ତାଙ୍କୁ ଚାହିଁ ଚାହିଁ ଅବଶେଷରେ ଭବାନୀବାବୁ ଏକା ମଧ୍ୟାହ୍ନ ଭୋଜନ କଲେ; କ୍ରମେ ଅପରାହ୍ନ ହେଲା ଭବାନୀବାବୁଙ୍କ ହାତରେ କୌଣସି ଜରୁରୀ କାମ ନ ଥିଲା । ଦିନସାରା ଏକା ବସି ବସି ଭବାନୀବାବୁ କେତେଗୁଡ଼ିଏ ପୁରୁଣା ଫାଇଲ୍‌ କାଢ଼ି ପାଠ କରିବାକୁ ଲାଗିଲେ ।

 

କେତେ ଦୁର୍ଦ୍ଧର୍ଷ ନର-ଦାନବମାନଙ୍କର କେତେ ବିଚିତ୍ର କାହାଣୀ ସେଇସବୁ ନଥିଲେ ଲିପିବଦ୍ଧ ହୋଇ ରହିଛି । ମିଉଜିୟମରେ ସଯତ୍ନ ରକ୍ଷିତ ପ୍ରାଚ୍ୟ ଐତିହାସିକ କାଳର ଅତିକାୟ ଜନ୍ତୁମାନଙ୍କର ନଖ ଦନ୍ତପରି । ସେଇ ନରଶାର୍ଦ୍ଦୁଳମାନେ–ଯେଉଁମାନଙ୍କୁ ପୁଲିସ ଭାଷାରେ କ୍ରିମିନାଲ ବା ଅପରାଧୀ ବୋଲି କୁହାଯାଏ; ସେମାନଙ୍କ ଭିତରୁ ଅଧିକାଂଶ ଆଉ ବଞ୍ଚି ନାହାନ୍ତି । କେହି ବା ଫାଶୀ ମଞ୍ଚରେ ଆଉ କେହି ବା ପୁଲିସ ଗୁଳିରେ ପ୍ରାଣ ଦେଇଛନ୍ତି । ଆହୁରି କେତେକ ପାଷାଣ କାରାଗାର ଅନ୍ଧକୂପରେ ଦୀର୍ଘ ବର୍ଷ ପାଇଁ ବନ୍ଦୀହୋଇ ପଡ଼ିଛନ୍ତି । ସେମାନଙ୍କର ରକ୍ତ ଓ ସାହସ ଥିଲା ଅସୀମ । ଅନେକ ପୁଣି ଅତିଶୟ ବିଦ୍ୱାନ ଓ ବୁଦ୍ଧିମାନ ମଧ୍ୟ ଥିଲେ । ସତ୍‌ମାର୍ଗରେ ଜୀବନକୁ ନିୟନ୍ତ୍ରିତ କରି ପାରିଥିଲେ ସେମାନଙ୍କ ଭିତରୁ ଅନେକ ଗଣପୂଜ୍ୟ ଜନନାୟକ ହୋଇ ପାରିଥାନ୍ତି । କିନ୍ତୁ କି ଅଭିଶାପ ନେଇ ଯେ ସେମାନେ ଜନ୍ମ ହୋଇଥିଲେ–ହତ୍ୟା, ଲୁଣ୍ଠନ ଓ ସମାଜର ଅଶେଷ ଅକଲ୍ୟାଣ ସାଧନ ହେଲା ସେମାନଙ୍କର ମୁଖ୍ୟ ବ୍ରତ । ଯେଉଁ ଧ୍ୱଂସର ନିଆଁ ସେମାନେ ଜଳାଇଥିଲେ, ଅବଶେଷରେ ସେଇ ନିଆଁରେ ସେମାନେ ଜଳିପୋଡ଼ି ପାଉଁଶ ହୋଇଗଲେ ।

 

ଏ କୀର୍ତ୍ତିନାଶା ଦୁନିଆରେ କେହି ଚିରକାଳ ବଞ୍ଚିରହେ ନାହିଁ । ଭବାନୀବାବୁ ମଧ୍ୟ ଦିନେ ସମ୍ପୂର୍ଣ୍ଣରୂପେ ଲିଭିଯିବେ । ତାଙ୍କର ବଂଶଧାରାରେ ବା ରକ୍ତଧାରାରେ ତାଙ୍କର ସ୍ୱାକ୍ଷର ସେ ଏ ଦୁନିଆରେ ରଖି ଯାଇପାରିବେ ନାହିଁ । ଗୋଟିଏ ଦୀର୍ଘ ନିଃଶ୍ୱାସ ପକାଇ ଭବାନୀବାବୁ ମୋଟା ଫାଇଲ୍‌ଟି ବନ୍ଦ କରିଦେଲେ ।

 

ଏଇଟି ଭବାନୀବାବୁଙ୍କର ନିଜସ୍ୱ ଘର । ସାନ ଅଥଚ ସୁନ୍ଦର ଓ ପରିଚ୍ଛନ୍ନ ଖଣ୍ଡିଏ ଦୋ’ମହଲା କୋଠା । ଶୀତ ଦିନର ଶୁଖିଲା ନଈ–ପଶ୍ଚିମ ଆକାଶ ନାଲି ହୋଇ ଉଠିଛି । ସୂର୍ଯ୍ୟାସ୍ତର ଆଉ ବିଳମ୍ବ ନାହିଁ । ପଶ୍ଚିମ ଦିଗନ୍ତର ଦିନାନ୍ତର ଚିତାବହ୍ନି ଜଳି ଉଠିଲାଣି । ଗୋଟିଏ ଉଦାସିଆ ଓ ଗୁରୁଗମ୍ଭୀର ମୁହୂର୍ତ୍ତ । ଭବାନୀବାବୁ ଝରକାବାଟେ ପଶ୍ଚିମ ଆକାଶ ପଟରେ ଏଇ ବିୟୋଗାନ୍ତ ଦୃଶ୍ୟଟିକୁ ବହୁକ୍ଷଣ ପର୍ଯ୍ୟନ୍ତ ଚାହିଁ ରହିଲେ ।

 

ହଠାତ୍‌ ଭବାନୀବାବୁଙ୍କର ଧ୍ୟାନଭଙ୍ଗ ହେଲା, ଦୁଆର ଠେଲି କ୍ୟାପଟେନ୍‌ ପଟ୍ଟନାୟକ ଘର ଭିତରକୁ ପ୍ରବେଶ କଲେ । ଗୋରା ତକତକିଆ ଦୀର୍ଘ ଦେହ । ସର୍ବାଙ୍ଗରେ କ୍ଳାନ୍ତି–କିନ୍ତୁ ମୁହଁରେ ତାଙ୍କର ସ୍ୱଭାବ ସୁଲଭ ସ୍ନିଗ୍‌ଧ ହସଟି ଲାଗି ରହିଛି । କ୍ୟାପଟେନ୍‍ଙ୍କୁ ଦେଖି ଭବାନୀବାବୁ ମନେ ମନେ ଖୁସିହେଲେ । ତାଙ୍କୁ କିଛିକ୍ଷଣ ଏକ ଧ୍ୟାନରେ ଚାହିଁ ରହି କୃତ୍ରିମ ଗାମ୍ଭୀର୍ଯ୍ୟଭରା କଣ୍ଠରେ କହିଲେ–ବାଃ, ତମେ ତ ବଡ଼ ସ୍ୱାର୍ଥପର କ୍ୟାପଟେନ୍‌ ! ମୁଁ ତୁମକୁ ଭୋକ ଉପାସରେ ଦିନ ଦୁଇଟା ପର୍ଯ୍ୟନ୍ତ ଚାହିଁ ବସିଛି–ଆଉ ତୁମେ ଏଠାରୁ ଭୁବନେଶ୍ୱର ଯାଇ ‘‘ତାଜମହଲ’’ ହୋଟେଲରେ ପରମ ତୃପ୍ତିର ଚବ୍ୟଚୋଷ୍ୟ ଭୋଜନ କରିଛ ?

 

ଭବାନୀବାବୁଙ୍କର ଅଭିଯୋଗର କୃତ୍ରିମତା କ୍ୟାପଟେନ୍‌ ଅନାୟସରେ ବୁଝି ପାରିଲେ । କିନ୍ତୁ ସେ ଯେ ଭୁବନେଶ୍ୱର ଯାଇ ସେଠାକାର ପ୍ରସିଦ୍ଧ ‘‘ତାଜମହଲ’’ ହୋଟେଲରେ ମଧ୍ୟାହ୍ନଭୋଜନ କରିଛନ୍ତି–ଏ କଥା ଭବାବୀବାବୁ କିପରି ଜାଣିଲେ ତାହା ସେ ଆଦୌ ବୁଝିପାରିଲେ ନାହିଁ । ଅତିଶୟ ଆଶ୍ଚର୍ଯ୍ୟ ହୋଇ କହିଲେ–କିନ୍ତୁ ତୁମେ ଏ କଥା କିପରି ଜାଣିଲ ? ଦିନସାରା ମୁଁ ଆଉ କ’ଣ ସବୁ କରିଛି ତୁମେ କହିପାରିବ ?

 

ମୁରୁକି ହସି ଭବାନୀବାବୁ କହିଲେ–ନିଶ୍ଚୟ ପାରିବି । କିନ୍ତୁ ସେଥିପାଇଁ ମୋତେ ଧ୍ୟାନମଗ୍ନ ହେବାକୁ ହେବ । ଯୋଗବଳରେ ମୁଁ ସବୁ ଗୁପ୍ତକଥା ଜାଣିପାରେ କି ନା !

 

ଏହାକହି ଧ୍ୟାନମଗ୍ନ ଯୋଗୀପରି ଆଖି ଦୁଇଟି ବନ୍ଦକରି ଭବାନୀବାକୁ ନିଜ ଚୌକି ଉପରେ ବହୁକ୍ଷଣ ପର୍ଯ୍ୟନ୍ତ ନୀରବରେ ବସି ରହିଲେ । ତା’ପରେ ଆଖି ଦୁଇଟି ସେହିପରି ବନ୍ଦରଖି ଗୁରୁଗମ୍ଭୀର କଣ୍ଠରେ କହିଲେ–ମୁଁ ଯୋଗବଳରେ ଜାଣିପାରୁଛି ଯେ ତୁମେ ଏଇ ପ୍ରାଚୀନ ନଗରୀର ପୁଣ୍ୟ ଶ୍ମଶାନ ଭୂମି ସତୀଚଉରାକୁ ଯାଉଥିଲ ଏବଂ ସେଠାରେ କେତେଖଣ୍ଡି ଫଟ ମଧ୍ୟ ଉଠାଇଛ ।

 

ଭବାନୀବାବୁଙ୍କର ଏପରି ଅଲୌକିକ ଶକ୍ତି ଦେଖି କ୍ୟାପଟେନ୍‍ ଏକାବେଳକେ ଚିତ୍କାର କରି ଉଠିଲେ–ତୁମେ ଏହା କିପରି ଜାଣି ପାରିଲ ! ନିଶ୍ଚୟ ତୁମର କୌଣସି ଗୁପ୍ତଚର ମୋତେ ଆଜି ଦିନସାରା ଅନୁସରଣ କରିଛି ।

 

ବିଶେଷ ଗୋଟିଏ ବୌଦ୍ଧିକ ମୁଦ୍ରାରେ ହସ୍ତ ଉତ୍ତୋଳନ କରି କ୍ୟାପଟେନ୍‌ଙ୍କୁ ନୀରବ ରହିବାକୁ ଇଙ୍ଗିତ କରି ଭବାନୀବାବୁ ପୁଣି ସେହିପରି ରହସ୍ୟମୟ ଓ ଗମ୍ଭୀର କଣ୍ଠରେ କହିଲେ–ତୁମେ ପୋଷ୍ଟ ଅଫିସକୁ ଯାଇ କେତେଖଣ୍ଡି ଟେଲିଗ୍ରାମ ମଧ୍ୟ ପଠାଇଛ । ଅବଶ୍ୟ କେଉଁଠାକୁ ସେ ତା’ରଗୁଡ଼ିକ ପଠାଇଛ ଓ ସେଗୁଡ଼ିକର ବିଷୟବସ୍ତୁ କ’ଣ–ତାହା ମୋ ମନରେ ସଠିକ୍‌ ଭାବରେ ପ୍ରତିଫଳିତ ହେଉନାହିଁ । ତା’ପରେ କୌଣସି ପୁରାତନ ବନ୍ଧୁଙ୍କ ସହିତ ତୁମର ସାକ୍ଷାତ ହୋଇଛି ଏବଂ ତାଙ୍କୁ ସଙ୍ଗରେ ନେଇ ତୁମେ ତାଜମହଲ ହୋଟେଲରେ ଖଣ୍ଡିଏ କ୍ୟାବିନ୍‌ ରିଜର୍ଭ କରି ମଧ୍ୟାହ୍ନ ଭୋଜନ କରିଛ । ମନେ ହେଉଛି ଯେ, ସେ ହେଉଛନ୍ତି ତୁମର ଜଣେ ମହିଳା ବନ୍ଧୁ ।

 

ଭବାନୀବାବୁ ଆଖି ମେଲାଇ ଚାହିଁଲେ । ସାମାନ୍ୟ ହସି କହିଲେ–ଏବେ କୁହ କ୍ୟାପଟେନ୍‌ ମୋ କଥା ସତ କି ନୁହେଁ ।

 

ବିସ୍ମୟ ବିମୂଢ଼ ଭାବରେ କ୍ୟାପଟେନ୍‌ ପଟ୍ଟନାୟକ ବହୁକ୍ଷଣ ପର୍ଯ୍ୟନ୍ତ ଭବାନୀବାବୁଙ୍କୁ ଚାହିଁ ରହିଲେ । ତା’ପରେ କହିଲେ–ଦେଖ ବନ୍ଧୁ ମୋର ମନେ ହେଉଛି ତୁମେ କୌଣସି ଅଲୌକିକ ଶକ୍ତି ଲାଭ କରିପାରିଛ । ଡିଟେକ୍‌ଟିଭର ବିପଦଶଙ୍କୁଳ ପେଷା ଛାଡ଼ି ତୁମେ ଯଦି କୌଣସି ମଠ ବା ଆଶ୍ରମ କରି ସେଠାରେ ସାଧୁବାବା ହୋଇ ବସନ୍ତ, ତେବେ ତୁମର ପ୍ରଚୁର ଭକ୍ତ ଓ ପ୍ରଚୁର ଅର୍ଥ ଲାଭ ହୁଅନ୍ତା । ମୁଁ ସାରା ପୃଥିବୀ ପରିଭ୍ରମଣ କରିଛି । ଯଦି ଜର୍ମାନିର ଅଦ୍ଭୁତ କର୍ମା ‘‘ଗେଷ୍ଟାପୋ’’ ଅଫିସରମାନଙ୍କର କାର୍ଯ୍ୟଧାରା ସହିତ ମୁଁ ପରିଚିତ, ସ୍କଟ୍‍ଲାଣ୍ଡ ଇୟାଡ଼ର କେତେଜଣ ଅତି ନାମଜାଦା ଗୋଇନ୍ଦା ଅଫିସରଙ୍କ ସହିତ ଅତି ନିବିଡ଼ ଭାବରେ ପରିଚିତ ହେବାର ସୁଯୋଗ ମୁଁ ପାଇଛି । ମିଲିଟେରୀ ସିକ୍ରେଟ୍‌ ସର୍ଭିସରେ ମୁଁ ନିଜେ ମଧ୍ୟ ବହୁଦିନ କାମ କରିଛି କିନ୍ତୁ ମୁଁ ସତ କହିବି ବନ୍ଧୁ, ସାରା ପୃଥିବୀରେ ତୁମର ତୁଳନା ନାହିଁ । ମୋ ବିଷୟରେ ତୁମେ ଯାହାସବୁ କହିଲ ତାହା ଏକାବେଳକେ ସତ । ତୁମେ ପ୍ରକୃତରେ ଅଲୌକିକ ଶକ୍ତିସମ୍ପନ୍ନ ।

 

ଏଥର ଭବାନୀବାବୁ ହସି ଉଠିଲେ, ଅତି ଉଚ୍ଚ ଶବ୍ଦରେ ବହୁକ୍ଷଣ ପର୍ଯ୍ୟନ୍ତ ହସିଲେ । ତା’ପରେ କହିଲେ–ନାଇଁ ଭାଇ, ଏହା କୌଣସି ଅଲୌକିକ ଶକ୍ତି ନୁହେଁ । ଏଇ ସାମାନ୍ୟ କଥା ଜାଣିବା ପାଇଁ କୌଣସି ମନ୍ତ୍ରଶକ୍ତିର ଆଦୌ ପ୍ରୟୋଜନ ନାହିଁ । ମୋର ପର୍ଯ୍ୟବେକ୍ଷଣ ପଦ୍ଧତି ସହିତ ତୁମେ ପୂର୍ବରୁ ମଧ୍ୟ ପରିଚିତ । ଏହା ଗୋଟାଏ ସାଧାରଣ ଅବଜାରଭେସନ୍‌ ଓ ଡିଡ଼କସନ୍‍ ମାତ୍ର ।

 

–କାହା ଉପରେ ତୁମେ ଏପରି ଡିଡ଼କସନ୍‍ କଲ–ମୋର ଜାଣିବା ପାଇଁ ବଡ଼ ଇଚ୍ଛା ହେଉଛି । ତୁମେ କିପରି ଜାଣିପାରିଲ ଯେ ମୁଁ ଜଣେ ମହିଳାଙ୍କ ସହିତ ଆଜି ଭୁବନେଶ୍ୱରର ତାଜମହଲ ହୋଟେଲରେ ମଧ୍ୟାହ୍ନ ଭୋଜନ କରିଛି–ଆଉ ଦୁଇଜଣଙ୍କର ବିଲ୍‌ ମୁଁ ଦେଇଛି ?

 

ସାମାନ୍ୟ ହସି ଭବାନୀବାବୁ କହିଲେ–କେତେକ ତଦନ୍ତ ସମ୍ପର୍କରେ ତାଜମହଲ ହୋଟେଲକୁ ମୁଁ ବହୁବାର ଯାଇଛି ଓ ସେଠାରେ କେତେଥର ଖାଇଛି । ସେଠାକାର ବିଶେଷ ପଦ୍ଧତି ହେଉଛି ସେଠାକାର ବିଲ୍‌ଗୁଡ଼ିକ ଅନ୍ୟାନ୍ୟ ହୋଟେଲପରି ପତଳା ଧଳା କାଗଜରେ ପ୍ରସ୍ତୁତ ନ ହୋଇ ସୁନ୍ଦର ଖଣ୍ଡିଏ ଖଣ୍ଡିଏ ଚିତ୍ରିତ କାର୍ଡ଼ରେ ହୁଏ, ପ୍ରତି କାର୍ଡ଼ ଉପରେ ବିରାଟ ହୋଟେଲଟିର ବିଭିନ୍ନ ସ୍ଥାନର ଆଲୋକ ଚିତ୍ର ବ୍ଲକ୍‌ କରାହୋଇଥାଏ । ଏଇ ଅତ୍ୟାଧୁନିକ ହୋଟେଲଟିର ଏହା ଏକ ବିଚିତ୍ର ବିଜ୍ଞାପନ ପଦ୍ଧତି । ତୁମର ମୂଲ୍ୟବାନ ଟେରେଲିନ୍‌ ଶାର୍ଟର ଛାତି ପକେଟରେ ମୁଁ ସେହିପରି ଦୁଇଖଣ୍ଡି କାର୍ଡ଼ ପରିଷ୍କାର ଦେଖି ପାରୁଛି । ସେଥିରୁ ମୁଁ ଜାଣି ପାରିଲି ଯେ ତୁମେ ଏବଂ ଆଉଜଣେ ଆଜି ତାଜମହଲ ହୋଟେଲରେ ମଧ୍ୟାହ୍ନ ଭୋଜନ କରିଛ ଏବଂ ଦୁଇଜଣଙ୍କର ଖାଦ୍ୟର ମୂଲ୍ୟ ତୁମେ ନିଜେ ଦେଇ ଦୁଇଖଣ୍ଡିଯାକ ବିଲ୍‌ କାର୍ଡ଼ ପକେଟରେ ରଖିଛ ।

 

ଏତେ ସାଧାରଣ ଓ ସହଜ ଗୋଟିଏ ସୂତ୍ରକୁ ଭିତ୍ତିକରି ଭବାନୀବାବୁ ଯେ ଏହା କହିପାରିଥିଲେ ଏ କଥା ଜାଣିପାରି କ୍ୟାପଟେନ୍‍ ଆଶ୍ଚର୍ଯ୍ୟ ହେଲେ । ପଚାରିଲେ–ଆଚ୍ଛା, ମୋ ସହିତ ଯେ ଜଣେ ମହିଳା ମଧ୍ୟାହ୍ନଭୋଜନ କରିଥିଲେ ଏ କଥା ତୁମେ ଜାଣିଲ କିପରି ?

 

ପୁଣି ଭବାନୀବାବୁ ଉଚ୍ଚ ଶବ୍ଦରେ ହସି ଉଠିଲେ–ଆରେ ଏଇଟା ତ ଗୋଟାଏ ଅତି ସାଧାରଣ ଡିଡ଼କସନ୍‍ । ଦୁଇଖଣ୍ଡିଯାକ ବିଲକାର୍ଡ଼ ତୁମ ପକେଟରେ ରହିବାର ଅର୍ଥ କ’ଣ ?

 

–ଅର୍ଥ ହେଉଛି, ଦୁଇଜଣଙ୍କର ଖାଦ୍ୟର ମୂଲ୍ୟ ମୁଁ ଦେଇଛି ।

 

–ବାକିଟା ତ ତମେ ନିଜେ ମଧ୍ୟ କହିପାରିବ । ଏତେ ବର୍ଷ ପରେ ତୁମେ ସ୍ୱଦେଶକୁ ଫେରିଆସିଛ, ଯଦି ଆକସ୍ମିକ ଭାବରେ କୌଣସି ପୁରୁଣା ପୁରୁଷବନ୍ଧୁଙ୍କ ସହିତ ତୁମର ଦେଖା ହୋଇଯାଏ ଓ ବନ୍ଧୁ ତୁମକୁ ତାଜମହଲ ହୋଟେଲରେ ଖାଇବା ପାଇଁ ନିମନ୍ତ୍ରଣ କରି ନେଇଯାଆନ୍ତି ତେବେ ଖାଦ୍ୟର ମୂଲ୍ୟଟା ସେଇ ବନ୍ଧୁ ଦେଇଦେବା ସମ୍ପୂର୍ଣ୍ଣ ସ୍ୱାଭାବିକ କିନ୍ତୁ ନାରୀବନ୍ଧୁ ହେଲେ ଭଦ୍ରତାର ନିଦର୍ଶନ ସ୍ୱରୂପ ସବୁ ଖର୍ଚ୍ଚ ତୁମକୁ ବହନ କରିବାକୁ ହେବ । ତା’ଛଡ଼ା ଆହୁରି ଗୋଟିଏ କଥା ମଧ୍ୟ ମୁ୍ଁ ଚିନ୍ତା କରିଛି ।

 

–କ’ଣ !

 

ସାମାନ୍ୟ ହସି ଭବାନୀବାବୁ କହିଲେ–କୌଣସି ରୂପସୀ ନାରୀର କୁହୂକପ୍ରଭାବ ତୁମ ଉପରେ ପଡ଼ି ନ ଥିଲେ ତୁମେ ଯେ ମଧ୍ୟାହ୍ନ ଭୋଜନ କରିବାକୁ ଘରକୁ ଫେରିବ ନାହିଁ, ଏ କଥା ନିଶ୍ଚୟ ତୁମେ ଟେଲିଫୋନ୍‍ଦ୍ୱାରା ମୋତେ ଜଣାଇ ଦେଇଥାଆନ୍ତ ।

 

ଅତି କ୍ଷୁଦ୍ର ସୂତ୍ର ଉପରେ ଭିତ୍ତି କରି ଭବାନୀବାବୁଙ୍କର ଏପରି ଅଦ୍ଭୁତ ଅନ୍ତଃଦୃଷ୍ଟି ଦେଖି କ୍ୟାପଟେନ୍‍ ଆଶ୍ଚର୍ଯ୍ୟ ହେଲେ ନିଜ ଦୋଷରୁ ଯେ ଭବାନୀବାବୁଙ୍କୁ ସେ ଆଜି ବହୁକ୍ଷଣ ପର୍ଯ୍ୟନ୍ତ ଅଭୁକ୍ତ ରଖିଛନ୍ତି ଏ କଥା ଭାବି ସେ ମନେ ମନେ ଲଜ୍ଜିତ ହେଲେ ।

 

କିଛିକ୍ଷଣ ପର୍ଯ୍ୟନ୍ତ ନୀରବ ରହି କ୍ୟାପଟେନ୍‍ କହିଲେ–ଆଚ୍ଛା, ମୁଁ ଯେ ସତୀଚଉରାକୁ ଯାଇଥିଲି ଏବଂ କେତେଖଣ୍ଡ ଫଟ ଉଠାଇଛି ଏ କଥା ଜାଣିଲ କିପରି ?

 

–ସେ କଥା କିପରି ଜାଣିଲି ତା’ କହିବା ପୂର୍ବରୁ ତୁମକୁ ଗୋଟିଏ କଥା ଜଣାଇଦେବା ଉଚିତ । ତୁମର ଏଇ ମୂଲ୍ୟବାନ ସୁଟରେ ଏଇ ଯେ କଳା ଗେଙ୍ଗୁଟିର ଦାଗ ଲାଗିଯାଇଛି ତାହା ପେଟ୍ରୋଲ ଛଡ଼ା ଆଉ କୌଣସି ଜିନିଷରେ ଛାଡ଼ିବ ନାହିଁ । କାଲି ସକାଳେ ତୁମେ ସୁଟ୍‌ଟିକୁ ଗୋଟିଏ ଭଲ ଲଣ୍ଡ୍ରିକୁ ପଠାଇଦିଅ । କଟକରେ କେବଳ ସତୀଚଉରାଛଡ଼ା ଏପରି କଳା ଗେଙ୍ଗୁଟି ଆଉ କେଉଁଠି ନାହିଁ । ଆଉ ଫଟ ଉଠାଇବା କଥା କହୁଛ ? ତୁମ ପକେଟରେ କ୍ୟାମେରାଟି ଏବେ ବି ରହିଛି । ଫଟ ନ ଉଠାଇ କେବଳ କ୍ୟାମେରାଟି ଯେ ତୁମେ ଦିନଯାକ ବୋହି ବୋହି ବୁଲିଛ ଏ କଥା ଆଦୌ ବିଶ୍ୱାସଯୋଗ୍ୟ ନୁହେଁ ।

 

ଏହି ସମୟରେ ଭବାନୀବାବୁଙ୍କ ଟେବୁଲ ଉପରେ ଗୋଟିଏ ନାଲି ବଲ୍‌ବ ଜଳି ଉଠିଲା, ବାହାରେ କାହାରି ଆଗମନର ସଙ୍କେତ ।

 

ଭବାନୀବାବୁଙ୍କ ଟେବୁଲ ଉପରେ ଏହି ନାଲି ଆଲୁଅଟି ହଠାତ୍‌ ଜଳି ଉଠିବା ଯେ ବାହାରେ କାହାରି ଆଗମନର ସଙ୍କେତ ଏହା କ୍ୟାପଟେନ୍‍ ପଟ୍ଟନାୟକ ମଧ୍ୟ ଜାଣନ୍ତି । ପୂର୍ବେ କେତେଥର ସେ ଏଠାରେ ତାହା ଦେଖିଛନ୍ତି । କ୍ୟାପଟେନ୍‍ ପଚାରିଲେ–ବାହାରେ କିଏ ଅପେକ୍ଷା କରୁଛି, ତୁମର ଡିଡ଼କସନ୍‍ ବଳରେ କିଛି ଧାରଣା କରିପାରିବ ।

 

ସାମାନ୍ୟ ହସି ଭବାନୀବାବୁ କହିଲେ–ସେଥିପାଇଁ କୌଣସି ଡିଡ଼କସନ୍‍ ପ୍ରୟୋଜନ ନାହିଁ କ୍ୟାପଟେନ୍‍ । ଆଗନ୍ତୁକକୁ ମୁଁ ଏଠାରୁ ପରିଷ୍କାର ଦେଖିପାରୁଛି । ବାହାରେ ଓ ଏଇ ଘର ଭିତରେ କେତେଗୁଡ଼ିଏ ଦର୍ପଣ ବିଭିନ୍ନ ଭଙ୍ଗରେ ଖଞ୍ଜା ହୋଇଛି, ଏଇସବୁ ଦର୍ପଣରେ ପ୍ରତିଫଳିତ ହୋଇ ବାହାରେଥିବା ଲୋକର ଛାୟା ମୋ ଟେବୁଲ ଉପରେ ଖଞ୍ଜା ହୋଇଥିବା ଏଇ ଦର୍ପଣଟି ଉପରେ ଭାସିଉଠେ । ବାହାରେଥିବା ଲୋକଟିକୁ ମୁଁ ଏଇ ଆଇନା ଭିତରେ ପରିଷ୍କାର ଦେଖିପାରୁଛି-। ତୁମେ ମଧ୍ୟ ଏଠାକୁ ଆସି ଦେଖିପାର ।

 

–କିନ୍ତୁ ଏତେଦୂର ସତର୍କତାର କାରଣ କ’ଣ ?

 

–ପ୍ରୟୋଜନ ଅଛି ଭାଇ, ବହୁ ଅଭିଜ୍ଞତା ପରେ ଏ ପ୍ରୟୋଜନ ଦେଖାଦେଇଛି ଏବଂ ସେଥିପାଇଁ ମୋତେ ଏପରି ଆୟୋଜନ କରିବାକୁ ପଡ଼ିଛି । ତୁମପରି ମୋର ବନ୍ଧୁ ବା କୌଣସି ବିଶିଷ୍ଟ ଭଦ୍ରଲୋକ ଯେ କେବଳ ମୋ ସହିତ ଦେଖା କରିବାକୁ ଆସନ୍ତି ତାହା ନୁହେଁ, ଅତି ହିଂସ୍ର ଓ ଭୀଷଣ ପ୍ରକୃତି ଆତତାୟୀ ମଧ୍ୟରେ ମୋର ପ୍ରାଣ ନେବାପାଇଁ କଦାଚିତ ଏଠାରେ ଉଦୟ ହୁଅନ୍ତି । ଘର ଭିତରେ ପ୍ରବେଶ କରିବା ପୂର୍ବରୁ ଯଦି ସେପରି ମହାପୁରୁଷମାନଙ୍କୁ ମୁଁ ଚିହ୍ନି ନ ପାରେ ତେବେ ସେମାନଙ୍କର ଯଥୋଚିତ ସମ୍ଭାଷଣ ବା ଚର୍ଚ୍ଚା ହୋଇପାରିବ ନାହିଁ କିନ୍ତୁ ବର୍ତ୍ତମାନର ଆଗନ୍ତୁକ ସେ ଶ୍ରେଣୀର ମହାପୁରୁଷ ନୁହେଁ, ଏ ହେଉଛି ଏଇ ସହରର ଜଣେ ମାରୁଆଡ଼ି ବ୍ୟବସାୟୀ । ଚାନ୍ଦନୀଚୌକରେ ତାଙ୍କର ସାନ ଖଣ୍ଡିଏ ଷ୍ଟେନଲେସ୍‌ ଷ୍ଟିଲର ବାସନ ଦୋକାନ ଅଛି । ଦୋକାନଟି ଅତି ସାନ ହେଲେ ମଧ୍ୟ ଇସ୍‌ପାତର କବାଟ ଲାଗି ଠିକ୍‌ ଗହଣା ଦୋକାନପରି ସୁରକ୍ଷିତ । ଏତେ ଅର୍ଥବ୍ୟୟ କରି ସାମାନ୍ୟ ଖଣ୍ଡିଏ ବାସନ ଦୋକାନକୁ ଯେ ସେ କାହିଁକି ଏପରି ସୁରକ୍ଷିତ କରିଛି ସେ କଥା ଅବଶ୍ୟ ମୁଁ ଜାଣେ ନାହିଁ କିନ୍ତୁ ଲୋକଟିକୁ ବଡ଼ ବିବ୍ରତ ମନେ ହେଉଛି । ବୋଧହୁଏ କୌଣସି ବିପଦରେ ପଡ଼ିଛି, ଆମେ ବର୍ତ୍ତମାନ ସବୁ ଜାଣିପାରିବା ।

 

ଭବାନୀବାବୁ ଟେବୁଲ ସଂଲଗ୍ନ ଇଲେକ୍‌ଟ୍ରିକ୍‌ ଘଣ୍ଟିର ବୋତାମ ଚିପିଦେଲେ । ଅନତି ବିଳମ୍ବରେ ତାଙ୍କର ଭୃତ୍ୟ ଆସି ଘର ଭିତରେ ଉଦୟ ହେଲା ।

 

–ବାହାରେ ଯେଉଁ ମାରୁଆଡ଼ି ଭଦ୍ରଲୋକଟି ଛିଡ଼ା ହୋଇଛନ୍ତି ତାଙ୍କୁ ଭିତରକୁ ନେଇଆ ରଘୁ ।

 

କିଛିକ୍ଷଣ ପରେ ଜଣେ ମଧ୍ୟବୟସ୍କ ଲୋକ ଘର ଭିତରେ ପ୍ରବେଶ କଲେ, ଆଖିରେ ଗୋଟାଏ ଅଦ୍ଭୁତ ଭୟର ଛାୟା ସୁଷ୍ପଷ୍ଟ । ସର୍ବାଙ୍ଗରେ ପ୍ରଚଣ୍ଡ ଗୋଟାଏ କ୍ଳାନ୍ତି । କି ଏକ ଅଜ୍ଞାତ ଭୟ ଓ କ୍ଳାନ୍ତିରେ ଯେପରି ଝାଉଁଳି ପଡ଼ିଛନ୍ତି ।

 

ହାତ ଆଙ୍ଗୁଠିରେ ବଡ଼ ବଡ଼ ହୀରାବସା ଦୁଇଟା ମୁଦି ତାଙ୍କର ଅର୍ଥ ପ୍ରାଚୁର୍ଯ୍ୟ ପ୍ରଚାର କରୁଛି । ଘର ଭିତରେ ଦୁଇଜଣଙ୍କୁ ଦେଖି ସେମାନଙ୍କ ଭିତରୁ ଭବାନୀବାବୁ କିଏ–ଏ କଥା ଯେପରି ସେ ହଠାତ୍‌ ଠିକ୍‌ କରିପାରିଲେ ନାହିଁ । ତାଙ୍କର ମନର ଦ୍ୱନ୍ଦ୍ୱ ବୁଝିପାରି କୋମଳ କଣ୍ଠରେ ଭବାନୀବାବୁ କହିଲେ–ଆପଣ ଅତିଶୟ ବିବ୍ରତ ଓ କ୍ଳାନ୍ତ ମନେ ହେଉଛନ୍ତି । ନିଶ୍ଚୟ ମୋତେ କିଛି କହିବାକୁ ଆପଣ ଏଠାକୁ ଆସିଛନ୍ତି, ମୋ ନା ଭବାନୀ ମହାପାତ୍ର–ଆପଣ ସେଇ ଚୌକିରେ ବସନ୍ତୁ-। ତା’ପରେ ଧୀରେ ଧୀରେ ସବୁ କହିବେ ।

 

ଆଗନ୍ତୁକ ଭବାନୀବାବୁଙ୍କୁ ଗୋଟିଏ ନମସ୍କାର ଜଣାଇ ଖଣ୍ଡିଏ ଚୌକିରେ ବସିଲେ । ତା’ପରେ କ୍ୟାପଟେନ୍‌ ପଟ୍ଟନାୟକଙ୍କ ଆଡ଼େ ଚାହିଁ ସାମାନ୍ୟ କୁଣ୍ଠିତ କଣ୍ଠରେ କହିଲେ–ଆପଣଙ୍କ ସହିତ ମୋର କିଛି ଗୋପନୀୟ କଥାଥିଲା ସାର୍‌ । ଏଥିପୂର୍ବରୁ ଆପଣଙ୍କୁ ଚାକ୍ଷୁଷ ଦେଖି ନଥିଲେ ମଧ୍ୟ ଆପଣଙ୍କ ବିଷୟରେ ମୁଁ ବହୁ କଥା ଶୁଣିଛି । ମୋର ଦୃଢ଼ ବିଶ୍ୱାସ ଯେ ଆପଣ ମୋର ଉପକାର କରି ପାରିବେ ।

 

ଏହାକହି ପୁଣିଥରେ ସେ କ୍ୟାପଟେନ୍‌ଙ୍କ ଆଡ଼େ ଚାହିଁଲେ । ତାଙ୍କର ମନୋଭାବ ବୁଝିପାରି ଭବାନୀବାବୁ କହିଲେ–ଏ ହେଉଛନ୍ତି ମୋର ଜଣେ ବିଶେଷ ବନ୍ଧୁ । ଆପଣ ସବୁ କଥା ନିର୍ଭୟରେ କହିପାରନ୍ତି ।

 

ଭବାନୀବାବୁଙ୍କ କଥାଶୁଣି ଆଗନ୍ତୁକ କିଛିକ୍ଷଣ ନୀରବରେ ଚିନ୍ତାକଲେ । ତା’ପରେ ଯେପରି ସ୍ୱଗତୋକ୍ତି କଲାପରି କହିଲେ–ଯାହା କାଲି ସକାଳେ ସମସ୍ତେ ଜାଣିପାରିବେ ସେଥିରେ ପ୍ରକୃତରେ କୌଣସି ଗୋପନୀୟତା ନାହିଁ । ମୁଁ ସବୁ କହିବି ।

 

ତା’ପରେ କିଛିକ୍ଷଣ ନୀରବ ରହି କହିଲେ–ମୋ ନାମ ବେଣିପ୍ରସାଦ ଅଗରଓ୍ୱାଲା । ଏଇ ସହରରେ ମୋର ସାନ ଖଣ୍ଡିଏ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ର ଦୋକାନ ଅଛି । ମୁଁ......

 

ହଠାତ୍‌ କ’ଣ ଯେପରି କହିବାକୁ ଯାଇ ବେଣିପ୍ରସାଦ ଚୁପ୍‌ ହୋଇଗଲେ । ଭବାନୀବାବୁ କହିଲେ–ଦେଖନ୍ତୁ ବେଣିପ୍ରସାଦ ବାବୁ ଆପଣ ମୋତେ ପୂର୍ବରୁ କହିଛନ୍ତି ଯେ ମୋ ବିଷୟରେ ଆପଣ ବହୁତ ଶୁଣିଛନ୍ତି ଏବଂ ମୋ ନିକଟରୁ ଆପଣ ଉପକାର ପାଇବେ ବୋଲି ବିଶ୍ୱାସ କରନ୍ତି । ଆପଣ ଏ ପର୍ଯ୍ୟନ୍ତ ମୋତେ କିଛି କହି ନଥିଲେ ମଧ୍ୟ ମୁଁ ଜାଣିପାରୁଛି ଯେ ଆପଣଙ୍କର ଜୀବନ ସଙ୍କଟାପନ୍ନ ।

 

ଭବାନୀବାବୁଙ୍କ ଗୁରୁଗମ୍ଭୀର କଣ୍ଠରୁ ଏପରି ଭୟାବହ ଭବିଷ୍ୟତ ବାଣୀ ଶୁଣି ବେଣିପ୍ରସାଦ ଯେପରି ହଠାତ୍‌ ଚମକି ଉଠିଲେ । କ’ଣ ଯେପରି କହିବାକୁ ଯାଉଥିଲେ; କିନ୍ତୁ ଗୋଟିଏ ହାତ ଉଠାଇ ତାଙ୍କୁ ନୀରବ ରହିବାକୁ ଇଙ୍ଗିତ କରି ଭବାନୀବାବୁ କହିଲେ–ଆପଣ ଧୀରେ ଧୀରେ ସବୁ କହିବେ । ତା’ ପୂର୍ବରୁ ମୁଁ କେତୋଟି ମାତ୍ର କଥା ଆପଣଙ୍କୁ ପଚାରିବାକୁ ଚାହେଁ । ଆପଣ ଏ ସହରରେ କେତେବର୍ଷ ହେବ ଅଛନ୍ତି ?

 

–ପ୍ରାୟ ଦଶ ବର୍ଷ ହେବ ।

 

ଏଠାରେ ଆପଣଙ୍କର କୌଣସି ଆତ୍ମୀୟ ବା ବନ୍ଧୁ ଅଛନ୍ତି କି ?

 

–ନାଇଁ ସାର୍‌ ମୁଁ ଜୀବନରେ ସମ୍ପୂର୍ଣ୍ଣ ଏକା, ଢାକାର ସମ୍ପ୍ରଦାୟିକ ଦଙ୍ଗାରେ ମୋର ସବୁ ଆତ୍ମୀୟସ୍ୱଜନ ଲୋପ ପାଇଛନ୍ତି । ପ୍ରାୟ ଦଶବର୍ଷ ତଳେ ମୁଁ ଏକା ଏଇ ସହରକୁ ଆସି ସାମାନ୍ୟ ବ୍ୟବସାୟ କରି ଜୀବିକା ନିର୍ବାହ କରୁଛି ।

 

–ଯେଉଁ କୋଠାଘରଟିର ସାମନାପଟେ ଆପଣଙ୍କର ଦୋକାନ, ସେଇଟି କ’ଣ ଭଡ଼ାଘର ନା ଆପଣଙ୍କର ନିଜ ଘର ?

 

ନାଇଁ ସାର୍‌ ସେଇଟି ମୋର ନିଜଘର ନୁହେଁ । ଏଇ ସହରର ମୌଲାନା ହବିବୁର୍‌ ରହମାନ୍‌ ବୋଲି ଜଣେ ଧନୀଲୋକ ଅଛନ୍ତି ସେ ହେଉଛନ୍ତି ସେ ଘରର ମାଲିକ । ମାସିକ ଦୁଇଶତ ଟଙ୍କାରେ ତାଙ୍କଠାରୁ ସେ କୋଠାଟି ମୁଁ ଭଡ଼ାରେ ନେଇଛି । ଆପଣ ଭାବିପାରନ୍ତି ଯେ ଏଇ ସାମାନ୍ୟ ଖଣ୍ଡିଏ ଦୋକାନ କରିବା ପାଇଁ ମୁଁ ଏତେବଡ଼ ଘରଟା କାହିଁକି ନେଇଛି କିନ୍ତୁ ସାର୍‌ ମୁଁ ମାରୁଆଡ଼ି । ବ୍ୟବସାୟ ହେଉଛି ମୋର ଜନ୍ମଗତ ପେଷା । ଭବିଷ୍ୟତରେ ମୁଁ ବ୍ୟବସାୟ ବଢ଼ାଇ ପାରିବି, ଏଇ ଆଶାରେ–

 

ସାମାନ୍ୟ ହସି ଭବାନୀବାବୁ କହିଲେ ମୁଁ କ’ଣ ଭାବିପାରେ ସେଥିପାଇଁ ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ । ହଁ ଆପଣ ଇନକମ୍‌ ଟ୍ୟାକସ୍‌ ଦିଅନ୍ତି ?

 

–ନା ସାର୍‍, ଇନକମ୍‌ ଟ୍ୟାକ୍‌ସ ଦେବାପରି ମୋର ଏତେ ବେଶି ଆୟ ନାହିଁ । ମୋର ବ୍ୟବସାୟ ଅତି ସାମାନ୍ୟ ।

 

–ଏବେ କୁହନ୍ତୁ ବେଣିପ୍ରସାଦ ବାବୁ, ମୁଁ ଆପଣଙ୍କୁ କିପରି ଭାବରେ ସାହାଯ୍ୟ କରିପାରେ ?

 

ପୁଣିଥରେ କ୍ୟାପଟେନ୍‍ ପଟ୍ଟନାୟକଙ୍କ ଆଡ଼େ ବେଣିପ୍ରସାଦ ଚାହିଁଲେ, ତା’ପରେ କଥାଟା କିପରି ଭାବରେ କହିବାକୁ ହେବ ତାହାହିଁ ମନେ ମନେ କିଛିକ୍ଷଣ ଠିକ୍‌ କରିବାକୁ ଲାଗିଲେ-। କିଛିକ୍ଷଣ ପରେ ଥଙ୍ଗେଇ ଥଙ୍ଗେଇ କହିଲେ ମୁଁ ମୋର ଅପରାଧ ସ୍ୱୀକାର କରି ଗିରଫ ହେବାପାଇଁ ଆତ୍ମସମର୍ପଣ କରିବାକୁ ଆସିଛି ସାର୍‌ କିନ୍ତୁ ଗୋଟିଏ ସର୍ତ୍ତରେ ମୁଁ ଏହା କରିବାକୁ ଚାହେଁ । କେବଳ ମୁଁ ମୋର ଦୋଷ ସ୍ୱୀକାର କରିବି । ମୋର ଅନ୍ୟାନ୍ୟ ସହକର୍ମୀମାନଙ୍କର ନାମ ମୁଁ ପ୍ରକାଶ କରିବି ନାହିଁ ।

 

ଉଚ୍ଚାଭିଳାଷୀ ବ୍ୟବସାୟୀଙ୍କ ମୁହଁରୁ ଏପରି ବିଚିତ୍ର ଉକ୍ତି ଶୁଣି କ୍ୟାପଟେନ୍‍ ପଟ୍ଟନାୟକ ଏକାବେଳକେ ଆଶ୍ଚର୍ଯ୍ୟ ହୋଇଗଲେ । ଅପରାଧୀ ଯେ ଏତେଦୂର ସଚ୍ଚରିତ୍ର ହୋଇ ସ୍ୱେଚ୍ଛାରେ ପୁଲିସ ନିକଟରେ ଉପସ୍ଥିତ ହୋଇ ନିଜର ଅପରାଧ ସ୍ୱୀକାର କରିବାକୁ ଇଚ୍ଛା ପ୍ରକାଶ କରେ; ଏ କଥା କ୍ୟାପଟେନ୍‍ ପଟ୍ଟନାୟକ କେବେହେଲେ ଶୁଣି ନ ଥିଲେ । ବେଣିପ୍ରସାଦଙ୍କ ମୁହଁରୁ ତାଙ୍କର ଅପରାଧର ବିବରଣୀ ଶୁଣିବା ପାଇଁ ସେ ବ୍ୟଗ୍ର ହୋଇ ଉଠିଲେ କିନ୍ତୁ ସେ ଭବାନୀବାବୁଙ୍କ ଆଡ଼େ ଚାହିଁ ଦେଖିଲେ ଯେ ତାଙ୍କ ମୁହଁରେ କୌଣସି ବ୍ୟଗ୍ରତାର ଲେଶ ମାତ୍ର ଚିହ୍ନ ନାହିଁ । ମୁହଁରେ ସାମାନ୍ୟ ଟିକିଏ ରହସ୍ୟମୟ ହସ ଲାଗି ରହିଛି ।

 

ସାମାନ୍ୟ ହସି ଭବାନୀବାବୁ କହିଲେ–କିନ୍ତୁ ମୁଁ ଯଦି କହେ ସେ ଏପରି ସର୍ତ୍ତାଧୀନ ସ୍ୱୀକାରୋକ୍ତି ମୁଁ ଚାହେଁ ନାହିଁ । ଯଦି କୌଣସି ଅପରାଧରେ ଆପଣ ସଂପୃକ୍ତ ଥାଆନ୍ତି ତେବେ ସେ ଅପରାଧର ପ୍ରମାଣ ସ୍ୱାଧୀନ ଭାବରେ ତଦନ୍ତ କରି ପୁଲିସ ପ୍ରମାଣ ସଂଗ୍ରହ କରିପାରିବ ଓ ଆପଣଙ୍କୁ ଯଥା ସମୟରେ ଗିରଫ କରିପାରିବ ।

 

ଭବାନୀବାବୁଙ୍କ କଥା ଶୁଣି ବେଣିପ୍ରସାଦଙ୍କର ମୁହଁଟି ଆହୁରି ଶୁଖିଗଲା । କିଛିକ୍ଷଣ ନୀରବ ରହି ଥଙ୍ଗେଇ ଥଙ୍ଗେଇ କହିଲେ–କିନ୍ତୁ ଆପଣ ଯଦି ଦୟା କରି......... ।

 

ଏଥର ଭବାନୀବାବୁ ଉଚ୍ଚ ଶବ୍ଦରେ ହସି ଉଠିଲେ । କହିଲେ–ଶୁଣନ୍ତୁ ବେଣିପ୍ରସାଦବାବୁ ଆପଣ ଯେଉଁ ଉଦ୍ଦେଶ୍ୟରେ ଗିରଫ ହୋଇ କିଛିଦିନ ଜେଲ ଭିତରେ ରହିବାକୁ ଚାହୁଁଛନ୍ତି ତା’ ଯେ ମୁଁ ନ ବୁଝି ପାରିଛି, ତା’ ନୁହେଁ । ଏହାଠାରୁ ଆହୁରି ଜଟିଳ କଥା ମଧ୍ୟ ମୁଁ ବହୁ ସମୟରେ ବୁଝିପାରେ । ଜେଲଖାନା ଭିତରଟା ପ୍ରାଣ ବଞ୍ଚାଇବା ପାଇଁ ଯେ ସମ୍ପୂର୍ଣ୍ଣ ନିରାପଦ ସ୍ଥାନ ଏ କଥା ନିରାଟ ସତ୍ୟ କିନ୍ତୁ ଆପଣ ଯଦି ଆମକୁ ସମ୍ପୂର୍ଣ୍ଣ କପୋଳକଳ୍ପିତ ଗୋଟିଏ ଗଳ୍ପ ନ ଶୁଣାଇ ସାହାସ କରି ସବୁ ସତକଥା କହିପାରନ୍ତେ ତେବେ ଜେଲଖାନା ବାହାରେ ଥାଇ ମଧ୍ୟ ଆପଣଙ୍କର ଆତତାୟୀମାନଙ୍କ ହାତରୁ ଆପଣ କିପରି ଭାବରେ ବଞ୍ଚି ପାରିବେ ସେ ବ୍ୟବସ୍ଥା ହୁଏତ ମୁଁ କରନ୍ତି । ଆପଣ କିଛିକ୍ଷଣ ପର୍ଯ୍ୟନ୍ତ ଏଠାରେ ବସି ସବୁକଥା ମନେ ମନେ ଚିନ୍ତାକରି ଦେଖନ୍ତୁ । ମୁଁ ଏହିକ୍ଷଣି ଆସୁଛି ।

 

ଏହାକହି ଭବାନୀବାବୁ ଘର ଛାଡ଼ି ବାହାରକୁ ଚାଲିଗଲେ । କ୍ୟାପଟେନ୍‍ ପଟ୍ଟନାୟକ ଓ ବେଣିପ୍ରସାଦ ନିଜ ନିଜ ଆସନରେ ନୀରବରେ ବସି ରହିଲେ ।

 

ପ୍ରାୟ ପାଞ୍ଚମିନିଟ ପରେ ଭବାନୀବାବୁ ପୁଣି ଘର ଭିତରକୁ ଆସିଲେ । ନିଜର ଚୌକିରେ ବସୁ ବସୁ କହିଲେ–କ’ଣ ଠିକ୍‌ କଲେ ବେଣିପ୍ରସାଦ ବାବୁ ।

 

ଶୁଷ୍କ କଣ୍ଠରେ ବେଣିପ୍ରସାଦ କହିଲେ–ମୁଁ କିଛି ଠିକ୍‌ କରି ପାରି ନାହିଁ ସାର୍‌ । ଆଗାମି କାଲି ମୁଁ ଆପଣଙ୍କୁ ଜଣାଇବି ।

 

ବେଣିପ୍ରସାଦ ଆସନ ତ୍ୟାଗକରି ଉଠୁଥିଲେ । ଭବାନୀବାବୁ ବ୍ୟସ୍ତ ହୋଇ କହି ଉଠିଲେ–ନା, ନା–ଉଠନ୍ତୁ ନାହିଁ ବେଣିପ୍ରସାଦ ବାବୁ, ଟିକିଏ ଚାହା ଖାଇ ଯିବେ ।

 

ବେଣିପ୍ରସାଦ ପୁଣି ବସିଲେ । କିଛିକ୍ଷଣ ପରେ ଟ୍ରେ ଉପରେ ତିନି କପ୍‌ ଗରମ ଚାହା ଧରି ଭବାନୀବାବୁଙ୍କ ଭୃତ୍ୟ ଘର ଭିତରେ ପ୍ରବେଶ କଲା । ନୀରବରେ ବେଣିପ୍ରସାଦ ଚାହାପାନ କରିବାକୁ ଲାଗିଲେ । ଚାହା ଖାଉ ଖାଉ ନାନା ବିଷୟ ଅବଲମ୍ବନ କରି ଭବାନୀବାବୁ ଓ କ୍ୟାପଟେନ୍‍ ପଟ୍ଟନାୟକ ଅତି ତରଳ ଚିତ୍ତରେ ଗଳ୍ପ କରିବାକୁ ଲାଗିଲେ । ହଠାତ୍‌ ବେଣିପ୍ରସାଦଙ୍କୁ ଚାହିଁ ଭବାନୀବାବୁ କହିଲେ–ଆପଣଙ୍କ ଆଙ୍ଗୁଠିରେ ଯେଉଁ ମୁଦି ସେଥିରେ ଥିବା ପଥରଗୁଡ଼ାକ କ’ଣ ନକଲି ?

 

ଟିକିଏ ଶୁଖିଲା ହସ ହସି ବେଣିପ୍ରସାଦ କହିଲେ–ନାଇଁ ସାର୍‌, ଗୋଟାଏ ହେଉଛି ଖାଣ୍ଟି ‘‘କ୍ୟାଟ୍‌ସ ଆଇ’’ । ଆଉ ଗୋଟିଏ ହେଉଛି ପୋଖରାଜ ।

 

ଚା’ପାନ କରିସାରି ବେଣିପ୍ରସାଦ ଉଠିଲେ । ତାଙ୍କୁ ବିଦାୟ ଦେଇ ଭବାନୀବାବୁ ଓ କ୍ୟାପଟେନ୍‍ ପଟ୍ଟନାୟକ ପୁଣି ବସିଲେ । କ୍ୟାପଟେନ୍‍ କହିଲେ–ବେଣିପ୍ରସାଦ କ’ଣ ଦୋଷ ସ୍ୱୀକାର କରିବାକୁ ଚାହୁଁଥିଲେ, ଥରେ ଶୁଣିଥିଲେ କ’ଣ କ୍ଷତି ହୋଇଥାନ୍ତା !

 

ସାମାନ୍ୟ ହସି ଭବାନୀବାବୁ କହିଲେ–ଲାଭ ମଧ୍ୟ କିଛି ହୁଅନ୍ତା ନାହିଁ । ପ୍ରତିଦିନ ସମ୍ବାଦପତ୍ରରେ କେତେ ଅପରାଧର କାହାଣୀ ବାହାରୁଛି । ସେହିପରି ଗୋଟିଏ କାହାଣୀ ଉଦ୍ଧାର କରି ବେଣିପ୍ରସାଦ ଆମକୁ ଜଣାନ୍ତା ଯେ ସେ ଅପରାଧରେ ସେ ନିଜେ ସଂପୃକ୍ତ । ତା’ପରେ ଗିରଫ ହୋଇ କିଛିଦିନ ଜେଲରେ ରହନ୍ତା । ତା’ର ଅଭିପ୍ରାୟ ପୂରଣ ହୁଅନ୍ତା । ଅବଶେଷରେ କିଛିଦିନ ପରେ ପ୍ରମାଣ ଅଭାବରେ ପୁଲିସ ତାକୁ ମୁକ୍ତି ଦେବାକୁ ବାଧ୍ୟ ହୁଅନ୍ତେ ।

 

–କିନ୍ତୁ ସେ ଜେଲଖାନା ଭିତରକୁ ଯିବାକୁ କାହିଁକି ଚାହୁଁଛି ?

 

–ଆତ୍ମରକ୍ଷା କରିବା ପାଇଁ, ନିଜର ଜୀବନ ବଞ୍ଚାଇବ ପାଇଁ । ବେଣିପ୍ରସାଦ ଯେ ଖୁବ୍‌ ବଡ଼ ଓ ଶକ୍ତିଶାଳୀ ଗୋଟାଏ ଅପରାଧୀଦଳ ସହିତ ସଂପୃକ୍ତ ଏଥିରେ ମୋର ସନ୍ଦେହ ନାହିଁ । ସହକର୍ମୀମାନଙ୍କ ସହିତ ହୁଏତ ବେଣିପ୍ରସାଦ କୌଣସି ଭାବରେ ବିଶ୍ୱାସଘାତକତା କରିଛି । ସେଇମାନଙ୍କ ହାତରେ ସେ ବର୍ତ୍ତମାନ ମୃତ୍ୟୁ ଆଶଙ୍କା କରୁଛି । ସେ ଆତତାୟୀମାନଙ୍କ ହାତରୁ ନିଜକୁ ବଞ୍ଚାଇ ରଖିବା ପାଇଁ ସେ କାରା ପ୍ରାଚୀରର ଆଢ଼ୁଆଳରେ ନିଜକୁ ଲୁଚାଇ ରଖିବାକୁ ଚାହେଁ କିନ୍ତୁ କିପରି ଅପରାଧରେ ଯେ ସେ ଲିପ୍ତ ତାହା ଅନ୍ଦାଜ କରି କହିବା ସମ୍ଭବ ନୁହେଁ । ହୁଏତ ଆନ୍ତର୍ଜାତିକ ଚୋରା କାରାବାର କିମ୍ବା ସେହିପରି ଆଉ କିଛି । ବେଣିପ୍ରସାଦର ବ୍ୟୟବହୁଳ ଜୀବନଯାତ୍ରା ଯେ ତା’ର ସାମାନ୍ୟ ଷ୍ଟେନଲେସ୍‍ ଷ୍ଟିଲ ଦୋକାନର ଲାଭରୁ ନିର୍ବାହ ହେଉ ନାହିଁ, ସେଥିରେ ମୁଁ ନିଃସନ୍ଦେହ ।

 

କ୍ୟାପଟେନ୍‍ କହିଲେ–ତମେ କ’ଣ ମନେକର ଯେ ଆତତାୟୀମାନେ ବେଣିପ୍ରସାଦକୁ ହତ୍ୟା କରିପାରନ୍ତି ?

 

–ନିଶ୍ଚୟ । ଆଜି ରାତିରେ ମଧ୍ୟ ତାକୁ ହତ୍ୟା କରିବାକୁ ଚେଷ୍ଟା କରିପାରନ୍ତି ।

 

କ୍ୟାପଟେନ୍‍ ନୀରବରେ କିଛିକ୍ଷଣ କ’ଣ ଚିନ୍ତାକଲେ । ତା’ପରେ କହିଲେ–ଏହା ଜାଣି ସୁଦ୍ଧା ତା’ର ନିରାପତ୍ତାର କୌଣସି ବ୍ୟବସ୍ଥା କରିବା ତୁମର ଉଚିତ ନ ଥିଲା କି ?

 

ରହସ୍ୟମୟ ଟିକିଏ ହସ ହସି ଭବାନୀବାବୁ କହିଲେ–ସବୁ ବ୍ୟବସ୍ଥା ହୋଇଛି କ୍ୟାପଟେନ୍‍ । ମୁଁ ତୁମମାନଙ୍କୁ ଏଠାରେ ବସାଇ କିଛିକ୍ଷଣ ପାଇଁ ବାହାରକୁ ଯାଇଥିଲି । ସବୁ ବ୍ୟବସ୍ଥା କରି ଆସିଛି ।

 

ଏହି ସମୟରେ ଟେବୁଲ ଉପରେ ଥିବା ଟେଲିଫୋନ୍‌ ବାଜି ଉଠିଲା । ରିସିଭର୍‌ କାନରେ ଲଗାଇ କିଛିକ୍ଷଣ ପର୍ଯ୍ୟନ୍ତ ଭବାନୀବାବୁ ନିମ୍ନସ୍ୱରରେ କାହା ସହିତ କଥାବାର୍ତ୍ତା ହେଲେ । ତା’ପରେ ରିସିଭର୍‍ ରଖିଦେଇ ସ୍ମିତ ମୁଖରେ କ୍ୟାପଟେନ୍‍ଙ୍କ ଆଡ଼େ ଚାହିଁ କହିଲେ–ସବୁ ଠିକ୍‌ ଅଛି-। ବେଣିପ୍ରସାଦ ନିର୍ବିଘ୍ନରେ ତା’ ଘର ଭିତରେ ପ୍ରବେଶ କରିଛି ଓ ସାଙ୍ଗେ ସାଙ୍ଗେ ଘର କବାଟ ଭିତରୁ ବନ୍ଦ କରି ଦେଖିଛି । ପୁଲିସର ଗୁପ୍ତଚରମାନେ ଘର ଉପରେ ନଜର ରଖିଛନ୍ତି । ହୁଏତ ଆଜି ରାତିରେ ବେଣିପ୍ରସାଦର ଅଜ୍ଞାତ ଆତତାୟୀକୁ ଆମେ ଧରି ପାରିବା ଏବଂ ଯେଉଁ ରହସ୍ୟ ବେଣିପ୍ରସାଦ ଗୋପନ ରଖୁଛି ତାହା ଆମେ ବେଣିପ୍ରସାଦର ଆତତାୟୀ ମୁହଁରୁ ଅନାୟାସରେ ଶୁଣିପାରିବା । ମୋର ବିଶ୍ୱାସ–ଏହା ଏପରି ଗୋଟାଏ ବଡ଼ କଥା କିଛି ନୁହେଁ ।

 

ହାୟରେ ଆତ୍ମବିଶ୍ୱାସୀ ଡିଟେକ୍‌ଟିଭ ଭବାନୀ ମହାପାତ୍ର । ସେ ଯଦି ଜାଣିପାରନ୍ତେ ଯେ ଏକ ସାଂଘାତିକ ଷଡ଼ଯନ୍ତ୍ରର ଏହା ସୂଚନା ମାତ୍ର–ତେବେ ସେ କହି ନ ଥାନ୍ତେ ଯେ ଏହା ଗୋଟିଏ ବଡ଼ କଥା କିଛି ନୁହେଁ ।

 

ଶୀତ ରାତିର ଗଭୀର ସୁସୁପ୍ତି ତଳୁ ଭବାନୀବାବୁ ଧୀରେ ଧୀରେ ଜାଗି ଉଠିଲେ । ଶୋଇବା ଘର ଭିତରେ ଗୋଟିଏ ନେଳି ଆଲୁଅ ଜଳୁଛି । କାନ୍ଥ ଘଡ଼ିକୁ ଚାହିଁ ଦେଖିଲେ–ଚାରିଟା ବାଜିଛି । ବାହାରେ କୁହେଳିମୟ ନିରନ୍ଧ୍ର ଅନ୍ଧକାର । ଖଟ ନିକଟରେ ଖଣ୍ଡେ ସାନ ଟେବୁଲ ଉପରେ ରଖା ହୋଇଥିବା ଟେଲିଫୋନ୍‌ଟା ଅନବରତ ବାଜି ଚାଲିଛି । ଭବାନୀବାବୁ ଟେଲିଫୋନ୍‌ଟା ଉଠାଇନେଇ କାନରେ ଲଗାଇଲେ । ସବ୍‌ଇନିସ୍ପେକ୍ଟର ଇଉସୁଫ୍‌ ଅପର ପାର୍ଶ୍ୱରୁ ଉତ୍ତେଜିତ କଣ୍ଠରେ କହିଲା ।

 

–କ୍ଷମା କରିବେ ସାର୍‌ । ଏଇ ହାଡ଼ଭଙ୍ଗା ଶୀତ ରାତିରେ ମୁଁ ଅତି ବାଧ୍ୟହୋଇ ଆପଣଙ୍କୁ ଉଠାଇଲି । ଏଠାରେ ବଡ଼ ଅଦ୍ଭୁତ ଘଟଣା ଘଟିଛି ସାର୍‌, ଆପଣ ଥରେ ଅତି ଶୀଘ୍ର ଏଠାକୁ ଆସନ୍ତୁ-। ସିଟି ଇନିସ୍ପେକ୍ଟର ଗଡ଼ନାୟକ ଏବଂ ଅନ୍ୟମାନେ ଆସିଗଲେଣି । ଆପଣଙ୍କୁ ସମସ୍ତେ ଅପେକ୍ଷା କରିଛନ୍ତି ।

 

ସବ୍‌ଇନିସ୍ପେକ୍ଟର ଇଉସୁଫ୍‌ ଅତି କର୍ତ୍ତବ୍ୟନିଷ୍ଠ ଓ ବିଶ୍ୱାସୀ କର୍ମଚାରୀ । ବେଣିପ୍ରସାଦର ଘର ଉପରେ ନଜର ରଖିବା ପାଇଁ ଭବାନୀବାବୁ ତାକୁ ନିଯୁକ୍ତ କରିଥିଲେ । ଆହୁରି କେତେଜଣ ବିଶ୍ୱାସୀ ଅନୁଚରଙ୍କ ସାହାଯ୍ୟରେ ଇଉସୁଫ୍‌ ସେଠାରେ ପହରା ଦେଉଥିଲା । ଭବାନୀବାବୁଙ୍କର ଆଶଙ୍କା ଥିଲା ଯେ ବେଣିପ୍ରସାଦର ଆତତାୟୀ ହୁଏତ ରାତିରେ ସେଠାକୁ ଆସିବ । ତା’ହେଲେ ଇଉସୁଫ୍‌ ଯେ ତାକୁ ସୁନିଶ୍ଚିତ ଭାବରେ ବନ୍ଦୀ କରି ପାରିବ ଏଥିରେ ତାଙ୍କର ତିଳେମାତ୍ର ସନ୍ଦେହ ନ ଥିଲା । ବେଣିପ୍ରସାଦର ଜୀବନ ସଙ୍କଟାପନ୍ନ ଜାଣି ସୁଦ୍ଧା ସେ ଏହାଠାରୁ ଅଧିକ ନିରାପତ୍ତା ବିଷୟ ଚିନ୍ତା କରି ପାରି ନ ଥିଲେ କିନ୍ତୁ ହଠାତ୍‌ ପୁଣି କ’ଣ ହେଲା ! –କ’ଣ ହୋଇଛି ଇଉସୁଫ୍‌ ! ଭବାନୀବାବୁ ଉଦ୍‌ଗ୍ରୀବ ହୋଇ ପଚାରିଲେ ।

 

–ଆପଣଙ୍କୁ ମୁଁ ଆଗରୁ ଜଣାଇଛି ଯେ ବେଣିପ୍ରସାଦ ନିର୍ବିଘ୍ନରେ ନିଜ ଘର ଭିତରେ ପଶି ଭିତରୁ କବାଟ ବନ୍ଦ କରିଦେଲା । ସେ ମୋ ଆଖି ଆଗରେ ନିଜ ହାତରେ ଘରର ତାଲା ଖୋଲି ଘରେ ପଶିଲା । ସୁତରାଂ ଏହା ପ୍ରମାଣିତ ଯେ ଘର ଭିତରେ ବେଣିପ୍ରସାଦ ଏକାଥିଲା । ଘରର ଚାରିପଟେ ଆମେମାନେ ତୀକ୍ଷ୍‌ଣ ଦୃଷ୍ଟି ରଖିଥିଲୁ । ହଠାତ୍‌ ରାତି ଦୁଇଟାବେଳେ ଦୁଆର ଖୋଲି ବେଣିପ୍ରସାଦ ବାହାରକୁ ବାହାରିଲା । ଦେହରେ ଧୋତି ଉପରେ ଗୋଟିଏ ଗରମ କୋଟ୍‌ ଓ ହାତରେ ଗୋଟିଏ ଚମଡ଼ା ସୁଟକେଶ୍‌ ଥିଲା । ମୁଁ ଖୁବ୍‌ ଦୂରରେ ଥାଇ ଗୋଟାଏ ଖୁଣ୍ଟ ଆଢ଼ୁଆଳରୁ ଖୁବ୍‌ ଉଜ୍ଜ୍ୱଳ ଆଲୋକରେ ତାକୁ ଦେଖିଛି । ସେ ଯେ ବେଣିପ୍ରସାଦ ଏଥିରେ ମୋର ବିନ୍ଦୁମାତ୍ର ସନ୍ଦେହ ନାହିଁ ।

 

–ତା’ପରେ ! ଉତ୍କଣ୍ଠାଭରା କଣ୍ଠରେ ଭବାନୀବାବୁ ପଚାରିଲେ ।

 

–ତା’ପରେ ବେଣିପ୍ରସାଦ ପ୍ରାୟ ଦୁଇ ମିନିଟ କାଳ ଦାଣ୍ଡବରଣ୍ଡା ଉପରେ ଛିଡ଼ାହେଲା । ଏହି ସମୟରେ ହଠାତ୍‌ ଗୋଟାଏ କଳା ରଙ୍ଗର ଆମ୍ବାସାଡ଼ାର ଗାଡ଼ି ଆସି ସେଠାରେ କ୍ଷଣକ ପାଇଁ ବ୍ରେକ କଲା । ସାଙ୍ଗେ ସାଙ୍ଗେ ବେଣିପ୍ରସାଦ ବରଣ୍ଡା ଉପରୁ ଓହ୍ଲାଇ ଯାଇ ଗାଡ଼ିରେ ବସିଲା–ଆଉ ମୁହୂର୍ତ୍ତକ ଭିତରେ ଗାଡ଼ିଟା ସେଠାରୁ ଚାଲିଗଲା ।

 

–ଏଁ, ବେଣିପ୍ରସାଦକୁ ଚାଲିଯିବାକୁ ଦେଲ ! ଭବାନୀବରବୁ ବ୍ୟସ୍ତ ହୋଇ କହିଲେ ।

 

–ଘର ବାହାରେ ତାଲା ନ ଲଗାଇ ବେଣିପ୍ରସାଦ ହଠାତ୍‌ ବାହାରିଗଲା । ସେ ମଟର କାରରେ ଚାଲିଯିବାରୁ ତାକୁ ଅନୁସରଣ କରିବାର ସୁବିଧା ମଧ୍ୟ ଆମର ନ ଥିଲା । ତା’ଛଡ଼ା ସେ ଦୁଆର ଖୋଲା ରଖିଦେଇ ଯାଇଥିବାରୁ ସେ ଯେ ଶୀଘ୍ର ଫେରି ଆସିବ ଏହାହିଁ ମୋର ବିଶ୍ୱାସ ଥିଲା ।

 

–ସେ କ’ଣ ଏପର୍ଯ୍ୟନ୍ତ ଫେରିଆସି ନାହିଁ । ଆମ୍ବାସାଡ଼ାର ଗାଡ଼ିଟିର ନମ୍ବର ନିଶ୍ଚୟ ତୁମେ ଟିପି ରଖିଛ । କିଏ ଗାଡ଼ି ଚଳାଉଥିଲା ?

 

–ଗାଡ଼ିର ନମ୍ବର ଡବ୍ଲ୍ୟ. ବି.ପି ୧୨୬୪ । ଜଣେ ତରୁଣୀ ସେ ଗାଡ଼ି ଚଳାଉଥିଲା । ତା’ ଆଖିରେ କଳା ଚଶମା ଥିଲା କିନ୍ତୁ ସାର୍‌ ଘଟଣାଟି ହେଉଛି ଅନ୍ୟରକମ । ବେଣିପ୍ରସାଦ ଯଦି ଘର ଛାଡ଼ି ଚାଲିଯାଆନ୍ତା ତେବେ ତାକୁ ଖୋଜି ବାହାର କରିବା ହୁଏ ତ ଅସମ୍ଭବ ହୁଅନ୍ତା ନାହିଁ କିନ୍ତୁ ପରେ ଜଣାପଡ଼ିଲା ଯେ ସେ ଘର ଛାଡ଼ି ଯାଇ ନାହିଁ ।

 

–ତେବେ ! ସେ ବର୍ତ୍ତମାନ କେଉଁଠାରେ ଅଛି ?

 

–ସେଇ ଘର ଭିତରେ ତା’ ଶୟନ କକ୍ଷରେ ଅଛି । ରାତି ସାଢ଼େ ତିନିଟା ପର୍ଯ୍ୟନ୍ତ ବେଣିପ୍ରସାଦ ଫେରିଲା ନାହିଁ ଦେଖି ମୁଁ ତା’ ଘର ଭିତରକୁ ଗଲି । ଉପର ମହଲାରେ ତା’ ଶୟନ କକ୍ଷ ମଧ୍ୟ ଖୋଲାଥିଲା । ଦୁଆର ମେଲାଇ ମୁଁ ଆଶ୍ଚର୍ଯ୍ୟ ହୋଇଗଲି । ବେଣିପ୍ରସାଦ ତା’ ବିଛଣା ଉପରେ ପଡ଼ିଛି । ରକ୍ତର ସୁଅ ଛୁଟିଛି । ରିଭଲଭର୍‌ର ଗୁଳିରେ ତା’ର ମୃତ୍ୟୁ ହୋଇଛି । ରିଭଲଭର୍‌ଟା ମଧ୍ୟ ତା’ ଡାହାଣ ହାତର ମୁଠାରେ ଧରାଅଛି । ହଠାତ୍‌ ଦେଖିଲେ ମନେହେବ ଯେପରି ସେ ଆତ୍ମହତ୍ୟା କରିଛି । ଆପଣ ଶୀଘ୍ର ଆସନ୍ତୁ ସାର୍‌ ।

 

ବେଣିପ୍ରସାଦ ମରି ଯାଇଛି ।

 

ଗୋଟିଏ ଅପରାଧବୋଧର ଗ୍ଳାନିରେ ଭବାନୀବାବୁଙ୍କର ଅନ୍ତର ଭାରାକ୍ରାନ୍ତ ହୋଇ ଉଠିଲା । ଇଉସୁଫ୍‌କୁ ଦୋଷ ଦେବା ପରିବର୍ତ୍ତେ ସେ ନିଜକୁ ଦୋଷୀ ବୋଲି ମନେକଲେ । ନିଜର ଜୀବନ ବଞ୍ଚାଇବା ପାଇଁ ବେଣିପ୍ରସାଦ ଯଥା ସମୟରେ ଭବାନୀବାବୁଙ୍କର ଶରଣାପନ୍ନ ହୋଇଥିଲେ ମଧ୍ୟ ଭବାନୀବାବୁ ତାକୁ ବଞ୍ଚାଇ ପାରିଲେ ନାହିଁ ।

 

ଯଥାରୀତି ବାହାରକୁ ଯିବା ପୋଷାକରେ ସଜ୍ଜିତ ହୋଇ ଭବାନୀବାବୁ ବାହାରିଲେ । ଶୀତର ଶେଷ ରାତିରେ ରାଜପଥ ସମ୍ପୂର୍ଣ୍ଣ ନିର୍ଜନ । ଘନ କୁହୁଡ଼ିତଳୁ ରାସ୍ତାର ଇଲେକଟ୍ରିକ୍‌ ବତୀଗୁଡ଼ିକ କିପରି ନିଷ୍ପ୍ରଭ ଓ କରୁଣ ଦେଖାଯାଉଛି । ବେଆଇନୀ ବେଗରେ ଜୀପ୍‌ ଚଳାଇ ଭବାନୀବାବୁ ବେଣିପ୍ରସାଦର ଘର ନିକଟରେ ପହଞ୍ଚିଲେ । ଆଉ ଦୁଇଖଣ୍ଡି ପୁଲିସ ଗାଡ଼ି ମଧ୍ୟ ରାସ୍ତା ଉପରେ ରଖାହୋଇଛି । ସବ୍‍ଇନସ୍ପେକ୍ଟର ଇଉସୁଫ୍‌ ପ୍ରଥମେ ଭବାନୀବାବୁଙ୍କ ସଙ୍ଗେ ଦେଖା କଲା-। –ହଁ ଆଉ ଗୋଟିଏ କଥା ଆପଣଙ୍କୁ ଜଣାଇବାକୁ ମୁଁ ଭୁଲି ଯାଇଥିଲି ସାର୍‌ । ଯେଉଁ ତରୁଣୀଟି ଗାଡ଼ି ଚଳାଉଥିଲା, ସେ ଏଠାରେ କ୍ଷଣକ ପାଇଁ ଗାଡ଼ି ବନ୍ଦ କରି ଦୁଆର ଖୋଲି ବାହାରକୁ ମୁହଁ ବାହାର କଲା । ତା’ପରେ ବେଣିପ୍ରସାଦ ବସିଯିବାପରେ ପୁଣି ଦୁଆର ବନ୍ଦ କରିଦେଇ ଗାଡ଼ି ଛାଡ଼ିଦେଲା । ଗାଡ଼ିଟା ଚାଲିଯିବା ପରେ ଆମର ହାବିଲ୍‌ଦାର ନଜିବୁଲ୍ଲା ଖାଁ ରାସ୍ତା ଉପରେ ଏଇ ଜିନିଷଟି ପଡ଼ିଥିବାର ଦେଖିଲା । ଦେଖିଲେ ମନେହେଉଛି ଯେ କାର୍‌ର ଚାବି ରିଙ୍ଗରେ ଏଇ ପଦକଟି ଲାଗିଥିଲା । ଦୈବାତ୍‌ ଖସି ପଡ଼ିଛି । ସେଇ ଅଜ୍ଞାତ ତରୁଣୀଟି ବୋଧହୁଏ ଏଇ ଜିନିଷଟିର ମାଲିକ ।

 

ଏହାକହି ପକେଟରୁ ଗୋଟିଏ ଉଜ୍ଜ୍ୱଳ ପଦାର୍ଥ କାଢ଼ି ଭବାନୀବାବୁଙ୍କ ହାତରେ ଇଇସୁଫ୍‌ ଦେଲା । ଟଙ୍କା ଆକାରର ଗୋଟିଏ ସୁନା ପଦକ । ଝୁଲାଇ ରଖିବା ପାଇଁ ସାନ ଗୋଟିଏ ରିଙ୍ଗ୍‌ ଅଛି-। ଇଇସୁଫ୍‌ର କଥା ବୋଧହୁଏ ଠିକ୍‌ । କାର୍‌ ଚାବିର ରିଙ୍ଗରେ ବୋଧହୁଏ ଏଇ ସୁନାର ପଦକଟି ଝୁଲା ହୋଇଥିଲା । ଦୈବାତ୍‌ ଖସି ପଡ଼ିଛି । ଉଜ୍ଜ୍ୱଳ ଟର୍ଚ୍ଚଲାଇଟ୍‌ ଆଲୁଅରେ ଭବାନୀବାବୁ ପଦକଟିକୁ ଥରେ ପରୀକ୍ଷା କଲେ । ଗୋଟିଏ ପଟ ପାଲିସ୍‌ କରାହୋଇଛି । ଅନ୍ୟ ପଟରେ ଭାରତବର୍ଷର ସ୍ୱର୍ଗତ ପ୍ରଧାନମନ୍ତ୍ରୀ ଜବାହାର ଲାଲଙ୍କର ଗୋଟିଏ ପ୍ରତିକୃତି ରେଖାଚିତ୍ରରେ ଖୋଦିତ ହୋଇଛି । ଜିନିଷଟି ପରେ ଅବସର ସମୟରେ ଭଲ କରି ପରୀକ୍ଷା କରିବେ ବୋଲି ଭବାନୀବାବୁ ନିଜ ପକେଟରେ ରଖିଦେଲେ ।

 

ଇନିସ୍ପେକ୍ଟର ଗଡ଼ନାୟକ ଆଗରୁ ଆସି ତଦନ୍ତ ଆରମ୍ଭ କରି ଦେଇଛନ୍ତି । ଭବାନୀବାବୁଙ୍କୁ ଯଥାରୀତି ସମ୍ମାନ ଦେଖାଇ ଗଡ଼ନାୟକ କହିଲେ–ଇଉସୁଫ୍‌ଠାରୁ ମୁଁ ସବୁ ଶୁଣିଛି, ଭବାନୀବାବୁ । ଇଉସୁଫ୍‌ ଯାହାକୁ କଳା କୋର୍ଟ ପିନ୍ଧି ଓ ଗୋଟିଏ ଚମଡ଼ା ସୁଟକେଶ ଧରି ଚାଲିଯିବାର ଦେଖିଲା ସେ ଯେ କଦାପି ପ୍ରକୃତ ବେଣିପ୍ରସାଦ ହୋଇ ନ ପାରେ ଏଥିରେ କୌଣସି ସନ୍ଦେହ ନାହିଁ । ସାମନା ଦୁଆରଛଡ଼ା ଘର ଭିତରେ ପ୍ରବେଶ କରିବାର ଆଉ କୌଣସି ବାଟ ନାହିଁ । ଝରକାଗୁଡ଼ିକରେ ମଧ୍ୟ ମୋଟା ଓ ମଜବୁତ୍‌ ଲୁହା ଜାଲି ଲଗା ହୋଇଛି । ସୁତରାଂ ସାମନା ବାଟଦେଇ ଯେ ବେଣିପ୍ରସାଦ ପୁଣି ଘରେ ପଶିଛି ଏହା ସମ୍ପୂର୍ଣ୍ଣ ଅସମ୍ଭବ । ତା’ଛଡ଼ା ପୁଲିସ ଓ ଡାକ୍ତର ଲାସ ପରୀକ୍ଷା କରି ମତ ଦେଇଛନ୍ତି ଯେ ରାତି ଦଶଟା ପୂର୍ବରୁ ମୃତ୍ୟୁ ଘଟିଛି । ଏତେବଡ଼ ଶୀତରେ ଛ’ଘଣ୍ଟା ପୂର୍ବରୁ ‘‘ରାଇଗର ମଟିସ୍‌’’ ହେବା ସମ୍ଭବ ନୁହେଁ କିନ୍ତୁ ରାତି ଚାରିଟା ବେଳକୁ ମୃତ ଦେହର ଅଙ୍ଗପ୍ରତ୍ୟଙ୍ଗ ଶକ୍ତ ହୋଇଯାଇଛି ।

 

ଇଇସୁଫ୍‌ କହିଲା, କିନ୍ତୁ ସାର୍‍, ମୋର ଦେଖିବାରେ ଆଦୌ ଭୁଲ୍‍ ହୋଇ ନାହିଁ । ଯେ କଳା କୋଟ୍‍ ଓ ଧୋତି ପିନ୍ଧି ରାତି ଦୁଇଟାବେଳେ ଘର ଭିତରୁ ବାହାରିଗଲା, ସେ ଯେ ବେଣିପ୍ରସାଦ ଛଡ଼ା ଆଉ କେହି ନୁହେଁ, ଏ କଥା ମୁଁ କୋରାନ ସରୀଫ୍‌ ଧରି ହଲପ କରି କହିପାରିବି ।

 

ଏଇ ସୁଦର୍ଶନ ଓଃ କର୍ତ୍ତବ୍ୟନିଷ୍ଠ ତରୁଣ ଅଫିସରଟିକୁ ଇନିସ୍ପେକ୍ଟର ଗଡ଼ନାୟକ ମଧ୍ୟ ଅତିଶୟ ସ୍ନେହ କରନ୍ତି । ସାମାନ୍ୟ ହସି ଓ ଇଉସୁଫ୍‌ର କାନ୍ଧ ଉପରେ ହାତ ରଖି ଗଡ଼ନାୟକ କହିଲେ–ତୁମେ ଗୋଟିଏ କଥା ଭୁଲିଯାଉଛ ଇଉସୁଫ୍‌ । ଦେଖିବା ବା ଶୁଣିବାଟା ଠିକ୍‌ ହୋଇଥିଲେ ମଧ୍ୟ ଦୃଷ୍ଟ ଓ ଶ୍ରୁତବସ୍ତୁ ଯେ ସର୍ବଦା ଠିକ୍‌ ହୋଇ ନ ପାରେ, ଏ ମହାସତ୍ୟ ଭୁଲିଯାଅ ନାହିଁ । ଯେ ଚାଲିଗଲା ସେ ବେଣିପ୍ରସାଦ ନୁହେଁ । ବେଣିପ୍ରସାଦର ଛଦ୍ମବେଶରେ ତା’ର ହତ୍ୟାକାରୀ ନିର୍ବିଘ୍ନରେ ଚାଲିଗଲା । ଯେଉଁ ଜିନିଷ ପାଇଁ ସେ ବେଣିପ୍ରସାଦକୁ ହତ୍ୟା କରିଥିଲା ସେ ଜିନିଷତକ ତା’ ସୁଟକେଶରେ ନେଇଗଲା ।

 

ଭବାନୀବାବୁ ଅତି ଦ୍ରୁତ ଚିନ୍ତା କରୁଥିଲେ । ହଠାତ୍‌ ପ୍ରଶ୍ନ କଲେ–ଆଚ୍ଛା ବେଣିପ୍ରସାଦର ଘର ଭିତରେ କ’ଣ ଟେଲିଫୋନ୍‌ ଅଛି ?

 

–ହଁ, ତା’ ଶୋଇବା ଘରେ ଟେଲିଫୋନ୍‌ ଅଛି କିନ୍ତୁ ଏ କଥା କାହିଁକି ଜାଣିବାକୁ ଚାହିଁଲେ ଭବାନୀବାବୁ ? ଗଡ଼ନାୟକ ପଚାରିଲେ ।

 

କିଛିକ୍ଷଣ ନୀରବ ରହି ଭବାନୀବାବୁ ସ୍ୱଗତୋକ୍ତି କଲାପରି କହିଲେ–ଏବେ ସବୁ ପରିଷ୍କାର ହୋଇଗଲା । ବେଣିପ୍ରସାଦ ସଞ୍ଜପରେ ଯେତେବେଳେ ମୋ ନିକଟକୁ ଯାଇଥିଲା ସେଇ ଅବସରରେ ତା’ର ଅଜ୍ଞାତ ଆତତାୟୀ ତାଲା ଖୋଲି ଘର ଭିତରେ ପଶିଛି । ତା’ପରେ ତା’ର ଅନ୍ୟ କୌଣସି ସହକର୍ମୀ ବାହାରୁ ପୁଣି ତାଲା ଲଗାଇ ଦେଇଛି । ତା’ପରେ ଯେତେବେଳେ ବେଣିପ୍ରସାଦ ଘର ଭିତରେ ପ୍ରବେଶ କରିଛି ସେତେବେଳେ ତାକୁ ରିଭଲଭର୍‌ ଗୁଳିରେ ହତ୍ୟା କରାହୋଇଛି । ପ୍ରଥମେ ଆତତାୟୀର ଉଦ୍ଦେଶ୍ୟଥିଲା ଯେ ବେଣିପ୍ରସାଦ ଆତ୍ମହତ୍ୟା କରିଛି, ଏହା ହିଁ ପ୍ରମାଣ କରିବା । ସେଥିପାଇଁ ତା’ ହାତମୁଠାରେ ରିଭଲଭର୍‍ଟିକୁ ଧରାଇ ଦେଇଛି । ତା’ପରେ ହତ୍ୟାକାରୀକୁ ଘର ଭିତରେଥିବା ଟେଲିଫୋନ୍‌ ଯୋଗେ କେହି ଜଣାଇଛି ଯେ ବାହାରେ ଏବଂ ଘର ଉପରେ ପୁଲିସ ନଜର ରଖିଛି । ସେ ଘର ଛାଡ଼ି ବାହାରି ଆସିବା ନିରାପଦ ନୁହେଁ । ସେଥିଯୋଗୁଁ ସେ ବେଣିପ୍ରସାଦର ଛଦ୍ମବେଶ ଧାରଣ କରି ବାହାରକୁ ବାହାରିଛି ଓ ପୂର୍ବ ବନ୍ଦୋବସ୍ତମତେ ସେ ଅଜ୍ଞାତ ତରୁଣୀ ମଟରକାର୍‌ ଆଣି ଏଠାରେ ପହଞ୍ଚି ହତ୍ୟାକାରୀକୁ ନିରାପଦ ସ୍ଥାନକୁ ନେଇଯାଇଛି । ଆଚ୍ଛା–ମଟରକାର୍‌ର ରେଜିଷ୍ଟ୍ରେସନ ନମ୍ବରରୁ ତା’ର ମାଲିକ କିଏ ଜାଣି ପାରିଛନ୍ତି କି ?

 

ସାମାନ୍ୟ ହସି ଗଡ଼ନାୟକ କହିଲେ–ତାହା ଗୋଟିଏ ଜାଲ ନମ୍ବର । ଡବଲ୍ୟୁ.ବି.ପି ୧୨୬୪ଟି ହେଉଛି ଜଣେ ହାଇକୋର୍ଟ ଜଜ୍‌ଙ୍କ ଗାଡ଼ି କିନ୍ତୁ ସେ ଗାଡ଼ିଟି ଆମ୍ବାସାଡ଼ାର ନୁହେଁ ବା କଳା ରଙ୍ଗର ନୁହେଁ ।

 

ଭବାନୀବାବୁ ବହୁକ୍ଷଣ ପର୍ଯ୍ୟନ୍ତ କ’ଣ ଚିନ୍ତାକଲେ । ଦୂର ଗଛ ଡାଳରୁ କାଉ ଡାକିଲାଣି-। ପ୍ରଭାତର ଆଗମନି କିନ୍ତୁ ସେ ପର୍ଯ୍ୟନ୍ତ ରାଜପଥ ଜନଶୂନ୍ୟ । କୁହୁଡ଼ି ଓ ଅନ୍ଧକାର ଘୋଟିରହିଛି । ବହୁକ୍ଷଣ ନୀରବ ରହି ଭବାନୀବାବୁ କହିଲେ–ଏ ପର୍ଯ୍ୟନ୍ତ ତଦନ୍ତରେ କୌଣସି ସୂତ୍ର ଆବିଷ୍କାର କରି ପାରିଛନ୍ତି କି ?

 

–କିଛି ନାହିଁ ଭବାନୀବାବୁ, ଘରଭିତରରେ କୌଣସି ଟିପଚିହ୍ନ ପ୍ରଭୃତି ମିଳିଲା ନାହିଁ । ଟଙ୍କା ପଇସା ନାହିଁ, କୌଣସି କାଗଜପତ୍ର ନାହିଁ ବା କୌଣସି ବ୍ୟାଙ୍କ ଏକାଉଣ୍ଟ ମଧ୍ୟ ନାହିଁ । ଅତି ସାମାନ୍ୟ ଖଣ୍ଡିଏ ଷ୍ଟେନଲେସ୍‌ ଷ୍ଟିଲର ଦୋକାନ କିନ୍ତୁ ମୁଁ ଆଶ୍ଚର୍ଯ୍ୟ ହେଉଛି ଯେ ଏଇ ସାମାନ୍ୟ ବ୍ୟବସାୟର ଯତ୍‌କିଞ୍ଚିତ ଲାଭରୁ ବେଣିପ୍ରସାଦ ଏତେବଡ଼ ଘର ଓ ଟେଲିଫୋନ୍‌ ପ୍ରଭୃତି କିପରି ରଖି ପାରିଥିଲା ।

 

ଗଡ଼ନାୟକଙ୍କ ସହିତ ଘରଭିତରରେ ପଶୁ ପଶୁ ଭବାନୀବାବୁ ରହସ୍ୟମୟ ହସ ହସି କହିଲେ–ତାହା ହିଁ ତ ହେଉଛି ପ୍ରକୃତ ରହସ୍ୟ ଯାହା ଆମକୁ ଉଦ୍‌ଘାଟନ କରିବାକୁ ପଡ଼ିବ । ହୁଏତ ବେଣିପ୍ରସାଦ ଏଠାରେ ଏକ ଗଭୀର ଓ ମାରାତ୍ମକ ଷଡ଼ଯନ୍ତ୍ରରେ ଲିପ୍ତ ଥିଲା । ଏଇ ହତ୍ୟାକାଣ୍ଡ ପଛରେ ଯେ ଗୋଟିଏ ଶକ୍ତିଶାଳୀ ଦଳ ରହିଛି ଏଥିରେ ମୋର ଆଦୌ ସନ୍ଦେହ ନାହିଁ । ହୁଏତ ନିଜର ଜୀବନ ବିସର୍ଜନ ଦେଇ ବେଣିପ୍ରସାଦ ଗୋଟାଏ ମାରାତ୍ମକ ଷଡ଼ଯନ୍ତ୍ରର ନିର୍ଦ୍ଦେଶ ଆମକୁ ଦେଇଗଲା ।

 

ବେଣିପ୍ରସାଦର ଶୋଇବା ଘରଭିତରେ ପୁଲିସ, ଡାକ୍ତର, ବାଲିଷ୍ଟିକ୍‌ ଏକସ୍‌ପଟ, ଟିପଚିହ୍ନ ବିଶେଷଜ୍ଞ, ପୁଲିସ ଫଟଗ୍ରାଫର୍‌ ଓ ଆହୁରି ଅନେକ ପୁଲିସ କର୍ମଚାରୀ ରୁଣ୍ଡ ହୋଇଥିଲେ-। ମୃତ ଦେହକୁ ବହୁକ୍ଷଣ ପର୍ଯ୍ୟନ୍ତ ଭବାନୀବାବୁ ଚାହିଁ ରହିଲେ । ତା’ପରେ ମୃତ ଦେହର ଦୁଇଟି ହାତର ଆଙ୍ଗୁଠିଗୁଡ଼ିକ ପରୀକ୍ଷା କରିବାକୁ ଲାଗିଲେ ।

 

–କ’ଣ ଦେଖୁଛନ୍ତି ଭବାନୀବାବୁ ? ଗଡ଼ନାୟକ ପଚାରିଲେ ।

 

–ଏଇ ହାତର ଦୁଇଟି ଆଙ୍ଗୁଠିରେ ବେଣିପ୍ରସାଦ ଦୁଇଟି ମୂଲ୍ୟବାନ ପଥରବସା ମୁଦି ପିନ୍ଧିଥିଲା । ଆମର ଅଜ୍ଞାତ ହତ୍ୟାକାରୀ ସେ ଦୁଇଟି ମଧ୍ୟ ହସ୍ତଗତ କରିଛି ।

 

ଏହି ସମୟରେ ଜଣେ ପୁଲିସ କର୍ମଚାରୀ ଖଣ୍ଡିଏ କାଗଜ ଧରି ପହଞ୍ଚିଲା ।–ସାର୍‌, ଏ କାଗଜ ଖଣ୍ଡିକ ଟେବୁଲର ଗୋଟିଏ ଗୁପ୍ତ ଖୋଳ ଭିତରେ ଥିଲା ।

 

ଭବାନୀବାବୁ କାଗଜ ଖଣ୍ଡିକ ପରୀକ୍ଷା କଲେ । ବେଣିପ୍ରସାଦ ନାମରେ ଷ୍ଟେଟ ବ୍ୟାଙ୍କର ଖଣ୍ଡିଏ ରସିଦ । ପୂର୍ବଦିନ ବେଣିପ୍ରସାଦ ତିନିଫୁଟ ଲମ୍ବ, ତିନିଫୁଟ ଚଉଡ଼ା ଓ ଦୁଇଫୁଟ ଉଚ୍ଚତା ବିଶିଷ୍ଟ ସିଲ୍‌ଦିଆ ଗୋଟିଏ ବାକ୍‌ସ ଷ୍ଟେଟ ବ୍ୟାଙ୍କରେ ଜମା ରଖିଛି । ଏ ଖଣ୍ଡକ ତାହାରି ରସିଦ । ବାକ୍‌ସ ଭିତରେ ନିଶ୍ଚୟ କୌଣସି ମୂଲ୍ୟବାନ ପଦାର୍ଥ ରହିଛି ଯାହା କି ଏହି ହତ୍ୟାକାଣ୍ଡର ତଦନ୍ତରେ ମଧ୍ୟ ଆଲୋକପାତ କରିବ ଏଥିରେ କୌଣସି ସନ୍ଦେହ ନାହିଁ । ରସିଦ ଖଣ୍ଡିକ ଇନିସ୍ପେକ୍ଟର ଗଡ଼ନାୟକ ପକେଟରେ ରଖିଲେ ।

 

ଘରଟି ତନ୍ନ ତନ୍ନ କରି ଭବାନୀବାବୁ ମଧ୍ୟ ପରୀକ୍ଷା କଲେ । ଯେଉଁ ରିଭଲଭର୍‌ର ଗୁଳିରେ ବେଣିପ୍ରସାଦର ମୃତ୍ୟୁ ହୋଇଛି, ସେଇଟିକୁ ପୁଲିସ ଶସ୍ତ୍ର ବିଶେଷଜ୍ଞ (Ballistic Expert) ଲେନ୍‌ସ ସାହାଯ୍ୟରେ ବହୁକ୍ଷଣ ଧରି ପରୀକ୍ଷା କରୁଥିଲେ । ଅବଶେଷରେ ରିଭଲଭର୍‍ଟିକୁ ଟେବୁଲ ଉପରେ ରଖି ଭବାନୀବାବୁଙ୍କ ଆଡ଼େ ଚାହିଁ ସାମାନ୍ୟ ହସିଲେ ।

 

–କ’ଣ ଦେଖିଲେ ମିଃ ପାଣି ? ଭବାନୀବାବୁ ପଚାରିଲେ ।

 

–୪୫ ପ୍ରହିବିଟେଡ଼ ବୋର୍‌ର ସ୍ମଗଲଡ୍‍ ଓୟେପନ୍‌ । ପାକିସ୍ଥାନ ଆର୍ମିରିଭଲଭର୍‌ । ଅତିଶୟ ଶକ୍ତିଶାଳୀ ଓ ମାରାତ୍ମକ ।

 

–ଏଁ ! ମିଃ ପାଣିଙ୍କ ଉକ୍ତି ଶୁଣି ଭବାନୀବାବୁ ଚିନ୍ତିତ ହେଲେ ।

 

ମହାନଦୀ ଆରପଟେ ଯେଉଁ ଚଷାପଡ଼ା ନାମକ ପଲ୍ଲୀ ଅଛି–ତା’ର ପ୍ରାୟ ଏକକୋଶ ପଶ୍ଚିମକୁ ଗୋଟିଏ ଅତି ପ୍ରାଚୀନ ଅଟ୍ଟାଳିକା ଅଛି । ପ୍ରାୟ ଦୁଇ ଶତାବ୍ଦୀ ପୂର୍ବେ କେହି ଜଣେ ଇଂରାଜୀ ବଣିକ ଏହି ଅଟ୍ଟାଳିକାଟି ନିର୍ମାଣ କରାଇଥିଲେ । ତା’ପରେ କାଳେ କାଳେ ବହୁ ମାଲିକାନା ସତ୍ତ୍ୱ ଭେଦ କରି ଏଇ ଇମାରତ୍‌ଟି ବର୍ତ୍ତମାନ ରେଭରେଣ୍ଡ ଡକ୍‌ଟର ଆର୍ଥର୍‍ ଡାନିୟେଲ୍‍ଙ୍କର ସମ୍ପତ୍ତି । ଡକ୍‌ଟର ଡାନିୟେଲ୍‍ ଜଣେ ମସ୍ତିଷ୍କ ବ୍ୟାଧି ବିଶେଷଜ୍ଞ । ସେ ବୃଦ୍ଧ ବ୍ୟକ୍ତି । ବହୁବର୍ଷ ଧରି ଭାରତବର୍ଷର ବହୁ ମିସନାରୀ ଡାକ୍ତରଖାନାରେ ସେ ଚିକିତ୍ସକର କାର୍ଯ୍ୟ କରିଛନ୍ତି । ଅତି ଲୋକପ୍ରିୟ ଓ ଧର୍ମପ୍ରାଣବ୍ୟକ୍ତି । କାଶ୍ମୀରର ଗୋଟିଏ ମିସନାରୀ ଡାକ୍ତରଖାନାରେ ସେ ମସ୍ତିଷ୍କ ଚିକିତ୍ସକ ଥିଲେ । ତାଙ୍କର ସ୍ତ୍ରୀ ଓ ଏକମାତ୍ର କନ୍ୟା ମେଭିସ୍‌ ମଧ୍ୟ ସେଠାରେ ଥିଲେ ।

 

ତା’ପରେ ଦିନେ ପାକିସ୍ଥାନୀ ସୈନ୍ୟ ଓ ସଶସ୍ତ୍ର ପାହାଡ଼ିଆ ଉପବାଡ଼ିର ଲୋକ କାଶ୍ମୀର ଆକ୍ରମଣ କଲେ । କାଶ୍ମୀରରେ ଭାରତୀୟ ସୈନ୍ୟ ପହଞ୍ଚି ପାକିସ୍ଥାନୀ ଦୁର୍ବୃତ୍ତମାନଙ୍କ ସହିତ ମୁକାବିଲା କରିବା ପୂର୍ବରୁ ପାକିସ୍ଥାନୀମାନେ ବହୁ ନାରକୀୟ ଧ୍ୱଂସଲୀଳା ସାଧନ କରି ସାରିଥିଲେ । ରେଭରେଣ୍ଡ ଡକ୍‌ଟର ଆର୍ଥର୍‍ ଡାନିୟେଲ୍‍ଙ୍କର ଡାକ୍ତରଖାନା ଓ ତତ୍‌ସଂଲଗ୍ନ ଗୀର୍ଜାଟିକୁ ପୋଡ଼ି ପାଉଁଶ କରି ଦେଲେ । ଅସଂଖ୍ୟ ନରନାରୀଙ୍କୁ ନିର୍ମମ ଭାବରେ ହତ୍ୟାକଲେ । ଡକ୍‌ଟର ଡାନିୟେଲ୍‌ଙ୍କ ଆଖି ଆଗରେ ତାଙ୍କର ସ୍ତ୍ରୀ ଓ ପ୍ରାଣାଧିକା କନ୍ୟା ମେଭିସ୍‌କୁ ନିର୍ମ୍ମମ ଭାବରେ ହତ୍ୟାକଲେ । ତା’ପରେ ସେଇ ନରପଶୁମାନଙ୍କ ହାତରୁ ଡକ୍‌ଟର ଡାନିୟେଲ୍‌ ଯେ ନିଜେ କିପରି ଭାବରେ ବଞ୍ଚିଲେ–କିଏ ଯେ ତାଙ୍କୁ ସେଠାରୁ ଆଣି ସଂଜ୍ଞାହୀନ ଅବସ୍ଥାରେ ଶ୍ରୀନଗର ଡାକ୍ତରଖାନାରେ ଭର୍ତ୍ତିକଲା, ସେ କଥା ତାଙ୍କର କିଛି ମନେ ନାହିଁ । ବିଖ୍ୟାତ ମାନସିକ ଚିକିତ୍ସକ ରେଭରେଣ୍ଡ ଡାନିୟେଲ୍‍ଙ୍କର ମସ୍ତିଷ୍କ ବିକୃତି ଘଟିଲା ।

 

ପ୍ରଥମେ ଶ୍ରୀନଗରରେ ଓ ପରେ କଲିକତାରେ ବହୁଦିନ ଚିକିତ୍ସିତ ହୋଇ ଅବଶେଷରେ ଡକ୍‍ଟର ଡାନିୟେଲ୍‍ ସୁସ୍ଥ ହେଲେ । ମିସନାରୀ କର୍ତ୍ତୃପକ୍ଷ ପୁଣି ତାଙ୍କୁ ଚର୍ଚ୍ଚରେ ଚାକିରି ଗ୍ରହଣ କରିବାକୁ ଅନୁରୋଧ କଲେ କିନ୍ତୁ ଡାକ୍ତର ଡାନିୟେଲ୍‍ ମନାକଲେ । ସଂସାରରେ ଆଉ ତାଙ୍କର କୌଣସି ବନ୍ଧନ ନ ଥିଲା । ସଞ୍ଚିତ ଅର୍ଥ ତାଙ୍କର ଯଥେଷ୍ଟ ଥିଲା । ପୂର୍ବାଞ୍ଚଳ ମିସନାରୀ କର୍ତ୍ତୃପକ୍ଷଙ୍କ ନିକଟରୁ ଉପରୋକ୍ତ ଅଟ୍ଟାଳିକାଟି କ୍ରୟକରି ସେ କଟକ ଚାଲିଆସିଲେ । ବହୁ ଅର୍ଥ ବ୍ୟୟରେ ସେଇ ଜରାଜୀର୍ଣ୍ଣ ଇମାରତ୍‌ଟିକୁ ବାସୋପଯୋଗୀ କରି ସେଠାରେ ନିଜ ବ୍ୟୟରେ ସେ ଗୋଟିଏ ବେସରକାରୀ ବାତୁଳାଳୟ ସ୍ଥାପନ କଲେ । ନିଜର ପ୍ରିୟ କନ୍ୟାର ସ୍ମୃତିରେ ଏଇ ଚିକିତ୍ସାଳୟଟିର ନାମ ଦେଲେ ‘‘ମେଭିସ୍‌ ମେଣ୍ଟାଲ ହୋମ’’ ।

 

ମିର୍ଜା ମହମ୍ମଦ ବେଗ୍‌ ନାମକ ଆଉଜଣେ ସ୍ଥାନୀୟ ଡାକ୍ତରଙ୍କୁ ତାଙ୍କର ସବୈତନିକ ସହକାରୀ ଭାବରେ ନିଯୁକ୍ତ କଲେ । ଡାକ୍ତର ମିର୍ଜା ଜଣେ କର୍ତ୍ତବ୍ୟନିଷ୍ଠ ଓ ଆମାୟିକ ବ୍ୟକ୍ତି । ତାଙ୍କ ଛଡ଼ା ଆଉ ଦୁଇଜଣ ନର୍ସ ଓ ଦୁଇଜଣ ମେହେନ୍ତର ମଧ୍ୟ ଏଠାରେ ଅଛନ୍ତି । ମାତ୍ର ଆଠଜଣ ରୋଗୀଙ୍କୁ ନେଇ ଏ ମେଣ୍ଟାଲ ହୋମ ।

 

ଏ ଅଟ୍ଟାଳିକାଟି ଲୋକାଳୟରୁ ବହୁ ଦୂରରେ ଅବସ୍ଥିତ । ସାମନାରେ ଶୁଖିଲା ମହାନଦୀ ବୁକୁର ଦିଗନ୍ତ ବିସ୍ତାରୀ ବାଲିଶଯ୍ୟା । ଉଦ୍ଦାମ ମୁକ୍ତବାୟୁ ସୁ ସୁ ହୋଇ ବହୁଛି । ଆଉ ତିନିପଟେ ବିସ୍ତୀର୍ଣ୍ଣ ଜନହୀନ ପ୍ରାନ୍ତର । ଅଟ୍ଟାଳିକାର ପୂର୍ବପଟେ ଗୋଟିଏ କ୍ଷୁଦ୍ର ସମାଧି ସ୍ଥାନ । ଛାୟାଚ୍ଛନ୍ନ ଓ ନିର୍ଜନ । କେତେଗୁଡ଼ିଏ ସିମେଣ୍ଟର ସ୍ମୃତିସ୍ତମ୍ଭ ଓ ପବିତ୍ର କ୍ରସ୍‌, କାଳର ଘାତପ୍ରତିଘାତ ସହ୍ୟ କରି ଏ ପର୍ଯ୍ୟନ୍ତ ମୁଣ୍ଡ ଟେକି ରହିଛି । ଡାକ୍ତର ଡାନିୟେଲ୍‍ ଏଠାରେ ଦୁଇବର୍ଷ ରହିବା ଭିତରେ ଏଇ ପ୍ରାଚୀନ ଅଟ୍ଟାଳିକାଟିର ଅନ୍ୟାନ୍ୟ ସ୍ଥାନପରି ଏଇ ସମାଧି ସ୍ଥାନଟି ମଧ୍ୟ ପରିଷ୍କାର ପରିଚ୍ଛନ୍ନ କରି ଦେଇଛନ୍ତି-। ତା’ ଛଡ଼ା କେତେଗୁଡ଼ିଏ ବିଲାତି ଫୁଲଗଛ ମଧ୍ୟ ଏଇ ସମାଧି ସ୍ଥାନଟିରେ ବୃଦ୍ଧ ଲଗାଇଛନ୍ତି ।

 

ସ୍ଥାନଟି ତାଙ୍କର ଅତି ପ୍ରିୟ । ଦିନେ ଏଇ ନିର୍ଜନ ଓ ରମଣୀୟ ସ୍ଥାନଟିରେ ସେ ମଧ୍ୟ ଶେଷଶଯ୍ୟା ଲାଭ କରିବେ ଏହାହିଁ ତାଙ୍କର ଆନ୍ତରିକ ଇଚ୍ଛା ।

 

ସେଦିନ ସଞ୍ଜବେଳୁ ଟିପିଟିପି ହୋଇ ବର୍ଷା ଆରମ୍ଭ ହେଲା । ଶୀତଦିନର ଅଦିନିଆ ମେଘ । ତାରାହୀନ ଆକାଶ ଘୋର ମେଘାଚ୍ଛନ୍ନ ଓ ଅନ୍ଧକାର । ସଞ୍ଜବେଳୁ ଖିଆପିଆ ସାରି ସମସ୍ତେ ବିଛଣା ଆଶ୍ରୟ କରିଛନ୍ତି, ଏକା ବୃଦ୍ଧ ଡାନିୟେଲ୍‍ ଅଭୁକ୍ତ ଅବସ୍ଥାରେ ନିଜ ଅଫିସ ଘରେ ବସିଛନ୍ତି । ଡାକ୍ତର ମିର୍ଜା ଏଠାରେ ରହନ୍ତିନାହିଁ । ସହରର କେଉଁ ସ୍ଥାନରେ ଘର ନେଇ ପରିବାର ସହିତ ବାସ କରନ୍ତି । ପ୍ରତିଦିନ ମଟର ସାଇକଲରେ ଚଢ଼ି ଏଠାକୁ ଆସନ୍ତି । ପୁଣି ସଞ୍ଜବେଳେ ଚାଲିଯାନ୍ତି ।

 

ଆଜି ଡାକ୍ତର ମିର୍ଜା ଦିନ ବାରଟାବେଳେ ଚାଲି ଯାଇଛନ୍ତି । ତାଙ୍କୁ ଅପେକ୍ଷା କରି ବୃଦ୍ଧ ଏକା ବସି ରହିଛନ୍ତି । ଏଇ ଚିକିତ୍ସାଳୟରେ ଭର୍ତ୍ତି କରିବା ପାଇଁ ଡାକ୍ତର ମିର୍ଜା ଗୋଟିଏ ମାନସିକ ରୋଗୀକୁ ଆଜି ସଞ୍ଜପରେ ଆଣିବାର କଥା । ଏତେ ଅଳ୍ପ ଷ୍ଟାଫରେ ଅଧିକ ରୋଗୀ ଚିକିତ୍ସାଳୟରେ ଗ୍ରହଣ କରିବା ଉଚିତ ନୁହେଁ ବୋଲି ଯୁକ୍ତି ଦର୍ଶାଇ ଡାକ୍ତର ଡାନିୟେଲ୍‍ ପ୍ରଥମେ ଏ ନୂଆ ରୋଗୀଟିକୁ ଗ୍ରହଣ କରିବାକୁ ରାଜି ହୋଇ ନ ଥିଲେ । ପରେ ଡାକ୍ତର ମିର୍ଜାଙ୍କ ଅନୁରୋଧରେ ରାଜି ହୋଇଛନ୍ତି । ରୋଗୀଟି କୁଆଡ଼େ ମିର୍ଜା ସାହେବଙ୍କର ବ୍ୟକ୍ତିଗତ ବନ୍ଧୁ । ସେ ଜଣେ ଗଣିତଶାସ୍ତ୍ରର ଅଧ୍ୟାପକ ଥିଲେ । ହଠାତ୍‌ ପାଗଳ ହୋଇ ଯାଇଛନ୍ତି ।

 

କିନ୍ତୁ ଏତେବେଳ ପର୍ଯ୍ୟନ୍ତ ମିର୍ଜା ସାହେବ ତାଙ୍କର ରୋଗୀକୁ ନେଇ ଆସିଲେ ନାହିଁ କାହିଁକି ? ରାତି କ୍ରମେ ନଅଟା ବାଜିଲା ସମଗ୍ର ଅଟ୍ଟାଳିକାଟି ଭୟାବହ ଭାବରେ ଶବ୍ଦହୀନ । ସମସ୍ତେ ସୁସୁପ୍ତ, ବୃଦ୍ଧ ଡାକ୍ତର ଏକା ନିଜ ଅଫିସ ଘରେ ବସି ରହିଛନ୍ତି । କାନ୍ଥଘଡ଼ିଟା ଟିକ୍‌ ଟିକ୍‌ କରି ନୀରବଚ୍ଛିନ୍ନ ଭାବରେ ଶବ୍ଦ କରି ଚାଲିଛି । ଠିକ୍‌ ଅଗ୍ରଗାମୀ କାଳର ପଦଶବ୍ଦ ପରି । ହଠାତ୍‌ ବୃଦ୍ଧଙ୍କର ଯେପରି ଟିକିଏ ଛାଇନିଦ ଲାଗି ଆସିଥିଲା । ସେ ସ୍ୱପ୍ନ ଦେଖିଲେ–ବିଗତ କାଳର ଗୋଟିଏ ଭୟାବହ ଛବି ଦୁଃସ୍ୱପ୍ନ ଆକାରରେ ତାଙ୍କ ଆଖି ଆଗରେ ଭାସି ଉଠିଲା । ତାଙ୍କର ସ୍ତ୍ରୀ ମେରୀ ଓ ପ୍ରାଣାଧିକା କନ୍ୟା ମେଭିସ୍‌ ରକ୍ତାକ୍ତ ଦେହରେ ଦୌଡ଼ି ଆସୁଛନ୍ତି । ମେଭିସ୍‌ ବ୍ୟାକୁଳ ଭାବରେ ଚିତ୍କାର କରୁଛି–ପଳାଇଯାଅ, ପଳାଇଯାଅ ବାପା । ସେମାନେ ମାରି ପକାଇବେ ।

 

ଗେଟ୍‌ ବାହାରେ ମଟର ହର୍ଣ୍ଣ ବାଜି ଉଠିଲା । ବୃଦ୍ଧଙ୍କର ହଠାତ୍‌ ତନ୍ଦ୍ରା ଭାଙ୍ଗିଗଲା । ଡାକ୍ତର ମିର୍ଜା ତାଙ୍କ ରୋଗୀକୁ ନେଇ ନିଶ୍ଚୟ ଆସିଛନ୍ତି । ଲୁହା ଗେଟ୍‌ର ଭିତରୁ ମଜବୁତ୍‌ ତାଲା ପଡ଼ିଛି । ବୃଦ୍ଧ ଡ୍ର ଭିତରୁ ଚାବିନେଇ ଗେଟ୍‌ ଖୋଲିବାକୁ ଗଲେ । ବାହାରେ ଗୋଟିଏ ବଡ଼ ମଟରକାରରେ ମିର୍ଜା ସାହେବ, ତାଙ୍କର ରୋଗୀ ଓ ଆହୁରି ଅନେକ ଲୋକ ମଧ୍ୟ ଅଛନ୍ତି । ସେମାନେ ବୋଧହୁଏ ରୋଗୀର ଆତ୍ମୀୟସ୍ୱଜନ ।

 

ଗାଡ଼ିରୁ ଓହ୍ଲାଇ ଡାକ୍ତର ମିର୍ଜା କହିଲେ–ବିଳମ୍ବଯୋଗୁଁ ମୁଁ ବଡ଼ ଦୁଃଖିତ ଫାଦର୍‍ । ରୋଗୀ ଆଦୌ ଘରଛାଡ଼ି ଆସିବାକୁ ମଙ୍ଗୁ ନ ଥିଲା, ତାକୁ ବହୁତ ବୁଝାଇଶୁଝାଇ ଆଣିବାକୁ ହେଲା-

 

ଅମାୟିକ ହସ ହସି ବୃଦ୍ଧ କହିଲେ–ସେଥିପାଇଁ ମୁଁ ଦୁଃଖିତ ହେବାର କୌଣସି କାରଣ ନାହିଁ ଡାକ୍ତର ମିର୍ଜା । ଆପଣ ରୋଗୀକୁ ଏଗ୍‌ଜାମିନେସନ ରୁମ୍‌କୁ ନେଇଯାଆନ୍ତୁ, ମୁଁ ଅଳ୍ପକ୍ଷଣ ପରେ ସେଠାରେ ଯାଇ ପହଞ୍ଚିବି ।

 

ଡାକ୍ତର ମିର୍ଜା ଓ ଅନ୍ୟାନ୍ୟ ନରନାରୀମାନେ ମଟର ଭିତରୁ ଜଣେ ଦୀର୍ଘ ଦେହ ପୁରୁଷକୁ ଧରାଧରି କରି ଓହ୍ଲାଇଲେ, ଲୋକଟିର ସର୍ବାଙ୍ଗ ଖଣ୍ଡିଏ ମୋଟା ଶାଲଦ୍ୱାରା ଆବୃତ । ମୁଣ୍ଡ ତଳକୁ ଝୁଲି ପଡ଼ିଛି । ମୁହଁ ମଧ୍ୟ ଦେଖାଯାଉ ନାହିଁ । ଡାକ୍ତର ମିର୍ଜା ଓ ଅନ୍ୟମାନେ ରୋଗୀକୁ ଧରି ଧୀରେ ଧୀରେ ଭିତରକୁ ନେଇଗଲେ ।

 

କିଛିକ୍ଷଣ ପରେ କେତେକ ଯନ୍ତ୍ରପାତି ଓ ଷ୍ଟେଥସ୍‌କୋପ୍‌ ଧରି ଡାକ୍ତର ଡାନିୟେଲ୍‍ ଏଗ୍‍ଜାମିନେସନ ରୁମ୍‌ ଭିତରେ ପ୍ରବେଶ କଲେ । ଡାକ୍ତର ମିର୍ଜାଙ୍କ ସହିତ ନବାଗତ ରୋଗୀ ଘରର ଗୋଟିଏ କୋଣକୁ ବସିଛି । ଦୁଇଜଣ ସୁନ୍ଦରୀ ତରୁଣୀ ଓ ପାଞ୍ଚଜଣ ପୁରୁଷ ଟିକିଏ ଦୂରକୁ ଚୌକି ଉପରେ ବସିଛନ୍ତି । ବୃଦ୍ଧ ଡାକ୍ତର ଯନ୍ତ୍ରପାତି ଧରି ରୋଗୀ ନିକଟକୁ ଆଗେଇଗଲେ ।

 

–ଉଠନ୍ତୁ ଡାକ୍ତର ମିର୍ଜା, ମୁଁ ଟିକିଏ ରୋଗୀକୁ ପରୀକ୍ଷା କରେ ।

 

ରୋଗୀର ଛାତିରେ ଷ୍ଟେଥସକୋପ୍‍ ଲଗାଇବା ପାଇଁ ଡାକ୍ତର ଡାନିୟେଲ୍‍ ଧୀରେ ଧୀରେ ତା’ ଛାତି ଉପରୁ ଆଲୁଆନ ଉଠାଇବାକୁ ଚେଷ୍ଟା କଲେ କିନ୍ତୁ ହଠାତ୍‌ ଏକ ଅଦ୍ଭୁତ ଘଟଣା ଘଟିଲା । ରୋଗୀ ସିଧାହୋଇ ଛିଡ଼ା ହୋଇଗଲା । ଚଦରତଳୁ କ୍ଷିପ୍ର ଗତିରେ ତା’ର ଡାହାଣ ହାତଟି ବାହାରି ଆସିଲା, ସେ ହାତରେ ଗୋଟିଏ ଭୀଷଣ ଦର୍ଶନ ରିଭଲଭର୍‌ ବୃଦ୍ଧଙ୍କ ଛାତିଆଡ଼କୁ ଉଦ୍ୟତ ।

 

ଏ ଘଟଣା ଦେଖି କ୍ଷଣକ ପାଇଁ ବୃଦ୍ଧ ଡାକ୍ତର ଆଚମ୍ବିତ ହୋଇଗଲେ । ଏଇ ବିଚିତ୍ର ରୋଗୀକୁ ଥରେ ମୁହଁଟେକି ଚାହିଁଲେ । ତା’ ମୁହଁରେ ଗୋଟିଏ ପ୍ଲାଷ୍ଟିକର ମୁଖା । ଆଖିରେ ଦୁଇଟି ଛିଦ୍ର । ସେଇବାଟେ ଦୁଇଟି ଉଜ୍ଜ୍ୱଳ ଆଖିରୁ ଯେପରି ନିଆଁ ବାହାରୁଛି । ଡାକ୍ତର ଡାନିୟେଲ୍‍ ପ୍ରାଣଭୟରେ ସେଠାରୁ ଦୌଡ଼ି ପଳାଇଲେ କିନ୍ତୁ କେତେକ ପାହୁଣ୍ଡ ଯିବା ପୂର୍ବରୁ ଛଦ୍ମବେଶୀ ରୋଗୀ ହାତର ରିଭଲଭର୍‌ ଗର୍ଜନ କରି ଉଠିଲା । ବୃଦ୍ଧ ଡାକ୍ତରଙ୍କର ରକ୍ତାକ୍ତ ଓ ପ୍ରାଣହୀନ ଦେହ ସେହିଠାରେ ଲୋଟିଗଲା ।

 

ଗୋଟିଏ ତରୁଣୀ ଖୁସିରେ ତାଳିମାରି ହି ହି କରି ହସି ଉଠିଲା ।–କର୍ଣ୍ଣେଲଙ୍କର ଲକ୍ଷ୍ୟ ଅତି ଅବ୍ୟର୍ଥ । ଗୋଟିଏ ଗୁଳିରେ ପାଦ୍ରୀ ସାହେବ ଚିତ୍‌ପଟାଙ୍ଗ ।

 

ତା’ପରେ ମଧ୍ୟ ଆହୁରି ଅନେକ କାମ ବାକିଥିଲା । ବାତୁଳାଳୟର ଦୁଇଜଣ ନର୍ସ ଓ ଦୁଇଜଣ ମେହେନ୍ତରଙ୍କୁ ସେମାନଙ୍କ କୋଠରୀରୁ ଧରିଆଣି ବନ୍ଦୀ କରାହେଲା । ସେମାନଙ୍କୁ ମଧ୍ୟ ହତ୍ୟାକରି ସବୁ ଜଞ୍ଜାଳ ଏକାଥରକେ ଶେଷକରି ଦେବାକୁ ଡାକ୍ତର ମିର୍ଜା ପ୍ରସ୍ତାବ କରିଥିଲେ । ତରୁଣୀ ମିସ୍‌ ଖାତୁନ୍‌ ମଧ୍ୟ ସେହି ମତ ବ୍ୟକ୍ତକଲା କିନ୍ତୁ ଦଳର ନେତା କର୍ଣ୍ଣେଲ୍‌ ସାହେବ ମନାକଲେ ।

 

ଡାକ୍ତର ଡାନିୟେଲ୍‍ଙ୍କର ମୃତ ଦେହକୁ ମାଟିତଳେ ପୋତି ଓ ଅନ୍ୟାନ୍ୟ ସବୁ କାମ ଶେଷକରି କର୍ଣ୍ଣେଲ ଅଟ୍ଟାଳିକାଟିର ସବୁ ସ୍ଥାନ ମିର୍ଜା ସାହେବଙ୍କ ସଙ୍ଗେ ବୁଲି ଦେଖିଲେ । ତା’ପରେ ଖୁସି ହୋଇ କହିଲେ–ଏଇଟି ଆମ କାମ ପାଇଁ ଅତି ରମଣୀୟ ସ୍ଥାନ, ଏଥିରେ ସନ୍ଦେହ ନାହିଁ । ଏଥିପାଇଁ ଆମର ବନ୍ଧୁ ମିର୍ଜା ସାହେବ ଧନ୍ୟବାଦର ପାତ୍ର । ମୁଁ ବର୍ତ୍ତମାନ ଏଠାରୁ ଚାଲିଯିବି । ମୋର ବିଶ୍ୱାସ ତୁମେମାନେ ଏଠାରେ ସମ୍ପୂର୍ଣ୍ଣ ନିରାପଦରେ ବାସ କରିପାରିବ । ଡାକ୍ତର ମିର୍ଜା ଏଠାରେ ଆଗପରି ଚିକିତ୍ସକର କାର୍ଯ୍ୟ କରିବେ । ସେ ଏଠାକାର ପୁରାତନ କର୍ମଚାରୀ । ପୂର୍ବପରି ସବୁ ଚଳିବ । କାହାରି କିଛି ସନ୍ଦେହ କରିବାର ଅବକାଶ ରହିବ ନାହିଁ ।

 

ତା’ପରେ କିଛିକ୍ଷଣ କ’ଣ ଚିନ୍ତାକରି କହିଲେ–ମିସ୍‌ ଖାତୁନ ଓ ମିସ୍‌ ଜେସ୍‌ମିନ ସେମାନଙ୍କର ନିଜ ନିଜ ସ୍ଥାନକୁ ଯାଇ ସହରରେ ରହିବେ । ସେମାନଙ୍କର ସେଠାରେ ପ୍ରୟୋଜନ ଅଛି ।

 

ଡାକ୍ତର ମିର୍ଜା କହିଲେ–ମେଣ୍ଟାଲ ହୋମ୍‌ର ଦୁଇଜଣଯାକ ନର୍ସଙ୍କୁ ବନ୍ଦୀ କରି ରଖାଗଲା-। ସେମାନଙ୍କର କାମ ଏଠାରେ କିଏ ତୁଲାଇବ !

 

ଇଷତ୍‌ କ୍ରୁଦ୍ଧ କଣ୍ଠରେ କର୍ଣ୍ଣେଲ କହିଲେ–ସେମାନଙ୍କ ପରିବର୍ତ୍ତରେ ତୁମକୁ ମେଲ୍‌ ନର୍ସ ଦେଇ କାମ ଚଳାଇବାକୁ ହେବ । ଆମରି ଏଇ ଲୋକମାନଙ୍କ ଭିତରୁ କେହି ଦୁଇଜଣ ସେ ଭୂମିକାରେ ଅଭିନୟ କରି ପାରିବେ ।

 

ତା’ପରେ କିଛିକ୍ଷଣ କ’ଣ ଚିନ୍ତାକରି କର୍ଣ୍ଣେଲ କହିଲେ–ବେଣିପ୍ରସାଦ ମରିଛି–ଭଲ ହୋଇଛି । ସେ ବିଶ୍ୱାସଘାତକତା କରିଥିଲା । ତା’ର ମୃତ୍ୟୁପାଇଁ ହେଡ଼କ୍ୱାଟରରୁ ନିର୍ଦ୍ଦେଶ ଆଇଲା । ତିବ୍ବତରେ ଥିବା ସୈନ୍ୟମାନଙ୍କ ପାଇଁ ଦଶ ହଜାର କମ୍ବଳ ପଠାଇବା ପାଇଁ ତାକୁ ଅଗ୍ରୀମ ଦିଆ ହୋଇଥିଲା । ଭାରତରୁ ନେପାଳ ପଠାଇବା ପାଇଁ ବହୁ ଅର୍ଥ ବ୍ୟୟରେ ଦିଲ୍ଲୀ ଦପ୍ତରରୁ ଏକ୍‌ସପୋର୍ଟ ପରମିଟ୍‌ ମଧ୍ୟ ଯୋଗାଡ଼ କରି ଦିଆ ହୋଇଥିଲା । କିନ୍ତୁ ନାନା ଆଳ ଦେଖାଇ ସେ ଏ ପର୍ଯ୍ୟନ୍ତ ମାଲ ପଠାଇ ନାହିଁ । ପରେ ଜଣାଗଲା ଯେ ବହୁ ଲାଭରେ ବେଣିପ୍ରସାଦ ସେ ଏକ୍‌ସପୋର୍ଟ ପରମିଟ୍‌କୁ କଲିକତାର ଗୋଟିଏ ବ୍ୟବସାୟୀ ଫାର୍ମକୁ ବିକ୍ରୀ କରିଛି, ଆମ ଦଳର ଜଣେ ଯୋଗ୍ୟକର୍ମୀ ମହମ୍ମଦ ହବିବ୍‍ ତାକୁ ହତ୍ୟାକରି ଖୁବ୍‌ ଭଲ କାମ କରିଛି । ତା’ ମୁହଁରୁ ବହୁ ଗୁପ୍ତକଥା ପୁଲିସ ଜାଣି ପାରିବାର ଘୋର ଆଶଙ୍କା ଥିଲା କିନ୍ତୁ ହବିବ୍‌ ଉପରେ ମୁଁ ସମ୍ପୂର୍ଣ୍ଣ ଖୁସି ହୋଇପାରି ନାହିଁ ।

 

କର୍ଣ୍ଣେଲଙ୍କ କଥା ଶୁଣି ଜିଜ୍ଞାସୁ ଦୃଷ୍ଟିରେ ହବିବ୍‍ ତାଙ୍କଆଡ଼େ ଚାହିଁଲା । କର୍ଣ୍ଣେଲ କହିଲେ–ପ୍ରାୟ ତିନିଲକ୍ଷ ଟଙ୍କାର ଚୋରାସୁନା ବେଣିପ୍ରସାଦ ନିକଟରେ ଗଚ୍ଛିତ ଥିଲା । ତେଣୁ କୌଣସି ସନ୍ଧାନ ହବିବ୍‌ ପାଇନାହିଁ ।

 

–କିନ୍ତୁ ତାହା ତ ବେଣିପ୍ରସାଦ ନିକଟରେ ନ ଥିଲା କର୍ଣ୍ଣେଲ ! ମୁଁ ତନ୍ନ ତନ୍ନ କରି ସବୁ ଖୋଜିଛି । ମୋର ଖୋଜିବାରେ କୌଣସି ତ୍ରୁଟି ହୋଇ ନାହିଁ ।

 

–ସମ୍ପୂର୍ଣ୍ଣ ତ୍ରୁଟି ହୋଇଛି । ତୁମେ କେତେଗୁଡ଼ିଏ ବାଜେ କାଗଜ ଓ ସାମାନ୍ୟ କେତେ ହଜାର ଟଙ୍କା ମାତ୍ର ଖୋଜି ସୁଟକେଶରେ ଭର୍ତ୍ତିକରି ଆଣିଛ କିନ୍ତୁ ପୁଲିସ ତା’ପରେ ଘର ତଲାସ କରି ଖଣ୍ଡିଏ ଷ୍ଟେଟ ବ୍ୟାଙ୍କର ରସିଦ ପାଇଛି । ବେଣିପ୍ରସାଦର ମୃତ୍ୟୁର ଠିକ୍‌ ପୂର୍ବରୁ ସେ ବ୍ୟାଙ୍କର ଷ୍ଟ୍ରଙ୍ଗ୍‌ ରୁମରେ ଗୋଟିଏ ସିଲ୍‌ ମୋହରଦିଆ ବାକ୍‌ସ ଜମା ରଖିଛି । ସେଇ ବାକ୍‌ସ ଭିତରେ ଯେ ସୁନା ଅଛି ଏଥିରେ ମୋର ଆଦୌ ସନ୍ଦେହ ନାହିଁ । ତୁମେ ଯଦି ସେଇ ବ୍ୟାଙ୍କ ରସିଦଟି ଆଣି ପାରିଥାନ୍ତ ତେବେ ବ୍ୟାଙ୍କରୁ ବେଣିପ୍ରସାଦ ଗଚ୍ଛିତ ରଖିଥିବା ବାକ୍‌ସଟି ଆମେ ଅନାୟସରେ ଆଣି ପାରିଥାନ୍ତୁ ।

 

ହବିବ୍‌ ଦୋଷୀପରି ମୁଣ୍ଡ ନୁଆଇଁ ନୀରବରେ ଛିଡ଼ାହେଲା । କର୍ଣ୍ଣେଲ ପୁଣି କହିଲେ–ସେଥିପାଇଁ ଅନୁତାପ କରିବାର ଆଉ କୌଣସି ପ୍ରୟୋଜନ ନାହିଁ । ଏବେ ଆମକୁ ବହୁତ କାମ କରିବାକୁ ପଡ଼ିବ । ଅତି ଦାୟିତ୍ୱପୂର୍ଣ୍ଣ ଓ ଦୁଃସାହସିକ କାମ । ଏଠାରେ ଆମର ଏଇ ସ୍ଥାନଟି ହେବ ପ୍ରଧାନ କର୍ମକେନ୍ଦ୍ର । ଏପରି ରମଣୀୟ ସ୍ଥାନଟି ଯୋଗାଡ଼ କରି ଦେଇଥିବାରୁ ଡାକ୍ତର ମିର୍ଜାଙ୍କୁ ମୋର ଅଶେଷ ଧନ୍ୟବାଦ । ଯଥା ସମୟରେ ତାଙ୍କ କାମର ଉପଯୁକ୍ତ ପ୍ରତିଦାନ ସେ ପାଇବେ । ଏବେ ଏଇ ସ୍ଥାନରେ ହାଇଡ୍ରଲିକ୍‌ ପ୍ରେସର ମେସିନ୍‍ଟାକୁ ବସାଇବାକୁ ହେବ । ଅଜସ୍ର ଜାଲ୍‌ ନୋଟ ଛପାଇ ଦେଶରେ ଛାଡ଼ିବାକୁ ହେବ । ଲକ୍ଷ ନୁହେଁ–କୋଟି କୋଟି ଟଙ୍କାର ନୋଟ । ଏ ଦେଶର ଆର୍ଥିକ ସ୍ଥିତି ବର୍ତ୍ତମାନ ଅତି ଶୋଚନୀୟ । ଏହିପରି ଭାବରେ ମୁଦ୍ରାସ୍ଫିତି ଘଟାଇ ଦେଶର ଅର୍ଥନୈତିକ ମେରୁଦଣ୍ଡ ଭାଙ୍ଗିଦେବାକୁ ହେବ, ତା’ଛଡ଼ା ବଡ଼ ବଡ଼ ଏସପିଓନେଜ କରି ଦେଶବାସୀଙ୍କୁ ଭୟଭୀତ କରି ସେମାନଙ୍କର ନୈତିକତା ଭାଙ୍ଗି ଦେବାକୁ ହେବ ସେତେବେଳେ ଯାଇ ଆମର କାମ ଶେଷ ହେବ ଓ ଏ ବିରାଟ ଦେଶ ଉପରେ ମିଲିଟେରୀ ଆକସନ୍‌ର ସୁବିଧା ହେବ ।

 

ହବିବ୍‌ କହିଲା–ଆପଣଙ୍କ ନେତୃତ୍ୱରେ ଆମେ ଅନାୟାସରେ ସବୁ କାମ କରିପାରିବୁ କର୍ଣ୍ଣେଲ । ପ୍ରାଣଭୟ ଆମର କାହାରି ନାହିଁ । ଏଠାକାର ପୁଲିସ ଆଖିରେ ମଧ୍ୟ ଆମେ ଅନାୟାସରେ ଧୂଳି ଦେଇ ପାରିବୁ ।

 

ସାମାନ୍ୟ ହସି କର୍ଣ୍ଣେଲ କହିଲେ–ଏହା ତୁମର ମହା ଭ୍ରମ ହବିବ୍‌ । ପୁଲିସକୁ ତୁମେମାନେ ଯେତେଦୂର ବୁଦ୍ଧିହୀନ ଓ ନିଷ୍କର୍ମା ମନେ କରୁଛ ସେମାନେ ପ୍ରକୃତରେ ତାହା ନୁହନ୍ତି । ଡିଟେକ୍‌ଟିଭ ଭବାନୀ ମହାପାତ୍ର ଅତିଶୟ ଦୁଃସାହସୀ ଓ ଧୂର୍ତ୍ତ । ତୁମମାନଙ୍କୁ ଅତିଶୟ ସାବଧାନ ହେବାକୁ ହେବ । ହଁ, ଆଗାମୀ ତେର ତାରିଖ କଥା ମନେଅଛି ତ ? ଗୋଟିଏ ସ୍ପେଶାଲ ଟ୍ରେନରେ ଏ ବାଟେ ତିନି ବାଟେଲିଅନ ଜାଠ ସୈନ୍ୟ ଯିବେ । ଏ ମହାନଦୀ ପୋଲ ଉପରେ ସବୁ କାମ କରିବାକୁ ହେବ, ଯେପରି ଜଣେ ମଧ୍ୟ ନ ବଞ୍ଚେ । ଅବଶ୍ୟ ଠିକ୍‌ ସମୟରେ ମୁଁ ପରେ ଜଣାଇବି । ହବିବ୍‍ ଓ ସୁଲତାନ ସେ କାମ କରିବେ, ତୁମେମାନେ ସବୁ କାମ ନିର୍ଭୁଲ ଭାବରେ କରିପାରିବ ତ ।

 

ସୁଲତାନ ଛାତି ଫୁଲାଇ କହିଲା–ନିଶ୍ଚୟ ପାରିବି କର୍ଣ୍ଣେଲ । ମୁଁ ଏଇ ସିକ୍ରେଟ ସର୍ଭିସରେ ଯୋଗଦେବା ପୂର୍ବରୁ ତିନିବର୍ଷ କାଳ ରେଲଓୟେ ଇଞ୍ଜିନିୟର୍‌ ଥିଲି କିନ୍ତୁ ମୁଁ ଗୋଟିଏ କଥା କହୁଥିଲି, କର୍ଣ୍ଣେଲ !

 

ଜିଜ୍ଞାସୁ ଦୃଷ୍ଟିରେ କର୍ଣ୍ଣେଲ ଚାହିଁଲେ । ସୁଲତାନ କହିଲା–ଏଇ ମହାନଦୀ ପୋଲ ଉପରେ–ଅର୍ଥାତ୍‌ ଏଇ ସହରର ଏତେ ନିକଟରେ ନ କରି, ଯଦି ଆଉ କୌଣସି ଦୂର ନିର୍ଜନ ସ୍ଥାନରେ କରାଯାନ୍ତା, ତା’ହେଲେ ସବୁଆଡ଼ୁ ଆହୁରି ନିରାପଦ ହୁଅନ୍ତା ।

 

କର୍ଣ୍ଣେଲ କହିଲେ–ନା ସୁଲତାନ, ସହର ନିକଟରେ ଏପରି ବଡ଼ ଧରଣର ଅନ୍ତର୍ଘାତୀ କାର୍ଯ୍ୟର ଗୋଟିଏ ବଡ଼ ମନସ୍ତାତ୍ତ୍ୱିକ ଦିଗ ମଧ୍ୟ ଅଛି । ସହରରେ ଏପରି ଭୟାବହ କାଣ୍ଡ ଘଟିଲେ ସହରବାସୀମାନଙ୍କର ନୈତିକତା ଭାଙ୍ଗିପଡ଼େ । ପୃଥିବୀରେ କୌଣସି ସ୍ଥାନରେ ଅନ୍ତର୍ଘାତୀ କାର୍ଯ୍ୟ ମଫସଲ ଅଞ୍ଚଳରେ ହୁଏ ନାହିଁ । ଅନ୍ତର୍ଘାତୀ କାର୍ଯ୍ୟର ଉଦ୍ଦେଶ୍ୟ କେବଳ ନରହତ୍ୟା ନୁହେଁ ।

 

ତା’ପରେ କର୍ଣ୍ଣେଲ ବାହାରିଲେ । ମିସ୍‌ ଜେସ୍‌ମିନ ଗାଡ଼ି ଚଳାଇଲା ଓ ମିସ୍‌ ଖାତୁନ ଆଗ ସିଟରେ ବସିଲା । ପଛ ସିଟରେ କର୍ଣ୍ଣେଲ ଏକା ବସିଲେ । ସେତେବେଳକୁ ମଧ୍ୟ ରାତ୍ରି । ବର୍ଷା ଛାଡ଼ି ଗଲାଣି । ସହର ଭିତରେ ପ୍ରବେଶ କରି ଗୋଟିଏ ନିର୍ଜନ ସ୍ଥାନରେ ଗାଡ଼ି ବନ୍ଦ କରିବା ପାଇଁ କର୍ଣ୍ଣେଲ ନିର୍ଦ୍ଦେଶ ଦେଲେ । କର୍ଣ୍ଣେଲ ଗାଡ଼ିରୁ ଓହ୍ଲାଇଲା ପରେ ଗାଡ଼ି ଚାଲିଗଲା । ତା’ପରେ ମୁହଁ ଉପରୁ ପ୍ଲାଷ୍ଟିକ ମୁଖାଟି କାଢ଼ି କର୍ଣ୍ଣେଲ ଆଗେଇ ଚାଲିଲେ ।

 

ଏ ଦଳର କେହି କର୍ଣ୍ଣେଲଙ୍କର ପ୍ରକୃତ ରୂପ ଦେଖି ନାହାନ୍ତି ବା ତାଙ୍କର ପ୍ରକୃତ ପରିଚୟ ଜାଣନ୍ତି ନାହିଁ । ସମସ୍ତେ ତାଙ୍କୁ ‘‘କର୍ଣ୍ଣେଲ’’ ବୋଲି ଜାଣନ୍ତି ଏବଂ ତାଙ୍କର ଆଦେଶ ପାଳନ କରନ୍ତି । ତାଙ୍କର ଆଦେଶ ପାଳନ ନ କରି ପାରିଲେ ଯେ ସୁନିଶ୍ଚିତ ମୃତ୍ୟୁ ବରଣ କରିବାକୁ ହେବ ଏହା ମଧ୍ୟ ସମସ୍ତେ ଜାଣନ୍ତି ।

 

ତିନିଦିନ ପରେ ମଧ୍ୟ ପୁଲିସ ବେଣିପ୍ରସାଦର ହତ୍ୟା ରହସ୍ୟ ଭେଦକରି ପାରିଲେ ନାହିଁ-। ଭବାନୀବାବୁ, ଇନିସ୍ପେକ୍ଟର ଗଡ଼ନାୟକ ଓ ଅନ୍ୟାନ୍ୟ ନାମଜାଦା ପୁଲିସ କର୍ମଚାରୀମାନେ ଆପ୍ରାଣ ଚେଷ୍ଟାକରି ମଧ୍ୟ ଅଜ୍ଞାତ ହତ୍ୟାକାରୀର କୌଣସି ସନ୍ଧାନ ପାଇଲେ ନାହିଁ । ଦେଶର କେତେଗୁଡ଼ିଏ ସମ୍ୱାଦପତ୍ର ପୁଲିସର ଏପରି ଚରମ ଅପାରଗତା ବିଷୟରେ ଅତି କଟୁ ମନ୍ତବ୍ୟମାନ ପ୍ରକାଶ କରିବାକୁ ଲାଗିଲେ । ସେମାନଙ୍କର ପ୍ରଧାନ ଶରବ୍ୟ ହେଲେ ଡିଟେକ୍‌ଟିଭ ଭବାନୀ ମହାପାତ୍ର ।

‘‘ବେଣିପ୍ରସାଦ ଅଗରଓ୍ୱାଲା ନାମକ ସହରର ଜଣେ ଗଣ୍ୟମାନ୍ୟ ବ୍ୟବସାୟୀ କୌଣସି କାରଣରୁ ନିଜର ଜୀବନ ବିପନ୍ନ ଜାଣି ଯଥାସମୟରେ ନିଜେ ଯାଇ ଭବାନୀବାବୁଙ୍କର ଶରଣାପନ୍ନ ହୋଇଥିଲେ କିନ୍ତୁ ତଥାପି ଭବାନୀବାବୁ ତାଙ୍କୁ ବଞ୍ଚାଇ ପାରିଲେ ନାହିଁ । ଏହାଠାରୁ ବଳି ପୁଲିସର ଅପାରଗତା ଆଉ କ’ଣ ହୋଇପାରେ ! କେହି କେହି ସନ୍ଦେହ କରୁଛନ୍ତି ଯେ ଏଇ ନୃଶଂସ ନରହତ୍ୟା ପଛରେ ଡିଟେକ୍‌ଟିଭ ଭବାନୀ ମହାପାତ୍ରଙ୍କର ହୁଏତ ହାତ ଅଛି ।’’

ଏହିପରି ଅତି କଟୁ ମନ୍ତବ୍ୟମାନ ଦେଶର କେତୋଟି ସମ୍ୱାଦପତ୍ରରେ ଅନବରତ ପ୍ରକାଶ ପାଉଛି । ବେଣିପ୍ରସାଦର ପ୍ରକୃତ ସ୍ୱରୂପ ଯେ କ’ଣ–କେଉଁ ଅପକର୍ମରେ ସେ ଏଠାରେ ଲିପ୍ତିଥିଲା, ତାହା ମଧ୍ୟ ପୁଲିସ ଏ ପର୍ଯ୍ୟନ୍ତ ଜାଣିପାରିଲେ ନାହିଁ । ଭବାନୀବାବୁଙ୍କର ଦୃଢ଼ ବିଶ୍ୱାସ ଥିଲା ଯେ ଯେଉଁ ବାକ୍‌ସଟି ମୃତ୍ୟୁର ପୂର୍ବଦିନ ବେଣିପ୍ରସାଦ ଷ୍ଟେଟ ବ୍ୟାଙ୍କର ଷ୍ଟ୍ରଙ୍ଗ୍‌ ରୁମରେ ଜମା ରଖିଥିଲେ, ସେଥିରେ କୌଣସି ମୂଲ୍ୟବାନ ଦ୍ରବ୍ୟ ନିଶ୍ଚୟ ଥିବ ଏବଂ ସେଥିରୁ ବେଣିପ୍ରସାଦ ଓ ତା’ର ଅଜ୍ଞାତ ହତ୍ୟାକାରୀ ବିଷୟରେ ବହୁ ତଥ୍ୟ ମିଳିପାରିବ । ଜିଲା ମାଜିଷ୍ଟ୍ରେଟଙ୍କଠାରୁ ବିଶେଷ ଅନୁମତିପତ୍ର ସଂଗ୍ରହ କରି ଷ୍ଟେଟ ବ୍ୟାଙ୍କର ଏଜେଣ୍ଟଙ୍କଠାରୁ ଇନିସ୍ପେକ୍ଟର ଗଡ଼ନାୟକ ବାକ୍‌ସଟି ଆଣିଲେ । ସିଲ୍‌ ମୋହରଦିଆ ଓଜନଦାର ବାକ୍‌ସଟି ଭିତରେ ଯେ ଏକ ନିଗୂଢ଼ ରହସ୍ୟ ଲୁଚି ରହିଛି, ଏ ବିଷୟରେ ପୁଲିସ କର୍ମଚାରୀମାନେ ନିଃସନ୍ଦେହ ଥିଲେ । ପୁଲିସ ଥାନା ଭିତରେ ଜଣେ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ବାକ୍‌ସଟି ଖୋଲାହେଲା କିନ୍ତୁ ବାକ୍‌ସ ଭିତରୁ ଯାହା ବାହାରିଲା ତାହା ଦେଖି ସମସ୍ତେ ହତାଶ ହେଲେ । କେତେଗୁଡ଼ିଏ ନୂଆ ଷ୍ଟେନଲେସ୍‌ ଷ୍ଟିଲ୍‍ର ବାସନ ଛଡ଼ା ସେଥିରେ ଆଉ କିଛି ନାହିଁ । ଏଇ ସାମାନ୍ୟ ବାସନଗୁଡ଼ିକ ଏତେ ଯତ୍ନରେ ଏବଂ ଏତେ ଅର୍ଥ ବ୍ୟୟରେ ବେଣିପ୍ରସାଦ ଯେ କାହିଁକି ବ୍ୟାଙ୍କର ଷ୍ଟ୍ରଙ୍ଗ୍‍ ରୁମ୍‌ ଭିତରେ ଗଛିତ ରଖିଥିଲା ତାହା ଆଉ ଏକ ଦୁର୍ଭେଦ୍ୟ ରହସ୍ୟ । ବେଣିପ୍ରସାଦର ବାକ୍‌ସଟି ରହସ୍ୟ ଭେଦରେ ସାହାଯ୍ୟ କରିବା ପରିବର୍ତ୍ତେ ଏଇ ହତ୍ୟା ରହସ୍ୟକୁ ଆହୁରି ଘନିଭୂତ କଲା । ବାସନଗୁଡ଼ିକ ଥାନାର ମାଲଖାନା ଭିତରେ ରଖି ଅନ୍ୟମନସ୍କ ଭାବରେ ଭବାନୀବାବୁ ବାହାରିଲେ ।

ସେତେବେଳକୁ ଅପରାହ୍ନ ହୋଇଗଲାଣି । ଶୀତ ଦିନର ଉଦାସିଆ ଅପରାହ୍ନ କ୍ଳାନ୍ତ ଓ ଅବସନ୍ନ ଦେହରେ ଭବାନୀବାବୁ ନିଜ ଘରକୁ ଫେରିଲେ । କ୍ୟାପଟେନ୍‌ ପଟ୍ଟନାୟକ ବାକ୍‌ସ ବିଛଣା ବାନ୍ଧି ଓ ପୋଷାକ ପିନ୍ଧି ପ୍ରସ୍ତୁତ ହୋଇ ବସିଛନ୍ତି । ଭବାନୀବାବୁଙ୍କୁ ଦେଖି ହସ ହସ ମୁହଁରେ କହିଲେ–ମୁଁ ତୁମ ପାଇଁ ଅନିର୍ଦ୍ଦିଷ୍ଟକାଳ ଅପେକ୍ଷା ନ କରି ଖାଇ ନେଲି କିନ୍ତୁ ତୁମକୁ ଦେଖା ନକରି ଯାଇପାରୁ ନାହିଁ ।

ଭବାନୀବାବୁଙ୍କର ମନେ ପଡ଼ିଲା ଯେ ଆଜି କ୍ୟାପଟେନ୍‍ ତାଙ୍କର ନିଜ ଭଡ଼ା ଘରକୁ ଚାଲିଯିବାର କଥା । କ୍ୟାପଟେନ୍‍ଙ୍କ ଅନୁରୋଧରେ ଭବାନୀବାବୁ ନିଜେ ଏଇ ଭଡ଼ାଘରଟି ଯୋଗାଡ଼ କରି ଦେଇଛନ୍ତି । କ୍ୟାପଟେନ୍‌ ଆହୁରି ଦୀର୍ଘକାଳ ଯଦି ଭବାନୀବାବୁଙ୍କ ସହିତ ବାସ କରନ୍ତେ, ତେବେ ଭବାନୀବାବୁ ଅତିଶୟ ଖୁସି ହୁଅନ୍ତେ କିନ୍ତୁ କ୍ୟାପଟେନ୍‍ ନିଜେ ତାହା ଚାହିଁଲେ ନାହିଁ । ଜୀବନସାରା ସମସ୍ତଙ୍କ ଭିତରେ ଥାଇ ମଧ୍ୟ ଯେ ସମ୍ପୂର୍ଣ୍ଣ ଏକାକୀ; ସେ ବନ୍ଧୁ ଗୃହରେ ରହିବାକୁ ଚାହିଁବେ ବା କାହିଁକି !

ଭବାନୀବାବୁ କହିଲେ–ତମ ନୂଆଘରେ ଖିଆପିଆର କିଛି ବ୍ୟବସ୍ଥା ଅଛି, ନା ତାହା ମୁସାଫିରଖାନା ମାତ୍ର !

ହସି ହସି କ୍ୟାପଟେନ୍‌ କହିଲେ–ଆରେ ନା, ନା । ଅତିଥି ଆପାୟନର ସମ୍ପୂର୍ଣ୍ଣ ସୁବ୍ୟବସ୍ଥା ସେଠାରେ ମୁଁ କରିଛି । ରନ୍ଧନ ଯୋଗ୍ୟତା ବିଷୟରେ ପୂର୍ବରୁ କେତେକ ସାର୍ଟିଫିକେଟ ଥିବା ଗୋଟିଏ ‘‘କମ୍‌ବାଇଣ୍ଡ ହ୍ୟାଣ୍ଡ’’ ମଧ୍ୟ ଯୋଗାଡ଼ କରି ପାରିଛି–ନାଁ ତା’ର କମଳା ।

–କମଳା । କେଉଁ ଜେଣ୍ଡର୍‌ର ବ୍ୟକ୍ତି !! କୃତ୍ରିମ ଗାମ୍ଭୀର୍ଯ୍ୟ ସହକାରେ ଭବାନୀବାବୁ ପ୍ରଶ୍ନ କଲେ ।

ଉଚ୍ଚ ଶବ୍ଦରେ ତାଙ୍କର ସ୍ୱଭାବ ସୁଲଭ ସରଳ ହସ ହସି କ୍ୟାପଟେନ୍‌ କହିଲେ–ନା, ନା, ସେ ଭୟ ନାହିଁ । ନାଁଟି ତା’ର କମଳାକାନ୍ତ ସିଂହ କିନ୍ତୁ ସିଂହ ହେଲେ ମଧ୍ୟ ସମ୍ପୂର୍ଣ ମାସ୍‌କୁଲାଇନ୍‌ ମଧ୍ୟ ନୁହେଁ-। ସେ ଗୋଟିଏ ମାଇଚିଆ । ଗୃହହୀନର ଘରକରଣା ପାଇଁ ଗୋଟିଏ ଆଦର୍ଶ ବ୍ୟକ୍ତି ।

କିଛିକ୍ଷଣ ପରେ କ୍ୟାପଟେନ୍‌ ତାଙ୍କର ଜିନିଷପତ୍ର ଟ୍ୟାକ୍‌ସିରେ ଲଦି ବିଦାୟ ନେଲେ । ଏଠାରୁ ତାଙ୍କର ନିଜସ୍ୱ ଭଡ଼ା ଘରକୁ କ୍ୟାପଟେନ୍‌ ଯେ ଚାଲିଯିବେ ଏ କଥା ଭବାନୀବାବୁ ଭଲ ଭାବରେ ଜାଣିଥଲେ । ଭବାନୀବାବୁ ନିଜେ ମଧ୍ୟ ତାଙ୍କ ପାଇଁ ଭଲ ଖଣ୍ଡିଏ ଘର ଠିକ୍‌ କରି ଦେଇଥିଲେ କିନ୍ତୁ ତଥାପି ସେ ଯେ ଏତେ ଶୀଘ୍ର ଏଠାରୁ ଚାଲିଯିବେ, ଏ କଥା ସେ ଚିନ୍ତାକରି ନ ଥିଲେ । କ୍ୟାପଟେନ୍‌ଙ୍କର ଟେକ୍‌ସି ଚାଲିଗଲା । ଭବାନୀବାବୁ ତାଙ୍କର ଗତିପଥକୁ ଚାହିଁ କିଛିକ୍ଷଣ ସେଠାରେ ନୀରବରେ ଛିଡ଼ାହୋଇ ରହିଲେ । କାହିଁକି କେଜାଣି ତାଙ୍କର ଅନ୍ତରଟା ହଠାତ୍‌ ଅତିଶୟ ଶୂନ୍ୟ ମନେହେଲା । ଯେପରି ତାଙ୍କର ଏକ ଅତି ପ୍ରିୟଜନ ତାଙ୍କ ଜୀବନରୁ ଚିରଦିନ ପାଇଁ ବିଦାୟ ନେଲେ ।

ଖାଇସାରି ନିଜର ନିର୍ଜନ ଘର ଭିତରେ ସେ ଏକା ବସି ରହିଲେ । ବେଣିପ୍ରସାଦ ହତ୍ୟାରହସ୍ୟ ବିଷୟରେ ସେ ଗଭୀର ଭାବରେ ଚିନ୍ତା କରିବାକୁ ଲାଗିଲେ । ବାରମ୍ବାର ତାଙ୍କର କେବଳ ମନେ ହେବାକୁ ଲାଗିଲା ଯେ ଏହା କେବଳ ଅର୍ଥଲାଭ ପାଇଁ ସାଧାରଣ ହତ୍ୟାକାଣ୍ଡ ନୁହେଁ-। ଯେପରି କୌଣସି ଶତ୍ରୁ ଦେଶର ଷଡ଼ଯନ୍ତ୍ର ଏହା ସହିତ ଜଡ଼ିତ । ବେଣିପ୍ରସାଦ ଯେଉଁ ରିଭଲଭରରେ ହତ୍ୟା କରା ହୋଇଛି, ତାହା ଗୋଟିଏ ପାକିସ୍ଥାନୀ ସୈନ୍ୟବାହିନୀର ଜିନିଷ । ବର୍ତ୍ତମାନ ଯେ ସାରା ଦେଶରେ ଚିନ୍‌ ଓ ପାକିସ୍ଥାନର ଏସ୍‌ପିଓନେଜ ଏଜେଣ୍ଟମାନେ ଅତିଶୟ ସକ୍ରୀୟ ହୋଇ ଉଠିଛନ୍ତି, ଏକଥା ଦେଶର ପୁଲିସ କର୍ତ୍ତୃପକ୍ଷ ଭଲ ଭାବରେ ଜାଣନ୍ତି । ପ୍ରଚୁର ଅର୍ଥ ଉତ୍କୋଚ ଦେଇ ଏ ଦେଶର ବହୁ ଗୁଣୀ ଓ ଜ୍ଞାନୀଙ୍କୁ ମଧ୍ୟ କର୍ତ୍ତୃପକ୍ଷ ନିଜ ଦଳକୁ ନେଇ ପାରିଛନ୍ତି । ଏ ଦେଶର ସୈନ୍ୟବାହିନୀରେ ମଧ୍ୟ ସେମାନଙ୍କର ବହୁ ଗୁପ୍ତଚର ରହିଛନ୍ତି । ୧୯୬୫ ମସିହାର ଯୁଦ୍ଧରେ ଭାରତ ହାତରୁ ପରାସ୍ତ ଓ ଲାଞ୍ଚିତ ହୋଇ ପାକିସ୍ଥାନୀ ନେତାମାନେ ପିଞ୍ଜରାବଦ୍ଧ ଶାର୍ଦ୍ଦୁଳ ପରି କ୍ରୋଧରେ ଗର୍ଜନ କରୁଛନ୍ତି । ଏ ଦେଶର ଅନ୍ୟତମ ଶତ୍ରୁରାଷ୍ଟ୍ର ଲାଲ ଚିନ ସହିତ ମେଣ୍ଟବାନ୍ଧି ପାକିସ୍ଥାନୀ ନେତାମାନେ ପୁଣି ଭାରତ ଆକ୍ରମଣର ସୁବିଧା କରୁଛନ୍ତି । ସେଇ ଆଗାମୀ ଆକ୍ରମଣର କ୍ଷେତ୍ର ପ୍ରସ୍ତୁତ କରିବା ପାଇଁ ଅସଂଖ୍ୟ ଏସପିଓନେଜ ଏଜେଣ୍ଟ ଏ ଦେଶର ଚାରିଆଡ଼େ ସକ୍ରୀୟ ହୋଇ ଉଠିଲେଣି । ବହୁ ଉଚ୍ଚ ଶିକ୍ଷିତ ତରୁଣ ତରୁଣୀଙ୍କୁ ଏସପିଓନେଜ ଶିକ୍ଷା କରିବା ପାଇଁ ପାକିସ୍ଥାନ ସରକାର ପେକିଙ୍ଗ ଓ ଅନ୍ୟାନ୍ୟ କେତେକ ପାଶ୍ଚାତ୍ୟ ଦେଶକୁ ମଧ୍ୟ ପଠାଉଛି । ସେଇସବୁ ଲୋକଙ୍କୁ ଭାରତରେ ଅନ୍ତର୍ଘାତୀ କାମ କରିବା ପାଇଁ ପଠା ଯାଉଛି । ଅତି ଦୃଢ଼ ଓ ସୁସଂଗଠିତ ଏଇ ଅଦୃଶ୍ୟ ଶତ୍ରୁଦଳ । କାହିଁକି କେଜାଣି ବେଣିପ୍ରସାଦର ହତ୍ୟା ପଛରେ ଏଇ ଅଦୃଶ୍ୟ ଶତ୍ରୁମାନଙ୍କର ହାତ ଅଛି ବୋଲି ତାଙ୍କର ଦୃଢ଼ବିଶ୍ୱାସ ହୋଇଛି । ଆହୁରି ମଧ୍ୟ ତାଙ୍କର ଧାରଣା ହୋଇଛି ଯେ ଅନତି ବିଳମ୍ବରେ ଆହୁରି ବହୁତ ଭୟାବହ ଘଟଣା ଏଠାରେ ଘଟିବ । ହୁଏତ ଏଇ ସହରରେ ମଧ୍ୟ ଏଇ ଅନ୍ତର୍ଘାତୀ ଦଳର ଗୋଟିଏ ଘାଟି ଗଢ଼ି ଉଠିଛି ।

ସାମାନ୍ୟ ବାସନଗୁଡ଼ିକ ଏତେ ଅର୍ଥ ବ୍ୟୟରେ ବେଣିପ୍ରସାଦ କାହିଁକି ବ୍ୟାଙ୍କର ଷ୍ଟ୍ରଙ୍ଗ୍‌ ରୁମରେ ଗଛିତ କରି ରଖିଥିଲା ? ଏହା ଯେ ସମ୍ପୂର୍ଣ୍ଣ ଉଦ୍ଦେଶ୍ୟହୀନ କଦାପି ହୋଇ ନ ପାରେ । ଏ ବିଷୟରେ ସେ ଦୃଢ଼ ନିଶ୍ଚିତ, କିନ୍ତୁ କ’ଣ ସେ ରହସ୍ୟମୟ ଉଦ୍ଦେଶ୍ୟ । ତା’ର ଶତ୍ରୁମାନଙ୍କୁ ଠକିବା ଉଦ୍ଦେଶ୍ୟରେ କ’ଣ ସେ ଏପରି କରିଥିଲା !!

କଛିକ୍ଷଣ ପର୍ଯ୍ୟନ୍ତ ଗଭୀର ଚିନ୍ତାମଗ୍ନ ହୋଇ ବସି ରହିବା ପରେ ହଠାତ୍‌ ତାଙ୍କର ଗୋଟିଏ ଜିନିଷ ମନେପଡ଼ିଲା । ଯେଉଁ ସୁନାର ପଦକଟି ସେଦିନ ରାତିରେ ଇଉସୁଫ୍‌ ସଡ଼କ ଉପରୁ ପାଇଥିଲା ସେଇଟିକୁ ଭବାନୀବାବୁ ଏ ପର୍ଯ୍ୟନ୍ତ ଭଲକରି ଦେଖି ନାହାନ୍ତି । ନାନା କାମ ଓ ଚିନ୍ତା ଭିତରେ ସେ ଏଇ ସୁନା ପଦକଟି କଥା ସମ୍ପୂର୍ଣ୍ଣ ଭୁଲି ଯାଇଥିଲେ । ପ୍ରଥମରୁ ଏଥିପ୍ରତି ବିଶେଷ ଗୁରୁତ୍ୱ ସେ ଆରୋପ କରି ନ ଥିଲେ ।

ସାନ ଗୋଟିଏ ପ୍ଲାଷ୍ଟିକ୍‍ ଡବା ଭିତରେ ତୁଳା ଗୁଡ଼ାଇ ପଦକଟିକୁ ସେ ରଖି ଦେଇଥଲେ-। ଶକ୍ତିଶାଳୀ ଗୋଟିଏ ଲେନ୍‌ସ ବାହାର କରି ଉଜ୍ଜ୍ୱଳ ଟେବୁଲ ଲ୍ୟାମ୍ପତଳେ ପଦକଟିକୁ ସେ ଭଲକରି ପରୀକ୍ଷା କରିବା ପାଇଁ କାଢ଼ିଲେ । ଆଖିର ଅତି ନିକଟରେ ଲଗାଇ ଲେନ୍‌ସ ସାହାଯ୍ୟରେ ଭବାନୀବାବୁ ପଦକଟିକୁ ପରୀକ୍ଷା କରିବାକୁ ଲାଗିଲେ । ନାକରେ ଭବାନୀବାବୁ କ’ଣ ବାସନା ପାଇଲେ । ମନୋରମ ଓ କ୍ଷୀଣ ଗୋଟିଏ ସୁରଭି ଏପର୍ଯ୍ୟନ୍ତ ପଦକଟି ଦେହରେ ଅଛି । ବହୁକ୍ଷଣ ପର୍ଯ୍ୟନ୍ତ ନାସାରନ୍ଧ୍ରରେ ଲଗାଇ ଭବାନୀବାବୁ ତା’ର ଘ୍ରାଣ ନେଲେ । ମୂଲ୍ୟବାନ ଗୋଟିଏ ବିଲାତି ଅତରର ଗନ୍ଧ ।

ତା’ପରେ ଲେନ୍‌ସ ସାହାଯ୍ୟରେ ସେ ପଦକଟିକୁ ପରୀକ୍ଷା କରିବାକୁ ଲାଗିଲେ । ଚଉଦ କାରେଟ୍‌ ସୁନାର ଗୋଟିଏ ପଦକ । ଗୋଟିଏ ପାଖ ପାଲିସ କରାହୋଇଛି, ଅନ୍ୟ ପାର୍ଶ୍ୱରେ ସେହିପରି ମସୃଣ ପ୍ରଚ୍ଛଦପଟରେ ସ୍ୱର୍ଗତ ଜବାହାରଲାଲଙ୍କର ଗୋଟିଏ ସୁନ୍ଦର ରେଖାଚିତ୍ର । ପଦକଟିର ଉପରିଭାଗରେ ଗୋଟିଏ ସାନ ରିଙ୍ଗ୍‌ । ସେଇ ରିଙ୍ଗ୍‌ ନିକଟରେ ଗୋଟିଏ ଅତି କ୍ଷୁଦ୍ର ବୋତାମ ଥିବାପରି ମନାହେଲା । ଗୋଟିଏ ସ୍ପ୍ରିଙ୍ଗ୍‍ ବୋତାମ । ନଖ ସାହାଯ୍ୟରେ ବୋତାମଟି ଚିପି ଦେଲାମାତ୍ରେ ପଦକଟି ଦୁଇଭାଗ ହୋଇ ଖୋଲିଗଲା, ଗୋଟିଏ ଭାଗ ଢାଙ୍କୁଣୀପରି ସାନ ଗୋଟି କବଜା ସାହାଯ୍ୟରେ ଝୁଲି ରହିଲା । ଭବାନୀବାବୁ ଲେନ୍‌ସ ସାହାଯ୍ୟରେ ଭିତରଟା ପରୀକ୍ଷା କଲେ-। ଅତିଶୟ ପାଲିସ ଓ ମସୃଣ । ଗୋଟିଏ ପଟେ ଇଂରାଜୀରେ ଲେଖା ଅଛି Pes No 13 ଆଉ କୌଣସି ଲେଖା ନାହିଁ । ଅନ୍ୟ ପାଖଟି କିଛିକ୍ଷଣ ପରୀକ୍ଷା କରି ଭବାନୀବାବୁଙ୍କର ମୁଖ ଟିକିଏ ଉଜ୍ଜ୍ୱଳ ହୋଇ ଉଠିଲା । ମସୃଣ ସୁନା ଉପରେ ଗୋଟିଏ ଟିପଚିହ୍ନ ସୁସ୍ପଷ୍ଟ ଦେଖାଯାଉଛି ।

ଆଲମାରୀ ଭିତରୁ କାମେରା କାଢ଼ି ଭବାନୀବାବୁ ସେଇ ଟିପଚିହ୍ନଟିର କେତେଖଣ୍ଡି ଫଟ ଉଠାଇଲେ । ତା’ପରେ ପଦକଟି ଯଥାସ୍ଥାନରେ ରଖିଦେଇ ସେଥିରେ ଲେଖାଥିବା Pes No 13ର କ’ଣ ଅର୍ଥ ହୋଇପାରେ ଗଭୀର ଭାବରେ ତାହାହିଁ ଚିନ୍ତା କରିବାକୁ ଲାଗିଲେ ।

ଧୀରେ ଧୀରେ ସୂର୍ଯ୍ୟାସ୍ତ ହେଲା । ଚାରିଆଡ଼େ ଅନ୍ଧାର ଘୋଟିଗଲା । ଭୃତ୍ୟ ରଘୁଆ କେତେବେଳେ ଆସି ଘରର ବିଜୁଳି ଆଲୁଅ ଜଳାଇଦେଇ ଯାଇଛି ଭବାନୀବାବୁ ଲକ୍ଷ୍ୟ କରି ନାହାନ୍ତି । ବହୁକ୍ଷଣ ଏହିପରି ଧ୍ୟାନମଗ୍ନ ରହିବା ପରେ ଭବାନୀବାବୁ ଆଖି ମେଲାଇଲେ । ଚୌକିରୁ ଉଠି ଆଲମାରୀ ଭିତରୁ ଖଣ୍ଡିଏ ମୋଟା ବହି ବାହାର କଲେ । ବହିଟିର ନାମ ‘‘ମିଲିଟେରୀ ଏନ୍‌ସାଇକ୍ଲୋପେଡ଼ିଆ ।’’ ବହିଟିର ପୃଷ୍ଠା ଓଲଟାଇ କେତେ ମିନିଟ ଧରି କ’ଣ ଖୋଜିଲେ, ତା’ପରେ ଯାହା ଖୋଜୁଥିଲେ ତାହା ଦେଖିପାରି ଆଗ୍ରହ ସହିତ ପଢ଼ିବାକୁ ଲାଗିଲେ, ପଢ଼ୁ ପଢ଼ୁ ତାଙ୍କ ମୁଖମଣ୍ଡଳ ଗମ୍ଭୀର ହୋଇଗଲା ଏବଂ ଗଭୀର ଉଦବେଗର ଚିହ୍ନ ଫୁଟି ଉଠିଲା । ପୁସ୍ତକରେ ଲେଖାଅଛି ‘‘PES’’ର ଅର୍ଥ ‘‘ପାକିସ୍ଥାନ ଏସ୍‌ପିଓନେଜ ସର୍ଭିସ ।’’ ଏଇ ପରିଚୟପତ୍ର ତିନିରକମ ଧାତୁରେ ଖୋଦିତ ହୋଇ ଏସ୍‌ପିଓନେଜ ଏଜେଣ୍ଟମାନଙ୍କୁ ଦିଆଯାଏ । ପ୍ରଥମ ଶ୍ରେଣୀର କ୍ରିଡ଼େନ୍‌ସିଏଲ ସୁନାର, ଦ୍ୱିତୀୟ ଶ୍ରେଣୀ ରୂପାର ଏବଂ ତୃତୀୟ ଶ୍ରେଣୀ ବ୍ରୋଞ୍ଜର ହୁଏ । ପ୍ରଥମ ଶ୍ରେଣୀର ଏଜେଣ୍ଟମାନେ ଅତି ଦୁଃସାହସୀ ଓ ବୁଦ୍ଧିମାନ ହୋଇଥାଆନ୍ତି ଏବଂ ସେମାନେ ଅତି ଉଚ୍ଚ ବେତନ ଭୋଗ କରନ୍ତି ।

ଏବେ ଭବାନୀବାବୁଙ୍କ ନିକଟରେ ଧୀରେ ଧୀରେ ସବୁ ପରିଷ୍କାର ହୋଇଗଲା । ଏଠାରେ ଯେ ଅନ୍ତର୍ଘାତୀ ଦଳର ଗୋଟିଏ ଘାଟି ଗଢ଼ି ଉଠିଛି ଏବଂ ଅବିଳମ୍ୱେ ଦେଶର ପୁଲିସ ଓ ଜନସାଧାରଣଙ୍କୁ ସେମାନଙ୍କ ସହିତ ମୁକାବିଲା କରିବାକୁ ହେବ, ଏହା ସେ ଜାଣି ପାରିଲେ । ଶତ୍ରୁପକ୍ଷର ଅନ୍ତର୍ଘାତୀ ଏଜେଣ୍ଟର କ୍ରିଡ଼ିନ୍‌ସିଏଲ୍‌ ଉପରେ ମହାମାନବ ଜବାହାରଲାଲଙ୍କର ଚିତ୍ରର ତାତ୍ପର୍ଯ୍ୟ ମଧ୍ୟ ସେ ଜାଣି ପାରିଲେ । କେହି ଦେଖିଲେ ଭାବିବ ଯେ ଦେଶଭକ୍ତିର ନିଦର୍ଶନ ସ୍ୱରୂପ ଏହି ମହା ଦେଶପ୍ରେମୀଙ୍କର ଛବିଟି ପଦକରେ ଖୋଦିତ ହୋଇଛି ।

ଅନ୍ତର୍ଘାତୀମାନେ ଯେ ପୁଣି ଆଘାତ କରିବେ ଏଥିରେ ସନ୍ଦେହ ନାହିଁ । ଏପରି ନରପଶୁଙ୍କର କାର୍ଯ୍ୟପଦ୍ଧତି ସହିତ ତାଙ୍କର ପୂର୍ବ ପରିଚୟ ଅଛି । କେବଳ ବିଦେଶୀ ଶତ୍ରୁ ଦେଶର ଲୋକମାନେ ଯେ ଏ ଦଳରେ ଥାଆନ୍ତି ତା’ ନୁହେଁ । ଉତ୍କୋଚ ଲୋଭରେ ଏ ଦେଶର ବହୁବ୍ୟକ୍ତି ଏପରି କି ଅନେକ ଶୀର୍ଷସ୍ଥାନୀୟ ବ୍ୟକ୍ତି ମଧ୍ୟ ସେମାନଙ୍କ ସହିତ ଯୋଗ ଦିଅନ୍ତି ।

ତା’ପରେ ବେଣିପ୍ରସାଦର ବାସନ ରହସ୍ୟ ସେ ଚିନ୍ତା କରିବାକୁ ଲାଗିଲେ । ବହୁ ଚିନ୍ତାକରି ମଧ୍ୟ ଏ ବିଚିତ୍ର ରହସ୍ୟ ସେ ସମାଧାନ କରି ପାରିଲେ ନାହିଁ, ସେଇ କଥା ଚିନ୍ତା କରୁ କରୁ ରାତ୍ର ଭୋଜନ ଶେଷ କରି ସେ ବିଛଣାର ଆଶ୍ରୟ ନେଲେ । ବିଛଣାରେ ପଡ଼ିରହି ମଧ୍ୟ ବିନିଦ୍ର ଅବସ୍ଥାରେ ସେ କେବଳ ସେଇକଥା ଚିନ୍ତା କରିବାକୁ ଲାଗିଲେ ।

ରାତି ସେତେବେଳକୁ ବାରଟା । ହଠାତ୍‌ ଭବାନୀବାବୁଙ୍କର ଗୋଟାଏ କଥା ମନକୁ ଆସିଲା । ଯାହାକୁ କହନ୍ତି ବ୍ରେନ୍‌ ଓୟେଭ୍‌ । ମନେ ମନେ ସେ ଲଜ୍ଜିତ ହେଲେ । ଏଇ ସାମାନ୍ୟ କଥା ସେ ଚିନ୍ତା କରିପାରି ନାହାନ୍ତି । ଏବେ ବାସନ ରହସ୍ୟ ସେ ଭେଦ କରି ପାରିଛନ୍ତି । ଏଥିରେ କୌଣସି ସନ୍ଦେହ ନାହିଁ ।

ବିଛଣା ଛାଡ଼ି ସେ ଉଠି ପଡ଼ିବେ ଓ ଥାନାକୁ ଟେଲିଫୋନ୍‌ କରିବେ ବୋଲି ପାଖ କୋଠରୀକୁ ଦୌଡ଼ିଲେ କିନ୍ତୁ ସେ ରିସିଭର୍‍ ଉଠାଇବା ପୂର୍ବରୁ ଟେଲିଫୋନ୍‌ ବାଜି ଉଠିଲା । ଅନ୍ୟ କେହି ତାଙ୍କୁ ଟେଲିଫୋନ୍‌ କରୁଛି । ଭବାନୀବାବୁ ରିସିଭର୍‍ ଉଠାଇ କାନରେ ଲଗାଇଲେ । ଥାନାରୁ ଡିଉଟି ଅଫିସର କାଶୀନାଥବାବୁ ଟେଲିଫୋନ୍‌ କରୁଛନ୍ତି । –ସାର୍‌, ଆପଣ ଥରେ ଥାନାକୁ ଆସନ୍ତୁ-। ଏଠାରେ ଗୋଟିଏ ବିଚିତ୍ର ଘଟଣା ଘଟିଛି । କିଛିକ୍ଷଣ ପୂର୍ବେ ମାଲଖାନା ଭିତରୁ ଧୂଆଁ ବାହାରିଲା-। ବୋଧହୁଏ କୌଣସି ସିପାହୀ ବିଡ଼ି ଖାଇ ଭୁଲରେ ଲୁହା ରେଲିଂ ଫାଙ୍କରେ ମାଲଖାନା ଭିତରକୁ ପକାଇ ଦେଇଥିଲା । ତା’ପରେ ମୁଁ ମାଲଖାନାର ଜିନିଷ ସବୁ ବାହାରକୁ ବାହାର କରିଦେଇ ନିଆଁକୁ ଲିଭାଇ ଦେବାପାଇଁ ସିପାହୀମାନଙ୍କୁ ଆଦେଶ ଦେଲି । ସେମାନେ ସେହିପରି କଲେ କିନ୍ତୁ ଧୂଆଁ କ୍ରମେ ବେଶୀ ହେବାକୁ ଲାଗିଲା ଏବଂ ଜଣାଗଲା ଯେ ତାହା ସାଧାରଣ ଧୂଆଁ ନୁହେଁ–ବିଷାକ୍ତ ଧୂଆଁ-। ଦୁଇଜଣ ସିପାହୀ ଅଚେତା ହୋଇଗଲେ । ତା’ପରେ ହଠାତ୍‌ ବିଜୁଳି ଆଲୁଅ ଲିଭିଗଲା, ସାଙ୍ଗେ ସାଙ୍ଗେ କେତୋଟା ଟର୍ଚ୍ଚ ଜଳାଇ ଓ ନାକରେ ଓଦାକନା ଦେଇ ମୁଁ ଓ ଆଉ ଦୁଇଜଣ ଅଫିସର ଆଗେଇଯାଇ ଦେଖିଲୁ ଯେ ଜଣେ ଲୋକ ସେଇ ବାସନ ବାକ୍‌ସଟା ମୁଣ୍ଡରେ ଧରି ଅନ୍ଧାର ଭିତରେ ଦୌଡ଼ି ପଳାଉଛି । ସାମାନ୍ୟ କେଇଖଣ୍ଡ ଲୁହା ବାସନ ମୂଲ୍ୟବାନ ନୁହେଁ ସତ କିନ୍ତୁ ପୁଲିସ ଯେତେବେଳେ ତାହା ଜବତ କରିଛି ତାହା ଆମ ନିକଟରେ ଯଥେଷ୍ଟ ମୂଲ୍ୟବାନ ନୁହେଁ କି-?

–ନିଶ୍ଚୟ, ତାହା ଅତି ମୂଲ୍ୟବାନ । ପ୍ରକୃତରେ କହିବାକୁ ଗଲେ ତାହା ବହୁମୂଲ୍ୟ ସମ୍ପତ୍ତି କିନ୍ତୁ ସେ ବାକ୍‌ସଟିକୁ କ’ଣ ନେଇ ଚାଲିଗଲା ?

ଇଷତ୍ ଗର୍ବିତ କଣ୍ଠରେ କାଶୀନାଥ କହିଲା–ନା, ନା, ସାର୍‍ ! ମୋ ଆଖି ଆଗରୁ ଚୋରି କରି ଚୋର ପଳାଇଯିବ, ଆଉ ମୁଁ ଚାହିଁ ରହିଥିବି–ମୁଁ ସେପରି ପୁଲିସ କର୍ମଚାରୀ ନୁହେଁ । ମୋର ‘‘ଓୟେବଲ’’ରୁ ମୁଁ ତିନି ରାଉଣ୍ଡ ଗୁଳି ଚଳାଇଲି । ଗୋଟିଏ ଗୁଳି ତା’ ଗୋଡ଼ରେ ଲାଗିଲା–ଆଉ ସେଠାରେ ସେ ଓଲଟି ପଡ଼ିଲା । ଆପଣ ମଧ୍ୟ ତାକୁ ଚିହ୍ନିଥିବେ । ସେ ଏଇ ସହରରେ ଜଣେ ଚାରି ନମ୍ୱର ଦାଗୀ ଅସଗର୍‍ ଅଲ୍ଲି ।

–ମୁଁ ଏହିକ୍ଷଣି ଯାଉଛି କାଶୀନାଥ । ତୁମେ ସେଠାରେ ଅପେକ୍ଷା କର । ଆଉ ସେଇ ମୂଲ୍ୟହୀନ ଲୁହା ବାସନଗୁଡ଼ାକ ଅତି ଯତ୍ନରେ ରଖିଥାଅ ।

ଅଳ୍ପକ୍ଷଣ ପରେ ଭବାନୀବାବୁ ଯାଇ ଥାନାରେ ପହଞ୍ଚିଲେ । ସେତେବେଳକୁ ସିଟି ଇନିସ୍ପେକ୍ଟରେ ଗଡ଼ନାୟକ, ଏସ୍‌: ପି: ଓ ଆହୁରି ଅନେକ ପୁଲିସ କର୍ମଚାରୀ ଆସି ଯାଇଥିଲେ-। ବିଜୁଳି ଆଲୁଅ ପୁଣି ଜଳାଇ ଦିଆ ହୋଇଛି । ବିଷାକ୍ତ ଧୂଆଁ ମଧ୍ୟ ଆଉ ବେଶି ନାହିଁ-। ପୁଲିସ ବିଭାଗର ବିସ୍ଫୋରକ ଇନିସ୍ପେକ୍ଟର ମୁହଁରେ ‘‘ମାସ୍କ’’ ପିନ୍ଧି ମାଲଖାନା ଭିତରେ ପଶି ତଦନ୍ତ କରୁଛନ୍ତି । ଗୁଳି ମାଡ଼ରେ ଅସଗର୍‌ ଅଲ୍ଲିର ଜଖମ ସାଙ୍ଘାତିକ ହୋଇ ନାହିଁ, ଅଦୂରରେ ପୁଲିସ ଡାକ୍ତର ତା’ର କ୍ଷତି ସ୍ଥାନରେ ବ୍ୟାଣ୍ଡେଜ ବାନ୍ଧୁଛନ୍ତି ।

ଭବାନୀବାବୁଙ୍କୁ ଦେଖି ଏସ୍‌: ପି: କହିଲେ–ପୁଲିସ ମାଲଖାନାରୁ ସାମାନ୍ୟ କେଇଖଣ୍ଡ ଲୁହା ବାସନ ଚୋରି କରିବା ପାଇଁ ଏତେ ଆୟୋଜନର ଅର୍ଥ କ’ଣ ଭବାନୀବାବୁ ?

–ତାହା ମୂଳ୍ୟହୀନ ଲୁହା ବାସନ ମାତ୍ର ନୁହେଁ ସାର୍‌, ବର୍ତ୍ତମାନ ମୁଁ ଦେଖାଇବି ସେ କି ଜିନିଷ ଓ କେତେଦୂର ମୂଲ୍ୟବାନ । ଏହାକହି ଭବାନୀବାବୁ ନିଜ ଜୀପ୍‌ ଭିତରୁ ଗୋଟାଏ ବଡ଼ ହାତୁଡ଼ି ଆଣିଲେ ଓ ସମସ୍ତଙ୍କ ସାମନାରେ ଗୋଟାଏ ବଡ଼ ଥାଳୀ ଉପରେ ପିଟିବାକୁ ଲାଗିଲେ ।

ଭବାନୀବାବୁଙ୍କର ଏ ବିଚିତ୍ର କାଣ୍ଡ ଦେଖି କିଛିକ୍ଷଣ ପର୍ଯ୍ୟନ୍ତ ଏସ୍‌: ପି. କିଛି ବୁଝିପାରିଲେ ନାହିଁ । କିଛିକ୍ଷଣ ଥାଳୀଟା ବଙ୍କା ହୋଇଗଲା ଓ ତା’ ଉପରୁ କଲେଇ ଛାଡ଼ିଗଲା । ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଦେଖିଲେ ଯେ ତା’ ଭିତରଟା ସୁନାପରି ଚକ୍‌ ଚକ୍‌ କରୁଛି, ଏବେ ସବୁ ରହସ୍ୟ ପରିଷ୍କାର ହୋଇଗଲା । ପ୍ରାୟ ତିନିଲକ୍ଷ ଟଙ୍କା ମୂଲ୍ୟର ଚୋରା ସୁନାକୁ ବାସନରେ ପରିଣତ କରି ତା’ ଉପରେ ଷ୍ଟେନଲେସ୍‌ ଷ୍ଟିଲ୍‍ ପରି ପୁଟି ଦିଆହୋଇଛି ମାତ୍ର, ଚୋରା ସୁନା ନିର୍ଭୟରେ କାରବାର କରିବା ପାଇଁ ଏହା ଏକ ଅଭିନବ ଉପାୟ ।

କିଛିକ୍ଷଣ ପରେ ଗୋଟାଏ ଅର୍ଦ୍ଧ ଦଗ୍ଧ ସାନ କାଠ ବାକ୍‌ସ ହାତରେ ଧରି ଏକ୍‌ସପ୍ଲୋସିଭ ଇନିସ୍ପେକ୍ଟର ମି:ସାନ୍ୟାଲ୍‌ ସେଠାକୁ ଆସିଲେ । ଏସ୍‌: ପି:ଙ୍କ ସାମନାରେ ବାକ୍‌ସଟି ରଖି କହିଲେ–ଏହା ଗୋଟିଏ ସ୍ମୋକ୍‍ ବମ୍ବ । ଚିନ୍‌ର ସାଂଘାଇରେ ତିଆରି ହୋଇଛି । ଠିକ୍‌ ସମୟରେ ବୋମାପରି ଏହାକୁ ବ୍ୟବହାର କରାଯାଇପାରେ । ଏହାର ଧୂଆଁ ଖୁବ୍‌ ବେଶୀ ବିଷାକ୍ତ ନୁହେଁ । ଆମେ ଯେଉଁ ଲୁହବୁହା ଗ୍ୟାସ ଦେଖୁ, ତା’ଠାରୁ ଏହା ସାମାନ୍ୟ କିଛି ଅଧିକ ବିଷାକ୍ତ । ପୂର୍ବ ବନ୍ଦୋବସ୍ତ ମତେ ଆଜି ରାତି ଏଗାରଟାବେଳେ ଏହା ଫୁଟିଛି ।

ସବୁ ଶୁଣି ଇନିସ୍ପେକ୍ଟର ଗଡ଼ନାୟକ ଭବାନୀବାବୁଙ୍କୁ ଚାହିଁଲେ କିନ୍ତୁ ଭବାନୀବାବୁଙ୍କ ମୁହଁରେ ବିନ୍ଦୁମାତ୍ର ମାନସିକ ବିଚଳତାର ଲକ୍ଷଣ ନାହିଁ, ଯେପରି ଏହାହିଁ ସେ ଆଶା କରିଥିଲେ । ଏ କଥା ନ ହୋଇଥିଲେ ବରଂ ସେ ଆଶ୍ଚର୍ଯ୍ୟ ହୁଅନ୍ତେ ।

ବହୁ ଚେଷ୍ଟାକରି ମଧ୍ୟ ପୁରୁଣା ଦାଗୀ ଅସଗର୍‌ ଅଲ୍ଲି ମୁହଁରୁ ପୁଲିସ କୌଣସି ମୂଲ୍ୟବାନ ସମ୍ୱାଦ ସଂଗ୍ରହ କରିପାରିଲେ ନାହିଁ । –ମୁଁ ଆଖିଛୁଇଁ କହୁଛି ବଡ଼ବାବୁ ସାରୁ ଭିତରେ ଏତେ ମାରୁ ଅଛିବୋଲି ମୁଁ ମୋଟେ ଜାଣି ନ ଥିଲି । ଏଇ ଭଙ୍ଗା ବାକ୍‌ସ ଭିତରେ ଏତେ ସୁନା ଭର୍ତ୍ତି ହୋଇଛି ବୋଲି ମୋତେ କେହିହେଲେ କହି ନାହିଁ । କାଲି ଖରାବେଳେ ମୁଁ ତୁଳସୀପୁରର ଦାମ ସାହୁ ଖଟିରୁ ଟିକିଏ ମାଲପାଣି ଖାଇ ଘରକୁ ଫେରୁଥିଲି । ବାଟରେ ଗୋଟାଏ ବାବୁ ମୋ ପାଖକୁ ଆସି ମୋତେ କଅଁଳେଇ କରି କହିଲା–ଓସ୍ତାଦ, ଗୋଟାଏ କାମ ହାତକୁ ନେବ ?

ଲୋକଟାକୁ ମୁଁ ଭଲକରି ଦେଖିନେଲି, ଜାଣିପାରିଲି ଯେ ସାହେବୀ ପୋଷାକ ପିନ୍ଧିଥିଲେ ବି ଲୋକଟା ପୁରୁଣା ଚିଡ଼ିଆ । ନାକ ତଳେ ହଳେ ନିଶ ଆଉ ଆଖିରେ କଳା ଚଷମା ଥିଲା । ମୁଁ କହିଲି–ଆଛା ଦୋସ୍ତ, ସେ ନିଶ ହଳକ ଆଉ ଚଷମାଟି ବାହାର କର । ତମେ କେମିତି ଚିହ୍ନା ଚିହ୍ନା ଜଣାଯାଉଛ । ଲୋକଟା ଟିକିଏ ହସି ଜାମା ପାକିଟିରୁ କାଢ଼ି ପାଞ୍ଚଖଣ୍ଡ ଲମ୍ୱରୀ ନୋଟ ମୋ ହାତକୁ ଗୁଞ୍ଜିଦେଲା–କହିଲା, କାମ ବଢ଼ିଗଲେ ଆହୁରି ପାଞ୍ଚଶ ଦେବ।

ଏତେ ଟଙ୍କାର କାରବାର ଦେଖି ମୁଁ ଭାବିଲି ଯେ ବୋଧହୁଏ ଗୋଟାଏ ଜବର ଖୁନୀଖରାପି କାମ । ମୁଁ କହିଲି–ନାଇଁ ଦୋସ୍ତ, ସେ ସବୁ ଖୁନଖରାପି ମୋ ଲାଇନ ନୁହେଁ । ମୁଁ ପାରିବି ନାଇଁ । ସେଇଠୁ ଲୋକଟା ପାକିଟିରୁ କାଢ଼ି ଖଣ୍ଡେ ସିଗ୍ରେଟ ମୋ ହାତକୁ ଦେଇ କଅଁଳେଇ କରି କହିଲା–ନାଇଁ ଓସ୍ତାଦ୍‌ ସେପରି କିଛି କାମ ନୁହେଁ । ଆଜି ରାତି ଏଗାରଟାବେଳେ ତମେ ବଡ଼ଥାନାର ପଶ୍ଚିମ ପଟକୁ ଠିଆ ହୋଇଥିବ, ଜଣେ ଲୋକ ତମକୁ ଗୋଟାଏ ବଡ଼ ବାକ୍‌ସ ଆଣିଦେବ–ତମେ ସେଇ ବାକ୍‌ସଟା ଧରି ସିଧା ସିଧା ଚାଲିଯିବ, ତା’ପରେ ମୁଁ ସେ ବାକ୍‌ସ ସେଠାରୁ ନେଇଯିବ ।

ତା’ପରେ ହଠାତ୍‌ ମୁହଁଟା ବିକୃତ କରି ନିଜ ଗୋଡ଼ରେ ବ୍ୟାଣ୍ଡେଜ ହୋଇଥିବା କ୍ଷତସ୍ଥାନ ଉପରେ ହାତରଖି କହିଲା–କାଶୀବାବୁ ଯେମିତି ମୋ ପଛଆଡ଼ୁ ଢାଏ ଢାଏ କରି ଗୁଳି ଫୁଟେଇଲେ ସେଥିରୁ ଗୋଟାଏ ମୋ ଅଣ୍ଟା କି ପିଚାରେ ବସିଥିଲେ କ’ଣ ହୋଇଥାନ୍ତା କହିଲ ଭଲା ହଜୁର ।

 

ଇନିସ୍ପେକ୍ଟର ଗଡ଼ନାୟକ ପଚାରିଲେ–କିଏ ଆଣି ତମ ହାତରେ ବାକ୍‌ସଟା ଦେଲା, ତାକୁ ଦେଖିଲେ ଚିହ୍ନି ପାରିବ ନାହିଁ ?

 

–ଥରେ ତା’ ଉପରେ ନିଘା ପଡ଼ିଥିଲେ ମୁଁ ତାକୁ ଆଉ ଭୁଲିଯାଆନ୍ତି ନା ! ଭିତରୁ କିଏ ଲଙ୍କାମରିଚ ଧୂଆଁଗୁଡ଼ାକ ଛାଡ଼ିଲା, ବିଜୁଳି ଆଲୁଅ ବି ଲିଭିଗଲା–ମୁଁ ତ ଠିଆହୋଇ ଆଖି ରଗଡ଼ି ହେଉଛି, ଏତିକିବେଳେ କିଏ ଜଣେ ଆସି ମୋ ହାତରେ ବାକ୍‌ସଟା ଧରାଇ ଦେଲା ।

 

ଅତଏବ ଅସଗର୍‌ ଅଲ୍ଲିଠାରୁ କୌଣସି ସମ୍ୱାଦ ମିଳିଲା ନାହିଁ । ଅସଗର୍‌ ପକେଟରେ ସେଇ ଅଜ୍ଞାତ ବ୍ୟକ୍ତିଟି ଦେଇଥିବା ପାଞ୍ଚଖଣ୍ଡି ଶହେ ଟଙ୍କିଆ ନୋଟ ସେ ପର୍ଯ୍ୟନ୍ତ ଥିଲା, ଭବାନୀବାବୁ ନୋଟଗୁଡ଼ିକ ପରୀକ୍ଷା କରି ଜାଣିପାରିଲେ ଯେ ସବୁଗୁଡ଼ିକ ଜାଲ୍‍ ନୋଟ ।

 

ଉଚ୍ଚ ପୁଲିସ କର୍ତ୍ତାମାନେ ଏବେ ଜାଣିପାରିଲେଣି ଯେ ବିରାଟ ଗୋଟାଏ ଅନ୍ତର୍ଘାତୀ ଦଳ ସହିତ ସେମାନଙ୍କୁ ଯୁଦ୍ଧ କରିବାକୁ ପଡ଼ିବ । ଏ ଆହ୍ୱାନ ଦେଶର ଶାନ୍ତି ରକ୍ଷକମାନେ ଗ୍ରହଣ କଲେ । ଅତି ଗୋପନରେ ପୁଲିସ ବିଭାଗରେ ବିପୁଳ ପ୍ରସ୍ତୁତି ଚାଲିଲା । ପୁଲିସର ବହୁ ବିଶ୍ୱାସୀ ଓ ଧୁରନ୍ଧର ଗୁପ୍ତଚରମାନେ ଦିନ ରାତି କାମ କରିବାକୁ ଲାଗିଲେ ।

 

ସେଦିନ ଅପରାହ୍ନରେ ଭବାନୀବାବୁ ନିଜ ଘରେ ଏକା ବସି ଚିନ୍ତା କରୁଥିଲେ । କାହିଁକି କେଜାଣି, ହଠାତ୍‌ ତାଙ୍କର କ୍ୟାପଟେନ୍‌ ପଟ୍ଟନାୟକଙ୍କ ମନେପଡ଼ିଗଲା । ଏଇ କେତେଦିନର କର୍ମର ତାଡ଼ନାରେ ସେ କ୍ୟାପଟେନ୍‍ଙ୍କ କଥା ଭାବିବାର ଅବସର ପାଇ ନାହାନ୍ତି । କ୍ୟାପଟେନ୍‍ ତାଙ୍କର ନିଜ ଭଡ଼ା ଘରକୁ ଚାଲିଯିବା ପରଠାରୁ ଭବାନୀବାବୁ ଥରେ ହେଲେ ସେଠାକୁ ଯାଇ ନାହାନ୍ତି । ସେଦିନ ଟିକିଏ ଅବସର ପାଇ ଭବାନୀବାବୁ କ୍ୟାପଟେନ୍‌ ପଟ୍ଟନାୟକଙ୍କ ଘରକୁ ବାହାରିଲେ ।

 

ଭବାନୀବାବୁଙ୍କୁ ଦେଖି କଳରବ କରି କ୍ୟାପଟେନ୍‌ ପାଛୋଟି ନେଲେ । ସାନ ଘରଟିରେ କେଇଖଣ୍ଡି ମାତ୍ର ଆସବାବ । ଖଟ ଉପରେ ପରିଚ୍ଛନ୍ନ ବିଛଣା ପଡ଼ିଛି । ବଡ଼ ଗୋଟିଏ ଲେଖା ଟେବୁଲ, ଗଦାଏ ବହି ଖାତା । ଗୋଟିଏ ନୂଆ ପୋଟେବ୍ଲ ଟାଇପରାଇଟର, ଗୋଟିଏ ମୂଲ୍ୟବାନ ରେଡ଼ିଓ ଓ ଘର କୋଣରେ କେତୋଟା ବନ୍ଧୁକ । ଏହାହିଁ କ୍ୟାପଟେନ୍‍ଙ୍କର ସମ୍ପତ୍ତି ।

 

ହସ ହସ ମୁହଁରେ ଆସନ ଗ୍ରହଣ କରି ଭବାନୀବାବୁ କହିଲେ–ତୁମର ‘‘ଭ୍ରମଣ କାହାଣୀ’’ କେତେଦୂର ଲେଖାହେଲା କ୍ୟାପଟେନ୍‍ ।

 

–ଧୀରେ ଧୀରେ ଆଗଉଛି ଭାଇ । ତମେ ଆସିଛ, ଶୀଘ୍ର ଛାଡ଼ିଦେବି ନାହିଁ । ତୁମକୁ ମୋର ଲେଖା ଶୁଣିବାକୁ ହେବ । ମୁଁ ଏହାକୁ କେବଳ ରସହୀନ ଭ୍ରମଣ କାହାଣୀ ମାତ୍ର ନ କରି ଗଳ୍ପପରି ଲେଖୁଛି । ପ୍ରଥମ ପରିଚ୍ଛେଦରେ ମୁଁ ହିମାଳୟର ପାଦଦେଶର ତରାଇ ଜଙ୍ଗଲ ବିଷୟରେ ଲେଖିଛି । ସେଠାରେ ମୁଁ ବହୁତ ଦିନ କଟାଇଛି । ପରିଚ୍ଛେଦଟିର ନାମ ଦେଇଛି ‘‘ମୁମୂର୍ଷୁ ତରାଇ । ’’ ନାମଟି ବେଶ୍‌ ସୁନ୍ଦର ହୋଇନାହିଁ ?

 

ସାମାନ୍ୟ ହସି ଭବାନୀବାବୁ କହିଲେ– ମୁମୂର୍ଷୁ ତରାଇ ! ତରାଇ କ’ଣ ମରିବାକୁ ଯାଉଛି !!

 

–ଏକ୍‌ଜାକ୍‌ଟଲି ବନ୍ଧୁ ! ତରାଇ ଅରଣ୍ୟର ବର୍ତ୍ତମାନ ଅନ୍ତିମ କାଳ । ସାହାରାନ୍‌ପୁରର ଯମୁନା ନଦୀଠାରୁ ଆରମ୍ଭ କରି ଉତ୍ତର ପୂର୍ବର ଗଣ୍ଡକ ନଦୀ ପର୍ଯ୍ୟନ୍ତ ଦୀର୍ଘ ଅଶି ମାଇଲରେ ଦିନେ ବହୁ ବନ୍ୟଜନ୍ତୁ–ଏପରିକି ପ୍ରାଗ୍‌ ଐତିହାସିକ ଯୁଗର ଅତିକାୟ ରାକ୍ଷସମାନେ ବାସ କରୁଥିଲେ । ଗତ ଏକ ଶତାବ୍ଦୀ ଭିତରେ ସେ ସବୁ ବନ୍ୟଜନ୍ତୁ ପ୍ରାୟ ଶେଷ ହୋଇଗଲେଣି । ସେ ଘନ ବନାନୀ ମଧ୍ୟ ଆଉ ନାହିଁ । ବହୁ ଫଟଗ୍ରାଫ୍‌ ମଧ୍ୟ ମୁଁ ଉଠାଇ ଆଣିଛି ।

 

କ୍ୟାପଟେନ୍‍ ବହୁତ ଲେଖା ପଢ଼ି ଶୁଣାଇଲେ, ବହୁ ଆଲୋକ ଚିତ୍ର ଦେଖାଇଲେ । ଧୀରେ ଧୀରେ ବେଳ ବୁଡ଼ିଗଲା, କ୍ୟାପଟେନ୍‍ଙ୍କର ‘‘କମ୍ୱାଇଣ୍ଡ୍‌ ହ୍ୟାଣ୍ଡ’’ କମଳା ହଠାତ୍‌ ଘର ଭିତରେ ପ୍ରବେଶ କରି ଭବାନୀବାବୁଙ୍କୁ ଦେଖି ଲାଜେଇଗଲା । ଲୁଗା କାନିଖଣ୍ଡେ ଦେହରେ ଯେତେଦୂର ସମ୍ଭବ ଲଜ୍ଜା ନିବାରଣ କରି ପଚାରିଲା–ଖାଲି ଚାହା ନା ଆଉ କ’ଣ ଜଳଖିଆା ଆଣିବି-?

 

ମୁଣ୍ଡରେ ବଡ଼ ବଡ଼ ତୈଳାକ୍ତ କେଶ ଓ କପାଳରେ ଗୋଟିଏ ସିନ୍ଦୂର ଟିପ ଲଗାଇ କମଳାକାନ୍ତକୁ ଅତିଶୟ ହାସ୍ୟାସ୍ପଦ ଦେଖାଯାଉଛି । ସାମାନ୍ୟ ହସି ଭବାନୀବାବୁ କହିଲେ–ଖାଲି ଚାହା ଆଣ କମଳାକାନ୍ତ । ଆଉଦିନେ ତୁମ ହାତର ରାନ୍ଧଣା ଖାଇବି ।

 

ସଞ୍ଜପରେ ନିଜ ଘରକୁ ଫେରିଆସି ଭବାନୀବାବୁ ଦେଖିଲେ ସେ ଇନ୍‍ସପେକ୍ଟର ଗଡ଼ନାୟକ ଓ ସବ୍‌ନିସ୍ପେକ୍ଟର ଇଉସୁଫ୍‌ ତାଙ୍କର ଅଫିସ କକ୍ଷରେ ବସି ପରମ ନିଶ୍ଚିନ୍ତରେ ଧୂମାୟମାନ ଚା’ ସେବନ କରୁଛନ୍ତି । ସେମାନଙ୍କ ଛଡ଼ା ଗୋଟିଏ ଗୁଣ୍ଡାଶ୍ରେଣୀର ପୁରୁଷ ଓ ଗୋଟିଏ ସ୍ତ୍ରୀଲୋକ ଗୋଟିଏ ଶିଶୁକୁ କୋଳରେ ଧରି ଘର ଚଟାଣ ଉପରେ ବସିଛନ୍ତି । ଭବାନୀବାବୁଙ୍କୁ ଦେଖି ଇନ୍‍ସପେକ୍ଟର ଗଡ଼ନାୟକ କହିଲେ–ବର୍ତ୍ତମାନ ସମୟରେ ଯେତେ ଛୋଟ ହେଲେ ମଧ୍ୟ କୌଣସି ସମ୍ୱାଦକୁ ଆଡ଼େଇ ଦେବା ଉଚିତ ନୁହେଁ । ସେଥିପାଇଁ ଏ ଘନିଆକୁ ଆଉ ସ୍ତ୍ରୀ ଲୋକଟିକୁ ଆପଣଙ୍କ ନିକଟକୁ ନେଇ ଆସିଛି । ପ୍ରକୃତରେ ଘନିଆ ଦୁଇଟି କଥା ଜଣାଉଛି । ଅବଶ୍ୟ ବାହ୍ୟତଃ ଦୁଇଟିଯାକ କଥା ହୁଏତ ଅର୍ଥହୀନ, ତଥାପି ମୁଁ ଭାବିଲି ଯେ ଆପଣ ଥରେ ଘନିଆ ମୁହଁରୁ ସେ କଥା ଶୁଣିବା ଉଚିତ । –ଘନ ‘‘ଯାହା ମୋତେ କହୁଥିଲୁ’’ ଭବାନୀବାବୁଙ୍କୁ ସେକଥା କହ ।

 

ଘନିଆ ଉଠି ଦୁଇଟି ହାତକୁ ଯୋଡ଼ି ଠିଆହେଲା । ଘୋର କୃଷ୍ଣବର୍ଣ୍ଣର ଗୁଣ୍ଡାପରି ଚେହେରାର ଗୋଟିଏ ଲୋକ । ଆଖି ଦୁଇଟି ସାନ ସାନ ଓ ରକ୍ତବର୍ଣ୍ଣ । ପାନ ରସରେ ଦନ୍ତପଂକ୍ତି କଳା, ଦୁଇଟି ହାତକୁ ଯୋଡ଼ି ଘନିଆ କହିଲା–ମୋ ନାଁ ଶ୍ରୀ ଘନଶ୍ୟାମ ଘଡ଼େଇ, ମୁଁ ଜଣେ ହଜୁରଙ୍କ ଡିପାର୍ଟର ଲୋକ ।

 

–ଆମ ଡିପାର୍ଟର !! ଭବାନୀବାବୁ ଆଶ୍ଚର୍ଯ୍ୟ ହୋଇ ତାକୁ ଚାହିଁ ରହିଲେ ।

 

ଇନ୍‍ସପେକ୍ଟର ଗଡ଼ନାୟକ ଉଚ୍ଚ ଶବ୍ଦରେ ହସିଉଠି କହିଲେ–ଘନଶ୍ୟାମ ଚୋରି କରି କେତେଥର କାରାବରଣ କରିଛି । ସେ ଜଣେ ଦାଗୀ, ସେ ତାହାହିଁ କରିବାକୁ ଚାହୁଁଛି ।

 

–ହଁ ହଜୁର, ସେଇ କଥା । ମୁଁ କହିଲି ଯେ କଥାଟା ଆମ ଅଫିସରଙ୍କ କାନରେ ପକାଇଦେବା ଉଚିତ । ଏ ତିର୍ଲାକୁ କହିଲି–ଚାଲ ପୁନି ! ସହରକୁ ଯାଇ ବଡ଼ ବାବୁଙ୍କୁ କଥାଟା କହିବା ।

 

–କିନ୍ତୁ କଥା କ’ଣ ? ଭବାନୀବାବୁ ପଚାରିଲେ ।

 

–କଥାଟା କ’ଣ କି ହଜୁର, ଚଷାପଡ଼ା ଗାଁରେ ଯେଉଁ ପାଗଳା ଗାରଦ ଅଛି ସେଠି ଆମ ଗାଁର ରଘୁ ନାୟକ ଆଉ ଚୁଇଁ ଘଡ଼େଇ ଆଜିକୁ ଦି’ବର୍ଷ ହେବ ସୁଇପର କାମ କରୁଥିଲେ । ଚୁଇଁ ହଉଛି ଏଇ ପୁନିର ଗେରସ୍ତ । ସେମାନେ ରାତିରେ ସେଇ ପାଗଳା ଗାରଦ ଭିତରେ ରହନ୍ତି । କେବେ କେବେ ରାତିରେ ଘରକୁ ବି ଯାଆନ୍ତି । ହେଲେ–ଦି’ ଜଣଯାକ ଦି’ ଦିନ ଫରକରେ ରାତିରେ ଘରକୁ ଆସୁ ଆସୁ ବାଟରେ ସର୍ପ କାଟିରେ ମଲେ ।

 

ଘନଶ୍ୟାମ ନୀରବ ହେବାରୁ ଭବାନୀବାବୁ କହିଲେ–ଏଥିରେ ଆଉ ନୂଆ କଥା କ’ଣ ରହିଲା । ସର୍ପକାଟିରେ କ’ଣ ଲୋକ ମରନ୍ତି ନାହିଁ ?

 

ଉତ୍ତେଜିତ ହୋଇ ଘନଶ୍ୟାମ କହିଲା–ମରିବେ ନାହିଁ କାହିଁକି ? ମୁଁ କ’ଣ ସେ କଥା ତାଙ୍କୁ ମନାକଲି ? ହେଲେ ହଜୁର ସାପ ସେଠାରେ କୁଆଡ଼ୁ ଆସିବ ! ସେଇଟା ତ ଦିନ ରାତି ମୋର ଚରାଭୂଇଁ । ମୁଁ ତ ଦିନେ ହେଲେ ଧଣ୍ଡ ଛୁଆଟିଏ ବି ସେଠି ଦେଖି ନାହିଁ ।

 

ଭବାନୀବାବୁ ନୀରବରେ କିଛିକ୍ଷଣ କ’ଣ ଚିନ୍ତାକଲେ । ତା’ପରେ କହିଲେ–ତା’ହେଲେ ତମେ କ’ଣ ଭାବୁଛ ?

 

–ଏଇ ଦେଖନ୍ତୁ ହଜୁର ପୁଣି କଥା ବାଁରେଇ ଦେଉଛନ୍ତି । ମୁଁ ଯଦି ଏ କଥା ଭାବିପାରନ୍ତି ତେବେ ହଜୁରଙ୍କ ମୁଣ୍ଡ ଭିତରେ କଥାଟା ପୂରାଇ ଦେବାକୁ ଆସନ୍ତି କାହିଁକି ।

 

–ଆଚ୍ଛା, ମୁଁ ଏ କଥା ଚିନ୍ତାକରି ଦେଖିବି । ତୁମର ଦ୍ୱିତୀୟ କଥା କ’ଣ ?

 

–ହଜୁର, ସେଇଟା ଗୋଟାଏ ଭୂତ । ସେଇ ପାଗଳା ଗାରଦ କୋଠାକୁ ଲାଗି କବରଖାନା ଅଛି କି ନା ! ରାତିରେ ସେ ସବୁ ଗାତ ଭିତରୁ ବାହାରନ୍ତି ।

 

–କିନ୍ତୁ କଥା କ’ଣ ? ଭବାନୀବାବୁ ବିରକ୍ତ ହୋଇ ପଚାରିଲେ ।

 

–ଗଲା ରାତିରେ ଯେତେବେଳେ କାରଖାନା ଘଣ୍ଟାରେ ବାରଟା ବାଜିଲା, ସେତିକିବେଳ କଥା । ମୁଁ ଘରକୁ ଏକା ଫେରୁଥିଲି । ସୁ ସୁ ହୋଇ ଉଡ଼ାଜାହାଜ ପରି କ’ଣ ଗୋଟିଏ ମୋ ମୁଣ୍ଡ ଉପରେ ଉଡ଼ିଗଲା । ମୁଁ ଉପରକୁ ଚାହିଁଦିଏ ତ କ’ଣ ଗୋଟିଏ ଶୂନ୍ୟରୁ ତଳକୁ ମାଡ଼ି ଆସୁଛି । ମୋର ଦି’ ହାତରେ ଦି’ଟା ଗଣ୍ଠିଲି ଥିଲା ।

 

ଏ କଥାପଦକ କହିପକାଇ ଘନଶ୍ୟାମ ଜିଭ କାମୁଡ଼ି ପକାଇଲା । ଭବାନୀବାବୁ ସାମାନ୍ୟ ହସି କହିଲେ–ଆଚ୍ଛା ହେଉ, ତା’ପରେ କ’ଣ ହେଲା କୁହ ।

 

ଗୁପ୍ତ କଥାଟା ବାଉଳାରେ ମୁହଁରୁ ବାହାରି ଯାଇଥିବାରୁ ଘନଶ୍ୟାମ ଲଜ୍ଜିତ ଓ ଅନୁତପ୍ତ ହେଲା । ତା’ପରେ କହିଲା–ମୋ ଆଖି ଆଗରେ ବଡ଼ ଗୋଟାଏ ଛତା ଧରି ଗୋଟାଏ କଳାଭୂତ ତଳକୁ, ଓହ୍ଲେଇ ପଡ଼ିଲା । ଏଡ଼େ ଏଡ଼େ ଢବା ଢବା ଆଖି ଦି’ଟା ତା’ର ଧକ୍‌ ଧକ୍‌ ଜଳୁଛି । ମୁଁ ଜାଣିପାରିଲି ଯେ ଇଏ ସେଇଆ ଛଡ଼ା ଆଉ କିଛ ନୁହନ୍ତି । ଆଖିବୁଜି ମୁଁ ଘରକୁ ଦଉଡ଼ିଲି ।

 

କିଛିକ୍ଷଣ ମନେ ମନେ ଚିନ୍ତାକରି ଭବାନୀବାବୁ କହିଲେ–ଆଉ କିଛି ?

 

–ନାଇଁ ହଜୁର ଏତିକି ।

 

ତା’ପରେ ସାମାନ୍ୟ ହସି ଭବାନୀବାବୁ କହିଲେ–ପୁନି ସାଙ୍ଗେ ତୁମର କେବେ ବାହାଘର ହେଉଛି ?

 

ଏପରି ଗୋଟାଏ ଗୁପ୍ତକଥା ଭବାନୀବାବୁ କିପରି ଜାଣିପାରିଲେ ଘନଶ୍ୟାମ କିଛି ବୁଝିପାରିଲା ନାହିଁ । ତା’ପରେ ହଠାତ୍‌ ଭବାନୀବାବୁଙ୍କ ଗୋଡ଼ତଳେ ଲମ୍ୱହୋଇ ପଡ଼ିଯାଇ ଗଦ୍‌ଗଦ୍‌ କଣ୍ଠରେ କହିଲା–ହଜୁର ଆପଣ ସାକ୍ଷାତ୍‌ ପୀର । ପଡ଼ି ଯା ବେ ପୁନି । ହଜୁରଙ୍କ ଗୋଡ଼ଧୂଳି ନେଇ ମୁଣ୍ଡରେ ଛୁଆଁ ।

 

ଘନଶ୍ୟାମର କାଣ୍ଡ ଦେଖି ଭବାନୀବାବୁ, ଇନ୍‍ସପେକ୍ଟର ଗଡ଼ନାୟକ ଓ ଇଉସୁଫ୍‌ ଉଚ୍ଚ ଶବ୍ଦରେ ହସି ଉଠିଲେ । ତା’ପରେ ସେମାନେ ସମସ୍ତେ ସେଠାରୁ ବିଦାୟ ନେଲେ ।

 

ତା’ପରେ କିଛିକ୍ଷଣ ପର୍ଯ୍ୟନ୍ତ ନୀରବରେ ବସିରହି କ’ଣ ଚିନ୍ତା କରିବାକୁ ଲାଗିଲେ । କିଛିକ୍ଷଣ ପରେ ଟେଲିଫୋନ୍‍ଟା ହଠାତ ବାଜି ଉଠିଲା । ଭବାନୀବାବୁ ରିସିଭର୍‍ କାନରେ ଲଗାଇ ବହୁକ୍ଷଣ ପର୍ଯ୍ୟନ୍ତ କ’ଣ କଥାବାର୍ତ୍ତା କଲେ, ଧୀରେ ଧୀରେ ତାଙ୍କର ମୁଖମଣ୍ଡଳ ଗମ୍ଭୀର ହୋଇ ଉଠିଲା । କିଛିକ୍ଷଣ ପରେ ରିସିଭର୍‌ ରଖିଦେଇ ସାମାନ୍ୟ ହସି କହିଲେ–ଅନ୍ତର୍ଘାତୀ ମାନଙ୍କର ଟ୍ରମ୍ପ୍‌କାର୍ଡ଼ ।

 

–କ’ଣ ହୋଇଛି ଭବାନୀବାବୁ ? ଇନ୍‍ସପେକ୍ଟର ଗଡ଼ନାୟକ ପଚାରିଲେ ।

 

ସାମ୍ପ୍ରଦାୟିକ ଦଙ୍ଗା ଆରମ୍ଭ ହୋଇ ଯାଇଛି । ମିର୍‌ ହିଦାୟତ୍‌ ଅଲ୍ଲି ଖାଁ ନାମକ କାବୁଲର ଜଣେ ମହାଜ୍ଞାନୀ ବ୍ୟକ୍ତି ‘‘ବିରାଦର୍‍-ଇ-ହିନ୍ଦ୍‌’’ ଲିଚ୍‌ ପକ୍ଷରୁ ତାଙ୍କର କେତେକ ଅନୁଚରଙ୍କୁ ସଙ୍ଗରେ ନେଇ ଭାରତରେ ରାଷ୍ଟ୍ର ଅତିଥି ଭାବରେ ଗସ୍ତ କରୁଥିଲେ । ଆଜି ସଞ୍ଜବେଳେ ସେ ଦରଘା ବଜାରର ବଡ଼ ମସ୍‌ଜିଦର ପ୍ରାଙ୍ଗରେ ହିନ୍ଦୁ ମୁସଲମାନ ମୈତ୍ରୀ ବିଷୟରେ ବତ୍କୃତା ଦେଉଥିଲେ । ସହରର ବହୁ ବିଶିଷ୍ଟ ମୁସଲମାନ, ସେ ସଭାରେ ଉପସ୍ଥିତ ଥିଲେ । ହଠାତ୍‌ ତିନି ରାଉଣ୍ଡ ଗୁଳି ଫଏର ହେଲା । ବୃଦ୍ଧ ହିଦାୟତ୍‌ ଅଲ୍ଲି ଖାଁ ସେହିଠାରେ ଟଳି ପଡ଼ିଲେ ଓ ଆହୁରି ଦୁଇଜଣ ବିଶିଷ୍ଟବ୍ୟକ୍ତି ସାଂଘାତିକ ଭାବରେ ଜଖମ ହୋଇ ପଡ଼ିଗଲେ । ଏହି ଘଟଣାକୁ କେନ୍ଦ୍ରକରି ସହରରେ ସାମ୍ପ୍ରଦାୟିକ ଦଙ୍ଗା ଆରମ୍ଭ ହୋଇଗଲାଣି ।

 

କିଛିକ୍ଷଣ ପର୍ଯ୍ୟନ୍ତ କ’ଣ ଚିନ୍ତାକରି ଭବାନୀବାବୁ କହିଲେ–ସଭାମଣ୍ଡପରେ ଗୁଳିକାଣ୍ଡ ପରେ ପରେ ଅନ୍ଧାର ଭିତରୁ ଅଜସ୍ର ଢେଲା ପଡ଼ିଲା । ସେଥିରେ ମଧ୍ୟ ବହୁ ବ୍ୟକ୍ତି ଆହତ ହେଲେ । ଏହା ଯେ ଭଡ଼ାଟିଆ ଗୁଣ୍ଡାମାନଙ୍କ ଦ୍ୱାରା ହୋଇଛି ଓ ଗୋଟିଏ ‘‘ମାଷ୍ଟର ମାଇଣ୍ଡ’’ଦ୍ୱାରା ସମ୍ପୂର୍ଣ୍ଣ ପୂର୍ବ ପରିକଳ୍ପିତ ଏଥିରେ ମୋର ତିଳେମାତ୍ର ସନ୍ଦେହ ନାହିଁ । ଦେଶର ବିଭିନ୍ନ ବଡ଼ ବଡ଼ ସହରରେ ପାକିସ୍ଥାନୀ ଓ ଚୀନ ଗୁପ୍ତଚରମାନେ ଏହିପରି ଭାବରେ ସାମ୍ପ୍ରଦାୟିକ ଦଙ୍ଗା ସୃଷ୍ଟି କରୁଛନ୍ତି । ଆଉ ଅତି ସାମାନ୍ୟ ଘଟଣାକୁ ଅତିରଞ୍ଜିତ କରି ରେଡ଼ିଓ ମାଧ୍ୟମରେ ସାରା ପୃଥିବୀରେ ପ୍ରଚାର ଚଳାଇଛନ୍ତି ଯେ ଭାରତବର୍ଷରେ ମୁସଲମାନମାନଙ୍କର ଧନ, ମାନ ଓ ଜୀବନ ସମ୍ପୂର୍ଣ୍ଣ ଭାବରେ ବିପନ୍ନ । ହଜାର ହଜାର ମୁସଲମାନଙ୍କୁ ହତ୍ୟା କରାହେଉଛି । ଆଜି ରାତିରେ ମଧ୍ୟ କରାଚି ବା ପେକିଙ୍ଗ ରେଡ଼ିଓ ଯଦି ଶୁଣନ୍ତି, ତେବେ ଏହିପରି ପ୍ରଚାର ଶୁଣିବାକୁ ପାଇବେ । ଅଥଚ ଏ ଦେଶରେ ଯେତେ ସାମ୍ପ୍ରାଦାୟିକ ଦଙ୍ଗା ହୋଇଛି, ସବୁର ମୂଳରେ ପାକିସ୍ଥାନୀ ଗୁପ୍ତଚରମାନଙ୍କର ଅଦୃଶ୍ୟ ହସ୍ତ ରହିଛି । କାଶ୍ମୀରର ‘‘ହଜରତ୍‍ ବାଲି’’ ମସ୍‍ଜିଦ ସଂକ୍ରାନ୍ତ ସାମ୍ପ୍ରାଦାୟିକ ଦଙ୍ଗାରୁ ଆରମ୍ଭ କରି ଲୌହ ନଗରୀ ଜାମସେଦ୍‌ପୁର ଓ ରାଉରକେଲାର ଦଙ୍ଗା ପର୍ଯ୍ୟନ୍ତ ସବୁରି ମୂଳରେ ସେଇ ଅଦୃଶ୍ୟ ହସ୍ତ କାମ କରୁଛି । ଏହାହିଁ ହେଉଛି ଅନ୍ତର୍ଘାତୀମାନଙ୍କର ଟ୍ରମ୍ପ୍‌ କାର୍ଡ଼ ।

 

ବାହାରେ କେତୋଟା ପୁଲିସ ଟ୍ରକର କର୍କଶ ସାଇରନ୍‌ ଶୁଣାଗଲା । ଆଉ ଗୋଟାଏ ପୁଲିସ ଗାଡ଼ିରୁ ମାଇକ୍‌ ଯୋଗେ ଜିଲା ମାଜିଷ୍ଟ୍ରେଟଙ୍କର ଆଦେଶ ପ୍ରଚାରିତ ହେଉଛି । ‘‘ସହରରେ ପ୍ରବଳ ଶାନ୍ତିଭଙ୍ଗର ଆଶଙ୍କା ଥିବାରୁ ଆଜି ସଞ୍ଜ ଆଠଘଣ୍ଟା ବେଳୁ ଆସନ୍ତା କାଲି ଛଅଟା ପର୍ଯ୍ୟନ୍ତ ‘‘କର୍‍ଫ୍ୟୁ’’ ଆଦେଶ ଜାରି କରାହେଲା ।

 

ସିଟି ଇନ୍‍ସପେକ୍ଟର ଗଡ଼ନାୟକବାବୁ ହଠାତ୍‌ ଉଠି ଆସିହେଲେ–ମୁଁ ଯାଉଛି ଭବାନୀବାବୁ, ଅବଶ୍ୟ ଏ ପର୍ଯ୍ୟନ୍ତ ଆପଣଙ୍କର ପ୍ରୟୋଜନ ଦେଖା ଦେଇ ନାହିଁ । ବର୍ତ୍ତମାନ ଶାନ୍ତିରକ୍ଷା ହେଉଛି ପ୍ରଥମ ଓ ପ୍ରଧାନ କାମ । ଆଉ ତା’ ହେଉଛି ମୋର କର୍ତ୍ତବ୍ୟ ।

 

ରାଜପଥରେ ଜନତାର କ୍ରୁଦ୍ଧ କଣ୍ଠରୁ ବିରାଟ ଗର୍ଜନ ଶୁଣାଯାଉଛି । ଦଙ୍ଗାର ରୂପ କ୍ରମେ ଭୟଙ୍କର ଆକାର ଧାରଣ କରୁଛି । ପୁଲିସ ମାଇକରେ ଉଚ୍ଚ ଶବ୍ଦରେ ସାବଧାନ ବାଣୀ ପ୍ରଚାର ହେଉଛି–‘‘ଏ ଜନତାକୁ ବେଆଇନୀ ଘୋଷଣା କରାହେଲା, ଅତିଶୀଘ୍ର ସମସ୍ତେ ଏଠାରୁ ଚାଲିଯାଅ-। ତା’ ନ ହେଲେ ଲୁହବୁହା ଗ୍ୟାସ ପ୍ରୟୋଗ କରାହେବ । ଲାଠି ମାଡ଼ରେ ଜନତାକୁ ଘଉଡ଼ାଇ ଦିଆହେବ । ପ୍ରୟୋଜନ ହେଲେ ଗୁଳି ମଧ୍ୟ ଚାଲିବ ।’’

 

ପୁଲିସର ଚିରାଚରିତ ସାବଧାନ ବାଣୀ ଅନବରତ ମାଇକ୍‌ ଚିତ୍କାର କରି ଚାଲିଛି । ଜନତାର କ୍ରୁଦ୍ଧ କୋଳାହଳ ମଧ୍ୟ ବଢ଼ି ଚାଳିଛି, ହଠାତ୍‌ କେତେ ରାଉଣ୍ଡ ଗୁଳିର ଶବ୍ଦ ଶୁଣାଗଲା । କିଛି ସମୟ ପରେ ପୁଣି ବନ୍ଧୁକ ଗର୍ଜନ କରି ଉଠିଲା ।

 

ଏଥର ବ୍ୟସ୍ତହୋଇ ଇନ୍‍ସପେକ୍ଟର ଗଡ଼ନାୟକ ବାହାରିଲେ । –ମୁଁ ପରେ ଟେଲିଫୋନ୍‌ ଯୋଗେ ଆପଣଙ୍କୁ ସବୁ ଘଟଣା ଜଣାଇବି ଭବାନୀବାବୁ । ଏବେ ମୁଁ ଚାଲିଲି ।

 

ଠିକ୍‌ ସେତିକିବେଳେ ବିଜୁଳି ଆଲୁଅ ଲିଭିଗଲା । ସମଗ୍ର ସହର ଘୋର ଅନ୍ଧକାର ତଳେ ବୁଡ଼ିଗଲା । ପ୍ରଧାନ ପାଓ୍ୱାର ହାଉସ୍‌କୁ ଯେ କେହି ଅକାମୀ କରି ଦେଇଛି, ଏଥିରେ ଭବାନୀବାବୁଙ୍କର ଆଦୌ ସନ୍ଦେହ ରହିଲା ନାହିଁ । ସେହି ଘୋର ଅନ୍ଧକାର ଭିତରେ ସହର ବୁକୁରେ ଅସଂଖ୍ୟ ଦାନବ ନୃତ୍ୟ କରିବାକୁ ଲାଗିଲେ ।

 

ଅବଶେଷରେ ପିଶାଚର ‘‘ନରକ ଉତ୍ସବ ରାତି’’ର ଅବସାନ ହେଲା । ସବୁଦିନପରି ସେଦିନ ମଧ୍ୟ ପୂର୍ବ ଦିଗନ୍ତରେ ସୂର୍ଯ୍ୟୋଦୟ ହେଲା । ମାତ୍ର ଗୋଟିଏ ରାତି । ପ୍ରବହମାନ ମହାକାଳ ସ୍ରୋତରେ ତାହା ଅତି କ୍ଷୁଦ୍ର, ଗୋଟିଏ ପରମାଣୁ ମାତ୍ର । କିନ୍ତୁ ତାହାରି କଳଙ୍କମୟ ଓ କ୍ଳେଦାକ୍ତ ସ୍ମୃତି ବହୁକାଳ ପର୍ଯ୍ୟନ୍ତ ଜାତିର ଇତିହାସକୁ କଳଙ୍କିତ କରି ରଖିବ । ରାତ୍ରିର ଘୋର ଅନ୍ଧକାର ଭିତରେ ଅସଂଖ୍ୟ ପିଶାଚ ଏଇ ଶାନ୍ତି ନଗରୀ ବୁକୁରେ ଉନ୍ମାଦ ନୃତ୍ୟ କରିଛନ୍ତି । ଅସଂଖ୍ୟ ଗୃହ ଦାହ, ନାରୀଧର୍ଷଣ ଓ ରକ୍ତର ହୋରି ଖେଳରେ ରାଜପଥ କଳଙ୍କିତ ହୋଇଛି । ଉଭୟ ସମ୍ପଦ୍ରାୟର ବହୁ ଲୋକ ହତାହତ ହୋଇଛନ୍ତି । ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ସମ୍ପତ୍ତି ଧ୍ୱଂସ ଓ ଲୁଣ୍ଠିତ ହୋଇଛି । ଅବଶେଷରେ ସବୁ ଶାନ୍ତ ହୋଇଯାଇଅଛି । ଆଜି ସକାଳେ ସହରରେ ‘‘କର୍‌ଫ୍ୟୁ’’ ବା ନିଷେଧ ଆଦେଶ ନାହିଁ । ତଥାପି ସବୁଦିନପରି ସେ କୋଳାହଳମୟ ଜୀବନ ପ୍ରବାହ ନାହିଁ । ସବୁ ଯେପରି ଭୟାବହ ଭାବରେ ଶବ୍ଦହୀନ ।

 

ଗୁଣ୍ଡାମାନେ ସହରର ପ୍ରଧାନ ପାଓ୍ୱାର ହାଉସ୍‍କୁ ଧ୍ୱଂସ କରି ଦେଇଥିଲେ । ଟେଲିଫୋନ୍‌ ଓ ଟେଲିଗ୍ରାଫ ଲାଇନ୍ ମଧ୍ୟ କାଟି ଦେଇଥିଲେ । ଯଥାରୀତି ପୁଲିସର ଗିରଫଦାରୀ ଚାଲିଲା । ଶହ ଶହ ଲୋକ ସନ୍ଦେହରେ ବା ସାମାନ୍ୟ ପ୍ରମାଣର ଭିତ୍ତିରେ ଗିରଫ ହେଲେ । ଧମାଧମ ତଦନ୍ତ ଆରମ୍ଭ ହେଲା ।

 

କିନ୍ତୁ ଏହା ଯେ ସାମାନ୍ୟ ଗୋଟିଏ ସାମ୍ପ୍ରଦାୟିକ ଦଙ୍ଗା ନୁହେଁ–ଏହା ପଛରେ ବିରାଟ ଓ କୁତ୍ସିତ ଗୋଟାଏ ରାଜନୈତିକ ଷଡ଼ଯନ୍ତ୍ର ନିହିତ ଅଛି ଏ କଥା ଦେଶର ଶାସନ କର୍ତ୍ତୃପକ୍ଷ ଓ ପୁଲିସ ବିଭାଗ ଖୁବ୍‌ ଭଲ ଭାବରେ ବୁଝିପାରିଛନ୍ତି । କେବଳ ଏଇ ଓଡ଼ିଶାରେ ନୁହେଁ ଭାରତବର୍ଷର ଅନ୍ୟାନ୍ୟ ସବୁ ରାଜ୍ୟରେ ମଧ୍ୟ ଏହିପରି ଚାଲିଛି । ବର୍ତ୍ତମାନ ପୃଥିବୀର ବିଭିନ୍ନ ଦେଶର ଯୁଦ୍ଧଖୋର ମତିଗତିର ପ୍ରଚ୍ଛଦପଟରେ ଏହା ଯେ ଶତ୍ରୁରାଷ୍ଟ୍ରମାନଙ୍କର ଆଗାମୀ ଆକ୍ରମଣ ପାଇଁ ଏକ ସୁଚିନ୍ତିତ ପ୍ରସ୍ତୁତି ସେ କଥା ବୁଝିବା ପାଇଁ ରାଷ୍ଟ୍ରନାୟକ ଓ ଶାନ୍ତିରକ୍ଷକମାନଙ୍କର ଆଉ ବାକି ନାହିଁ ।

 

ସେଦିନ ସକାଳେ ପୁଲିସ ଆଇ: ଜି:ଙ୍କର ଅଫିସ କକ୍ଷରେ ରାଜ୍ୟର କେତେକ ବଛା ବଛା ପୁଲିସ କର୍ମଚାରୀମାନଙ୍କର ଗୋଟିଏ ଗୋପନ ଅଧିବେଶନ ବସିଥିଲା । ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଡିଟେକ୍‌ଟିଭ ଭବାନୀ ମହାପାତ୍ର ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ତାଙ୍କଛଡ଼ା ସେଠାରେ ଉପସ୍ଥିତ ଥିଲେ ମି: ଗୁରୁଦୟାଲ ସିଂ । ସେ ଜଣେ ଅତି ଉଚ୍ଚ ଶିକ୍ଷିତ ଓ କେନ୍ଦ୍ର ଗୋଇନ୍ଦା ବିଭାଗର ଜଣେ ଉଚ୍ଚ ପଦସ୍ଥ ‘‘କାଉଁଣ୍ଟର ଏସ୍‌ପିଓନେଜ’’ ଅଫିସର । ପ୍ରାଚ୍ୟ ଓ ପାଶ୍ଚାତ୍ୟ ଦେଶମାନଙ୍କର ଏସ୍‌ପିଓନେଜ କାର୍ଯ୍ୟକଳାପ ବିଷୟରେ ସେ ବିଶେଷ ଶିକ୍ଷାଲାଭ କରିଛନ୍ତି । ସୁନ୍ଦରକାନ୍ତି ପୁରୁଷ । ଶିଖ ହେଲେ ମଧ୍ୟ ଆଜିକାଲିକାର ଅନ୍ୟାନ୍ୟ ବହୁ ଶିଖଙ୍କପରି ଶ୍ମଶ୍ରୁହୀନ ମୁଖ-

ତାଙ୍କଛଡ଼ା ସେଠାରେ ଅଛନ୍ତି ମି: ମହାଦେବନ୍‌ । ସେ ଜଣେ ଆଇ:ପି.ଏସ୍‌ ଅଫିସର । ଅତିଶୟ ଦୁଃସାହସୀ ବୁଦ୍ଧିମାନ ଓ କର୍ତ୍ତବ୍ୟନିଷ୍ଠ । ଏମାନଙ୍କଛଡ଼ା ଆହୁରି ମଧ୍ୟ କେତେକ ଉଚ୍ଚପଦସ୍ଥ ପୁଲିସ କର୍ମଚାରୀ ସେଠାରେ ଉପସ୍ଥିତ ଥିଲେ । ସମସ୍ତଙ୍କୁ ଥରେ ଗମ୍ଭୀର ବଦନରେ ଚାହିଁ ଆଇ. ଜି. ସାହେବ ଧୀର ଅଥଚ ସ୍ପଷ୍ଟ କଣ୍ଠରେ କହିବାକୁ ଲାଗିଲେ–

–ବନ୍ଧୁଗଣ, ଯେଉଁ ଗୁରୁତର ଘଟଣା ଆଲୋଚନା କରିବା ପାଇଁ ବର୍ତ୍ତମାନ ଆମ୍ଭେମାନେ ଏଠାରେ ଏକତ୍ରିତ ହୋଇଛୁ ତାହା ପୂର୍ବରୁ ଦେଶର ବର୍ତ୍ତମାନ ପରିସ୍ଥିତି ବିଷୟରେ ମୁଁ କିଛି କହିବାକୁ ଚାହେଁ । ଅବଶ୍ୟ ସେ କଥା ଯେ ଆପଣମାନେ ନ ଜାଣନ୍ତି ତାହା ନୁହେଁ । ତଥାପି ମୁଁ ପୁଣିଥରେ ତାହା କହିବି । ମୋ ସାମନାରେ ଏଇ ଯେ ମୋଟା ଫାଇଲଟି ରହିଛି, ସେଥିରେ ଭାରତର ପ୍ରତିରକ୍ଷା ବିଭାଗର କେତେଗୁଡ଼ିଏ ଗୁପ୍ତ ଦଲିଲର ନକଲ ରଖା ହୋଇଛି । ସେଇସବୁ ଦଲିଲ ଏବଂ ଅନ୍ୟାନ୍ୟ ବହୁ କାଗଜପତ୍ରରୁ ଏ କଥା ପରିଷ୍କାର ଭାବରେ ଜଣାପଡ଼ିଛି ଯେ ୧୯୬୫ ମସିହାର ପରାଜୟ ପରେ ପାକିସ୍ଥାନୀ ନେତାମାନେ ପୁଣି ଥରେ ଏ ଦେଶ ଆକ୍ରମଣ କରିବା ପାଇଁ ଯୋଜନା କରୁଛନ୍ତି । ସେମାନେ ବୁଝି ପାରିଛନ୍ତି ଯେ ଗତ ଯୁଦ୍ଧରେ ସେମାନଙ୍କର ବିପୁଳ କ୍ଷତି ଓ ପରାଜୟର ଗ୍ଳାନିକୁ ସେମାନେ ଯଦି ଆଗାମୀ ଯୁଦ୍ଧରେ ବିଜୟଦ୍ୱାରା ପୂରଣ ନ କରନ୍ତି ସେମାନେ ପାକିସ୍ଥାନର ଶାସନ ଗାଦୀରେ ଆଉ ବେଶିଦିନ ତିଷ୍ଠି ପାରିବେ ନାହିଁ । ପାକିସ୍ଥାନର ଉତ୍ତ୍ୟକ୍ତ ଓ ଜାଗ୍ରତ ଜନତା ସେମାନଙ୍କ ବିରୁଦ୍ଧରେ ବିଦ୍ରୋହ କରିବେ । ସେମାନଙ୍କୁ ଶାସନ ମସ୍‌ନଦରୁ ନିକାଲି ଦେବେ । ସେଥିପାଇଁ ସେ ଦେଶର ରକ୍ତ ଲୋଲୁପ ଯୁଦ୍ଧଖୋର ନେତାମାନେ ଆଗାମୀ ଯୁଦ୍ଧରେ ସେମାନଙ୍କର ହୃତସମ୍ମାନ ଫେରାଇ ଆଣିବାକୁ ଚାହାନ୍ତି । ଯୁଦ୍ଧଖୋର ପେକିଙ୍ଗ ସେମାଙ୍କୁ ସବୁରକମ ଭାବରେ ସାହାଯ୍ୟ କରୁଛି । ଅବଶ୍ୟ ଯୁଦ୍ଧକ୍ଷେତ୍ରରେ ସେମାନଙ୍କ ସଙ୍ଗେ ମୁକାବିଲା କରିବା ଆମର–ଅର୍ଥାତ୍‌ ଦେଶର ପୁଲିସ ବାହିନୀର କାମ ନୁହେଁ । ଏ ଦେଶର ସଦା ଜାଗ୍ରତ ପ୍ରତିରକ୍ଷା ବାହିନୀ ତା’ର ମୁକାବିଲା କରିବେ । ଆମେମାନେ ଶାନ୍ତି ଚାହୁଁ । ପଡ଼ୋଶୀ ରାଷ୍ଟ୍ର ସହିତ ସହାବସ୍ଥାନ ଓ ସଦ୍ଭାବ ଚାହୁଁ କିନ୍ତୁ ତଥାପି ଆମେ ଭୀରୁ ବା ଦୁର୍ବଳ ନୋହୁଁ । ଏଥର ଯଦି ପାକିସ୍ଥାନ ପୁଣି ଆକ୍ରମଣର ଦୁଃସାହସ କରେ, ତେବେ ସେ ତା’ର ଠିକଣା ଜବାବ ପାଇବ । ସେଥିପାଇଁ ଆମର ପ୍ରତିରକ୍ଷା ବାହିନୀ ପ୍ରସ୍ତୁତ ରହିଛନ୍ତି କିନ୍ତୁ ବର୍ତ୍ତମାନ ଆମମାନଙ୍କର ଦାୟିତ୍ୱ ଅତି ଗୁରୁ ହେଲେ ମଧ୍ୟ ତା’ ସମ୍ପୂର୍ଣ୍ଣ ଭିନ୍ନ । ତାହାହିଁ ବର୍ତ୍ତମାନର ପ୍ରଧାନ ଆଲୋଚ୍ୟ ।

ତା’ପରେ କିଛିକ୍ଷଣ ନୀରବ ରହି ଆଇ. ଜି. ସାହେବ ପୁଣି କହିଲେ–ଭାରତ ସର୍କାର ଜାଣି ପାରିଛନ୍ତି ଯେ, ଅତି ଧୂରନ୍ଧର ପାକିସ୍ଥାନୀ ଏସ୍‌ପିଓନେଜ ଏଜେଣ୍ଟମାନେ ଅତିଶୟ ସଙ୍ଗଠିତ ଭାବରେ ଏ ଦେଶରେ ଅନ୍ତର୍ଘାତୀ କାର୍ଯ୍ୟ ଆରମ୍ଭ କରିଛନ୍ତି । ସବୁଠାରୁ ଦୁଃଖର ବିଷୟ ହେଉଛି ଏହି ଯେ ଏ ଦେଶର ବହୁ ସଭ୍ୟ ଓ ଉଚ୍ଚ ଶିକ୍ଷିତ ବ୍ୟକ୍ତି ଯେଉଁମାନେ କି ବିଦ୍ୟା, ବୁଦ୍ଧି ଓ ସାହାସରେ ଏ ଜାତିର ମଉଡ଼ମଣି, ସେମାନଙ୍କ ମଧ୍ୟରୁ ମଧ୍ୟ କେତେକ ବ୍ୟକ୍ତି ଶତ୍ରୁରାଷ୍ଟ୍ରର ଇଙ୍ଗିତରେ ଓ ବିପୁଳ ଉତ୍କୋଚ ବିନିମୟରେ ମାତୃଭୂମିର ସର୍ବନାଶ କରୁଛନ୍ତି । ସେପରି କେତେକ ବୁଦ୍ଧିଜୀବୀଙ୍କ ଛଡ଼ା ଅର୍ଥବଳରେ ଏ ଦେଶର ଅସଂଖ୍ୟ ଦୁର୍ଦ୍ଧର୍ଷ ଗୁଣ୍ଡା ଓ ଅପରାଧୀମାନଙ୍କୁ ସଙ୍ଗଠିତ କରି ସେମାନେ ନିଜ କାମରେ ଲଗାଉଛନ୍ତି । ଆହୁରି ମଧ୍ୟ ନିର୍ଭରଯୋଗ୍ୟ ସମ୍ୱାଦ ମିଳିଛି ଯେ ସମଗ୍ର ଦେଶର ବିଭିନ୍ନ ସହରରେ ଅଦୃଶ୍ୟ ଅନ୍ତର୍ଘାତୀମାନଙ୍କର ଗୁପ୍ତ କେନ୍ଦ୍ର ଗଢ଼ି ଉଠିଛି । ସେମାନଙ୍କର କାର୍ଯ୍ୟସୂଚୀ ବହୁମୁଖୀ । ଏ ଦେଶରେ ଅଜସ୍ର ଜାଲ ନୋଟ ଚଳାଇ ଦେଶର ଅର୍ଥନୈତିକ ମେରୁଦଣ୍ଡକୁ ଦୁର୍ବଳ କରି ଦେବାଠାରୁ ସାମ୍ପ୍ରଦାୟିକ ଦଙ୍ଗା ଓ ରକ୍ତପାତ, ବଡ଼ ବଡ଼ କଳ କାରଖାନାରେ ଧ୍ୱଂସାତ୍ମକ କାଣ୍ଡ, ରେଳଗାଡ଼ି ଓଲଟାଇ ଅସଂଖ୍ୟ ନିରୀହ ନରନାରୀଙ୍କର ପ୍ରାଣହାନି ଘଟାଇବା ଏଇ ନରପିଶାଚମାନଙ୍କର ଉଦ୍ଦେଶ୍ୟ । ଏହାଛଡ଼ା ଏଇ ରକ୍ତ ଲୋଲୁପ ଦାନବମାନେ ଏ ଦେଶର ବଡ଼ ବଡ଼ ରାଜନୀତିଜ୍ଞ, ରାଷ୍ଟ୍ରନାୟକ, ବୈଜ୍ଞାନିକ ଏବଂ ଅନ୍ୟାନ୍ୟ ଗୁଣୀଜ୍ଞାନୀଜନଙ୍କୁ ମଧ୍ୟ ଗୋପନରେ ହତ୍ୟା କରି ପାରନ୍ତି । ଆମମାନଙ୍କୁ ସେଇ ସବୁ ଅଦୃଶ୍ୟ ପିଶାଚଙ୍କ ସଙ୍ଗେ ଯୁଦ୍ଧ କରିବାକୁ ପଡ଼ିବ । ସେମାନଙ୍କୁ ସମୂଳେ ଧ୍ୱଂସ କରିବାକୁ ପଡ଼ିବ । ନିଜର ପ୍ରାଣ ବିନିମୟରେ ମାତୃଭୂମିର ସମ୍ମାନ ଓ ସ୍ୱାଧୀନତା ରକ୍ଷା କରିବାକୁ ପଡ଼ିବ ।

ତା’ପରେ ସାମନାରେ ପଡ଼ିଥିବା ଫାଇଲରୁ ଖଣ୍ଡିଏ କାଗଜକୁ କିଛିକ୍ଷଣ ପର୍ଯ୍ୟନ୍ତ ନୀରବରେ ପାଠକରି ଆଇ.ଜି ସାହେବ କହିଲେ ଏ ସହରରେ ଯେ ଅନ୍ତର୍ଘାତୀମାନଙ୍କର ଗୋଟିଏ ଗୁପ୍ତ ଓ ଅତି ଶକ୍ତିଶାଳୀ କେନ୍ଦ୍ର ଗଢ଼ି ଉଠିଛି ଏ ସମ୍ୱାଦ ମୁଁ ଆଗରୁ ପାଇଥିଲି । ଏଇ ଫାଇଲ ଭିତରେ ସେ ସବୁ ଗୁପ୍ତ କାଗଜପତ୍ର ରଖା ହୋଇଛି । ଏବେ ସେଇ ଅଦୃଶ୍ୟ ପିଶାଚମାନଙ୍କର କାର୍ଯ୍ୟ ଆରମ୍ଭ ହୋଇଛି । ଗତ ରାତିର ଅତିଶୟ ଲଜ୍ଜାକର ସାମ୍ପ୍ରଦାୟିକ ଦଙ୍ଗା ଓ ରକ୍ତପାତ ସେଇ ଅନ୍ତର୍ଘାତୀମାନଙ୍କର କାମ । ସେଥିରେ ଯଥେଷ୍ଟ ପ୍ରମାଣ ମଧ୍ୟ ଅଛି । ଦଙ୍ଗା ଆରମ୍ଭ ହେବା ପୂର୍ବରୁ ଉଭୟ ସମ୍ପ୍ରଦାୟରେ ଲୋକଙ୍କୁ ଅତିଶୟ ଉତ୍ତେଜିତ ଓ ଉତ୍ତ୍ୟକ୍ତ କରିବା ପରେ ବିଭିନ୍ନ ଭାଷାରେ ବିଭିନ୍ନ ପ୍ରଚାରପତ୍ର ହଜାର ହଜାର ସଂଖ୍ୟାରେ ଛପାହୋଇ ରଖାଯାଇଥିଲା । ଦଙ୍ଗାର ସୂତ୍ରପାତ ଗୋଟିଏ ସ୍ଥାନରେ କରିଦେଇ ସାରା ସହରରେ ସେ ସବୁ ପ୍ରଚାରପତ୍ର ବାଣ୍ଟି ଦିଆଗଲା । ତା’ଛଡ଼ା ସହରର ପ୍ରଧାନ ପାଓ୍ୱାର ହାଉସ୍‍ଟିକୁ ‘‘ସମୟ ବୋମା’’ ସାହାଯ୍ୟରେ ନଷ୍ଟକରି ଦିଆଗଲା ।

 

କାବୁଲ ଏ ଦେଶର ବନ୍ଧୁରାଷ୍ଟ୍ର । ସେଇ ଦେଶର ଜଣେ ମହାପଣ୍ଡିତ ମିର୍‌ ହିଦାୟତ୍‌ ଅଲ୍ଲି ଖାଁ ଏ ଦେଶରେ ରାଷ୍ଟ୍ର ଅତିଥି ଭାବରେ ଗସ୍ତ କରୁଥିଲେ । ତାଙ୍କ ହତ୍ୟା ପଛରେ ମଧ୍ୟ ସେଇ ରକ୍ତ ଲୋଲୁପ ଅନ୍ତର୍ଘାତୀମାନଙ୍କର ଅଦୃଶ୍ୟ ହସ୍ତ ରହିଛି । ଆମମାନଙ୍କୁ ସେ ହତ୍ୟାକାରୀଙ୍କୁ ଧରିବାକୁ ପଡ଼ିବ । ହିଦାୟତ୍‌ ଅଲ୍ଲି ଖାଁଙ୍କର ନିରାପତ୍ତା ପାଇଁ ଆମେମାନେ...... ।

 

ଠିକ୍‌ ସେତିକିବେଳେ ଆଇ: ଜି:ଙ୍କର ଟେବୁଲ ଉପରେ ଥିବା ଟେଲିଫୋନ୍‌ କର୍କଶ ଶବ୍ଦରେ ବାଜି ଉଠିଲା । ନିଜର ବକ୍ତବ୍ୟ ଅସମାପ୍ତ ରଖି ଆଇ: ଜି:ସାହେବ ରିସିଭର୍‌ ଉଠାଇ ନେଲେ । କିଛିକ୍ଷଣ ପର୍ଯ୍ୟନ୍ତ କାହା ସହିତ କଥାବାର୍ତ୍ତା କରିବା ପରେ ତାଙ୍କର ଗମ୍ଭୀର ମୁଖମଣ୍ଡଳରେ ଟିକିଏ ହସ ଫୁଟି ଉଠିଲା । ରିସିଭର୍‌ ରଖିଦେଇ ସମସ୍ତଙ୍କଆଡ଼େ ଚାହିଁ କହିଲେ ହିଦାୟତ୍‌ ଅଲି ଖାଁଙ୍କର ହତ୍ୟାକାରୀ ଧରା ପଡ଼ିଛି । ଗୋଟାଏ ଊଇଞ୍ଚେଷ୍ଟର ରାଇଫଲ ମଧ୍ୟ ତା’ ନିକଟରୁ ମିଳିଛି । ସେଇ ରାଇଫଲରୁ ତିନି ରାଉଣ୍ଡ ଗୁଳି ଫାୟାର୍‌ କରା ହୋଇଥିଲା । ସବ୍‌ଇନ୍‍ସପେକ୍ଟର ଇଉସୁଫ୍‌ ଓ ସର୍ଜେଣ୍ଟ ରାଓ ଆସାମୀକୁ ଧରି ଏଠାକୁ ଆଣୁଛନ୍ତି । ଭବାନୀବାବୁ ଏ ତଦନ୍ତ ଭାର ଗ୍ରହଣ କରନ୍ତୁ । ମୁଁ ଆଶାକରେ ଯେ ଏଇ ସୂତ୍ର ଧରି ଆମେମାନେ ଆଗେଇ ଯାଇପାରିବା ।

 

କିଛିକ୍ଷଣ ପରେ ଆସାମୀର ଅଣ୍ଟାରେ ମୋଟା ଖଣ୍ଡେ ଦଉଡ଼ା ବାନ୍ଧି ଓ ଦୁଇ ହାତରେ ହାତକଡ଼ା ଲଗାଇ ବୀର ଦର୍ପରେ ସବ୍‌ଇନ୍‌ସପେକ୍‌ଟର ଇଉସୁଫ୍‍ ସେଠାରେ ପହଞ୍ଚିଲା–ସାର୍‍, ମସ୍‌ଜିଦର ଯେଉଁ ପ୍ରାଙ୍ଗଣରେ ସଭା ହେଉଥିଲା ଏବଂ ମିର୍‌ ହିଦାୟତ୍‌ ଅଲି ଖାଁ ଛିଡ଼ାହୋଇ ବତ୍କୃତା ଦେଉଥିଲେ ତା’ର ଠିକ୍‌ ପୂର୍ବପଟେ ଖଣ୍ଡେ ଭଙ୍ଗା ଦୋ’ମହଲା କୋଠାଘର ଅଛି । ସେଇ ଭଙ୍ଗା ଘରଟାରେ ଏ ଲୋକଟା ଏକା ରହୁଥିଲା । ଉପର ମହଲାର ଯେଉଁ କୋଠରୀଟିରେ ଏ ରହୁଥିଲା ସେହି କୋଠରୀରେ ମସ୍‍ଜିଦଆଡ଼େ ଗୋଟାଏ ଝରକା ରହିଛି, ସେଇ ଝରକାବାଟେ ଗୁଳି କରା ହୋଇଛି । ଏ ରାଇଫଲଟା ମଧ୍ୟ ସେଇ ଘରେ ଥିଲା । ଏଥିରେ ଆସାମୀର ଅଙ୍ଗୁଳି ଚିହ୍ନ ମଧ୍ୟ ରହିଛି । ଏଇ ଲୋକଟା ଭୀଷଣ ଧୂର୍ତ୍ତ ସାର୍‌ । ମୋ ପରି ଲୋକ ଆଖିରେ ମଧ୍ୟ ଧୂଳି ଦେବାକୁ ଚେଷ୍ଟା କରିଥିଲା ।

 

ସାମାନ୍ୟ ହସି ଆଇ: ଜି: ପଚାରିଲେ–କିପରି ?

–ସାର୍‍ ଏ ଲୋକଟା ଘର ଭିତରେ ହାତଗୋଡ଼ ବନ୍ଧାହୋଇ ବସି ଘର ବାହାରୁ ଶିକୁଳି ପକାଇ ଦେଇଥିଲା । ମୁଁ ସନ୍ଦେହରେ ଶିକୁଳି ଖୋଲି ଦେଖିଲି ଯେ ଆସାମୀ ବନ୍ଧାବନ୍ଧି ହୋଇ ତା’ ଭିତରେ ବସିଛି ।

ଇଉସୁଫ୍‍ କଥା ଶୁଣି କେବଳ ଆଇ: ଜି: ସାହେବ ନୁହେଁ ବାକି ସମସ୍ତେ ମଧ୍ୟ ଉଚ୍ଚ ଶବ୍ଦରେ ହସି ଉଠିଲେ । ମାତ୍ର କେତେକ ମିନିଟ ପୂର୍ବରୁ ହତ୍ୟାକାରୀ ଗିରଫ ହୋଇଛି ଶୁଣି ସମସ୍ତେ ମନେ ମନେ ଅତିଶୟ ଖୁସି ହୋଇ ଉଠିଥିଲେ । ମାତ୍ର ହତ୍ୟାକାରୀର ଚେହେରା ଦେଖି ଓ ଇଉସୁଫ୍‍ର କଥା ଶୁଣି ସମସ୍ତେ ନିରାଶ ହେଲେ । ଗୋଟିଏ କ୍ଷୀଣ ଦେହ କଙ୍କାଳସାର ପ୍ରୌଢ଼ । ଦେହରେ ଖଣ୍ଡିଏ ମଇଳା ଧୋତି ଓ ଖଣ୍ଡିଏ ଦରଛିଣ୍ଡା କୋଟ । ମୁଣ୍ଡରେ ନୁଖୁରା ବାଳ ଓ ମୁହଁରେ ଅର୍ଦ୍ଧପକ୍ୱ ଦାଢ଼ି । ଏହି କ୍ଷୀଣଜୀବୀ ଲୋକଟାକୁ ଏତେବଡ଼ ଷଡ଼ଯନ୍ତ୍ରର ନାୟକ ମନେକରି ଇଉସୁଫ୍‍ ଏପରି ବୀର ଦର୍ପରେ ତାକୁ ବାନ୍ଧିଆଣି ସେଠାରେ ହାଜର କରିଛି । ଏତେଗୁଡ଼ିଏ ଉଚ୍ଚପଦସ୍ଥ ପୁଲିସ ଅଫିସରଙ୍କୁ ଏକାଠି ଦେଖି ଲୋକଟା କିପରି ଭୟଭୀତ ହୋଇ ପଡ଼ିଥିଲା । ଆଇ. ଜି. ସାହେବ କିଛି ମନ୍ତବ୍ୟ ନ କରି ଭବାନୀବାବୁଙ୍କ ଆଡ଼େ ଚାହିଁ କହିଲେ–ଏହା ଗୋଟିଏ ନିର୍ଭରଯୋଗ୍ୟ ସୂତ୍ର ନ ହେଲେ ମଧ୍ୟ ଏକ ସୂତ୍ରର ସୂତ୍ରପାତ । ଆପଣ ଏ ତଦନ୍ତ ଭାର ଗ୍ରହଣ କରନ୍ତୁ ଭବାନୀବାବୁ । ଯଥା ସମୟରେ ମୋତେ ସବୁ ଜଣାଇବେ ।

ତା’ପରେ ଏଇ କଙ୍କାଳସାର ଲୋକଟାକୁ ସେଠାରେ ଉପସ୍ଥିତ ଥିବା ଅନ୍ୟାନ୍ୟ ପୁଲିସ ଅଫିସରମାନେ କେତେକ ପ୍ରଶ୍ନ କଲେ କିନ୍ତୁ ପଦେହେଲେ ସେ ଉତ୍ତର ଦେଲା ନାହିଁ । କେବଳ ଜଳ ଜଳ କରି ଗୋଟିଏ କରୁଣ ଦୃଷ୍ଟିରେ ସମସ୍ତଙ୍କୁ ଚାହିଁ ରହିଲା ।

ଗୁରୁଦୟାଲ ସିଂ ଲୋକଟାକୁ ଏକ ଧ୍ୟାନରେ କିଛିକ୍ଷଣ ପର୍ଯ୍ୟନ୍ତ ଚାହିଁ କହିଲେ–ଲୋକଟା କ’ଣ ମୂକ ! କୌଣସି ପ୍ରଶ୍ନର ଉତ୍ତର ଦେଉନାହିଁ କାହିଁକି ?

 

ଉତ୍ତେଜିତ କଣ୍ଠରେ ଇଉସୁଫ୍‍ କହିଲା–ନା ସାର୍‌, ଲୋକଟା ପରିଷ୍କାର କଥା କହିପାରେ-। ମୁଁ ପଚାରିଲି–ଏ କୋଠାଟାର ମାଲିକ କିଏ ? ତୁ ଏ କୋଠରୀ ଭିତରେ କେବେଠୁ ଏପରି ଭାବରେ ଲୁଚି ରହିଛୁ ? ଲୋକଟା ମୋତେ କହିଲା–ମୁଁ ଏ ଘରର ମାଲିକ । ଆଉ ଆଜନ୍ମରୁ ମୁଁ ଏଠାରେ ଅଛି । ତା’ପରେ ଆଉ କୌଣସି ପ୍ରଶ୍ନର ଉତ୍ତର ଦେଉନାହିଁ ।

 

ଭବାନୀବାବୁ ଏ ପର୍ଯ୍ୟନ୍ତ କିଛି କହି ନ ଥିଲେ । ସେ ସ୍ଥିର କଣ୍ଠରେ କହିଲେ–ଆଚ୍ଛା, ମୁଁ ତାକୁ ଅନ୍ୟସ୍ଥାନକୁ ନେଇ ଯାଉଛି । ଯାହାଜାଣେ ସେ ମୋତେ ନିଶ୍ଚୟ କହିବ ।

 

ଆସାମୀକୁ ନେଇ ଭବାନୀବାବୁ ଅନ୍ୟ ଗୋଟିଏ ନିର୍ଜନ କୋଠରୀକୁ ଚାଲିଗଲେ । ତା’ପରେ ଆଇ: ଜି. ସାହେବଙ୍କ ଇଙ୍ଗିତରେ ସଭା ଭଙ୍ଗହେଲା । ସବୁ ଅଫିସରମାନେ ଧୀରେ ଧୀରେ ଚାଲିଗଲେ । କେବଳ ଗୁରୁଦୟାଲ ସିଂଙ୍କ ସହିତ ଆଇ: ଜି: କୌଣସି ଗୋପନୀୟ ଆଲୋଚନାରେ ରତ ରହିଲେ ।

 

ଗୋଟିଏ ନିର୍ଜନ କୋଠରୀକୁ ଯାଇ ଭବାନୀବାବୁ ଆସାମୀ ହାତରୁ ହାତକଡ଼ା ଖୋଲିଦେଲେ । ଅଣ୍ଟାରୁ ଦଉଡ଼ା ମଧ୍ୟ ଫିଟାଇ ଦେଲେ । ତା’ପରେ ସଦୟ କଣ୍ଠରେ କହିଲେ ସେଇ ଚୌକି ଉପରେ ବସ । କୌଣସି ଭୟ ନାହିଁ, ମୁଁ ଯାହା ପଚାରିବି ତା’ର ସବୁ ସତ ସତ ଉତ୍ତର ଦେବ ।

 

ଭବାନୀବାବୁଙ୍କର ସଦୟ ବ୍ୟବହାରରେ ଲୋକଟାର ଭୟ ଓ ମାନସିକ ଅବସାଦ ଧୀରେ ଧୀରେ କଟିଗଲା । କିଛିକ୍ଷଣ ପର୍ଯ୍ୟନ୍ତ ସମୟ ଦେଇ ଭବାନୀବାବୁ ପ୍ରଶ୍ନ କଲେ–ଏବେ ସବୁ କହି ପାରିବ ତ ?

 

ଅତିଶୟ ମାର୍ଜିତ କଣ୍ଠରେ ଆସାମୀ କହିଲା–ପଚାରନ୍ତୁ ! ମୁଁ ଯାହାଜାଣେ ସବୁ କଥା ନିଶ୍ଚୟ କହିବି । ତେବେ ମୋ କଥା ଆପଣ ବିଶ୍ୱାସ କରିବେ କି ନାହିଁ ସେ କଥା ମୁଁ କହିପାରୁ ନାହିଁ-

 

କିଛିକ୍ଷଣ ପର୍ଯ୍ୟନ୍ତ ଲୋକଟା ଅନ୍ତର୍ଭେଦୀ ଦୃଷ୍ଟିରେ ଚାହିଁରହି ଭବାନୀବାବୁ କହିଲେ–ତମେ କିଏ ? ତମର ସଠିକ ପରିଚୟ କ’ଣ ? ସେ ଭଙ୍ଗାକୋଠା ଭିତରେ ତମେ କେତେଦିନଠାରୁ ବାସ କରୁଛ ?

 

ଗୋଟିଏ ଦୀର୍ଘ ନିଃଶ୍ୱାସ ପକାଇ ଆସାମୀ ଧୀରେ ଧୀରେ କହିଲା–ସେଇଟି ବର୍ତ୍ତମାନ ଗୋଟିଏ, ଭଙ୍ଗା କୋଠାଘର ସତ, କିନ୍ତୁ ଦିନେ ତାହା ସୁନ୍ଦର ଗୋଟିଏ ଅଟାଳିକା ଥିଲା । କେତେ ଉତ୍ସବ ଓ କେତେ କଳରବର ଇତିହାସ ସେଇ ଘରଟାର ପ୍ରତି ପରମାଣୁରେ ଏବେ ବି ବଞ୍ଚି ରହିଛି । ସେଇଘରେ ଦିନେ ମୁଁ ଜନ୍ମ ହୋଇଥିଲି । ତା’ପରେ ଧୀରେ ଧୀରେ ମୋରି ଆଖି ଆଗରେ ସେ ଘରର ଐଶ୍ୱର୍ଯ୍ୟ ସବୁ ଉଡ଼ିଗଲା । କର୍ପୂର ଉଡ଼ିଯାଇ ଖାଲି ଛିଣ୍ଡାକନା ଖଣ୍ଡକ ପଡ଼ି ରହିଛି । ବର୍ତ୍ତମାନ ଏଇ ହତଭାଗା ସେ ଘରଟିର ଏକମାତ୍ର ମାଲିକ । ସେଇଟି ମୋର ପୈତୃକ ସମ୍ପତ୍ତି ।

 

ଆଉ ଆପଣ ଜାଣିବାକୁ ଚାହାନ୍ତି ମୁଁ କିଏ !! ମୋର ପରିଚୟ ଦେବାପରେ କୌଣସି ବିଶେଷଣ ନାହିଁ । ମୁଁ ଜଣେ ଦରିଦ୍ର ଚିତ୍ରକର । ମୋ ନାଁ ଆଦିତ୍ୟ ଭଞ୍ଜ ।

 

ଭବାନୀବାବୁ ହଠାତ୍‌ ଯେପରି ଚମକି ଉଠିଲେ । ଏଇ କ’ଣ ଏ ଦେଶର ବରେଣ୍ୟ ଶିଳ୍ପୀ ଆଦିତ୍ୟ ଭଞ୍ଜ–ଯାହାଙ୍କ ବିଷୟରେ ସେ ଏତେ ପ୍ରଶଂସା ଶୁଣିଛନ୍ତି । ଦେଶର ପତ୍ରପତ୍ରିକାଗୁଡ଼ିକ ଯେଉଁ ପ୍ରତିଭାବାନ ଶିଳ୍ପୀଙ୍କର ଗୁଣଗାନ କରିବାରେ ପଞ୍ଚମୁଖ, ସେଇ କ’ଣ ଏଇ ଦୁଃସ୍ଥ ଓ ଦୈନ୍ୟକ୍ଳିଷ୍ଟ ବ୍ୟକ୍ତିଟି ।

 

ଶିଳ୍ପୀଙ୍କ ପ୍ରତି ଯଥୋଚିତ ସମ୍ମାନ ଦେଖାଇ ଭବାନୀବାବୁ ନମ୍ର କଣ୍ଠରେ କହିଲେ–ଆପଣଙ୍କ ବିଷୟରେ ମୁଁ ବହୁତ ଶୁଣିଛି ଆଦିତ୍ୟ ବାବୁ କିନ୍ତୁ ଦୁର୍ଭାଗ୍ୟ ବଶତଃ ଏ ପର୍ଯ୍ୟନ୍ତ ମୁଁ ଆପଣଙ୍କୁ ଦେଖି ନ ଥିଲି । ଆପଣଙ୍କ ପ୍ରତି ଯେଉଁ ଅସୌଜନ୍ୟ ଓ ଅସଦ୍‌ବ୍ୟବହାର କରା ହୋଇଛି, ସେଥିପାଇଁ ମୁଁ ଦୁଃଖିତ ।

 

ଉଦାସିଆ ଟିକିଏ ହସ ହସି ଶିଳ୍ପୀ କହିଲେ–ନା, ନା, ପୁଲିସର ଏଥିରେ କୌଣସି ଦୋଷ ନାହିଁ । ଏହା ମୋର ଦୁର୍ଭାଗ୍ୟ ଛଡ଼ା ଆଉ କିଛି ନୁହେଁ ।

 

ଭବାନୀବାବୁ କହିଲେ–ଆପଣ ଦୟାକରି ମୋତେ ସବୁ କଥା କହିବେ କି ?

 

କିଛିକ୍ଷଣ ମୌନ ରହି ଶିଳ୍ପୀ ବୋଧହୁଏ ମନେ ମନେ କଥାଟା ସଜାଡ଼ିନେଲେ । ତା’ପରେ ଧୀର କଣ୍ଠରେ କହିଲେ–ଏ ଘଟଣାର ପୂର୍ବଦିନ ଜଣେ ସୁନ୍ଦରୀ ତରୁଣୀ ମୋ ନିକଟରେ ଯାଇ ପହଞ୍ଚିଲେ । ତାଙ୍କର ଖଣ୍ଡିଏ ଚିତ୍ର ଆଙ୍କିଦେବା ପାଇଁ ସେ ମୋତେ ଅନୁରୋଧ କଲେ । ମୋ ହାତରେ କୌଣସି କାମ ନ ଥିଲା । ମୁଁ ତାଙ୍କ କଥାରେ ରାଜି ହେଲି । ସେ ମୋତେ ଅଗ୍ରୀମ ଦୁଇଶହ ଟଙ୍କା ପାରିଶ୍ରମିକ ଦେଲେ ଓ ତା’ ପରଦିନ ସଞ୍ଜବେଳେ ମୋ ଷ୍ଟୁଡ଼ିଓକୁ ଆସିବେ ବୋଲି କହିଲେ ।

 

ତା’ ପରଦିନ–ଅର୍ଥାତ୍ ଗତକାଲି ସଞ୍ଜବେଳେ ଆଉ ପୁରୁଷ ଲୋକକୁ ସଙ୍ଗରେ ନେଇ ସେ ମୋ ଷ୍ଟୁଡ଼ିଓକୁ ଆସିଲେ । ତାଙ୍କ ହାତରେ ଖଣ୍ଡେ ବନ୍ଧୁକ ଥିଲା । ସେତେବେଳକୁ ପାଖ ମସ୍‌ଜିଦରେ କ’ଣ ଗୋଟିଏ ସଭା ହେଉଥିଲା । ମୁଁ ତରୁଣୀଙ୍କର ଫଟୋ ଆଙ୍କିବି ବୋଲି ଷ୍ଟାଣ୍ଡରେ କାନଭେସ୍‌ ଲଗାଇ ପ୍ରସ୍ତୁତ ହେଲି । ଏହି ସମୟରେ ସେ ପୁରୁଷ ଲୋକଟା ହଠାତ୍‌ ମୋ ଉପରକୁ ବାଘ ଝାମ୍ପିଲାପରି ଡେଇଁ ପଡ଼ିଲା । ମୁଁ ଦୁର୍ବଳ ଲୋକ । ଅତି ସହଜରେ ମୋର ଗୋଡ଼ ଓ ହାତ ବାନ୍ଧି ପକାଇଲା । ମୁହଁରେ ମଧ୍ୟ ଖଣ୍ଡେ ରୁମାଲ ପୂରାଇ ବାନ୍ଧିଦେଲା । ତା’ପରେ ସେ ତରୁଣୀଟି ବନ୍ଧୁକ ଧରି ଝରକାବାଟେ ମସ୍‌ଜିଦଆଡ଼େ ଲକ୍ଷ୍ୟ କଲେ । ତା’ପରେ ଗୁଳି ଚଳାଇଲେ । ଥରେ, ଦୁଇଥର, ତିନିଥର ।

 

ମସ୍‌ଜିଦ ଭିତରେ ଭୀଷଣ ଗଣ୍ଡଗୋଳ ହେଲା । ମୁଁ ଘରର ଗୋଟିଏ କୋଣକୁ ବନ୍ଧାହୋଇ ପଡ଼ି ରହିଲି । ତା’ପରେ ସେ ତରୁଣୀ ଓ ଗୁଣ୍ଡାଟା ଘର ଛାଡ଼ି ବାହାରିଗଲେ । ବାହାରୁ ଘରର ଶିକୁଳି ମଧ୍ୟ ଲଗାଇଦେଲେ । ଏତିକି ଛଡ଼ା ମୁଁ ଆଉ କିଛି ଜାଣେ ନାହିଁ ।

 

ଭବାନୀବାବୁ କହିଲେ–ସେ ତରୁଣୀଟି ନିଜର କୌଣସି ପରିଚୟ ଆପଣଙ୍କ ନିକଟରେ କହିଥିଲା କି ଆଦିତ୍ୟ ବାବୁ ?

 

–ନା’ କୌଣସି ପରିଚୟ ସେମାନେ ଦେଇ ନାହାନ୍ତି । ମୁଁ ମଧ୍ୟ ପଚାରି ନାହିଁ ।

 

–କ୍ଷମା କରିବେ ଆଦିତ୍ୟ ବାବୁ । ଆପଣ ଜଣେ ଏଡ଼େବଡ଼ ପ୍ରତିଭାବାନ ଆର୍ଟିଷ୍ଟ । ସେ ଦୁଇଜଣଙ୍କର ଦୈହିକ ବର୍ଣ୍ଣନା ମୋତେ ଦୟାକରି କହିବେ କି ?

 

ଆଖି ଦୁଇଟି ବୁଜି ବହୁକ୍ଷଣ ପର୍ଯ୍ୟନ୍ତ ଧ୍ୟାନମଗ୍ନ ଭାବରେ ଶିଳ୍ପୀ ବସି ରହିଲେ । ତା’ପରେ ଆଖି ମେଲାଇ ଧୀର କଣ୍ଠରେ କହିଲେ–ମୋତେ କିଛି କାଗଜ–ଆଉ ଖଣ୍ଡିଏ ପେନ୍‌ସିଲ ଦେବେ କି ?

 

କାଗଜ ଓ ପେନ୍‌ସିଲ ନେଇ ଆଦିତ୍ୟଭଞ୍ଜ କ’ଣ ଚିତ୍ର ଆଙ୍କିବାକୁ ଲାଗିଲେ । ଅଦ୍ଭୁତ ପ୍ରତିଭାବାନ ଶିଳ୍ପୀ । ଶୁଭ୍ର କାଗଜ ଉପରେ ଧୀରେ ଧୀରେ ଗୋଟିଏ ପରେ ଗୋଟିଏ–ଦୁଇଟା ରେଖା ଚିତ୍ର ଫୁଟି ଉଠିଲା । ଗୋଟିଏ ପୁରୁଷ ଓ ଗୋଟିଏ ନାରୀ । ନାରୀଟି ଅପ୍‌ସରା ପରି ସୁନ୍ଦରୀ-। ତନ୍ୱୀ ଓ ଦୀର୍ଘାଙ୍ଗୀ । ପୁରୁଷଟି ଗୁଣ୍ଡାପରି ବଳବାନ ଓ ଭୀଷଣ । ଦୁଇଟି ହିଂସ୍ର ଆଖିରୁ ଯେପରି ନିଆଁ ବାହାରୁଛି । ଚିତ୍ର ଦୁଇଖଣ୍ଡି ଭବାନୀବାବୁଙ୍କଆଡ଼େ ଆଗେଇ ଦେଇ ଶିଳ୍ପୀ କହିଲେ–ଏହା ହିଁ ସେମାନଙ୍କର ଚିତ୍ର ।

ଭବାନୀବାବୁ ପ୍ରଶଂସାମାନ ଦୃଷ୍ଟିରେ ଚିତ୍ର ଦୁଇଟିକୁ ଚାହିଁ ରହିଲେ । ନିର୍ଭୁଲ ଦୁଇଟି ଚିତ୍ର-। ତରୁଣୀଟିକୁ ଚିହ୍ନି ପାରିଲେ ନାହିଁ । ପୂର୍ବେ କେଉଁଠାରେ ଦେଖିଛନ୍ତି ବୋଲି ମଧ୍ୟ ମନେ ହେଲା ନାହିଁ । ଆଖିରେ ଦୁଇଟି କଳା ଚଷମା କିନ୍ତୁ ପୁରୁଷଟିକୁ ଦେଖିବା ମାତ୍ରେ ସେ ଚିହ୍ନି ପାରିଲେ-। ସେ ତାଙ୍କର ପୂର୍ବ ପରିଚିତ ବ୍ୟକ୍ତି । ଏଇ ସହରର ଜଣେ ଦୁର୍ଦ୍ଧର୍ଷ ଓ ଅତି ଦୁଃସାହସୀ ଦସ୍ୟୁ ସୁଲେମାନ ଖାଁ । ଏପରି ଗୋଟିଏ ଅମୂଲ୍ୟ ସୂତ୍ର ପାଇ ସେ ଅତିଶୟ ଖୁସି ହେଲେ ।

 

ତା’ପରେ ଯଥୋଚିତ ସମ୍ମାନ ଦେଖାଇ ଶିଳ୍ପୀଙ୍କୁ ବିଦାୟ ଦେଲେ । ଧନ୍ୟବାଦ ଜଣାଇ ଆଦିତ୍ୟଭଞ୍ଜ ଘର ବାହାରକୁ ଆସିଲେ । ତା’ପରେ ପୁଣି ଭବାନୀବାବୁଙ୍କ ନିକଟକୁ ଫେରିଯାଇ ନିଜର ଛିଣ୍ଡା କୋଟ ପକେଟରୁ ଗୋଛାଏ ନୋଟ ବାହାର କରି ଟେବୁଲ ଉପରେ ରଖି କହିଲେ–ଏଇ ଦୁଇଶହ ଟଙ୍କା ସେ ମହିଳାଟି ମୋର ପାରିଶ୍ରମିକ ସ୍ୱରୂପ ଅଗ୍ରୀମ ଦେଇଥିଲେ । ମୁଁ କୌଣସି କାମ କରି ନାହିଁ । ସୁତରାଂ ଏ ଟଙ୍କା ଉପରେ ମୋର ଦାବି ନାହିଁ । ଆପଣ ଏହା ନିଅନ୍ତୁ । ଏତିକିମାତ୍ର କହି ଶିଳ୍ପୀ ବିଦାୟ ନେଲେ ।

ଭବାନୀବାବୁ ନୋଟବିଡ଼ାଟି ହାତରେ ଉଠାଇନେଲେ । ଏସେନ୍‌ସର ଗୋଟିଏ ମଧୁର ସୁଗନ୍ଧ ନୋଟଗୁଡ଼ିକରୁ ବାହାରୁଛି । ବହୁକ୍ଷଣ ପର୍ଯ୍ୟନ୍ତ ନୋଟଗୁଡ଼ିକ ନିଜର ନାସାରନ୍ଧ୍ରରେ ଲଗାଇ ଭବାନୀବାବୁ ଘ୍ରାଣ ନେଲେ । ତାଙ୍କର କୌଣସି ସନ୍ଦେହ ନାହିଁ । ଠିକ୍‌ ଏଇ ଏସେନ୍‌ସର ଗନ୍ଧ ସେ ସୁନାର କ୍ରିଡ଼େନସିୟାଳଟି ମଧ୍ୟ ପାଇଥିଲେ । ବେଣିପ୍ରସାଦର ଛଦ୍ମବେଶୀ ହତ୍ୟାକାରୀକୁ ଯେଉଁ ତରୁଣୀଟି ସେଦିନ ରାତିରେ ଖଣ୍ଡିଏ ଆମ୍ୱାସାଡ଼ର କାରରେ ନେଇ ଯାଇଥିଲା । ସେ ନାରୀ ଯେ ମିର୍‌ ହିଦାୟତ୍‌ ଅଲି ଖାଁଙ୍କୁ ମଧ୍ୟ ବନ୍ଧୁକ ଗୁଳିରେ ହତ୍ୟାକରିଛି ଓ ସେଇ ଯେ ପାକିସ୍ଥାନର ପ୍ରଥମ ଶ୍ରେଣୀର ଏସ୍‌ପିଓନେଜ ଏଜେଣ୍ଟ ନ.୧୩ ଏଥିରେ ଭବାନୀବାବୁଙ୍କର କୌଣସି ସନ୍ଦେହ ରହିଲା ନାହିଁ ।

ରହସ୍ୟର ଏଇ ଘୋର ତିମିର ଭିତରେ ଭବାନୀବାବୁ ଆଲୋକର ଗୋଟିଏ କ୍ଷୀଣ ଶିଖା ଦେଖିବାକୁ ପାଇଲେ । ଆଇ. ଜି. ସାହେବ ଠିକ୍‌ କହିଥିଲେ–ଇଉସୁଫ୍‌ ଯାହାକୁ ଗିରଫ କରି ଆଣିଛି ତାହା ରହସ୍ୟର ଏକ ନିର୍ଭରଯୋଗ୍ୟ ସୂତ୍ର ନ ହେଲେ ମଧ୍ୟ ଆଗାମୀ ସୂତ୍ରର ଏକ ସୁନିଶ୍ଚିତ ସୂତ୍ରପାତ ।

ସେଦିନ ଖରାବେଳେ ସର୍ଦ୍ଦାର ଗୁରୁଦୟାଲ ସିଂ କେଉଁଠାରୁ ଆସି ଭବାନୀବାବୁଙ୍କର ଘରେ ପହଞ୍ଚିଲେ । କେନ୍ଦ୍ର ଗୋଇନ୍ଦା ବିଭାଗର ସେ ଜଣେ ଅଭିଜ୍ଞ ଓ ପଦସ୍ଥ କର୍ମଚାରୀ । ଯଥୋରିଚ ସମ୍ମାନ ପ୍ରଦର୍ଶନ କରି ଭବାନୀବାବୁ ତାଙ୍କୁ ବସାଇଲେ । ଅମାୟିକ ହସ ହସି ଗୁରୁଦୟାଲ ସିଂ କହିଲେ–ଏଇ ତଦନ୍ତରେ କେତେଦୂର ଆଗେଇ ପାରିଲେ ଭବାନୀବାବୁ ? ଏହା ଯେ ବିରାଟ ଏକ ରାଜନୈତିକ ଷଡ଼ଯନ୍ତ୍ର, ଏଥିରେ ଆଦୌ ସନ୍ଦେହ ନାହିଁ କିନ୍ତୁ ଆଇ. ଜି. ଦୃଢ଼ଭାବରେ ବିଶ୍ୱାସ କରନ୍ତି ଯେ ଆପଣ ଏ ରହସ୍ୟର ସମାଧାନ କରି ପାରିବେ । ଏ ନରମେଧ ଯଜ୍ଞର ଯେଉଁମାନେ ପୁରଧା ସେମାନେ ହୁଏତ ଆମମାନଙ୍କ ଭିତରେ ରହିଛନ୍ତି । ସାଧାରଣ ଦସ୍ୟୁମାନଙ୍କର କାର୍ଯ୍ୟ ପଦ୍ଧତିଠାରୁ ରାଜନୈତିକ ଅନ୍ତର୍ଘାତୀମାନଙ୍କର କାର୍ଯ୍ୟପନ୍ଥା ସମ୍ପୂର୍ଣ୍ଣ ଭିନ୍ନ ।

କୁଣ୍ଠିତ କଣ୍ଠରେ ଭବାନୀବାବୁ କହିଲେ–ଏ ପର୍ଯ୍ୟନ୍ତ କୌଣସି ସୂତ୍ର ମୁଁ ପାଇ ନାହିଁ ସାର୍‌-। ମୋର ବା ମୋର ଅନ୍ୟ ସହକର୍ମୀମାନଙ୍କର ଚେଷ୍ଟାରେ ଆଦୌ ତ୍ରୁଟି ନାହିଁ । ଅଳ୍ପକାଳ ମଧ୍ୟରେ ଯେ ଆମେମାନେ ଏଇ ନର ରାକ୍ଷସମାନଙ୍କ ସହିତ ମୁକାବିଲା କରି ପାରିବା, ଏଥିରେ ମୋର ସନ୍ଦେହ ନାହିଁ । ତେବେ ସେମାନଙ୍କର କାର୍ଯ୍ୟକଳାପ ଯଦି କିଛିକାଳ ପାଇଁ ବନ୍ଦ ହୋଇଯାଏ ତା’ହେଲେ ସେମାନଙ୍କୁ ଖୋଜି ବାହାର କରିବା ମଧ୍ୟ କିଛି ବିଳମ୍ୱ ହେବ । ମୋର ବିଶ୍ୱାସ ଯେ ସେମାନଙ୍କର ଅନ୍ତର୍ଘାତୀ କାମ ଯେତିକି ଅଧିକ ହେବ, ସେମାନଙ୍କୁ ଧରିବାର ସୁବିଧା ମଧ୍ୟ ଆମମାନଙ୍କର ସେତେ ବେଶି ହେବ ।

ସାମାନ୍ୟ ହସି ଗୁରୁଦୟାଲ ସିଂ କହିଲେ–ସେମାନଙ୍କର କାର୍ଯ୍ୟକଳାପରେ ଦୀର୍ଘକାଳ ବିରତି ହେବ ନାହିଁ ଭବାନୀବାବୁ, ଏହା ମୋର ଦୃଢ଼ ବିଶ୍ୱାସ । ଅତି ଶୀଘ୍ର ହୁଏତ କିଛି ନୂଆ ଘଟଣା ଘଟିବ । ତାହା ହୁଏତ ପୂର୍ବଠାରୁ ଆହୁରି ଭୟାବହ, ଆହୁରି ପୈଶାଚିକ । ଏହା ହିଁ ସବୁ ଦେଶରେ ହୋଇଥାଏ । ଶତ୍ରୁରାଷ୍ଟ୍ରର ଏସ୍‌ପିଓନେଜ ଏଜେଣ୍ଟମାନେ ବିଶେଷ କରି ଏବେ ଆମେମାନେ ଯେଉଁମାନଙ୍କ ସହିତ ମୁକାବିଲା କରିବାକୁ ଯାଉଛୁ, ସେମାନେ କେତେଦୂର ଧୂର୍ତ୍ତ ଓ ନିଷ୍ଠୁର ସେ କଥା ହୁଏତ ଆପଣ କଳ୍ପନା କରିପାରୁ ନାହାନ୍ତି । ସେଥିପାଇଁ ମୁଁ ଆପଣଙ୍କୁ ଉପଦେଶ ଦେଉଛି ଯେ ଆପଣ ନିଜର ବ୍ୟକ୍ତିଗତ ନିରାପତ୍ତା କଥା ଭୁଲିବେ ନାହିଁ । ଆଚ୍ଛା, ଆପଣଙ୍କ ନିକଟରୁ ମୁଁ ଗୋଟିଏ କଥା ଜାଣିବାକୁ ଚାହେଁ, ସତ କହିବାକୁ ଗଲେ କେବଳ ସେଇ କଥାଟି ଆପଣଙ୍କ ନିକଟରୁ ଜାଣିବା ପାଇଁ ମୁଁ ଏଠାକୁ ଆସିଥିଲି ।

ଭବାନୀବାବୁ ଜିଜ୍ଞାସୁ ଦୃଷ୍ଟିରେ ଗୁରୁଦୟାଲ ସିଂଙ୍କୁ ଚାହିଁଲେ । କିଛିକ୍ଷଣ ନୀରବ ରହି ଗୁରୁଦୟାଲ କହିଲେ–ମୋର ବିଶ୍ୱାସ ଯେ ମୋତେ ଆପଣ ଭୁଲ ବୁଝିବେ ନାହିଁ । ମୁଁ ଶୁଣିଲି ସେ କ୍ୟାପଟେନ୍‍ ମଦନ ପଟ୍ଟନାୟକ ଆପଣଙ୍କର ବନ୍ଧୁ । ମୁଁ କ’ଣ ଭୁଲ ଶୁଣିଛି ଭବାନୀବାବୁ ?

–ନା, ନା, ଆପଣ ଠିକ୍‌ ଶୁଣିଛନ୍ତି । କ୍ୟାପଟେନ୍‍ ପଟ୍ଟନାୟକ ମୋର ସହପାଠୀ ଓ ବାଲ୍ୟବନ୍ଧୁ କିନ୍ତୁ ତାଙ୍କ ବିଷୟରେ ଆପଣ କାହିଁକି ଜାଣିବାକୁ ଚାହୁଁଛନ୍ତି ? ସେ କ’ଣ ଆପଣଙ୍କର ମଧ୍ୟ ପୂର୍ବ ପରିଚିତ ବ୍ୟକ୍ତି ।

ଗୁରୁଦୟାଳ କହିଲେ–ନା, ତାଙ୍କ ସହିତ ମୋର ଆଦୌ ପରିଚିୟ ନାହିଁ । ତାଙ୍କ ବିଷୟରେ ସବୁ କଥା ମୁଁ ଆପଣଙ୍କ ନିକଟରୁ ଜାଣିବାକୁ ଚାହେଁ । ତାଙ୍କ ବିଷୟରେ ସବୁ କଥା କହିବାକୁ ଆପଣଙ୍କର କ’ଣ କୌଣସି ଆପତ୍ତି ଅଛି ?

–ନା, ନା, କିଛିମାତ୍ର ଆପତ୍ତି ନାହିଁ । ତେବେ ତାଙ୍କ ବିଷୟରେ ମୁଁ ଖୁବ୍‌ ବେଶି କିଛି ଜାଣେ ନାହିଁ ।

ସେ ଅବିବାହିତ–ଏଠାରେ ସିଭିଲ ଇଞ୍ଜିନିୟରିଂ ପାଶ୍‌ କରିବାପରେ ସେ ସୈନ୍ୟ ବାହିନୀରେ ଯୋଗଦେଲେ । ତା’ପରେ ଫୌଜରେ ଚାକିରି ନେଇ ସେ କେଉଁ କେଉଁ ଦେଶକୁ ଗଲେ ସେ ସବୁ ମୁଁ ଜାଣେ ନାହିଁ । ଫୌଜରୁ ଅବସର ନେଇ ସେ ପୁଣି ରାଜସ୍ଥାନ ସରକାରଙ୍କ ଅଧୀନରେ ଜଣେ ଇଞ୍ଜିନିୟର ଭାବରେ କିଛି କାଳ ଚାକିରି କଲେ । ଏବେ କିଛିଦିନ ପୂର୍ବେ ସେ ସ୍ୱଦେଶକୁ ଫେରି ଆସିଛନ୍ତି । ତାଙ୍କରି ମୁହଁରୁ ମୁଁ ଶୁଣିଛି ଯେ ସେ ରାଜସ୍ଥାନର ଚାକିରି ଛାଡ଼ି ଦେଇଛନ୍ତି ଏବଂ ବର୍ତ୍ତମାନ ଏଇ ସହରରେ ବାସ କରୁଛନ୍ତି । ସେ ଏବେ ତାଙ୍କର ଭ୍ରମଣ କାହାଣୀ ଲେଖୁଛନ୍ତି । ଏତିକି ଛଡ଼ା କ୍ୟାପଟେନ୍‍ ପଟ୍ଟନାୟକଙ୍କ ବିଷୟରେ ଆଉ କିଛି ଜାଣେ ନାହିଁ ।

ଗୁରୁଦୟାଲ ସିଂ କିଛି କହିଲେ ନାହିଁ । ସାମାନ୍ୟ ଟିକିଏ ରହସ୍ୟମୟ ହସ ତାଙ୍କ ମୁହଁରେ ଫୁଟି ଉଠିଲା । ଭବାନୀବାବୁ କହିଲେ–ଏ ସବୁ କଥା ଆପଣ କାହିଁକି ଜାଣିବାକୁ ଚାହୁଁଛନ୍ତି ସାର୍‌ ?

ଆପଣଙ୍କୁ ସେ କଥା କହିବାରେ ମୋର ବିନ୍ଦୁମାତ୍ର ଆପତ୍ତି ନାହିଁ । କାରଣ ଆପଣ ଯେ ଜଣେ ଅତି ସଚ୍ଚୋଟ ଓ କର୍ତ୍ତବ୍ୟନିଷ୍ଠ ପୁଲିସ କର୍ମଚାରୀ ଏ କଥା ମୁଁ ଖୁବ୍‌ ଭଲଭାବରେ ଜାଣେ । ଆଜି ପ୍ରାୟ ଏଗାରଟାବେଳେ ମୋର ଚିଠି ବାକ୍‌ସ ଭିତରୁ ମୁଁ ଏଇ ଚିଠି ଖଣ୍ଡି ପାଇଛି ।

ଏହା କହି ଗୁରୁଦୟାଲ ସିଂ ନିଜ କୋଟ ପକେଟରୁ କାଢ଼ି ଖଣ୍ଡିଏ ସାଧାରଣ ଧଳା ଲଫାପା ଭବାନୀବାବୁଙ୍କ ସାମନାରେ ଟେବୁଲ ଉପରେ ପକାଇଦେଲେ । ଲଫାପାଟି ଉଠାଇନେଇ ତା’ ଭିତରୁ ସାନ ଖଣ୍ଡିଏ କାଗଜ ଭବାନୀବାବୁ ବାହାର କଲେ । କ୍ଷୁଦ୍ର ଖଣ୍ଡିଏ ବେନାମୀ ଲିପି । ଇଂରାଜୀରେ ଟାଇପ୍‌ କରା ହୋଇଛି । ଲେଖାଅଛି–

‘‘ଯଦି ପ୍ରାଣ ପ୍ରତି ମମତା ଥାଏ, ତେବେ ଅତି ଶୀଘ୍ର ଏ ସହର ଛାଡ଼ି ଦିଲ୍ଲୀ ଫେରିଯାଅ-। ନିଆଁ ନେଇ ଖେଳ ନାହିଁ ।’’

ଖଣ୍ଡିଏ ଧମକପୂର୍ଣ୍ଣ ବେନାମୀ ଚିଠି । ଜୀବନରେ ବହୁଥର ଏପରି ଚିଠି ଭବାନୀବାବୁ ନିଜେ ମଧ୍ୟ ପାଇଛନ୍ତି କିନ୍ତୁ ଏ ଖଣ୍ଡି ଗୁରୁଦୟାଲ ସିଂଙ୍କର ଚିଠି ବାକ୍‌ସରେ ମିଳିବା ସହିତ କ୍ୟାପଟେନ୍‍ ପଟ୍ଟନାୟକଙ୍କର ଯେ ସମ୍ପର୍କ କ’ଣ ତାହା ସେ ବୁଝିପାରିଲେ ନାହିଁ ।

ଭବାନୀବାବୁଙ୍କର ମନୋଭାବ ବୁଝିପାରି ଗୁରୁଦୟାଲ ସିଂ କହିଲେ–ଆପଣ ଜାଣନ୍ତି, ମୁଁ ଏ ସହରରେ କୋଣାର୍କ ହୋଟେଲର ଖଣ୍ଡିଏ ଦୁଇ କୋଠରୀବାଲା ଫ୍ଲାଟ୍‌ ଭଡ଼ାନେଇ ବାସ କରୁଛି । ମୋ ଘରର ଦୁଆର ମୁହଁରେ ଟିଣର ସାନ ଗୋଟିଏ ଚିଠି ବାକ୍‌ସ କାନ୍ଥରେ ଲଗା ହୋଇଛି । କେବଳ ମୋ’ରି ଚିଠି ସବୁ ଏ ବାକ୍‌ସରେ ପକାଇଦିଆ ହୁଏ । ଏ ବିଶେଷ ସୁବିଧାଟି ମୋ ନିଜ ନିର୍ଦ୍ଦେଶରେ ହୋଟେଲ କର୍ତ୍ତୃପକ୍ଷ ମୋ ପାଇଁ କରି ଦେଇଛନ୍ତି । ଆମ ହୋଟେଲରେ କାହିଁକି କେଜାଣି ଏଇ କ୍ୟାପଟେନ୍‍ ପଟ୍ଟନାୟକ କେତେକ ଦିନହେଲା ମଝିରେ ମଝିରେ ଦେଖା ଯାଉଛନ୍ତି । ଅବଶ୍ୟ ତାଙ୍କର ପରିଚୟ ମୁଁ ପୂର୍ବରୁ ପାଇ ନ ଥିଲି । କୋଣାର୍କ ହୋଟେଲକୁ ସେ କାହିଁକି ଯିବାଆସିବା କରୁଛନ୍ତି ଏବଂ କାହା ନିକଟକୁ ଯାଉଛନ୍ତି ସେ କଥା ମୁଁ ଏ ପର୍ଯ୍ୟନ୍ତ ଜାଣିପାରି ନାହିଁ । ଆଜି ପ୍ରାୟ ଏଗାରଟାବେଳେ ମୁଁ ବାହାରକୁ ଯିବାପାଇଁ ପୋଷାକ ପିନ୍ଧି ପ୍ରସ୍ତୁତ ହେଉଥିଲି, ଏତିକବେଳେ ପର୍ଦ୍ଦା ଆଢ଼ୁଆଳରୁ କ୍ୟାପଟେନ୍‌ ପଟ୍ଟନାୟକ ମୋ ଘର ନିକଟଦେଇ ବାରନ୍ଦା ଉପରେ ଚାଲିଯିବାର ମୁଁ ଦେଖିଲି । ମୋର ଟିଣ ଚିଠି ବାକ୍‌ସରେ ଖଣ୍ଡେ ଲଫାପା ଗଳାଇଦେବାର ଶବ୍ଦ ହେଲା । ଅତି କ୍ଷୀଣ ଶବ୍ଦ ହେଲେ ମଧ୍ୟ ମୁଁ ପର୍ଦ୍ଦା ଆଢ଼ୁଆଳରୁ ତାହା ପରିଷ୍କାର ଶୁଣି ପାରିଲି । ସଙ୍ଗେ ସଙ୍ଗେ ମୁଁ ବାରନ୍ଦା ଉପରକୁ ବାହାରି ଆସି ଦେଖିଲି ଯେ କ୍ୟାପଟେନ୍‌ ପଟ୍ଟନାୟକ ତର ତର ହୋଇ ସିଡ଼ିରେ ତଳ ମହଲାକୁ ଓହ୍ଲାଇ ଯାଉଛନ୍ତି । ତା’ପରେ ମୁଁ ଚିଠି ବାକ୍‌ସ ଖୋଲି ଏଇ ଚିଠିଟି ପାଇଲି । ଏ ଖଣ୍ଡି ଯେ କ୍ୟାପଟେନ୍‍ ପଟ୍ଟନାୟକ ବାରନ୍ଦା ଉପର ଦେଇ ଚାଲି ଯାଉ ଯାଉ ମୋ ଚିଠି ବାକ୍‌ସ ଭିତରେ ପକାଇ ଦେଇ ଯାଇଛନ୍ତି, ଏଥିରେ ମୋର କୌଣସି ସନ୍ଦେହ ନାହିଁ । ତା’ପରେ ମୁଁ କ୍ୟାପଟେନ୍‍ଙ୍କର ପରିଚୟ ଓ ଆପଣଙ୍କ ସହିତ ତାଙ୍କର ଅନ୍ତରଙ୍ଗତାର ସମ୍ୱାଦ ସଂଗ୍ରହ କରି ଆପଣଙ୍କ ନିକଟକୁ ଆସିଛି ।

ସବୁ ଶୁଣିସାରି ଭବାନୀବାବୁ ଗଭୀର ଚିନ୍ତାମଗ୍ନ ହୋଇ ବସି ରହିଲେ । ଗୁରୁଦୟାଲ ସିଂ କହିଲେ–ମୁଁ ଏବେ ଯାଉଛି ଭବାନୀବାବୁ ! ଆଶାକରେ ଆପଣ ଏ ଘଟଣାଟିକୁ ଖୁବ୍‌ ଭଲକରି ଚିନ୍ତାକରି ଦେଖିବେ ଏବଂ ବର୍ତ୍ତମାନ ପାଇଁ ଏହା ସମ୍ପୂର୍ଣ୍ଣ ଗୁପ୍ତ ରଖିବେ । ଅବଶ୍ୟ ଆପଣଙ୍କପରି ଜଣେ ବିଚକ୍ଷଣ ବ୍ୟକ୍ତିଙ୍କୁ ମୋର ଏପରି ଉପଦେଶ ଦେବା ସମ୍ପୂର୍ଣ୍ଣ ନିଷ୍ପ୍ରୟୋଜନ ଓ ଅବାନ୍ତର ।

ଭବାନୀବାବୁ କହିଲେ–ଏଇ ଚିଠି ଖଣ୍ଡିକ ମୋତେ ଦେବା ପାଇଁ କୌଣସି ଆପତ୍ତି ଅଛି କି ? ଏ ବିଷୟରେ ମୁଁ କିଛି ତଦନ୍ତ କରିବାକୁ ଚାହେଁ ।

 

–ନା, ନା । କିଛିମାତ୍ର ଆପତ୍ତି ନାହିଁ । ଆପଣ ଚିଠିଖଣ୍ଡି ରଖନ୍ତୁ । ଏଇ ସାମାନ୍ୟ ଚିଠି ଖଣ୍ଡିକରୁ ଯେ ଆପଣ ବହୁତ ମୂଲ୍ୟବାନ ସୂତ୍ର ବାହାର କରି ପାରିବେ, ଏଥିରେ ମୋର କୌଣସି ସନ୍ଦେହ ନାହିଁ ।

 

ଭବାନୀବାବୁଙ୍କ ସହିତ କରମର୍ଦ୍ଦନ କରି ଗୁରୁଦୟାଲ ସିଂ ବିଦାୟ ନେଲେ । ଭବାନୀବାବୁ ଗଭୀର ଚିନ୍ତାମଗ୍ନ ହୋଇ ନିଜର ନିର୍ଜନ ଘର ଭିତରେ ବସି ରହିଲେ । ଧୀରେ ଧୀରେ ବେଳ ବୁଡ଼ି ଆସିଲା । ଶୀତ ଦିନର ଅପରାହ୍ନ, କିପରି ଉଦାସିଆ ମନେ ହେଉଛି । ବାହାରକୁ ଯିବାପାଇଁ ପ୍ରସ୍ତୁତ ହୋଇ ଭବାନୀବାବୁ ପଦାକୁ ଆସିଲେ ।

 

ରାଜପଥର ଜନସ୍ରୋତ ବୋହି ଚାଲିଛି । ସେଇ ଜନତାର ସ୍ରୋତ ଭିତରେ କିପରି ଅନ୍ୟମନସ୍କ ଭାବରେ ଭବାନୀବାବୁ ଆଗେଇ ଚାଲିଲେ । କିଛି ଦୂରରେ କ୍ୟାପଟେନ୍‍ ପଟ୍ଟନାୟକଙ୍କର ଘର ଦେଖା ଯାଉଛି, ଠିକ୍‌ ସଡ଼କ ଉପରେ ସାନ ଖଣ୍ଡିଏ ଏକ ମହଲା ଘର । ଘର ସାମନାରେ ଖଣ୍ଡିଏ ମଟରକାର୍‌ ରହିଛି । ବୋଧହୁଏ କ୍ୟାପଟେନ୍‍ଙ୍କ ସହିତ କେହି ଦେଖା କରବାକୁ ଆସିଛନ୍ତି । ଏତେଦୂରରୁ ଗାଡ଼ିର ନମ୍ୱରଟା ଭଲ ଭାବରେ ଦେଖାଯାଉ ନାହିଁ ।

 

ହଠାତ୍‌ ଜଣେ ତରୁଣୀ କ୍ୟାପଟେନ୍‍ଙ୍କ ଘର ଭିତରୁ ବାହାରି ଆସିଲା । ତରୁଣୀଟି ସୁନ୍ଦରୀ ଓ ଆଧୁନିକା । ଆଖିରେ କଳା ଚଷମା ପିନ୍ଧିଛି । ତରୁଣୀଟିର ପଛେ ପଛେ କ୍ୟାପଟେନ୍‍ ମଧ୍ୟ ବାହରକୁ ବାହାରିଲେ । ତରୁଣୀଟି କ୍ୟାପଟେନ୍‍ଙ୍କୁ ବିଦାୟ ସମ୍ଭାଷଣ ଜଣାଇ ଗାଡ଼ିରେ ବସିଲା–ଆଉ ମୁହୂର୍ତ୍ତକ ଭିତରେ ଗାଡ଼ିଟି ଆଗର ଜନଗହଳି ଭିତରେ ଅଦୃଶ୍ୟ ହୋଇଗଲା । କ୍ୟାପଟେନ୍‍ କିଛିକ୍ଷଣ ପର୍ଯ୍ୟନ୍ତ ଗାଡ଼ିଟିର ଗତିପଥକୁ ଚାହିଁରହି ପୁଣି ଘର ଭିତରକୁ ପଶିଗଲେ ।

 

ମୁହୂର୍ତ୍ତକ ପାଇଁ ଦୂରରୁ ଦେଖିଥିଲେ ମଧ୍ୟ ଭବାନୀବାବୁଙ୍କର କିପରି ମନେହେଲା ଯେ ଶିଳ୍ପୀ ଆଦିତ୍ୟଭଞ୍ଜ ଯେଉଁ ତରୁଣୀଟିର ରେଖାଚିତ୍ର ଆଙ୍କି ଦେଇଥିଲେ ତାହା ଏହି ନାରୀର ଚିତ୍ର । ତେବେ କ’ଣ ତାଙ୍କର ପରମ ବନ୍ଧୁ କ୍ୟାପଟେନ୍‍ ପଟ୍ଟନାୟକ ହେଉଛନ୍ତି ଏଇ ଭୟାବହ ଷଡ଼ଯନ୍ତ୍ରର ନାୟକ ! ଏଇ ନରମେଧ ଯଜ୍ଞର ପ୍ରଧାନ ପୁରୋଧା !

 

ଭବାନୀବାବୁଙ୍କୁ ଦେଖି କ୍ୟାପଟେନ୍‍ ଆନନ୍ଦରେ କଳରବ କରି ଉଠିଲେ । ସେହିପରି ବଡ଼ ଟେବୁଲଟା ଉପରେ ନାନାରକମର ବହି ଜମା ହୋଇଛି । ଟାଇପ୍‌ ହୋଇଥିବା ଗଦାଏ କାଗଜ ଅବିନ୍ୟସ୍ତ ଭାବରେ ରହିଛି କ୍ୟାପଟେନ୍‍ଙ୍କର ଭ୍ରମଣ କାହାଣୀର ପାଣ୍ଡୁଲିପି । ଉଚ୍ଚ କଣ୍ଠରେ ‘‘କମଳା କମଳା’’ ବୋଲି କେତେଥର ଡାକିଲେ କିନ୍ତୁ ତାଙ୍କର କମ୍ବାଇଣ୍ଡ ହ୍ୟାଣ୍ଡ କମଳାକାନ୍ତ ଉତ୍ତର ଦେଲା ନାହିଁ । ସାମାନ୍ୟ ହସି କ୍ୟାପଟେନ୍‌ କହିଲେ–କମଳା ବୋଧହୁଏ ଡ୍ରେସିଂ ହେଉଛି । ଏଇଟା ତା’ର କେଶବିନ୍ୟାସର ସମୟ । ତମେ ଟିକିଏ ବସ ଭାଇ, ମୁଁ କମଳାକୁ ଦୁଇକପ୍‌ ଗରମ ଚା କରିବାକୁ କହି ଆସେ ।

 

କ୍ୟାପଟେନ୍‍ ଭିତରକୁ ଚାଲିଗଲେ ସେଇ ଅବସରରେ ଭବାନୀବାବୁ ଦୁଇଖଣ୍ଡି ଟାଇପ୍‌ ହୋଇଥିବା କାଗଜ କ୍ୟାପଟେନ୍‍ଙ୍କ ଟେବୁଲ ଉପରୁ ଉଠାଇନେଇ ନିଜର କୋର୍ଟ ପକେଟରେ ରଖିଦେଲେ । ତା’ପରେ ସତର୍କ ଦୃଷ୍ଟିରେ ଘର ଭିତରେ ଥିବା ସବୁ ଜନିଷକୁ ଥରେ ଦେଖିନେଲେ । ସବୁ ଜିନିଷ ଠିକ୍‌ ପୂର୍ବପରି ରହିଛି ! ଟେବୁଲ ଉପରେ ରହିଥିବା ଅନ୍ୟାନ୍ୟ ଜିନିଷ ଭିତରୁ ଗୋଟିଏ ପଦାର୍ଥ ତାଙ୍କର ଦୃଷ୍ଟି ଆକର୍ଷଣ କଲା । ମୂଲ୍ୟବାନ ଓ ସାନ ଗୋଟିଏ “ରୁବି” ଫାଉଣ୍ଟେନ ପେନ । ଏହିପରି ସୁନ୍ଦର ଓ ସାନ କଲମ ସାଧାରତଃ ସ୍ତ୍ରୀ ଲୋକମାନେ ବ୍ୟବହାର କରନ୍ତି । କ’ଣ ମନେକଲେ କେଜାଣି ଭବାନୀବାବୁ କଲମଟିକୁ ଉଠାଇ ନେଲେ । ତା’ପରେ କଲମଟିକୁ ନାସାରନ୍ଧ୍ର ନିକଟରେ ଲଗାଇ ଘ୍ରାଣ ନେଲେ । ତାଙ୍କ ମୁଖମଣ୍ଡଳ ଗମ୍ଭୀର ହୋଇ ଉଠିଲା । ଠିକ୍ ସେଇ ଏସେନ୍‌ସର ଗନ୍ଧ । ଯାହା ସେ ସେଇ ସୁନାର କ୍ରଡ଼େନସିଏଲଟିରୁ ଏବଂ ଆଦିତ୍ୟଭଞ୍ଜ ଦେଇଥିବା ନୋଟ ବିଡ଼ାଟିରୁ ପାଇଥିଲେ ।

Unknown

 

ଠିକ୍‌ ସେତିକିବେଳେ କ୍ୟାପଟେନ୍‍ ଘର ଭିତରେ ପଶିଲେ ଓ ଭବାନୀବାବୁ ଏକାଗ୍ର ଭାବରେ କଲମଟିକୁ ଶୁଙ୍ଘୁଥିବାର ଦେଖିଲେ ।–ସେଥିରୁ କ’ଣ ରହସ୍ୟ ଆବିଷ୍କାର କରିବାକୁ ଚେଷ୍ଟା କରୁଛ ! ଆଚ୍ଛା, ଏଇ କଲମଟିରୁ ତା’ର ମାଲିକ ବିଷୟରେ କିଛି କହି ପାରିବ ? ହସି ହସି କ୍ୟାପଟେନ୍‍ କହିଲେ ।

 

–ନିଶ୍ଚୟ କହି ପାରିବି । ତୁମେ ଶୁଣିବାକୁ ଚାହଁ ? ତେବେ ମନଦେଇ ଶୁଣ ।

 

ଏହାକହି ଭବାନୀବାବୁ ଆଖି ଦୁଇଟି ବନ୍ଦ କରି କିଛିକ୍ଷଣ ବସି ରହିଲେ । ତା’ପରେ ଆଖି ଦୁଇଟିକ ଅର୍ଦ୍ଧନିମୀଳିତ କରି ଧୀରେ ଧୀରେ କହିଲେ–ଏ କଲମଟିର ମାଲିକ ହେଉଛନ୍ତି ଜଣେ ତରୁଣୀ ।

 

ଏତିକି ଶୁଣି କ୍ୟାପଟେନ୍‍ ଉଚ୍ଚ ଶବ୍ଦରେ ହସିଉଠି କହିଲେ–ଏହା ଆଉ ନୂଆକଥା କ’ଣ କହିଲ-! ଏଇଟି ତ ଲେଡିଜ୍‌ ପେନ୍‌ । ତରୁଣୀ ନ ହୋଇ କ’ଣ ଜଣେ ପୁରୁଷ ଏହାର ମାଲିକ ହୁଅନ୍ତା !

 

କ୍ୟାପଟେନ୍‍ଙ୍କୁ ନୀରବ ରହିବାକୁ ଇଙ୍ଗିତକରି ଭବାନୀ ମହାପାତ୍ର ପୁଣି ସେହିପରି ଧୀର କଣ୍ଠରେ କହିଲେ–ତରୁଣୀର ବୟସ ସେତେଇଶିଠାରୁ ତିରିଶି ଭିତରେ । ସୁନ୍ଦରୀ, ଉଜ୍ଜ୍ୱଳ ଓ ଗୌରବର୍ଣ୍ଣ । ପଞ୍ଜାବୀ ରମଣୀମାନଙ୍କପରି ପାଇଜାମା ଓ ସାର୍ଟ ବ୍ୟବହାର କରନ୍ତି । ମୁଣ୍ଡରେ ବବ୍‌କଟା ନୁଖୁରା ବାଳ । ସାଧାରଣତଃ ସବୁବେଳେ ଆଖିରେ କଳା ଚଶମା ପିନ୍ଧନ୍ତି । ଖୁବ୍‌ ଭଲ ମଟର ଡ୍ରାଇଭିଙ୍ଗ୍‌ କରନ୍ତି ।

 

ଭବାନୀବାବୁଙ୍କ କଥା ଶୁଣି କ୍ୟାପଟେନ୍‌ ଏକାବେଳକେ ଆଶ୍ଚର୍ଯ୍ୟ ହୋଇଗଲେ । ବିସ୍ମୟ ବିମୂଢ଼ କଣ୍ଠରେ କହିଲେ–ତୁମର ଶକ୍ତି ଅତି ଅଦ୍ଭୁତ ଭାଇ; ମାନସିକ ଶକ୍ତି ତୁମର ଅସାଧାରଣ । ସମ୍ପୂର୍ଣ୍ଣ ନିର୍ଭୁଲ ତୁମର କଥା କିନ୍ତୁ କିପରି ଭାବରେ ଯେ ତୁମେ ଏହା ଜାଣିପାରିଲ ମୁଁ କଳ୍ପନା କରିପାରୁ ନାହିଁ !

 

ଆଖି ଦୁଇଟି ସେହିପରି ଅର୍ଦ୍ଧ ନିମୀଳିତ ରଖି ଭବାନୀବାବୁ ପୁଣି କହିଲେ–ମୁଁ ଆହୁରି ଜାଣିପାରୁଛି ଯେ ତରୁଣୀଟି ଏ ସହରରେ ନବାଗତା । ତୁମେ ତା’ର ପୂର୍ବ ପରିଚିତ ବ୍ୟକ୍ତି ହେଲେ ମଧ୍ୟ ହୁଏତ ସମ୍ପୂର୍ଣ୍ଣ ଭାବରେ ତୁମେ ତା’ର ପ୍ରକୃତ ପରିଚୟ ପାଇ ନାହଁ କିମ୍ବା ତୁମେ ଅତି ନିବିଡ଼ ଓ ଗଭୀର ଭାବରେ ତା’ ସହିତ ଜଡ଼ିତ ।

 

ଏତିକି କହି ଭବନୀବାବୁ ଅନ୍ତର୍ଭେଦୀ ଦୃଷ୍ଟିରେ କ୍ୟାପଟେନ୍‍ଙ୍କ ଆଡ଼େ ଚାହିଁ ତାଙ୍କର ମନୋଭାବ ବୁଝିବାକୁ ଚେଷ୍ଟାକଲେ । ତାଙ୍କର ମନେହେଲା ଯେପରି ତାଙ୍କର ଶେଷ କଥା ଶୁଣି କ୍ୟାପଟେନ୍‍ଙ୍କ ମୁଖଭାବ କ୍ଷଣକ ପାଇଁ ସାମାନ୍ୟ ଝାଉଁଳି ପଡ଼ିଲା । ସେ କୌଣସି ଉତ୍ତର ଦେଲେ ନାହିଁ । ଠିକ୍‌ ସେତିକିବେଳେ କମଳାକାନ୍ତ ଗୋଟିଏ ଟ୍ରେ ଉପରେ ଦୁଇକପ୍‌ ଚା’ ରଖି ଘର ଭିତରେ ପ୍ରବେଶ କଲା । ତା’ର ଚେହେରା ଓ ଭାବଭଙ୍ଗି ଦେଖି ଭବାନୀବାବୁ ହସି ପକାଇଲେ । ବଡ଼ ବଡ଼ ବାବୁରୀ ବାଳକୁ ଅତିଶୟ ତୈଲାକ୍ତ କରି ଅତି ଯତ୍ନରେ ବିନ୍ୟାସ କରିଛି । ଆଖିରେ କଜ୍ଜଳ ଓ କପୋଳରେ ସଦ୍ୟ ଗୋଟିଏ ସିନ୍ଦୂର ଟିପ ଲଗାଇଛି । ଖଣ୍ଡିଏ ପାନଖିଲି ମୁହଁରେ ପୁରାଇଛି ଓ ଉର୍ଦ୍ଧାଙ୍ଗର ଲଜ୍ଜା ନିବାରଣ କରିବା ପାଇଁ ପିନ୍ଧିଥିବା ଧୋତିଟିର ଗୋଟିଏ ଅଂଶ ଦେହରେ ଗୁଡ଼ାଇ ଦେଇଛି । ବ୍ରୀଡ଼ାବତୀ ପଲ୍ଲୀବଧୂପରି ଅତି ଧୀର ପଦକ୍ଷେପରେ ଓ ଆଖିର ଦୃଷ୍ଟିକୁ ତଳକୁ ଅବନତ କରି କମଳାକାନ୍ତ ଘରେ ପଶିଲା ଓ ଚା’ର ଟ୍ରେ ଟେବୁଲ ଉପରେ ରଖିଦେଲା ।

 

ଚା ଖାଉ ଖାଉ ପୁଣି ଗଳ୍ପ ଚାଲିଲା । ଭବାନୀବାବୁ ନିଜର ମନୋଭାବ ଯେତେଦୂର ସମ୍ଭବ ଦମନ କରି କ୍ୟାପଟନ୍‍ଙ୍କ ସହିତ ହସି ହସି କଥା କହିବାକୁ ଲାଗିଲେ । କ୍ୟାପଟେନ୍‍ ତାଙ୍କର ଭ୍ରମଣ କାହାଣୀର ପାଣ୍ଡୁଲିପିରୁ ବହୁତ ଲେଖା ପଢ଼ି ଶୁଣାଇଲେ । ଦେଶ ବିଦେଶର କେତେକ ବିଚିତ୍ର ଘଟଣାକୁ କେନ୍ଦ୍ର କରି କେତେ ଗଳ୍ପ କହିଲେ । ଅବଶେଷରେ କହିଲେ–ଆଚ୍ଛା, ସାମାନ୍ୟ ଗୋଟିଏ ଫାଉଣ୍ଟେନ ପେନ୍‍କୁ ଦେଖି ତୁମେ ଏତେକଥା କହିଲ କିପରି ମୁଁ ଜାଣିବାକୁ ଚାହେଁ ।

 

ସାମାନ୍ୟ ହସି ଭବାନୀବାବୁ କହିଲେ–ସେ କଥା ଆଉଦିନେ ବୁଝାଇ ଦେବି । ଆଜି ମୋର କେତେକ ଜରୁରୀ କାମ ଅଛି କିନ୍ତୁ ମୋର ଡିଡକ୍‌ସନ ସବୁ ଠିକ୍‌ ହୋଇଛି ତ ?

 

ସମ୍ପୂର୍ଣ୍ଣ ଠିକ୍ । ଅତି ଅଦ୍ଭୁତ ତୁମର ଶକ୍ତି !

 

କିଛିକ୍ଷଣ କ୍ୟାପଟେନ୍‍ଙ୍କଆଡ଼େ ଚାହିଁ ଭବାନୀବାବୁ କହିଲେ– କିନ୍ତୁ କିଏ ସେ ମହିଳା ! ଏ ସହରର କେଉଁ ସ୍ଥାନରେ ସେ ବାସ କରନ୍ତି ସେ କଥା ମୋର ଡିଡକ୍‌ସନ ବଳରେ ମୁଁ ଜାଣିପାରୁ ନାହିଁ । ତାଙ୍କ ବିଷୟରେ ମୋତେ କିଛି କହିବାକୁ ତୁମର ଆପତ୍ତି ଅଛିକି ?

 

ବହୁକ୍ଷଣ ପର୍ଯ୍ୟନ୍ତ ନୀରବ ରହି କ୍ୟାପଟେନ୍‍ କ’ଣ ଚିନ୍ତା କଲେ । ତା’ପରେ କହିଲେ–ତୁମେ ମୋର ବାଲ୍ୟବନ୍ଧୁ । ତୁମକୁ ମୋର ବ୍ୟକ୍ତିଗତ କଥା କହିବା ପାଇଁ କୌଣସି ଆପତ୍ତି ନାହିଁ । ପ୍ରାୟ ପାଞ୍ଚବର୍ଷ ପୂର୍ବେ ରାଜସ୍ଥାନର ଗୋଟିଏ ସହରରେ ତା’ ସହିତ ମୋର ପ୍ରଥମ ଆଳାପ ହେଲା-। ତା’ର ନାଁ ରୀତା ମେନନ, ସେ ଜଣେ ମେଡ଼ିକେଲ ଗ୍ରାଜୁଏଟ୍‌ । ସେଇ ପ୍ରଥମ ଆଳାପ ପରେ ଆମମାନଙ୍କର ସମ୍ପର୍କ କ୍ରମେ ଘନିଷ୍ଠତର ହେଲା କିନ୍ତୁ ତାହା କେବଳ କେତୋଟି ମାସ ପାଇଁ-। ତା’ପରେ ଅମୃତସରର ହସ୍‌ପିଟାଲରେ ଗୋଟିଏ ଚାକିରି ପାଇଁ ରୀତା ହଠାତ୍‌ ଚାଲିଗଲା, ସେଠାରେ ପହଞ୍ଚି ମୋତେ ଚିଠି ଲେଖିବ ବୋଲି କହୁଥିଲା କିନ୍ତୁ କୌଣସି ଚିଠି ମୁଁ ପାଇଲି ନାହିଁ । ତା’ପରେ ଦୀର୍ଘ ପାଞ୍ଚବର୍ଷ କଟିଗଲା, ଯେଉଁ ନିଆଁକୁ ମୋ ଅନ୍ତରରେ ଦିନେ ରୀତା ଜଳାଇଥିଲା ମୁଁ ମନେ କରିଥିଲି ଯେ କାଳର ରଥଚକ୍ରତଳେ ମାଡ଼ି ଦଳିହୋଇ କାଳକ୍ରମେ ତାହା ଲିଭି ଯାଇଛି କିନ୍ତୁ ଏବେ ମୁଁ ଜାଣି ପାରୁଛି ଯେ ତା’ ସମ୍ପୂର୍ଣ୍ଣ ଭୁଲ, ସେ ନିଆଁ ଲିଭିଯାଇ ନାହିଁ ।

 

କିଛିକ୍ଷଣ ନୀରବ ରହି କ୍ୟାପଟେନ୍‍ ପୁଣି କହିଲେ–ତୁମର ବୋଧହୁଏ ମନେଅଛି ସେଦିନ ମୋ ପକେଟରେ ଭୁବନେଶ୍ୱରର ‘‘ତାଜମହଲ’’ ହୋଟେଲର ଦୁଇଖଣ୍ଡି କ୍ୟାସମେମୋ ଦେଖିପାରି ତମର ଡିଡକ୍‌ସନ ଥିଓରିଦ୍ୱାରା କହିଥିଲ ଯେ କୌଣସି ବାନ୍ଧବୀକୁ ସଙ୍ଗରେ ନେଇ ମୁଁ ତାଜମହଲ ହୋଟେଲକୁ ଖାଇବାକୁ ଯାଇଥିଲି । ତୁମେ ସେଦିନ ଅତି ନିର୍ଭୁଲ ଭାବରେ କହି ପାରିଥିଲ । ସେଇ ତରୁଣୀ ହେଉଛି ଡକ୍‌ଟର ରୀତା ମେନନ୍‌ । ସେଦିନ ଅତି ଆକସ୍ମିକ ଭାବରେ ଏତେ ବର୍ଷପରେ ତା’ ସହିତ ମୋର ଦେଖା ହୋଇଥିଲା । ବରୋଦାର କେଉଁ ଏକ ବଡ଼ ମେଡ଼ିକେଲ୍‌ ଫାର୍ମରେ ସେ ଓଡ଼ିଶା ପାଇଁ ‘‘ସ୍ପେଶାଲ ରିପ୍ରେଜେଣ୍ଟେଟିଭ୍’’ର କାମ ନେଇ ଏଠାକୁ ଆସିଛି ।

 

ଏଠାରେ ଡାକ୍ତର ରୀତା ମେନନ୍‌ କେଉଁଠାରେ ରହୁଛନ୍ତି ? ଭବାନୀବାବୁ ପ୍ରଶ୍ନ କଲେ ।

 

–ତା’ ମୁଁ ଜାଣେନା ଭାଇ । କେତେଥର ପଚାରି ମଧ୍ୟ ରୀତାଠାରୁ ସେ ଉତ୍ତର ମୁଁ ପାଇ ନାହିଁ । ସାମାନ୍ୟ ହସି ମୋ ପ୍ରଶ୍ନକୁ ସେ ଏଡ଼ାଇ ଯାଇଛି, ଏଠାରେ କୌଣସି ହୋଟେଲରେ ସେ ରହୁଛି ଏହା ଭାବି ମୁଁ ବହୁ ହୋଟେଲରେ ତାକୁ ଖୋଜି ବୁଲିଛି କିନ୍ତୁ ପାଇ ନାହିଁ । କେଉଁଠାରୁ ସେ ହଠାତ୍‌ ଆସି ପହଞ୍ଚିଥାଏ, ତା’ପରେ ମୋର ସମଗ୍ର ସତ୍ତାକୁ ଓଲଟ ପାଲଟ କରିଦେଇ ପୁଣି ଚାଲିଯାଏ ।

 

ଏଇ ରହସ୍ୟମୟୀ ତରୁଣୀ ବିଷୟରେ ଭବାନୀବାବୁ ଆଉ କିଛି ପଚାରିଲେ ନାହିଁ । କୋଣାର୍କ ହୋଟେଲକୁ କ୍ୟାପଟେନ୍‍ ଯାଇଥିଲେ କି ନାହିଁ ତା, ମଧ୍ୟ ପଚାରିଲେ ନାହିଁ । କ୍ୟାପଟେନ୍‍ଙ୍କ ଠାରୁ ବିଦାୟ ନେଇ ସେ ବାହାରିଲେ ।

 

ସେଠାରୁ ପୁଲିସ ଲେବୋରେଟରୀକୁ ଯାଇ ଭବାନୀବାବୁ ମୁଖ୍ୟ ହସ୍ତାକ୍ଷର ବିଶେଷଜ୍ଞ ଗୋପିନାଥ ବାବୁଙ୍କ ସହିତ ଦେଖାକଲେ, ଗୋପିନାଥ ବାବୁ ଜଣେ ଅତି ବିଚକ୍ଷଣ ହସ୍ତାକ୍ଷର ବିଶେଷଜ୍ଞ । ଭବାନୀବାବୁଙ୍କର ସେ ପୁରାତନ ବନ୍ଧୁ । ସର୍ଦ୍ଦାର ଗୁରୁଦୟାଲ ସିଂ ପାଇଥିବା ବେନାମୀ ଚିଠିଟି ସହିତ କ୍ୟାପଟେନ୍‍ ପଟ୍ଟନାୟକଙ୍କ ଘରୁ ସଂଗ୍ରହ କରିଥିବା ଟାଇପ୍‌ ଲେଖାଟିକୁ ମିଳାଇ ଯେତେଶୀଘ୍ର ସମ୍ଭବ ରିପୋର୍ଟ ପଠାଇବାକୁ ଉପଦେଶ ଦେଇ ଭବାନୀବାବୁ ବିଦାୟ ଦେଲେ ।

 

ସଞ୍ଜପରେ ଭବାନୀବାବୁ ନିଜ ଘରକୁ ଫେରି ଆସିଲେ । ନିର୍ଜନ ଘର ଭିତରେ ଏକା ବସିରହି ଭବାନୀବାବୁ ଗଭୀର ଚିନ୍ତାରେ ମଗ୍ନ ହେଲେ । ସବୁ ଯେପରି ଗୋଟିଏ ପ୍ରହେଳିକା ପରି ମନେ ହେଉଛି, କିଏ ଏଇ ରହସ୍ୟମୟୀ ରୀତା ମେନନ୍‍ ! କ୍ୟାପଟେନ୍‌ ପଟ୍ଟନାୟକ ବା ତା’ ସହିତ କେତେଦୂର ଜଡ଼ିତ । ନଗରର ଏଇ ଜନସମୁଦ୍ର ଭିତରେ କେଉଁଠାରେ ବା ସେ ଲୁଚି ରହିଛି ! ସତେ କ’ଣ କ୍ୟାପଟେନ୍‍ ପଟ୍ଟନାୟକ ତାହା ଜାଣନ୍ତି ନାହିଁ । ସବୁ ଯେପରି ଗୋଟାଏ ପ୍ରହେଳିକା ।

 

କାନ୍ଥ ଘଡ଼ିକୁ ଚାହିଁ ଭବାନୀବାବୁ ହଠାତ୍‌ ଉଠିଯାଇ ରେଡ଼ିଓଟା ଖୋଲିଦେଲେ । ଦିଲ୍ଲୀ କେନ୍ଦ୍ରରୁ ସମ୍ବାଦ ପ୍ରଚାର କରା ହେଉଛି, ଅନ୍ତର୍ଘାତୀମାନେ ରେଲ ଲାଇନ ଘୁଞ୍ଚାଇଦେବା ଫଳରେ କାଲ୍‌କା ମେଲ୍‌ର ଦୁଇଟି ବଗି ଓଲଟି ପଡ଼ିଛି । ଶତାଧିକ ବ୍ୟକ୍ତି ହତାହତ ହୋଇଛନ୍ତି ।

 

ବିହାରର ଚମ୍ପାରନ ଜିଲାର ବହୁ ସ୍ଥାନରେ ସାମ୍ପ୍ରଦାୟିକ ଦଙ୍ଗା ଫଳରେ ବହୁ ସମ୍ପତ୍ତି ଧ୍ୱଂସ ହୋଇଛି ଓ ବହୁ ଲୋକ ହତାହତ ହୋଇଛନ୍ତି ।

 

ଗୋଟିଏ ହେଲିକ୍ୟାପ୍‌ଟରରେ ଭାରତୀୟ ସୈନ୍ୟ ବାହିନୀର ଛଅଜଣ ସେନାପତି ଯାଉଥିବାବେଳେ ଆସାମର ନାଗା ପାହାଡ଼ ଅଞ୍ଚଳରେ ବିମାନଟିରେ ହଠାତ୍‌ ଗୋଟାଏ ବିସ୍ଫୋରଣ ହେବା ଫଳରେ ବିମାନଟି ଧ୍ୱସଂ ପାଇଛି ଏବଂ ଚାଳକ ସହିତ ଛଅଜଣଯାକ ସେନାଧ୍ୟକ୍ଷ ପ୍ରାଣ ହରାଇଛନ୍ତି ।

 

ଭବାନୀବାବୁ ରେଡ଼ିଓଟା ବନ୍ଦ କରିଦେଲେ । ସାରା ଭାରତବର୍ଷରେ ଅନ୍ତର୍ଘାତୀମାନେ ଅତିଶୟ ସକ୍ରୀୟ ହୋଇ ଉଠିଛନ୍ତି । କ’ଣ ଏହାର ପରିଣତି, କେଉଁଠାରେ ଏହାର ସମାପ୍ତି ।

 

ରାତି ପ୍ରାୟ ନଅଟାବେଳେ ପୁଲିସ ଲେବୋରେଟରୀରୁ ଜଣେ ପିଅନ ଜଉମୁଦଦିଆ ଖଣ୍ଡିଏ ଲଫାପା ଆଣି ଭବାନୀବାବୁଙ୍କୁ ଦେଲା । ହସ୍ତାକ୍ଷର ବିଶେଷଜ୍ଞଙ୍କ ରିପୋର୍ଟ । ଲଫାପାଟି ଛିଣ୍ଡାଇ ଭବାନୀବାବୁ ରିପୋର୍ଟଟି ପଢ଼ିଲେ । ପଢ଼ୁ ପଢ଼ୁ ତାଙ୍କର କପାଳରେଖା କୁଞ୍ଚିତ ହୋଇ ଉଠିଲା । ବିଶେଷଜ୍ଞ ରିପୋର୍ଟ ଦେଇଛନ୍ତି ଯେ ଗୁରୁଦୟାଲ ସିଂ ପାଇଥିବା ବେନାମୀ ଚିଠିଟି ଏବଂ କ୍ୟାପଟେନ୍‍ ପଟ୍ଟନାୟକଙ୍କ ଘରୁ ସଂଗୃହୀତ ହୋଇଥିବା ଟାଇପ୍‌ କାଗଜ ଗୁଡ଼ିକର ଅକ୍ଷର ଏକା ପ୍ରକାର । ଅର୍ଥାତ୍‌ ଗୁରୁଦୟାଲ ସିଂ ପାଇଥିବା ବେନାମୀ ଚିଠି ଖଣ୍ଡିକ କ୍ୟାପଟେନ୍‍ ପଟ୍ଟନାୟକଙ୍କର ମେସିନରେ ଟାଇପ୍‌ କରା ହୋଇଛି ।

 

ଶୀତ ଦିନର ଉଦାସିଆ ସୂର୍ଯ୍ୟାସ୍ତ । ମହାନଦୀର ଆରପାରିର ବିସ୍ତୀର୍ଣ୍ଣ ଓ ଜନହୀନ ପ୍ରାନ୍ତରରେ ପ୍ରାଚୀନ ଅଟ୍ଟଳିକାଟା କିପରି ଭୟାବହ ମନେ ହେଉଛି । ‘‘ମେଭିସ୍‍ ମେଣ୍ଟାଲ ହୋମ୍’’ରେ ଦିନେ ବିକୃତ ମସ୍ତିଷ୍କ ରୋଗୀମାନେ ବୃଦ୍ଧ ଡାକ୍ତର ଡାନିୟେଲ୍‍ଙ୍କର ଦରଦୀ ହାତର ଚିକିତ୍ସା ଓ ସେବାଲାଭ କରୁଥିଲେ । ସେଇ ପବିତ୍ର ସେବାସଦନ ଆଜି ରକ୍ତ ଲୋଲୁପ ପିଶାଚମାନଙ୍କର ଚକ୍ରବ୍ୟୁହ ହୋଇଛି ।

 

ଭିତରପଟର ଗୋଟିଏ ପ୍ରାୟାନ୍ଧକାର ହଲରେ ଖଣ୍ଡିଏ ବଡ଼ ଟେବୁଲ ନିକଟରେ କର୍ଣ୍ଣେଲ ବସିଛନ୍ତି । ତାଙ୍କ ମୁହଁରେ ସେହିପରି ଗୋଟିଏ ପ୍ଲାଷ୍ଟିକ ମୁଖା । ତାଙ୍କ ନିକଟରେ ଆଉ ଖଣ୍ଡିଏ ଚୌକିରେ ବସିଛି ମିସ୍‌ ଜେସ୍‌ମିନ୍‌ । ବାହାରେ ଏ ପର୍ଯ୍ୟନ୍ତ ଦିବାଲୋକ ସମ୍ପୂର୍ଣ୍ଣ ରୂପେ ନିର୍ବାପିତ ନ ହୋଇଥିଲେ ମଧ୍ୟ ଘର ଭିତରଟା ଅନ୍ଧାରୁଆ । ଟେବୁଲ ଉପରେ ଗୋଟିଏ ଇଲେକ୍‌ଟ୍ରିକ୍‌ ଲ୍ୟାମ୍ପ ଜଳୁଛି । ଟେବୁଲ ଉପରେ କେତେଗୁଡ଼ିଏ କାଗଜ ରଖା ହୋଇଛି ଓ ଲ୍ୟାମ୍ପର ମୁହଁଟା ତଳକୁ କରି ଦିଆ ହୋଇଛି । କର୍ଣ୍ଣେଲଙ୍କର ମୁହଁ ଭଲକରି ଦେଖାଯାଉ ନାହିଁ । ଘର କାନ୍ଥରେ କେତୋଟି ବିଜୁଳି ବତୀର ପୟେଣ୍ଟ ଥିଲେ ମଧ୍ୟ ତାହା ଜଳାହୋଇ ନାହିଁ ।

 

ବଡ଼ ଟେବୁଲଟିଏ ନିକଟରେ ଆହୁରି କେତୋଟି ଖାଲି ଚୌକି ମଧ୍ୟ ପଡ଼ିଛି । କାନ୍ଥକଡ଼କୁ କେତେଗୁଡ଼ିଏ କଫିନ୍‌ ପରି ଲମ୍ବା ବାକ୍‌ସ ରଖା ହୋଇଛି । ହଲ୍‌ଟାର ଦୁଇଟି ମାତ୍ର ଦୁଆରରେ କଳା ପର୍ଦ୍ଦା ଝୁଲୁଛି । କିପରି ଗୋଟାଏ ଦୁର୍ଗନ୍ଧରେ ଘରର ବାୟୁସ୍ତର ଭାରାକ୍ରାନ୍ତ । କ୍ଷୀଣ ହେଲେ ମଧ୍ୟ ଅତିଶୟ ସୁସ୍ପଷ୍ଟ । ବହୁକ୍ଷଣ ପର୍ଯନ୍ତ କ’ଣ ଖଣ୍ଡିଏ କାଗଜକୁ ପଢ଼ିସାରି କର୍ଣ୍ଣେଲ ଟେବୁଲ ଉପରେ ଥିବା ଗୋଟିଏ ଘଣ୍ଟା ବଜାଇଲେ । ପର୍ଦ୍ଦାଟେକି ଗୋଟିଏ ଗୁଣ୍ଡାପରି ଲୋକ ଘର ଭିତରେ ପ୍ରବେଶ କଲା । ଲୋକଟାକୁ ଚାହିଁ କର୍ଣ୍ଣେଲ କହିଲେ–ସେମାନଙ୍କର କାମ ଶେଷ ହେଲା ତୋହିଦ୍‌ ଖାଁ ?

 

–ହଁ କର୍ଣ୍ଣେଲ, ସବୁ କାମ ସରିଲାଣି । ଦି’ଟାଯାକ ମୁର୍ଦ୍ଦାର ସଢ଼ି ଯାଇଥିଲା । ବହୁତ ଗହୀରା ଗାତଖୋଳି କଫିନ ସମେତ ମାଇକିନିଆ ଦି’ଟାକୁ କବର ଦିଆହୋଇଛି । ନର୍ସ ଦୁଇଟାକୁ ସେ ବୁଢ଼ା ଡାକ୍ତରଟାର କବର ପାଖରେ ପୋତି ଦିଆହେଲା । ‘‘ବେହେସ୍ତ’’କୁଯାଇ ସେଠାରେ ସେମାନେ ଆଉ ଗୋଟାଏ ପାଗଳା ଗାରଦ ଖୋଲିବେ । କବର ଉପରେ ଭଲକରି କରକଚା ବାଡ଼େଇ ସିମେଣ୍ଟ କରି ଦିଆ ହୋଇଛି ।

 

–ଆଚ୍ଛା, ସମସ୍ତଙ୍କୁ ଏଠାକୁ ଡାକିଆଣ । କର୍ଣ୍ଣେଲ ଆଦେଶ ଦେଲେ ।

 

ତୋହିଦ୍‌ ଖାଁ ଚାଲିଗଲା । କିଛିକ୍ଷଣ ପରେ ଘରର ପର୍ଦ୍ଦା ଟେକି ପାଞ୍ଚଜଣ ଗୁଣ୍ଡା ପ୍ରକୃତିର ଲୋକ ପ୍ରବେଶ କଲେ । ମୁଲ୍ୟବାନ ସାହେବୀ ସୁଟରେ ସମସ୍ତେ ଭୂଷିତ ହୋଇଥିଲେ ମଧ୍ୟ ସେମାନେ ଯେ ଅତି ଭୀଷଣ ଓ ଦୁର୍ଦ୍ଦାନ୍ତ ପ୍ରକୃତିର ନରଦାନବ, ଏହା ସେମାନଙ୍କର ଦେହର ଆକୃତି ଓ ଆଖିର ହିଂସ୍ର ଦୃଷ୍ଟିରୁ ପରିଷ୍କାର ଜଣାଯାଉଥିଲା । ସମସ୍ତଙ୍କୁ କିଛିକ୍ଷଣ ପର୍ଯ୍ୟନ୍ତ ସ୍ଥିର ଦୃଷ୍ଟିରେ ଚାହିଁରହି କର୍ଣ୍ଣେଲ କହିଲେ–ବସ ସୁଲତାନ, ହବିବ୍‍, ଜୟପ୍ରକାଶ, ସୋଲାପୁରୀ–ତୁମେମାନେ ମଧ୍ୟ ବସ । କେତେକ ଜରୁରୀ କଥା ଅଛି ।

 

ସମସ୍ତେ ଚୌକିରେ ବସିଲେ । କିଛିକ୍ଷଣ ନୀରବ ରହି କର୍ଣ୍ଣେଲ କହିଲେ–ଏଠାରେ ବହୁତ ମୃତଦେହ କବର ଦେବା ନିରାପଦ ନୁହେଁ । ସୁତରାଂ ମୁଁ ଏହାହିଁ ଠିକ୍ କରିଥିଲି ଯେ ନର୍ସ ଦୁଇଟାର ମୃତ ଦେହକୁ କଫିନରେ ପୂରାଇ ହେଲିକେପ୍‌ଟର୍‌ ଯୋଗେ ପଠାଇଦେବି । ତା’ପରେ ହେଲିକେପ୍‌ଟର୍‌ ଚାଳକ ରାତିରେ ଶୂନ୍ୟମାର୍ଗରୁ କଫିନ୍‌ ଦୁଇଟାକୁ ଗଭୀର ସମୁଦ୍ର ଭିତରେ ନିକ୍ଷେପ କରିବ କିନ୍ତୁ ତିନି ଦିନ ପର୍ଯ୍ୟନ୍ତ ହେଲିକେପ୍‌ଟର୍‌ ପହଞ୍ଚିଲା ନାହିଁ । କ୍ରମେ ମୁର୍ଦ୍ଦାର ଦୁଇଟାକୁ ଏହିଠାରେ କବର ଦିଆହେଲା । ଏବେ ଆମର ସୁନ୍ଦରବନ କେନ୍ଦ୍ରରୁ ଯେଉଁ ସାଙ୍କେତିକ ରେଡ଼ିଓ ସମ୍ବାଦ ମୁଁ ପାଇଛି, ତାହା ଟିକିଏ ଖରାପ । ଆଗାମୀ ଦୁଇ ତିନି ଦିନ ପର୍ଯନ୍ତ ଆମମାନଙ୍କୁ ଖୁବ୍‌ ସାବଧାନ ରହିବାକୁ ହେବ ।

 

ସମସ୍ତେ ଜିଜ୍ଞାସୁ ଦୃଷ୍ଟିରେ କର୍ଣ୍ଣେଲଙ୍କୁ ଚାହିଁ ରହିଲେ । କର୍ଣ୍ଣେଲ ପୁଣି କହିଲେ–

 

–ଗଭୀର ରାତିରେ ହେଲିକେପ୍‌ଟର୍‍ଟି ସୁନ୍ଦରବନରୁ ଶୂନ୍ୟ ମାର୍ଗରେ ଏଠାକୁ ଆସୁଥିବା ବେଳେ ଭାରତୀୟ ‘‘କୋଷ୍ଟାଲଗାର୍ଡ଼’’ ତାହା ଦେଖିପାରିଲେ ଏବଂ ଦୁଇଟି ଫାଇଟ୍‍ର ପ୍ଲେନ ତାକୁ ଅନୁସରଣ କଲେ । ଆମ ହେଲିକେପ୍‌ଟର୍‍ର ପାଇଲଟ୍‌ ସୁରିନ୍ଦର ସିଂ ଅତିଶୟ ସାହସୀ ଓ ବିଚକ୍ଷଣ ବ୍ୟକ୍ତି କିନ୍ତୁ ଦୁଇଟି ଆଇ.ଏ.ଏଫ୍‌.ର ଫାଇଟ୍‌ର ପ୍ଲେନ ନିକଟରେ ଗୋଟିଏ ହେଲିକେପ୍‍ଟର୍‌ ନେଇ ଆତ୍ମରକ୍ଷା କରିବା ଅସମ୍ଭବ । ଅତଏବ ହେଲିକେପ୍‍ଟର୍‍ଟିକୁ ବାଧ୍ୟ କରି ଦମ୍‌ଦମ୍‌ ବିମାନ ଘାଟିରେ ଉତ୍ତାରି ଦିଆହେଲା । ଆମର ପାଇଲଟ୍‍ ସୁରିନ୍ଦର ସିଂକୁ ପୁଲିସ ବନ୍ଦୀ କରି ବର୍ତ୍ତମାନ ଜେରା କରୁଛି-

 

ସୁଲତାନ କହିଲା–ସୁରିନ୍ଦର ସିଂ ନିକଟରେ କ’ଣ କିଛି କାଗଜପତ୍ର ଥିଲା ?

 

–ନା, କାଗଜପତ୍ର କିଛି ନ ଥିଲା । ହେଲିକେପ୍‍ଟର୍‌ଟାରେ ଜାକର୍ତ୍ତାର ଲାଇସେନ୍‌ସ ନମ୍ୱର ଅଛି । ସୁରିନ୍ଦର ସିଂର ଫ୍ଲାଇଙ୍ଗ୍‌ ଲାଇସେନ୍‌ସ ନାହିଁ କିନ୍ତୁ ସୁରିନ୍ଦର ସିଂ ଆମମାନଙ୍କର ଏଇ ସ୍ଥାନର ଏବଂ ଭାରତବର୍ଷର ଆଉ କେତୋଟି କେନ୍ଦ୍ରର ଠିକଣା ଜାଣେ । ପୁଲିସର ଥାର୍ଡ଼ ଡିଗ୍ରୀ ମେଥଡ଼ରେ ବାଧ୍ୟହୋଇ ସେ ଯଦି ପୁଲିସକୁ ତାହା ଜଣାଇଦିଏ, ତା’ହେଲେ ଆମମାନଙ୍କ ପକ୍ଷରେ ତାହା ନିରାପଦ ହେବ ନାହିଁ । ଅବଶ୍ୟ ଏ ପର୍ଯ୍ୟନ୍ତ ପୁଲିସ ସୁରିନ୍ଦର ସିଂକୁ ଏସପିଓନେଜ ଏଜେଣ୍ଟ ବୋଲି ସନ୍ଦେହ କରିପାରି ନାହିଁ । ଚୋରା ସୁନା ବେପାରୀ ବୋଲି ତାକୁ ପୁଲିସ ଓ କଷ୍ଟମ ବିଭାଗ ସନ୍ଦେହ କରିଛନ୍ତି । ହୁଏତ ସେଇ ଅପରାଧରେ ତାକୁ କେତେ ମାସ ମାତ୍ର କାରାଦଣ୍ଡ ହେବ କିନ୍ତୁ ଆମମାନଙ୍କୁ କିଛିଦିନ ହୁସିଆର ହେବାକୁ ପଡ଼ିବ । ହବିବ୍‌, ତୁମର ସେଇ ଜଗୁ ସର୍ଦ୍ଦାରର ହୋଟେଲଟି କ’ଣ ସମ୍ପୂର୍ଣ୍ଣ ନିରାପଦ ?

 

–ହଁ କର୍ଣ୍ଣେଲ, ଜଗୁ ସର୍ଦ୍ଦାରର ହୋଟେଲ ଆମମାନଙ୍କପରି ଭଦ୍ରବ୍ୟକ୍ତିମାନେ ଲୁଚି ରହିବା ପାଇଁ ଅତି ଆଦର୍ଶ ସ୍ଥାନ । ତା’ଛଡ଼ା ସେଇଟା ନାମକୁ ହୋଟେଲ ମାତ୍ର । ସେପରି ସ୍ଥାନକୁ ଭୋଜନ କରିବା ଉଦ୍ଦେଶ୍ୟରେ କେହି ଯାଆନ୍ତି ନାହିଁ । ଜଗୁ ସର୍ଦ୍ଦାର ଓ ତା’ର ସ୍ତ୍ରୀ ଆଣ୍ଠୁଆମଣୀ ଦେବୀ ଛଡ଼ା ସେଠାରେ ଆଉ କେହି ଚାକର ପୂଜାରୀ ମଧ୍ୟ ରହନ୍ତି ନାହିଁ । ଆଣ୍ଠୁଆମଣୀ ଯାହା ରାନ୍ଧିଦିଏ ଆମମାନଙ୍କପରି ମହାପୁରୁଷ ନ ହେଲେ ଅନ୍ୟକେହି ତାହା ମୁହଁରେ ଦେଇପାରିବ ନାହିଁ-। କେବଳ ଦାଗୀ ବଦ୍‌ମାସମାନଙ୍କୁ ପୁଲିସ ଦୃଷ୍ଟରୁ ଲୁଚାଇ ରଖିବା ପାଇଁ ଜଗୁ ସର୍ଦ୍ଦାର ସେ ହୋଟେଲଟି କରିଛି, ଜଗୁ ନିଜେ ମଧ୍ୟ ବହୁଥର ଜେଲ ଖଟିଛି ।

 

କର୍ଣ୍ଣେଲ ଖୁସି ହୋଇ କହିଲେ–ଖୁବ୍‌ ଭଲ କଥା । ସେଠାରେ ବର୍ତ୍ତମାନ କିଛିଦିନ ତୁମମାନଙ୍କୁ ଲୁଚି ରହିବାକୁ ହେବ । ଆଚ୍ଛା ସୁଲତାନ, ଆଜି ରାତିର ପ୍ରୋଗ୍ରାମ ସବୁ ଠିକ୍‌ ଅଛି ତ ? ଆଜି ରାତି ତିନିଟାଠାରୁ ସାଢ଼େ ତିନିଟା ଭିତରେ ଗୋଟିଏ ମିଲିଟେରୀ ସ୍ପେଶାଲ ଟ୍ରେନ ମହାନଦୀ ପୋଲ ଉପରଦେଇ ପାସ୍‌ କରିବ । ସେଥିରେ ଭାରତୀୟ ସୈନ୍ୟବାହିନୀର ତିନି ବାଟେଲିୟନ ଜାଠ ସୈନ୍ୟ ଯିବେ । ସେମାନଙ୍କ ଭିତରୁ ଯେପରି ଜଣେ ହେଲେ ଏଇ ଦୁର୍ଘଟଣାର ଅଭିଜ୍ଞତା ବର୍ଣ୍ଣନା କରିବାକୁ ବଞ୍ଚି ନ ରହେ । ତୁମେ ପ୍ରସ୍ତୁତ ତ ?

 

ସୁଲତାନ କହିଲା–ମୁଁ ପ୍ରସ୍ତୁତ କର୍ଣ୍ଣେଲ । ରାତିରେ ରେଲଓୟେ ଇଞ୍ଜିନିୟରିଂ ବିଭାଗର ଦୁଇଜଣ ଗ୍ୟାଙ୍ଗମେନ୍‌ ପୋଲ ଉପରେ ପହରା ଦିଅନ୍ତି କିନ୍ତୁ ଆମର ବନ୍ଧୁ ସୁଲେମାନ ଖାଁ ସେମାନଙ୍କ ବିଷୟରେ ଯଥୋଚିତ ବ୍ୟବସ୍ଥା କରି ସାରିଛି । ସୁଲେବାନ ପ୍ରକୃତରେ ଗୋଟିଏ ରତ୍ନ କର୍ଣ୍ଣେଲ । ଟଙ୍କା ପାଇଲେ ସେ କ’ଣ ନ କରି ପାରିବ ଏପରି କାମ ଏ ଦେଶରେ ନାହିଁ । ସେ ସେଇ ଗ୍ୟାଙ୍ଗମେନ ଦୁଇଟାକୁ ଭୁଲାଇ ନଈବାଲି ଉପରକୁ ନେଇ ଆସିବ । ସେହିଠାରେ ସମାନଙ୍କ ହାତଗୋଡ଼ ବାନ୍ଧି ପକାଇଦେବ । ତା’ପରେ ପୋଲ ଉପରକୁ ଯାଇ ମୁଁ ନିଜେ ସବୁ କାମ କରିବି ।

 

ମୁଁ ତ ଆପଣଙ୍କୁ କହିଛି କର୍ଣ୍ଣେଲ–ଯେ ଏଇ ସିକ୍ରେଟ ସର୍ଭିସରେ ଯୋଗଦେବା ପୂର୍ବରୁ ମୁଁ କେତେ ବର୍ଷ ରେଲଓୟେ ଇଞ୍ଜିନିୟର୍‌ ଥିଲି । ସବୁ ଠିକ୍‌ ହୋଇଯିବ । କୌଣସି ଚିନ୍ତା ନାହିଁ । ଆମର ନୂତନ ଆବାସ–ଜଗୁ ସର୍ଦ୍ଦାରର ହୋଟେଲଟି ମଧ୍ୟ ମହାନଦୀ ପୋଲର ଅଦୂରରେ ଅବସ୍ଥିତ-। ଆପଣ ଓ ମିସ୍‌ ଜେସମିନ୍‍ ଯଦି ଘଟଣାବେଳେ ଜଗୁ ସର୍ଦ୍ଦାରର ହୋଟେଲରେ ଉପସ୍ଥିତ ରହନ୍ତେ, ତେବେ ଏଇ ସୁନ୍ଦର ଓ ମନୋରମ ଦୃଶ୍ୟଟି ଆପଣମାନେ ଆଖି ଆଗରେ ଦେଖି ଉପଭୋଗ କରି ପାରନ୍ତେ । ପ୍ରଚଣ୍ଡ ଶବ୍ଦରେ ରେଲଗାଡ଼ି ଲାଇନଚ୍ୟୁତ ହୋଇ ଓଲଟି ପଡ଼ିବ, ଆଉ ତା’ ଭିତରେ ଥିବା ତିନି ହଜାର ପ୍ରାଣ ମୁହୂର୍ତ୍ତକ ଭିତରେ ଉଡ଼ିଯିବ । ନଈ ବାଲି ଉପରେ ମୁର୍ଦ୍ଦାରର ପାହାଡ଼ ଜମିଯିବ । ତିନି ହଜାର ମଣିଷର ମୁର୍ଦ୍ଦାର । ପାକିସ୍ଥାନ ସହିତ ଏତେଦିନ ଯୁଦ୍ଧରେ ଯେତେ ସୈନ୍ୟ ମରିଛନ୍ତି ଆଜି ରାତିରେ ତା’ଠାରୁ ବେଶି ମରିବେ । କଟକ ସହର ଦ୍ୱିତୀୟ ହିରୋସିମାର ଖ୍ୟାତି ଅର୍ଜନ କରିବ । ହାଃ, ହାଃ, ହାଃ, ।

 

ସୁଲତାନ ଖାଁ ଉଚ୍ଚ ଶବ୍ଦରେ ପୈଶାଚିକ ହସ ହସି ଉଠିଲା । କର୍ଣ୍ଣେଲ ତାକୁ ହାତର ଇଙ୍ଗିତରେ ନୀରବ ହେବାକୁ ଇଙ୍ଗିତ କରି କହିଲେ–ମୁଁ ତୁମର ସୌଭାଗ୍ୟ କାମନା କରେ । ଯଦି ତୁମେ କୃତକାର୍ଯ୍ୟ ହୁଅ ତେବେ ତୁମେ ଖୁବ୍ ଭଲଭାବରେ ପୁରସ୍କୃତ ହେବ, ତୁମର ପଦୋନ୍ନତି ହେବ । ବର୍ତ୍ତମାନ ମୁଁ ଓ ମିସ୍‌ ଜେସମିନ୍‌ ଏଠାରୁ ଚାଲିଯିବୁ । ତା’ ପୂର୍ବରୁ ମୁଁ ଆଉ ଗୋଟିଏ ଜରୁରୀ କଥା କହିଦେବାକୁ ଚାହେଁ । ଆମମାନଙ୍କର ପ୍ରୋଗ୍ରାମ ଅନୁସାରେ ଏ ଦେଶର ବହୁ ନେତା, ଉଚ୍ଚ ପଦସ୍ଥ ସରକାରୀ କର୍ମଚାରୀ, ବୈଜ୍ଞାନିକ ପ୍ରଭୃତିଙ୍କୁ ହତ୍ୟା ବା ହରଣଚାଳ କରିବାକୁ ହେବ କିନ୍ତୁ ତା’ର ଏପର୍ଯନ୍ତ କିଛି ବିଳମ୍ୱ ଅଛି । ଆମ ହେଡ଼କ୍ୱାଟରରେ ଏ ପର୍ଯ୍ୟନ୍ତ ସେ ବ୍ୟକ୍ତିମାନଙ୍କର ତାଲିକା ଚୂଡ଼ାନ୍ତ ହୋଇ ନାହିଁ । ଯଥା ସମୟରେ ସେ ନିର୍ଦ୍ଦେଶ ହେଡ଼କ୍ୱାଟରରୁ ଆମେମାନେ ପାଇବା ଓ ତୁମେମାନେ ପ୍ରତ୍ୟେକ ସେ ସୁବିଧା ଓ ସୌଭାଗ୍ୟ ଲାଭ କରିବ । ଆଗାମୀ ଗ୍ରୀଷ୍ମଋତୁ ପୂର୍ବରୁ ଆମମାନଙ୍କର ସୈନ୍ୟବାହିନୀ ଆଗେଇ ପାରିବେ ନାହିଁ । ସୈନ୍ୟବାହିନୀ ଆଗେଇବା ସଙ୍ଗେ ସଙ୍ଗେ ଆମମାନଙ୍କର କାମ ଆରମ୍ଭ ହେବ । ଏହାହିଁ ହେଉଛି ହେଡ଼କ୍ୱାଟରର ନିର୍ଦ୍ଦେଶ କିନ୍ତୁ ତା’ ପୂର୍ବରୁ ଏବଂ ଅବିଳମ୍ୱେ ଅନ୍ୟ ଗୋଟିଏ କାମ କରିବାକୁ ହେବ । ଭବାନୀ ମହାପାତ୍ର ନାମକ ଜଣେ ଅତି ଧୂର୍ତ୍ତ ଓ ଫନ୍ଦିବାଦ ଡିଟେକ୍‌ଟିଭ ଆମମାନଙ୍କର କାର୍ଯ୍ୟକଳାପ ବିଷୟରେ କିଛି ସମ୍ୱାଦ ସଂଗ୍ରହ କରି ପାରିଛି । ତାକୁ ଆଉ ବେଶିଦୂର ଆଗେଇବାକୁ ସୁବିଧାଦେବା ନିରାପଦ ନୁହେଁ । ତାକୁ ଅବିଳମ୍ୱେ ମାରିବାକୁ ହେବ । ମିସ୍‌ ଜେସମିନ୍‌ ଏଇ ସହରର କେତେକ ସ୍ଥାନରେ ଡାକ୍ତର ରୀତା ମେନନ୍‌ ବୋଲି ଆତ୍ମପ୍ରକାଶ କରିଛନ୍ତି । ତାଙ୍କ ବିଷୟରେ ଏଇ ଡିଟେକ୍‌ଟିଭଟା କେତେକ ତଥ୍ୟ ସଂଗ୍ରହ କରି ପାରିଛି ବୋଲି ମୋର ବିଶ୍ୱାସ । ଅତଏବ ତା’ର ବଞ୍ଚି ରହିବା ଆଉ ଉଚିତ ନୁହେଁ କିନ୍ତୁ ତାକୁ ଅକ୍ତିଆର କରିବା ସହଜ କଥା ନୁହେଁ । ସେ ଯେପରି ଧୂର୍ତ୍ତ ସେହିପରି ବଳବାନ । ମୁଁ ମନେ କରୁଛି ତାକୁ ଲୋକାନ୍ତରକୁ ପ୍ରେରଣ କରିବାର ଦାୟିତ୍ୱ ମିସ୍‌ ଜେସମିନ୍‌ ନିଜେ ନିଅନ୍ତୁ । ତାଙ୍କର ଇଚ୍ଛା ଓ ନିର୍ଦ୍ଦେଶମତେ ଆମର ଅନ୍ୟ ସହକର୍ମୀମାନେ ତାଙ୍କୁ ସାହାଯ୍ୟ କରିବେ ।

 

ଏତିକିବେଳେ ତୋହିଦ ଖାଁ ଘର ଭିତରକୁ ପଶିଆସି ଉତ୍ତେଜିତ କଣ୍ଠରେ କହିଲା–ପୁଲିସ ! ପୁଲିସ ! ଗୋଟିଏ ଜୀପ୍‍ର କେତେଜଣ ପୁଲିସ ଅଫିସର ଆସି ଡାକ୍ତର ମିର୍ଜାଙ୍କ ସହିତ କ’ଣ କଥା ହେଉଛନ୍ତି ।

 

ଏ ସମ୍ୱାଦରେ କର୍ଣ୍ଣେଲ ଓ ଜେସମିନ୍‌ ଛଡ଼ା ଅନ୍ୟମାନେ ଭୟଭୀତ ହୋଇ ଉଠିଲେ କିନ୍ତୁ କର୍ଣ୍ଣେଲଙ୍କର କୌଣସି ଭାବାନ୍ତର ହେଲା ନାହିଁ । ଧୀର କଣ୍ଠରେ କହିଲେ–ସମସ୍ତେ ଆମର ଗୁପ୍ତ ବାଟଦେଇ ବାହାରିଯାଅ । ମୁଁ ଓ ମିସ୍‌ ଜେସମିନ୍ ମଧ୍ୟ ବର୍ତ୍ତମାନ ଚାଲି ଯାଉଛୁ । ଭୟଭୀତ ହେବାର କୌଣସି କାରଣ ନାହିଁ ।

 

ସିଟି ଇନିସ୍ପେକ୍ଟର ଗଡ଼ାନୟକ, ସବ୍‌ଇନିସ୍ପେକ୍ଟର ଇଉସୁଫ୍‌ ଓ ଆଉ ଦୁଇଜଣ ସର୍ଜେଣ୍ଟ ଖଣ୍ଡିଏ ପୁଲିସ ଜୀପରେ ଆସି ‘‘ମେଭିସ୍‌ ମେଣ୍ଟାଲ ହୋମ୍‌’’ର ଗେଟ୍ ନିକଟରେ ପହଞ୍ଚିଲେ-। ସେତେବେଳକୁ ସଞ୍ଜ ହୋଇଗଲାଣି । ଚାରିଆଡ଼େ ଶୀତଦିନର କୁହୁଡ଼ିଆ ଅନ୍ଧାର ଘୋଟିଗଲାଣି । ନିର୍ଜନ ପ୍ରାନ୍ତର ଉପରେ ବିଶାଳ ପ୍ରାଚୀନ ଅଟ୍ଟାଳିକାଟା କିପରି ପ୍ରେତପୁରୀ ପରି ମନେ ହେଉଛି । ଅଟ୍ଟାଳିକାଟାକୁ ଲାଗି ଗୋଟିଏ ଦରଭଙ୍ଗା ପୁରୁଣା ଗୀର୍ଜା । ତା’ରି ଅନ୍ଧକାରମୟ ମିନାର ଉପରେ ବସି ରହି ରହି ଗୋଟିଏ ପେଚା ବୋବାଉଛି । ଗୀର୍ଜାକୁ ଲାଗି କବର ସ୍ଥାନ । ବଡ଼ ବଡ଼ ଗଛ ଓଳ୍ପ ନାନା ଜାତିର ଲତା ସ୍ଥାନଟାକୁ ଘୋର ଅନ୍ଧକାରମୟ କରି ରଖିଅଛି ।

 

ଡାକ୍ତର ମିର୍ଜା ଆସି ଗେଟ୍ ଖୋଲିଦେଇ ଆଗନ୍ତୁକମାନଙ୍କୁ ଜିଜ୍ଞାସୁ ଦୃଷ୍ଟିରେ ଚାହିଁଲେ-। ଇନିସ୍ପେକ୍ଟର ଗଡ଼ନାୟକ ନିଜର ପରିଚୟ ଦେଇ ନମ୍ର କଣ୍ଠରେ କହିଲେ ଏଇ ‘‘ମେଣ୍ଟାଲ ହୋମ୍‍’’ର ଡାକ୍ତରଙ୍କ ସହିତ ଆମେମାନେ ଦେଖା କରିବାକୁ ଚାହୁଁ ।

 

ଅତିଶୟ ଭଦ୍ର କଣ୍ଠରେ ଡାକ୍ତର ମିର୍ଜା କହିଲେ–ଆପଣମାନେ ଦୟା କରି ଭିତରକୁ ଆସନ୍ତୁ । ମୋର ନାମ ଡକ୍‌ଟର ମିର୍ଜା, ଏ ‘‘ମେଣ୍ଟାଲ ହୋମ୍‍’’ର ମୁଁ ଜଣେ ଚିକିତ୍ସକ ।

 

ଇନିସ୍ପେକ୍ଟର ଗଡ଼ନାୟକ ଓ ଅନ୍ୟାନ୍ୟମାନେ ଭିତରକୁ ଚାଲିଲେ । ଗେଟ୍‌ ପାରିହେଲେ ବିସ୍ତୀର୍ଣ୍ଣ ପ୍ରାଙ୍ଗଣ । ସେଇ ଅନ୍ଧକାରମୟ ପ୍ରାଙ୍ଗଣର ଅପରପାର୍ଶ୍ୱରେ ପୁଞ୍ଜିଭୂତ ଅନ୍ଧକାରପରି କେତେଗୁଡ଼ିଏ ମୂର୍ତ୍ତି ତରତର ହୋଇ ଚାଲିଯିବାପରି ଦେଖାଗଲା । ଦୂର ଅନ୍ଧକାର ଭିତରୁ କିଏ ଯେପରି ବିକଟ ଚିତ୍କାର କରି ଉଠିଲା । କୌଣସି ବନ୍ୟଜନ୍ତୁର ଗର୍ଜନ ପରି ସେ ଚିତ୍କାର-। ଇଉସୁଫ୍ ହଠାତ୍‌ ଟର୍ଚ୍ଚଲାଇଟ ଜଳାଇଦେଲା କିନ୍ତୁ ସେତେବେଳକୁ ଛାୟାମୂର୍ତ୍ତିଗୁଡ଼ିକ ଆଉ ସେଠାରେ ନ ଥିଲେ । ଇନିସ୍ପେକ୍ଟର ଗଡ଼ନାୟକ କହିଲେ–ଏପରି ଚିତ୍‌କାର କିଏ କଲା ଡକ୍‌ଟର ମିର୍ଜା ! ତା’ଛଡ଼ା ସେ ଛାୟାମୂର୍ତ୍ତିପରି ସେଗୁଡ଼ାକ କ’ଣ ପଳେଇଗଲେ ।

 

ଅମାୟିକ ହସ ହସି ଡାକ୍ତର ମିର୍ଜା କହିଲେ–ଇନିସ୍ପେକ୍ଟର ସାହେବ, ଆପଣ ଏ ଯେଉଁ ସ୍ଥାନକୁ ଆସିଛନ୍ତି ତାହାକୁ କୌଣସି ସାଧାରଣ ରୋଗୀଙ୍କ ଚିକିତ୍ସାଳୟ ନୁହଁ । ଏହା ଗୋଟିଏ ବାତୁଳାଳୟ । ଏଠାକାର ରୋଗୀମାନେ ବିକୃତ ମସ୍ତିଷ୍କ । ଖାଲି ଏହିପରି ଚିତ୍କାର ନୁହେଁ–ଆହୁରି ବହୁ ରକମର ଚିତ୍କାର ଏମାନେ କରନ୍ତି । କିଏ ବା ବାଘପରି ଗର୍ଜନ କରେ ଆହୁରି କିଏ ବା ଦିନସାରା କୋଇଲିପରି ବୋବାଉଥାଏ । ଆପଣମାନଙ୍କ ପକ୍ଷରେ ଏପରି ବିଚିତ୍ର ଚିତ୍‌କାର ନୂଆ ହେଲେ ମଧ୍ୟ ଆମେମାନେ ତାହା ଶୁଣି ଶୁଣି ଅଭ୍ୟସ୍ତ । ତା’ଛଡ଼ା ଆପଣମାନେ ଯେଉଁ ସମୟରେ ଆଜି ଏଠାକୁ ଆସିଲେ ସେଇଟା ମୁକ୍ତବାୟୁରେ ରୋଗୀମାନଙ୍କର ଟିକିଏ ବ୍ୟାୟାମ କରିବାର ସମୟ । ସେଇ ରୋଗୀମାନେ ବ୍ୟାୟାମ ଶେଷ କରି ନିଜ ନିଜର ସେଲ ଭିତରକୁ ଗଲେ କିନ୍ତୁ ଆପଣମାନେ ଏ ଥଣ୍ଡାରେ ବାହାରେ ଛିଡ଼ାହୋଇ ରହିଲେ କାହିଁକି ? ଦୟା କରି ମୋ ଅଫିସ ଭିତରକୁ ଆସନ୍ତୁ ।

 

ସମସ୍ତେ ଯାଇ ଡାକ୍ତର ମିର୍ଜାଙ୍କ ଅଫିସ ଘର ଭିତରେ ବସିଲେ । ଘର ଭିତରଟି ଉଷୁମ ଓ ଆରାମ ଦାୟକ । କେତୋଟି କାଚ ଆଲମାରୀରେ ବହି ଓ ଡାକ୍ତରୀ ଯନ୍ତ୍ରପାତି ଭର୍ତ୍ତିହୋଇ ରହିଛି-। କାନ୍ଥରେ ମହାତ୍ମା ଯୀଶୁଙ୍କର ବଡ଼ ଖଣ୍ଡିଏ ତୈଳଚିତ୍ର ଝୁଲୁଛି, ଡାକ୍ତର ମିର୍ଜା ଘଣ୍ଟା ବଜାଇଲେ । ଗୋଟିଏ ବାଳକ ଭୃତ୍ୟ ଘର ଭିତରେ ପ୍ରବେଶ କଲା । ଡାକ୍ତର ମିର୍ଜା କହିଲେ–ଜୋସେଫ କେତେକ କପ୍‌ ଗରମ ଚା ଶୀଘ୍ର କରିଆଣ ।

 

ତା’ପରେ ଇନିସ୍ପେକ୍ଟର ଗଡ଼ନାୟକଙ୍କ ଆଡ଼େ ଚାହିଁ କହିଲେ–ଏବେ କହନ୍ତୁ ସାର୍‌, ମୁଁ ଆପଣମାନଙ୍କ ପାଇଁ କ’ଣ କରିପାରେ । ଆପଣମାନେ ଦେଶର ଶାନ୍ତି ରକ୍ଷକ, ଆପଣମାନଙ୍କ କାମରେ କୌଣସି ସାହାଯ୍ୟ କରି ପାରିବାର ଅର୍ଥ ହେଉଛି ସମଗ୍ର ଜାତିକୁ ସେବା କରିବା ।

 

ଇନିସ୍ପେକ୍ଟର ଗଡ଼ନାୟକ କହିଲେ–ଏଇ ଚିକିତ୍ସାଳୟଟି କ’ଣ କାହାରି ବ୍ୟକ୍ତିଗତ ଅନୁଷ୍ଠାନ–ନା’ ସର୍କାରୀ ସାହାଯ୍ୟପ୍ରାପ୍ତ ଡାକ୍ତରଖାନା !

 

ଇନିସ୍ପେକ୍ଟରଙ୍କର ପ୍ରଶ୍ନ ଶୁଣି ଡାକ୍ତର ମିର୍ଜା ଧୀରେ ଧୀରେ କହିଲେ–ନା ଇନିସ୍ପେକ୍ଟର ସାହେବ, ଏ ଅନୁଷ୍ଠାନଟି ଏ ପର୍ଯ୍ୟନ୍ତ ସରକାରୀ ସାହାଯ୍ୟ ପାଇ ନାହିଁ । ରେଭରେଣ୍ଡ ଆର୍ଥର ଡାନିୟେଲ୍‍ ବୋଲି ଜଣେ ମହାପୁରୁଷ ଅଛନ୍ତି । ସେ ଜଣେ ପୃଥିବୀ ବିଖ୍ୟାତ ଚିକିତ୍ସକ । ଇଚ୍ଛା କରିଥିଲେ ସେ ଜୀବନରେ ଅଜସ୍ର ଅର୍ଥ ଉପାର୍ଜନ କରି ତାଙ୍କର ସ୍ୱଦେଶରେ ପରମ ସୁଖଶାନ୍ତିରେ ଜୀବନଯାପନ କରିପାରି ଥାଆନ୍ତେ କିନ୍ତୁ ତା’ ନ କରି ଧର୍ମ ଓ ଜନସେବାକୁ ସେ ତାଙ୍କର ଜୀବନର ବ୍ରତ ବୋଲି ଗ୍ରହଣ କରିନେଲେ । କୌଣସି ସୁସଭ୍ୟ ସହରରେ ନ ରହି ତାଙ୍କର ସ୍ତ୍ରୀ ଓ ଏକମାତ୍ର କନ୍ୟା ମେଭିସ୍‌କୁ ନେଇ ବରମୁଲା ନାମକ କାଶ୍ମୀରର ଏକ ଦୁର୍ଗମ ଉପତ୍ୟକାରେ ସେ ଦୁର୍ଗତମାନଙ୍କ ସେବାରେ ଜୀବନ କଟାଇବାକୁ ଲାଗିଲେ ।

 

ତା’ପରେ ଆପଣ ଜାଣନ୍ତି ୧୯୪୭ ସାଲରେ ବର୍ବର ପାକିସ୍ଥାନୀ ଉପଜାତିର ଲୋକମାନେ କାଶ୍ମୀର ଆକ୍ରମଣ କଲେ । ଶହ ଶହ ନରନାରୀଙ୍କୁ ନିର୍ମମ ଭାବରେ ହତ୍ୟାକଲେ । ଘରଦ୍ୱାର ଭାଙ୍ଗି ଜଳାଇ ଦେଲେ । ସେଇ ପିଶାଚମାନଙ୍କ ହାତରେ ଡାକ୍ତର ଡାନିୟେଲ୍‍ଙ୍କର ସ୍ତ୍ରୀ ଓ କନ୍ୟା ମଧ୍ୟ ପ୍ରାଣ ହରାଇଲେ । ବରମୁଲାର କନଭେଣ୍ଟ, ଗୀର୍ଜା ଓ ଡାକ୍ତରଖାନା ତାଙ୍କର ଆଖି ଆଗରେ ପୋଡ଼ିଜଳି ଧ୍ୱଂସ ହୋଇଗଲା । ଶହ ଶହ ନରନରୀ ଓ ଶିଶୁ ପ୍ରାଣ ହରାଇଲେ କିନ୍ତୁ ସେ ନିଜେ ଯେ କିପରି ବଞ୍ଚି ରହିଲେ ସେ କଥା ସେ ମଧ୍ୟ ଜାଣନ୍ତି ନାହିଁ ।

 

ଏଇ ଘରଟି କ୍ୟାଥ୍‌ଲିକ ଚର୍ଚ୍ଚର ସମ୍ପତ୍ତି । ଦର ଭଙ୍ଗା ହୋଇ ବହୁକାଳରୁ ପଡ଼ି ରହିଥିଲା-। ଏଇ ଇମାରତ୍‌ଟି କ୍ରୟ କରି ଓ ବହୁ ଅର୍ଥବ୍ୟୟରେ ଏହାକୁ ମରାମତି କରି ଡାକ୍ତର ଡାନିୟାଲ ନିଜେ ଏଇ ବାତୁଳାଳୟଟି ପ୍ରତିଷ୍ଠା କରିଛନ୍ତି । ତାଙ୍କର ନିଜ ଅର୍ଥରେ ଏହା ଚଳେ, ମୁଁ ମଧ୍ୟ ତାଙ୍କର ଜଣେ କର୍ମଚାରୀ । ଏପର୍ଯ୍ୟନ୍ତ ଏହା ସର୍କାରୀ ସାହାଯ୍ୟ ପାଇ ନାହିଁ ।

 

କିଛିକ୍ଷଣ ନୀରବ ରହି ଇନିସ୍ପେକ୍ଟର ଗଡ଼ନାୟକ କହିଲେ–ମୁଁ ସମ୍ୱାଦ ପାଇଲି ଯେ କେତେକ ଦିନ ପୂର୍ବେ ହଠାତ୍‌ ଅତି ଆକସ୍ମିକ ଭାବରେ ଡାକ୍ତର ଡାନିୟେଲ୍‍ ଏଠାରୁ କେଉଁଆଡ଼େ ଚାଲି ଯାଇଛନ୍ତି, ସେ କେଉଁଠାକୁ ଯାଇଛନ୍ତି ଏବଂ କେବେ ଫେରିବେ ଏ କଥା ଆପଣ କହି ପାରିବେ କି ?

 

ଏହି ସମୟରେ ବାଳକ ଭୃତ୍ୟ ଜୋସେଫ୍‌ ଗୋଟିଏ ଟ୍ରେରେ କେତେ କପ୍‌ ଗରମ ଚା’ ଧରି ଉପସ୍ଥିତ ହେଲା । ଅତିଥିମାନଙ୍କୁ ନିଜ ହାତରେ ଚା’ କପ୍‌ ବଢ଼ାଇ ଦେଉଦେଉ ଡାକ୍ତର ମିର୍ଜା କହିଲେ–ଆପଣ ଠିକ୍ ସମ୍ୱାଦ ପାଇଛନ୍ତି ଇନିସ୍ପେକ୍ଟର ସାହେବ । ଆଜି ଅପରାହ୍ନ ପର୍ଯ୍ୟନ୍ତ ମୁଁ ମଧ୍ୟ ଆପଣଙ୍କ ପରି ଚିନ୍ତିତ ଥିଲି କିନ୍ତୁ ଆଜି ଅପରାହ୍ନ ଦୁଇଟାବେଳେ ମୁଁ ତାଙ୍କଠାରୁ ଖଣ୍ଡିଏ ଟେଲିଗ୍ରାମ ପାଇଲି ।

 

ଡ୍ର ଭିତରୁ ଖଣ୍ଡିଏ ଟେଲିଗ୍ରାମ କାଢ଼ି ଡାକ୍ତର ମିର୍ଜା ଆଗେଇ ଦେଲେ । ଇନିସ୍ପେକ୍ଟର ଟେଲିଗ୍ରାମ ଖଣ୍ଡିକ ଉଠାଇନେଇ ପଢ଼ିଲେ । ବମ୍ୱେର ‘‘ମେରାଇନ୍‌ ଡ୍ରାଇଭ’’ ପୋଷ୍ଟ ଅଫିସରୁ ପୂର୍ବଦିନ ତାରଟି ପଠାହୋଇଛି । ଡାକ୍ତର ମିର୍ଜାଙ୍କୁ ରେଭରେଣ୍ଡ ଡାନିୟେଲ୍‍ ଜଣାଇଛନ୍ତି ଯେ–‘‘ଯଥେଷ୍ଟ ଅର୍ଥ ଏ ପର୍ଯ୍ୟନ୍ତ ସଂଗ୍ରହ କରିପାରି ନାହିଁ । ଫେରିବାକୁ କିଛିଦିନ ବିଳମ୍ୱ ହେବ । ‘ମେଣ୍ଟାଲ ହୋମ୍‌’ର କାର୍ଯ୍ୟରେ ସେପରି ତ୍ରୁଟି ନ ହୁଏ ।

 

ଟେଲିଗ୍ରାମଟି ପଢ଼ିସାରି ଇନିସ୍ପେକ୍ଟର କହିଲେ–ଯଥେଷ୍ଟ ଅର୍ଥ ସଂଗ୍ରହ ବିଷୟରେ ଡାକ୍ତର ଡାନିୟେଲ୍‍ କ’ଣ ବୁଝାଉଛନ୍ତି ?

 

ସାମାନ୍ୟ ହସି ଡାକ୍ତର ମିର୍ଜା କହିଲେ–ତା’ର ଆଉ କୌଣସି ଭାବାର୍ଥ ନାହିଁ ସାର୍‍ । ଆପଣ ଶୁଣିଲେ ଯେ ଏଇ ବାତୁଳାଳୟର ସବୁ ଖର୍ଚ୍ଚ ଡାକ୍ତର ଡାନିୟେଲ୍‍ ନିଜେ ବହନ କରନ୍ତି । ଏଇ ଅନୁଷ୍ଠାନଟିର ଖର୍ଚ୍ଚ ମଧ୍ୟ ବିପୁଳ । ଡାକ୍ତର ଡାନିୟେଲ୍‍ ଧନୀ ହେଲେ ମଧ୍ୟ ଏପରି ବିପୁଳ ଅର୍ଥ ତାଙ୍କ ପକ୍ଷରେ ଖର୍ଚ୍ଚ ଏକା ବହନ କରିବା ଅସମ୍ଭବ । ତଥାପି ସର୍କାରୀ ସାହାଯ୍ୟ ପାଇବା ପର୍ଯ୍ୟନ୍ତ ଏଇ ଅନୁଷ୍ଠାନଟିକୁ ବଞ୍ଚାଇ ରଖିବାକୁ ହେବ । ସେଥିପାଇଁ ଡାକ୍ତର ଡାନିୟେଲ୍‍ ଅର୍ଥ ସଗ୍ରହ କରିବା ପାଇଁ ବମ୍ୱେ ଯାଇଛନ୍ତି କିନ୍ତୁ ବମ୍ୱେରେ ତାଙ୍କର ବର୍ତ୍ତମାନର ଠିକଣା କହିବା ମୋ ପକ୍ଷରେ ସମ୍ଭବ ନୁହେଁ ।

 

ବହୁକ୍ଷଣ ପର୍ଯ୍ୟନ୍ତ ଇନିସ୍ପେକ୍ଟର କ’ଣ ଚିନ୍ତାକଲେ । ତା’ପରେ କହିଲେ–ଆପଣଙ୍କର ଏଇ ଚିକିତ୍ସାଳୟରେ ଦୁଇଜଣ ସ୍ଥାନୀୟ ଲୋକ ‘‘ସୁଇପର୍‌’’ କାମ କରୁଥିଲେ । ସେମାନେ ଦୁଇଜଣଯାକ ଜଣକପରେ ଜଣେ ସାପ କମୁଡ଼ାରେ ମଲେ । ଏ କଥା ସତ ନୁହେଁ କି ?

 

–ସମ୍ପୂର୍ଣ୍ଣ ସତ ଇନିସ୍ପେକ୍ଟର ସାହେବ ।

 

ସାମାନ୍ୟ ଗମ୍ଭୀର କଣ୍ଠରେ ଗଡ଼ନାୟକ କହିଲେ–କିନ୍ତୁ ଏହା କିପରି ଟିକିଏ ଅସ୍ୱାଭାବିକ ମନେ ହେଉନାହିଁ କି ?

 

ମୁହଁରେ ସାମାନ୍ୟ ଟିକିଏ ବ୍ୟଙ୍ଗର ହସ ଫୁଟାଇ ଡାକ୍ତର ମିର୍ଜା କହିଲେ–କାହିଁ ଆଦୌ ଏହାକୁ ଗୋଟିଏ ଅସ୍ୱାଭାବିକ ଘଟଣା ବୋଲି ତ ମୁଁ ମନେ କରୁନାହିଁ ସାର୍‌ । ସେମାନେ ଯେ ରାତିରେ ଗାଁକୁ ଫେରିବା ବାଟରେ ସର୍ପାଘାତରେ ମରିଛନ୍ତି, ଏହା ମୁଁ ଶୁଣିଛି ମାତ୍ର । ମୁଁ ନିଜେ ଯାଇ ମୃତଦେହ ଦେଖି ନାହିଁ କିନ୍ତୁ ଆପଣ କ’ଣ ପ୍ରମାଣ ପାଇଛନ୍ତି ଯେ ସର୍ପାଘାତ ସେମାନଙ୍କର ମୃତ୍ୟୁର କାରଣ ନୁହେଁ ?

 

–ସର୍ପାଘାତଦ୍ୱାରା ସେମାନଙ୍କର ଯେ ମୃତ୍ୟୁ ହୋଇଛି ଏହା ପ୍ରମାଣିତ । ଡାକ୍ତର ମଧ୍ୟ ସେହିପରି ମତ ଦେଇଛନ୍ତି । ତେବେ–

 

ସାମାନ୍ୟ ହସି ଡାକ୍ତର ମିର୍ଜା କହିଲେ–ତେବେ ସେଇ ବିଷଧର ସାପଟିକୁ ଖୋଜି ତାକୁ ମାରିଦେବା ହେଉଛି ଆପଣମାନଙ୍କର ପ୍ରଥମ ଓ ପ୍ରଧାନ କର୍ତ୍ତବ୍ୟ । ଗୋଟାଏ ବିଷଧର ସାପ ଦୁଇଟି ବିଭିନ୍ନ ରାତିରେ ଦୁଇଟି ଅସତର୍କ ବାଟୋଇକୁ କାହିଁକି ଦଂଶନ କଲା, ଏହାର ଗବେଷଣାରେ ସମୟ ନଷ୍ଟ ନ କରି ଆହୁରି ଅଧିକ ଲୋକ ଯେପରି ସର୍ପାଘାତରେ ନ ମରନ୍ତି ତା’ର ବ୍ୟବସ୍ଥା କରିବା ଉଚିତ ।

 

ଉପର ମହଲାରେ କିଏ ଗୋଟାଏ ବିକଟ ଚିତ୍‌କାର କରି ଉଠିଲା । ଇନିସ୍ପେକ୍ଟର ଗଡ଼ନାୟକ ଜିଜ୍ଞାସୁ ଦୃଷ୍ଟିରେ ମିର୍ଜା ସାହେବଙ୍କୁ ଚାହିଁଲେ । ସାମାନ୍ୟ ହସି ଡାକ୍ତର ମିର୍ଜା କହିଲେ–ରୋଗୀମାନଙ୍କର ରାତ୍ରି ଭୋଜନର ବେଳ ହୋଇଗଲାଣି । କେତେଜଣ ବଡ଼ ଉଗ୍ର ମିଜାଜ୍‌ର ପାଗଳ ଅଛନ୍ତି । ଆପଣମାନେ ଯାହାକୁ କହନ୍ତି ‘‘ଭାଉଲେଣ୍ଟ ଲୁନାଟିକ୍‌’’ । ମୁଁ ନିଜେ ଉପସ୍ଥିତ ନ ରହିଲେ ଅନ୍ୟ କର୍ମଚାରୀମାନେ ସେମାନଙ୍କୁ ଖାଇବାକୁ ଦେବାଲାଗି ସାହସ କରନ୍ତି ନାହିଁ ।

 

ଇନିସ୍ପେକ୍ଟର ଗଡ଼ନାୟକ ଓ ଅନ୍ୟ ପୁଲିସ କର୍ମଚାରୀମାନେ ବିଦାୟ ନେଲେ । ଡାକ୍ତର ମିର୍ଜା ସେମାନଙ୍କୁ ଗେଟ୍‌ ପର୍ଯ୍ୟନ୍ତ ପହୁଞ୍ଚାଇ ଦେଲେ । ଜୀପ୍‌ ଚାଲିଗଲା, ସେଇଆଡ଼େ କିଛିକ୍ଷଣ ଚାହିଁ ରହିବାପରେ ଡାକ୍ତର ମିର୍ଜା ଉଚ୍ଚ ଶବ୍ଦରେ ହସି ଉଠିଲେ । ବେପରୋୟା ଓ ପୈଶାଚିକ ହସ । ଠିକ୍‌ ସେତିକିବେଳେ ଭଙ୍ଗା ଗୀର୍ଜାର ଅନ୍ଧକାରମୟ ମିନାର ସନ୍ଧିରୁ ଗୋଟାଏ ପେଚା କର୍କଶ ଶବ୍ଦରେ ବୋବାଇ ଉଠିଲା ।

 

ଜଗୁ ସର୍ଦ୍ଦାର ଓ ତା’ର ତଥାକଥିତ ହୋଟେଲଟିର ଯତ୍‌ସାମାନ୍ୟ ବର୍ଣ୍ଣନା ପ୍ରୟୋଜନ । କଟକ ରେଲଷ୍ଟେସନର ପ୍ରାୟ ଏକ ମାଇଲ ଉତ୍ତରକୁ ମହାନଦୀ ପୋଲର ଅନତି ଦୂରରେ ଯେଉଁ ଖଣ୍ଡିଏ ଭଙ୍ଗା ପଥରଘର ଦେଖାଯାଏ, ତାହା ଯେ ମନୁଷ୍ୟ ବସତିର ସମ୍ପୂର୍ଣ୍ଣ ଅଯୋଗ୍ୟ, ଏହା ଯେ କୌଣସି ଲୋକ ଅନାୟାସରେ କହିବ । ମାତ୍ର ତିନି ବଖରା ଘର । ସେଥିରୁ ଦୁଇ ବଖରାର ଛାତ ଭୁଷୁଡ଼ି ପଡ଼ିଛି । ଚାରିଆଡ଼େ ମଣିଷେ ଉଞ୍ଚ ଅରମା ବଣ । ଆଖପାଖରେ ଲୋକାଳୟ ନାହିଁ । ଇଟା ଓ ପଥରର ଗଦା ଡେଇଁ ଘରଟି ନିକଟରେ ପହଞ୍ଚିବାକୁ ହୁଏ । ଯଦି ଏଇ ଦୁର୍ଗମ ପଥ ପାରିହୋଇ କେହି ଭଙ୍ଗା ଘରଟା ନିକଟରେ ପହଞ୍ଚିପାରେ, ତେବେ କାନ୍ଥ ଉପରେ ମରା ହୋଇଥିବା ଗୋଟିଏ ଟିଣର ସାଇନବୋର୍ଡ଼ ସେ ଦେଖିବାକୁ ପାଇବ । ଖଣ୍ଡେ ବଡ଼ କୋରାସିନ ଟିଣ ଉପରେ ଆଲ୍‌କାତରା ବୋଳି ତା’ ଉପରେ ଚୂନରେ ଲେଖା ହୋଇଛି ‘‘ପଥିକ ବନ୍ଧୁ ହୋଟେଲ’’ ।

 

ସାମନା କୋଠରୀଟି ଛାଡ଼ି ଭିତରର ଦୁଇଟି କୋଠରୀର ଛାତ ଭୁଷୁଡ଼ି ପଡ଼ିଛି । ଝାଟି ଓ ଛଣ ପକାଇ ଜଗୁ ସର୍ଦ୍ଦାର ଘର ଦୁଇଟିର ଉର୍ଦ୍ଧ୍ୱଭାଗକୁ ଘୋରାଇ ଦେଇଛି । ଘରର ଚଟାଣ ଓ କାନ୍ଥ ଦେହରୁ ବହୁ କାଳରୁ ଚୂନ ଓ ସିମେଣ୍ଟ ଉଠିଗଲାଣି । ଏହା ହିଁ ହେଲା ଜଗୁ ସର୍ଦ୍ଦାରର ହୋଟେଲ । ଜଗୁ ସର୍ଦ୍ଦାରର ପତିବ୍ରତା ସହଧର୍ମିଣୀ ଆଣ୍ଠୁଆମଣୀ ଏ ହୋଟେଲଟିର ସର୍ବୋମୟୀ କର୍ତ୍ତୀ । ଚାକର ବା ପୂଜାରୀ କେହି ନାହାନ୍ତି । ରେଲଓୟେ ଗ୍ୟାଙ୍ଗ୍‌ କୁଲିମାନେ କେବେ କେବେ ଏଠାରୁ ଚା ଓ ବିଡ଼ି କିଣନ୍ତି । କେହି କେହି ବା ଭାତ ଖା’ନ୍ତି କିନ୍ତୁ ଭାତ ଖାଇବା ଲୋକଙ୍କ ସଂଖ୍ୟା ଅତି କମ୍‌ ।

 

ରାତିରେ କେବେ କେବେ ଏଇ ହୋଟେଲଟିରେ କିଛି କାରବାର ହୁଏ । ସହରର ଏବଂ ସହର ବାହାରର ଚୋରମାନେ ଏଠାକୁ ଆସନ୍ତି–ଜଗୁ ସର୍ଦ୍ଦାରକୁ ସେମାନେ ଖୁବ୍‌ ଖାତିରି କରନ୍ତି । ଆଣ୍ଠୁଆମଣୀ ସେମାନଙ୍କୁ ମଦ ଓ ଅଫିମ ଚୋରାରେ ବକ୍ରି କରେ । ଯଥେଷ୍ଟ ରୋଜଗାର ମଧ୍ୟ କରେ ।

 

ଜଗୁ ସର୍ଦ୍ଦାର ଜଣେ ଅବସରପ୍ରାପ୍ତ ଦସ୍ୟୁ । ଜୀବନରେ ବହୁଥର ସେ କାରାବରଣ କରିଛି । ଅବଶେଷରେ ଉତ୍ତର ବାଲେଶ୍ୱରର ଗ୍ୟାଙ୍ଗ୍‌ କେସରେ ଦୀର୍ଘକାଳ କାରାବାସ କରିବା ପରେ ସେ ଦସ୍ୟୁବୃତ୍ତିରୁ ଅବସର ନେଇ ଏଇ ସ୍ୱାଧୀନ ବ୍ୟବସାୟଟି ଖୋଲିଛି । ବୟସ ପ୍ରାୟ ଷାଠିଏ ବର୍ଷ । ଅତିଶୟ ମୋଟା ଓ କୁତ୍ସିତ ଦର୍ଶନ ଲୋକଟା । ବାମ ଆଖିଟି କଣା କିନ୍ତୁ ଦସ୍ୟୁବୃତ୍ତିର ବିଭିନ୍ନ ଶାଖାରେ ତା’ର ଅଭିଜ୍ଞତା ପ୍ରଚୁର ରହିଛି । ସେଥିଯୋଗୁଁ ଯୁବକ ଦସ୍ୟୁମାନେ ତାକୁ ଖାତିର କରନ୍ତି । ତା’ଠାରୁ ଉପଦେଶ ଗ୍ରହଣ କରନ୍ତି ।

 

ଏଇ ପୁରୁଷ ସିଂହଙ୍କର ସହଧର୍ମଣୀ ହେଉଛି ଆଣ୍ଠୁଆମଣୀ । ବୟସ ପ୍ରାୟ ଚାଳିଶ । ଘୋର କୃଷ୍ଣବର୍ଣ୍ଣର ଗୋଟାଏ କଦାକାର ଓ ଅତିଶୟ ମୁଖରା ସ୍ତ୍ରୀ ଲୋକ । ଏହା ହିଁ ହେଉଛି ଜଗୁ ସର୍ଦ୍ଦାରର ହୋଟେଲର ପ୍ରଚ୍ଛଦପଟ ଓ ପରିଚିତି । ସେଦିନ ରାତି ପ୍ରାୟ ଏଗାରଟା ବେଳେ ଆଣ୍ଠୁଆମଣୀ ଦୁଆର ମୁହଁରେ ଏକା ବସିଥିଲା । ଭିତରପଟର ଗୋଟିଏ କୋଠରୀ ଭିତରେ ବସି ଜଗୁ ସର୍ଦ୍ଦାର ପୋଡ଼ା ଶୁଖୁଆ ଓ ପିଆଜ ଚାର୍ଟ ସହିତ ଚାଉଳି ମଦ ସେବନ କରୁଥିଲା । ଅରମାବଣ ଭିତରୁ ପୁଞ୍ଜିଭୂତ ଅନ୍ଧକାରପରି କେତେଗୁଡ଼ିଏ ମୂର୍ତ୍ତି ଆଗେଇ ଆସିଲେ । ଆଣ୍ଠୁଆମଣୀ ପ୍ରକୃତରେ ଏଇ ଆଗନ୍ତୁକମାନଙ୍କୁ ଅପେକ୍ଷା କରି ଏ ପର୍ଯ୍ୟନ୍ତ ଜଗି ବସିଥିଲା । ଛାୟାମୂର୍ତ୍ତିଗୁଡ଼ିକୁ ଦେଖି ତା’ର ସ୍ୱଭାବସୁଲଭ କର୍କଶ କଣ୍ଠରେ କହିଲା–କିଏରେ ତମେ ଗାଡ଼ଶୁଆମାନେ, ଏତେବେଳେ ହୋଟେଲରେ ଆଉ କିଛି ଖାଇବାକୁ ନାହିଁ ।

 

ସୁଲେମାନ ଆଗେଇ ଆସି କହିଲା–ମୁଁ ସୁଲେମାନ ଭାବୀ । ଜଗୁ ସର୍ଦ୍ଦାର କାହିଁ, ଆଉ ସମସ୍ତେ ଆସିଛନ୍ତି ?

 

ନାଇଁ, ନାଇଁ–ଏଠି ସେସବୁ କାମ ହେଇପାରିବ ନାହିଁ । ଆଜିକାଲିକାର ଦିନକାଳ ଭିନେରକମ । ଚାରିଆଡ଼େ ପୁଲିସର ଆଖି ରହିଛି, ତମେ ସବୁ ଚାଲିଯାଅ । ଏଇ ଲୋଭୀ ସ୍ତ୍ରୀ ଲୋକଟିକୁ ସୁଲେମାନ ଭଳକରି ଜାଣେ । ପକେଟରୁ ଗୋଛାଏ ନୋଟ ବାହାର କରି ସୁଲେମାନ ଆଗେଇଗଲା ଓ ନୋଟ ବିଡ଼ାଟି ଆଣ୍ଠୁଆମଣୀ ହାତରେ ଗୁଞ୍ଜିଦେଇ ନିମ୍ନ କଣ୍ଠରେ କହିଲା–ତିନି ଶହ । କାଲି ସଞ୍ଜବେଳେ ଆଉ ଗୋଟିଏ ସୁନା ହାର କିଣି ଆଣିଦେବି, ମୋ ଭାବୀର ଏତେ ସୁନ୍ଦର ରୂପଟା ଭଲ କେଇଖଣ୍ଡ ଗହଣାବିନା ଫିକା ଫଡ଼ି ଯାଇଛି ।

 

ନୋଟ ବିଡ଼ାଟି ଓ ସୁଲେମାନର କଥା କେଇପଦ କୁହୁକ ପରି କାମ କଲା । ସୁଲେମାନ ଉପରକୁ ଗୋଟିଏ କଟାକ୍ଷ ହାଣି ଓ କଣ୍ଠସ୍ୱରକୁ ଯଥାସମ୍ଭବ କୋମଳ କରି ଆଣ୍ଠୁଆମଣୀ କହିଲା–ଯାଅ, ସମସ୍ତେ ଭିତରକୁ ଯାଅ । ଏଇ ତ ତମ ନିଜର ଘର ।

 

ଅନ୍ଧାର ଭିତରେ ଅଣ୍ଡାଳି ଅଣ୍ଡାଳି ସମସ୍ତେ ଭିତରକୁ ଚାଲିଲେ । ଘର ଭିତରୁ କଞ୍ଚା ପିଆଜ ଓ ଦେଶୀ ମଦର ଦୁର୍ଗନ୍ଧ ଆସୁଛି । ସୁଲତାନ ନାକରେ ରୁମାଲ ଗୁଞ୍ଜି କହିଲା–ଇଏ କେଉଁ ସ୍ଥାନକୁ ନେଇ ଆସିଲ ସୁଲେମାନ । ଏଇଟା ଗୋଟାଏ ହିଂସ୍ର ବନ୍ୟ ପଶୁର ଗୁହାପରି ମନେ ହେଉଛି ।

 

ସମସ୍ତଙ୍କୁ ସୁଲେମାନ ଭିତରକୁ ନେଇ ଜଗୁ ସର୍ଦ୍ଦାର ସହିତ ପରିଚିତ କରାଇଦେଲା । ଆକଣ୍ଠ ମଦ୍ୟପାନ କରି ଜଗୁ ସର୍ଦ୍ଦାର ସେତେବେଳେ ପୂର୍ଣ୍ଣ ମାତାଲ । ଜଡ଼ିତ କଣ୍ଠରେ ଏଇ ନୂଆ ଅତିଥିମାନଙ୍କ ସହିତ ସେ କ’ଣ ସବୁକଥା କହିଲା । ତା’ପରେ ଧୀର ଧୀରେ ସେଇଠାରେ ଶୋଇପଡ଼ିଲା ।

 

ସୁଲେମାନ କହିଲା–ମୁଁ ଏବେ ଯାଉଛି । ପୋଲ ଉପରେ ସେ ପେଟ୍ରୋଲବାଲା ଦି’ଟାଙ୍କର ସବୁ ବ୍ୟବସ୍ଥା କରିବାକୁ ହେବ, ଏହା କହି ସୁଲେମାନ ବିଦାୟ ନେଲା ।

 

ତା’ପରେ ସଙ୍ଗରେ ଆଣିଥିବା ଗୋଟିଏ ଚମଡ଼ା ସୁଟକେଶ୍‌ ଖୋଲି ସୁଲେମାନ ଗୋଟିଏ କାନ୍‌ଭାସ ବ୍ୟାଗ୍‌ ବାହାର କଲା । ବ୍ୟାଗ୍‌ଟି ଭିତରେ ରେଲ ଲାଇନ ଖୋଲିବାର ସବୁ ଯନ୍ତ୍ରପାତି ରଖା ହୋଇଛି । ସବୁଗୁଡ଼ିକ ଗୋଟି ଗୋଟି କରି ବାହାର କରି ସେ ଦେଖିନେଲା । ତା’ପରେ ସବୁଗୁଡ଼ିକ ପୁଣି ବ୍ୟାଗରେ ରଖିଦେଲା । ବ୍ୟାଗ୍‌ଟି ଧରି ଓ ଗୋଟିଏ ରିଭଲଭର୍‌ ପକେଟରେ ପୂରାଇ ସୁଲେମାନ ଖାଁ ବାହାରି ପଡ଼ିଲା ।

 

X X X

 

ଗଭୀର ରାତି । ଚାରିଆଡ଼େ ନିଶା ଗର୍ଜୁଛି । ହାଡ଼ ଭଙ୍ଗା ଶୀତରେ ସର୍ବାଙ୍ଗ ଥର ଥର ହୋଇ କମ୍ପୁଛି । ଚରାଚର ସୁସୁପ୍ତ କିନ୍ତୁ ସେଇ ଶୀତ ରାତିରେ ଦୁଇଟି କର୍ତ୍ତବ୍ୟନିଷ୍ଠ ରେଲଓୟେ ଗ୍ୟାଙ୍ଗମ୍ୟାନ୍‌ ମହାନଦୀର ରେଲ ପୋଲ ଉପରେ ପେଟ୍ରୋଲ କରୁଛନ୍ତି । ସହରର କେଉଁ ସ୍ଥାନରେ ରାତି ଦୁଇଟା ବାଜିବାର ଘଣ୍ଟା ଶୁଣାଗଲା । କଟକ ଷ୍ଟେସନଆଡ଼ୁ ଆସୁଥିବା ଗୋଟିଏ ଇଞ୍ଜିନର ଉଜ୍ଜ୍ୱଳ ଆଲୋକ ଆଗେଇ ଆସୁଛି । ଦୁଇଜଣଯାକ ଗ୍ୟାଙ୍ଗମ୍ୟାନ୍‍ ପୋଲ ଉପରେ ଥିବା ‘‘ଟ୍ରଲି ରିଫ୍ୟୁଜ୍‌’’ରେ ଯାଇ ଆଶ୍ରୟ ନେଲେ । ପ୍ରବଳ ଶବ୍ଦ କରି ଇଞ୍ଜିନଟା ଆଗେଇ ଆସିଲା । ଲୁହା ଓ ସିମେଣ୍ଟର ପୋଲାଟା କ୍ଷଣିକ ପାଇଁ ସ୍ପନ୍ଦିତ ହୋଇ ଉଠିଲା । ତା’ପରେ ବିଶାଳ ଏକ ଚକ୍ଷୁ ଲୌହ ଦାନବଟା ପ୍ରଚଣ୍ଡ ଶବ୍ଦ କରି ଲାଇନ ଉପରେ ଚାଲିଗଲା । ଗୋଟିଏ ଲାଇଟ ଇଞ୍ଜିନ ।

 

ରାତ୍ରିର ଭୟାବହ ନୀରବତା ଭିତରେ ଏଇ ଲାଇଟ୍‌ ଇଞ୍ଜିନ୍‌ଟାର ଆଲୋକ ଓ ଶବ୍ଦ ଯେପରି କ୍ଷଣକ ପାଇଁ ଜୀବନର ସ୍ପନ୍ଦନ ଆଣିଦେଲା । କ୍ଳାନ୍ତ ଶ୍ରାନ୍ତହୋଇ ଦୁଇଜଣଯାକ ଗ୍ୟାଙ୍ଗମ୍ୟାନ୍‍ ସେହିଠାରେ ବିଶ୍ରାମ ନେବାପାଇଁ ଟିକିଏ ବସିଲେ । ଗ୍ୟାଙ୍ଗମ୍ୟାନ୍‍ କାଶୀ ବେହେରା ଆକାଶଆଡ଼େ ଚାହିଁ କହିଲା–ଆହୁରି ଢେର ରାତି ଅଛି ମଦନ ଭାଇ-। ଭାରି ଜାଡ଼ ପଡ଼ିଛି, ବିଡ଼ିଥିଲେ ଖଣ୍ଡେ ବାହାର କର ।

 

ଗ୍ୟାଙ୍ଗମ୍ୟାନ୍‌ ମଦନ ତରାଇ ଅପେକ୍ଷାକୃତ ବୟସ୍କ ବ୍ୟକ୍ତି । ବହୁ ବର୍ଷଧରି ରେଲଓୟେରେ ଚାକିରି କଲାଣି ।

 

‘‘ଟ୍ରଲି ରେଫ୍ୟୁଜ୍‌’’ର ଗୋଟିଏ ପାଖକୁ ବସିପଡ଼ି ଗୋଟିଏ କ୍ଳାନ୍ତିର ନିଶ୍ୱାସ ମାରିଲା । ତା’ପରେ କହିଲା–ନାଇଁରେ ଭାଇ, ବିଡ଼ି ନାହିଁ କି ବିଡ଼ି କିଣିବାକୁ ଧନ ବି ପାକିଟରେ ନାହିଁ ।

 

ତା’ପରେ ମଦନ ତା’ର ଦୀର୍ଘ ଦିନର ଚାକିରିର କେତେ ଅଭିଜ୍ଞତାର କାହାଣୀ ଶୁଣାଇଲା । ବି.ଏନ୍‌.ଆର କମ୍ପାନୀ ଥିଲା, ଗ୍ୟାଙ୍ଗମ୍ୟାନ୍‍ମାନେ ମାସକୁ ମୋଟେ ବାର ଟଙ୍କା ବେତନ ପାଉଥିଲେ କିନ୍ତୁ ସେ ସବୁ ଦିନଥିଲା ସୁନାର ଯୁଗ, ଟଙ୍କାକୁ ଚାଉଳ ବାର ସେର । ପନିପରିବା କଥା ଛାଡ଼–ସାଗୁଆତି ସେର ଚଉଦ ଅଣା, ପି: ଡବ୍ଳୁ ଆଇର ‘‘ଟାଇମ୍‌ କିପର’’ ବାବୁକୁ ଟଙ୍କା ଦି’ଟା ପକେଇ ଦେଲେ ପନ୍ଦରଦିନ ଘରକୁ ଛାଡ଼ିଦେବ । ଲାଇନ୍‌ ଡାକ୍ତରକୁ ସୁଉକାଟାଏ ଦେଲେ ତିନିଦିନ ସିକ୍‌ ଛୁଟି । ସେତେବେଳେ ମଦନ ବିଡ଼ି ଖାଉ ନ ଥିଲା । ଦିନକୁ ଭରିଏ ଗଞ୍ଜେଇ ତା’ର ନାଗୁଆ ଥିଲା । ଆଉ ଆଜିର ଯେଉଁ ମହଙ୍ଗା ବଜାର ହେଲାଣି ସେଥିରେ ତ ପେଟକୁ ମୁଠାଏ ଦାନା ମିଳୁ ନାହିଁ, ଆଉ ସେ ବିଡ଼ି ଖାଇବ କେଉଁଠୁ ।

 

ପ୍ରଚଣ୍ଡ ଶୀତ ସଙ୍ଗେ ନଈ ଉପରର ସୁଲୁସୁଲିଆ ଥଣ୍ଡା ପବନ ବୋହୁଛି । ସର୍ବାଙ୍ଗରେ ଖଣ୍ଡିଏ ଲେଖା ମୋଟା ଚଦର ଘୋଡ଼ିହୋଇ ଗ୍ୟାଙ୍ଗମ୍ୟାନ୍‌ କାଶୀ ଓ ମଦନ ସେଇ ‘‘ଟ୍ରଲି ରେଫ୍ୟୁଜ’’ର ପଟା ଉପରେ ଜାକିଯୁକି ହୋଇ ବସିଲେ । ନିରନ୍ଧ୍ର ଅନ୍ଧକାର ରାତ୍ରି । ଘନ କୁହୁଡ଼ିତଳେ ଆକାଶର ତାରା ମଧ୍ୟ ଦିଶୁନାହିଁ । ସେପଟ ଜଗତପୁର ଓ ଏପଟେ କଟକ ଷ୍ଟେସନର ଡିସ୍‌ଟାଣ୍ଟ ସିଗନାଲ୍‍ର ନାଲି ଆଲୋକ ବିନ୍ଦୁ ଦେଖାଯାଉଛି । କାଶୀ କହିଲା–ମଦନ ଭାଇ, ଏଇ ଲାଇନ୍‌ ଡିଉଟି କଲାବେଳେ କେବେହେଲେ ତମେ ଭୂତ ଦେଖି ନାଉଁ ।

 

ଅତି ବିଜ୍ଞ ପରି ଟିକିଏ ହସ ହସି ମଦନ କହିଲା–ଥରେ ନୁହେଁରେ, ଶହେଥର ମୁଁ ତାଙ୍କୁ ଦେଖିଥିବି । ସେବକାଳ ପରି ଏବେ କ’ଣ ସେମିତି ଭୂତ ହେଲେ ଅଛନ୍ତି । କେବେ ଘୁଷୁରୀ ରୂପରେ, କେବେ କାଳିଆ କୁକୁର ରୂପରେ ଆଉ କେବେ ବା ଦିବ୍ୟସୁନ୍ଦର ଗୋଟିଏ ତୀର୍ଲା ରୂପରେ ସେ ଦେଖାଦେବେ । ହଁ, ଯେ ଡରିଛି–ସିଏ ରକତ ବାନ୍ତିକରି ସେଇଠି ଆଖି ବୁଜିଛି । ହେଲେ ମୋ ପାଖରେ ଥିଲା ନୁଥରୀ ବାବାଙ୍କ ଡେଉଁରିଆ । ଏବେ ବି ଅଛି । ମୋତେ ଦେଖିଦେଲେ ସେମାନେ ସବୁ ଅନ୍ୟଆଡ଼େ ବାଟ କାଟିବେ ।

 

–ନୁଥୁରୀ ବାବା କିଏ ? କାଶୀ ପଚାରିଲା ।

 

ଟିକିଏ ଅନୁକମ୍ପାର ହସ ହସି ମଦନ କହିଲା–ତମେ ସବୁ ଏ କାଳର ଟୋକା, ସେ ମହାପୁରୁଷଙ୍କୁ ଜାଣିବ କେମିତି ! ଏଇ ଯେ କାଳିଆବୋଦା ଗାଦୀ ଦେଖୁଛୁ–ସେଠିକି ପାଗଳାବାବା ଆସିବା ଆଗରୁ ସେଠିଥିଲେ ନୁଥୁରୀ ବାବା । ସେ ହେଉଛନ୍ତି ପାଗଳା ବାବାଙ୍କ ଗୁରୁ । ଶ୍ରାବଣ ମାସର ଝଡ଼ି ବର୍ଷା ରାତିରେ ମହାନଦୀ ଯେତେବେଳେ ଏ କୂଳ ସେ କୂଳ ଉଛୁଳୁଥିବ, ସେତେବେଳେ ନୁଥୁରୀ ବାବା ନଈ ପାରିହେବେ କେମିତି ଜାଣୁ ! ମୁଁ ନିଜ ଆଖିରେ ଥରେ ଦେଖିଛି-। ଡାକିଦେବେ ‘‘ଆ ଯାଓ ବେଟା–ଆ ଯାଓ ବେଟା ।’’ ସାଙ୍ଗେ ସାଙ୍ଗେ ଗଉଡ଼ିଆ ଛତା ଆକାରରେ ଗୋଟାଏ କୁରୁମ ଆସି ହାଜର । ନୁଥୁରୀ ବାବା ତା’ପିଠିରେ ଚକା ପକାଇ ବସିଲେ, ଆଉ କୁରୁମ ପହଁରି ପହଁରି ଆରପାରିକି ଚାଲିଲା । ତିନି ଭରି ଗଞ୍ଜେଇ ଆଉ ଭରିଏ ଅଫିମ ସେ ସବୁଦିନ ଖାଉଥିଲେ । ଭୂତ ପ୍ରେତମାନେ ତାଙ୍କର କିଣା କିଙ୍କର । ମୁଁ ଥିଲି ତାଙ୍କର ଶିଷ୍ୟ । ସେଇ ଗାଦୀରୁ ମୁଁ ଗଞ୍ଜେଇ ଖାଇ ଶିଖିଲି । ତାଙ୍କରି ପାଖରୁ ମୁଁ ଏ ଡେଉଁରିଆ ପାଇଥିଲି ।

 

ବହୁ ଦୂରରୁ ପୋଲ ଉପରେ ଯେପରି କାହାର ପଦଶବ୍ଦ ଶୁଣା ଯାଉଛି । କେହି ଯେପରି ଚାଲି ଚାଲି ଆଗେଇ ଆସୁଛି କିନ୍ତୁ ଘୋର ଅନ୍ଧକାର ଭିତରେ କିଛି ଦେଖାଯାଉ ନାହିଁ । ମଦନ କିଛିକ୍ଷଣ କାନଡେରି ଶୁଣିଲା, ତା’ପରେ କହିଲା–କିଛି ଶବ୍ଦ ଶୁଣୁଛୁ କାଶୀ ?

 

–ହଁ ମଦନଭାଇ କେହି ବାଟୋଇ ବୋଧହୁଏ ପୋଲ ଉପରେ ଦେଇ ଜଗତ୍‌ପୁର ଆଡ଼େ ଯାଉଛି !

 

ପ୍ରଚଣ୍ଡ ଭାବରେ ବିରକ୍ତି ପ୍ରକାଶ କରି ମଦନ କହିଲା–ଯା’ବେ । ଦି’ଅକ୍ଷର ପାଠ ପଢ଼ିଦେଇ ତୁ ବି ସାହିବ ହୋଇ ଗଲୁଣି । ଏତେ ରାତିରେ ବାଟୋଇ ପୋଲ ଉପର ଦେଇ କେବେ ଆସନ୍ତି ନାହିଁ, ସେଇ କାଳିଆବୋଦାଆଡ଼ୁ କେହି ଗଡ଼ୁଛନ୍ତି ।

 

ପଦଶବ୍ଦ ଆହୁରି ପାଖେଇ ଆସିଲା । ମଦନ କଥାରେ କାଶୀକୁ ମଧ୍ୟ ଡର ମାଡ଼ିଲା । ତା’ର ସର୍ବାଙ୍ଗ ରୋମାଞ୍ଚିତ ହୋଇ ଉଠିଲା । କହିଲା–ମଦନ ଭାଇ, ନୁଥୁରୀ ବାବାଙ୍କ ଡଉଁରୀଆଟା ଟିକିଏ ବାହାର କରନା । ଦି’ଜଣଯାକ ଟିକିଏ ତାକୁ ଧରିବା ।

 

କିନ୍ତୁ ମଦନ କୌଣସି ଉତ୍ତର ଦେଲା ନାହିଁ । ଚଦରରେ ସର୍ବାଙ୍ଗ ଗୁଡ଼ାଇ ହୋଇ ଗୋଟିଏ ବଡ଼ ପୁଣ୍ଡୁଳିପରି ପଡ଼ି ରହିଲା ।

 

ପଦଶବ୍ଦ ଆହୁରି ଆଗେଇ ଆସିଲା । ଶବ୍ଦହୀନ ରାତିରେ ସେ ଶବ୍ଦ କିପରି ପ୍ରେତାୟିତ ମନେ ହେଉଛି । ଗ୍ୟାଙ୍ଗମ୍ୟାନ୍‌ କାଶୀ ଅଳ୍ପବୟସ୍କ ଯୁବକ । ମଦନ ତରାଇର କଥା ଶୁଣି ଏବଂ ତା’ ଅବସ୍ଥା ଦେଖି କାଶୀର ସର୍ବାଙ୍ଗ ଭୟରେ ଶୀତେଇ ଉଠିଲା । ପଦଶବ୍ଦ ଆହୁରି ଆଗେଇ ଆସିଲା । କେବଳ ପଦଶବ୍ଦ ନୁହେଁ–ତା’ ସହିତ କିପରି ଗୋଟାଏ ଝମ୍‌ ଝମ୍ ଶବ୍ଦ ମଧ୍ୟ ହେଉଛି । ସାହାସ ସଞ୍ଚୟ କରି କାଶୀ ଚଦର ଭିତରୁ ମୁହଁ ବାହାର କରି କ୍ଷଣକ ପାଇଁ ଚାହିଁଲା କିନ୍ତୁ ଯାହା ଦେଖିଲା, ସେଥିରେ ତା’ର ସର୍ବାଙ୍ଗ ଭୟରେ ଅବଶ ହୋଇ ଆସିଲା । ଅନ୍ଧାର ଭିତରେ ଲମ୍ୱା ଓ କିଟିକିଟିଆ କଳା ଗୋଟାଏ ମୂର୍ତ୍ତି ପୋଲ ଉପର ଦେଇ ଆଗେଇ ଆସୁଛି । କାଶୀ ଭୟରେ ପୁଣି ଆଖି ବୁଜିଦେଲା । ସେ ପଦଶବ୍ଦ ଓ ଝମ୍‌ ଝମ୍‌ ଶବ୍ଦ ଆସି ସେମାନଙ୍କ ନିକଟରେ ହଠାତ୍‌ ଥମିଗଲା । ରାତ୍ରିଚର ପ୍ରେତଟା ଯେ ସେମାନଙ୍କୁ ଦେଖିପାରିଛି ଓ ସେମାନଙ୍କ ନିକଟରେ ଆସି ଠିଆ ହୋଇଛି ଏଥିରେ ସନ୍ଦେହ ନାହିଁ । ହୁଏତ ଏହିକ୍ଷଣି ଦୁଇଜଣଙ୍କର ବେକକୁ ଧରି କାଉଁରିଆ କାଠିପରି ଭାଙ୍ଗିଦେବ । ମଦନ ଭାଇ ଅଣ୍ଟାରେ ନୁଥୁରୀବାବାଙ୍କ ଡେଉଁରିଆ ଅଛି । ତାକୁ ହୁଏତ ସେ ଛୁଇଁବ ନାହିଁ କିନ୍ତୁ କାଶୀର ମୃତ୍ୟୁ ଯେ ସୁନିଶ୍ଚିତ, ଏଥିରେ କୌଣସି ସନ୍ଦେହ ନାହିଁ । ରୁଦ୍ଧ ନିଶ୍ୱାସରେ ପରବର୍ତ୍ତୀ ଘଟଣାକୁ ଅପେକ୍ଷା କରି କାଶୀ ବସି ରହିଲା ।

 

–ମୁଷ୍କିଲ ଆସାନ୍‌ ହୋୟେଗା ବେଟା ।

 

ପ୍ରେତ ମୁହଁରୁ ମଣିଷପରି କଥା ଶୁଣି ଦୁଇଜଣଯାକ ଚମକି ଉଠିଲେ । କାଶୀ ଧୀରେ ଧୀରେ ଆଖି ମେଲାଇ ଚାହିଁଲା । ଦୀର୍ଘ ଦେହ ଗୋଟିଏ ମୁସଲମାନ ଫକୀର ସର୍ବାଙ୍ଗରେ କଳା ଆଲଖାଲା ପିନ୍ଧି ଛିଡ଼ା ହୋଇଛି । ବେକରେ ଗୋଛାଏ କାଚ ମାଳି । କାନ୍ଧରେ ବଡ଼ ଗୋଟାଏ ଝୁଲି-। କାଶୀର ସାହସ ଫେରି ଆସିଲା । ପୁଣ୍ଡୁଳି ରୂପୀ ମଦନ ତରାଇକୁ ଆଙ୍ଗୁଠିରେ କେଞ୍ଚିଦେଇ କାଶୀ କହିଲା–ଗୋଟାଏ ବୁଢ଼ା ବୁଖାରୀ ବାବା ସାହିବରେ ମଦନଭାଇ । ମଣିଷଟାଏ, ଏବେ ଆଖି ଖୋଲ-

 

ସେହିପରି ପୁଣ୍ଡୁଳି ଭିତରେ ଥାଇ ମଦନ ତରାଇ କହିଲା–ତା’ ଆଖିପତା ପଡ଼ୁଛି କି ନାହିଁ ଭଲକରି ଦେଖି ମୋତେ କହ । ବହୁତ ରୂପଧରି ରାତିରେ ସେମାନେ ଗଡ଼ନ୍ତି ।

 

ବଡ଼ ଝୋଲାଟି ତଳେ ରଖିଦେଇ ଫକୀର ନିଜେ ସେମାନଙ୍କ ନିକଟରେ ବସି ପଡ଼ିଲା । ମଦନ ଉପରେ ଗୋଟିଏ ହାତ ରଖି କହିଲା–‘ଉଠ୍‌ ବେଟା’ । ଏକ ବିଡ଼ି ପି’ଲୋ । ଏହାକହି ପକେଟରୁ ବିଡ଼ି ଡବା ବାହାର କରି ନିଜେ ଗୋଟିଏ ବିଡ଼ି ଲଗାଇଲା । କାଶୀ ଓ ମଦନକୁ ମଧ୍ୟ ଧୂମ୍ରପାନ ତୃଷ୍ଣା ପ୍ରବଳ ହୋଇଥିଲା । ବିଡ଼ି ଧୂଆଁର ଗନ୍ଧ ପାଇ ଓ ଫକୀରକୁ ତାଙ୍କ ନିକଟରେ ବସିବାର ଦେଖି ଧୀରେ ଧୀରେ ସେମାନଙ୍କର ଭୟ କଟିଗଲା । ଦୁଇଜଣଯାକ ଆଖି ମେଲାଇଲେ-

 

–ତୁମେମାନେ କ’ଣ ରେଲଓୟେ କର୍ମଚାରୀ । ଏତେରାତିରେ ଏଠାରେ କ’ଣ କରୁଛ ? କୋମଳ କଣ୍ଠରେ ଫକୀର ପଚାରିଲା ।

 

ଚଦର ଭିତରୁ ମୁହଁ ବାହାର କରି ମଦନ କହିଲା–ଆମେ ସବୁ ଗେଙ୍ଗ୍‌ବାଲା । ରାତିରେ ପୋଲ ଜଗିଛୁ । ରାତିରେ ପୋଲ ଉପର ଦେଇ କେହି ବାଟୋଇ ଯିବାକୁ ମନା । ତମେ କାହିଁକି ପୋଲ ଉପରେ ଯାଉଛ ?

 

ସାମାନ୍ୟ ଟିକିଏ ହସି ଫକୀର କହିଲା– ମୁଁ ବାରବୁଲା ଫକୀର ଭାଇ–ମୋତେ ସବୁ ଛାଡ଼୍‌ । ମୁଁ ଏଇବାଟେ ବରାବର ଯାଏ । ତମେମାନେ ଯେତେବେଳେ ଅଛ ମୋର ଭୟ କ’ଣ ?

 

ଏହାକହି ଝୋଲା ଭିତରେ ହାତ ପୂରାଇ ଦୁଇଟି ରଙ୍ଗିନ୍‌ କାଚ ଗୋଲି ବାହାର କଲା ଓ ଦୁଇ ଜଣଙ୍କ ହାତରେ ଗୋଟିଏ ଲେଖା ଦେଇ କହିଲା–ଏହାକୁ ବରାବର ନିଜ ପାଖରେ ରଖିଥିବ-। ଭୂତ, ପ୍ରେତ ବା ସର୍ପଭୟ ରହିବ ନାହିଁ । ଶତ୍ରୁ ଭୟ ରହିବ ନାହିଁ ।

 

ଏପରି ଅମୂଲ୍ୟ ପଦାର୍ଥ ଫକୀରଠାରୁ ପାଇବେ ବୋଲି ସେମାନେ ଆଦୌ ଆଶା କରି ନ ଥିଲେ । ପରମ ଭକ୍ତିରେ କାଚ ଗୁଲି ଦୁଇଟି ଗ୍ରହଣ କରି ମଦନ ଓ କାଶୀ ଫକୀର ଗୋଡ଼ତଳେ ମୁଣ୍ଡ ଲଗାଇ ପ୍ରଣାମ କଲେ । ତା’ପରେ ଭକ୍ତ ହନୁମାନପରି ହାତଯୋଡ଼ି ସେଠାରେ ବସି ରହିଲେ-

 

–ବଡ଼ ଥଣ୍ଡା ପଡ଼ୁଛି, ବିଡ଼ି ପିଅ । ଏହାକହି ଆଲଖାଲା ଭିତରୁ ଦୁଇଟି ବିଡ଼ି ବାହାର କରି ଫକୀର ସେମାନଙ୍କୁ ଦେଲା ଏବଂ ଦିଆସିଲି ମଧ୍ୟ ଦେଲା । କାଶୀ ଓ ମଦନ ବିଡ଼ି ଦୁଇଟି ଲଗାଇ ପରମ ଆନନ୍ଦରେ ଟାଣିବାକୁ ଲାଗିଲେ ।

 

ମାତ୍ର ମୁହୂର୍ତ୍ତକ ପରେ ଜଳନ୍ତା ବିଡ଼ି ଦୁଇଟି ସେମାନଙ୍କ ହାତରୁ ଖସି ପଡ଼ିଲା । ତୀବ୍ର ବିଷଧୂଆଁ ଫୁସ୍‌ଫୁସ୍‌ ଭିତରକୁ ଯିବା ମାତ୍ରେ ଦୁଇଜଣଯାକ ସଂଜ୍ଞାହୀନ ହୋଇ ସେହିଠାରେ ଲୋଟି ପଡ଼ିଲେ ସେମାନଙ୍କର ଏପରି ଅବସ୍ଥା ଦେଖି ଫକୀର ମୁହଁରେ ଗୋଟାଏ ପୈଶାଚିକ ହସ ଫୁଟି ଉଠିଲା । ଝୋଲା ଭିତରୁ ସରୁ ଓ ମଜବୁତ ଦଉଡ଼ା ବାହାର କରି ସେମାନଙ୍କର ଗୋଡ଼ ଓ ହାତକୁ ଭଳକରି ବାନ୍ଧିଲା । ତା’ପରେ ଗୋଟିଏ କ୍ଳୋରଫର୍ମ ବୋତଲ ବାହାର କରି ଓ ଖଣ୍ଡିଏ ରୁମାଲରେ କିଛି ଢାଳି ସେମାନଙ୍କ ନାକରେ ଚାପି ଧରିଲା ।

 

ସବୁ କାମ ଅତି ସହଜରେ ଶେଷକରି ଫକୀରରୂପୀ ସୁଲତାନ ଛିଡ଼ାହେଲା । ପକେଟରୁ ଗୋଟିଏ, ମୂଲ୍ୟବାନ ସିଗାରେଟ୍‌ କେସ୍‌ କାଢ଼ି ଖଣ୍ଡିଏ ସିଗାରେଟ୍‍ ଲଗାଇଲା । ତା’ପରେ ଜଗତ୍‌ପୁର ଷ୍ଟେସନ ଆଡ଼େ ଚାହିଁ କ’ଣ ଦେଖିବାକୁ ଲାଗିଲା । ଘନ ଅନ୍ଧକାର ଭେଦକରି ବେଶି ଦୂର ଦୃଷ୍ଟି ଯାଉ ନାହିଁ, ସିଗ୍‌ନାଲ ପୋଷ୍ଟ ଉପରେ ଥିବା କେତୋଟି ନାଲି ଆଲୁଅ ଛଡ଼ା ଆଉ କିଛି ଦେଖାଯାଉ ନାହିଁ ।

 

କର୍ଣ୍ଣେଲ ଜଣାଇଛନ୍ତି ଯେ ରାତି ତିନିଟାଠାରୁ ସାଢ଼େ ତିନିଟା ଭିତରେ ମିଲିଟେରୀ ସ୍ପେସାଲ ଏଇ ପୋଲ ଉପରଦେଇ ଯିବ । ଜାଠ ରେଜିମେଣ୍ଟର ଗୋଟିଏ ସ୍ପେସାଲ ଟ୍ରେନ । ଜଗତ୍‍ପୁର ଷ୍ଟେସନରେ ଗାଡ଼ିଟିର ଲାଇନ କ୍ଲିୟର ହୋଇଯିବା ପରେ କର୍ଣ୍ଣେଲ ତା’ର ଇସାରା ଦେବେ । ମହାନଦୀର ଉତ୍ତରପଟେ ଗୋଟିଏ ହାବେଳି ବାଣ ଜଳିଉଠି ଆକାଶ ମାର୍ଗକୁ ଉଠିଯିବ । ତାହାହିଁ ହେବ ସୁଲତାନର ସଙ୍କେତ । ତା’ପରେ ସେ ଲାଇନ୍‌ ଖୋଲିଦେବ, ସବୁ ପ୍ରୟୋଜନୀୟ ଯନ୍ତ୍ର ସେ ଝୁଲା ଭିତରେ ପୂରାଇ ନେଇ ଆସିଛି ।

 

କିନ୍ତୁ ତିନିଟା ହୋଇଗଲାଣି କାହିଁ କର୍ଣ୍ଣେଲଙ୍କର ସଙ୍କେତ । କିମ୍ୱା ଯେତେବେଳେ ସେ ଗ୍ୟାଙ୍ଗମ୍ୟାନ୍‌ ଦୁଇଟାଙ୍କ ସହିତ ବ୍ୟସ୍ତ ଥିଲା ସେତେବେଳେ କ’ଣ ହାବେଳି ଶୂନ୍ୟମାର୍ଗକୁ ଉଠି ଯାଇଛି । ସେ ଲକ୍ଷ୍ୟ କରିପାରି ନାହିଁ । ବୋଧହୁଏ ତାହାହିଁ ସମ୍ଭବ । ଘନ କୁହୁଡ଼ି ଭିତରେ ହାବେଳିଟାର ଆଲୋକ ଯଥେଷ୍ଟ ଉଜ୍ଜ୍ୱଳ ହୋଇ ନାହିଁ, ସେଥିଯୋଗୁଁ ସେ ଦେଖିପାରି ନାହିଁ ।

 

ଗୋଟିଏ ଇଞ୍ଜିନର ଆଲୋକ ଜଗତ୍‌ପୁର ଷ୍ଟେସନରେ ଦେଖାଗଲା । ଗୋଟାଏ ଗାଡ଼ି ବୋଧହୁଏ ଆସିଲା । ହୁଏତ ଏହାହିଁ ମିଲିଟେରୀ ସ୍ପେସାଲ କିନ୍ତୁ ଗାଡ଼ିଟା ତ ଜଗତ୍‌ପୁର ଷ୍ଟେସନରେ ରହିଛି । ସ୍ପେସାଲ ଟ୍ରେନଟା କୌଣସି କାରଣରୁ ହୁଏତ ସେଠାରେ ରହିଥିବ, ଏହିକ୍ଷଣି ଆସିଯିବ ଆଉ ସମୟ ନାହିଁ । ଯଦି କୌଣସି କାରଣରୁ ସୁଲତାନ କୃତକାର୍ଯ୍ୟ ନ ହୋଇପାରେ ତେବେ ତା’ର ପରିଣାମ ଅତି ଭୟାବହ । ଏ ଦଳର ନିୟମକାନୁନ ସୁଲତାନ ଭଲ ଭାବରେ ଜାଣେ-। ଅସମର୍ଥ ବା ଅପାରଗତା ଏ ଦଳର କର୍ତ୍ତୃପକ୍ଷ ଆଦୌ ବରଦାସ୍ତ କରି ପାରନ୍ତି ନାହିଁ ।

 

ଝୋଲା ଭିତରୁ ଗୋଟାଏ ବଡ଼ ରେଞ୍ଚି ବାହାର କରି ସୁଲତାନ ଲାଇନ୍‌ର ସଂଯୋଗ ସ୍ଥାନ ଉପରୁ ବୋଲ୍‌ଟଗୁଡ଼ାକ ଖୋଲି ପକାଇଲା । ତା’ପରେ ନଟ୍‌ ସବୁ ବାହାର କରିଦେଇ ଖଣ୍ଡିଏ ପତଳା ଅଥଚ ମଜବୁତ ଲୁହାଦ୍ୱାରା ଦୁଇଟିଯାକ ସଂଯୋଗ ମୁହଁରୁ ଚାରିଖଣ୍ଡଯାକ ପିସ୍‌ ପ୍ଲେଟ୍‌ ଖୋଲିଦେଲା । ତା’ପରେ ଖଣ୍ଡେ ଶାବଳ ଲାଇନ ତଳେ ପୂରାଇ ପ୍ରଚଣ୍ଡ ଶକ୍ତିରେ ଶାବଳର ଉପରି ଭାଗକୁ ଟେକିଲା । ସୁଲତାନ ଅତିଶୟ ବଳବାନ ବ୍ୟକ୍ତି । ଧୀରେ ଧୀରେ ଲାଇନ୍‌ ଘୁଞ୍ଚିଗଲା । ପ୍ରାୟ ଦଶ ମିନିଟକାଳ ଏହିପରି ଶକ୍ତି ପ୍ରୟୋଗ କରି ସୁଲତାନ ଛିଡ଼ାହେଲା । ଗୋଟିଏ ଲାଇନରୁ ଆଉ ଗୋଟିଏ ପ୍ରାୟ ଛ’ଇଞ୍ଚ ଖସି ଯାଇଛି । ସେ ମନେ ମନେ ଖୁସିହେଲା ଗୋଟିଏ ପୈଶାଚିକ ହସ କ୍ଷଣକ ପାଇଁ ତା’ ମୁହଁରେ ଫୁଟି ଉଠିଲା । ତା’ପରେ ନିଜର ଯନ୍ତ୍ରପାତି ଝୁଲାରେ ପୂରାଇ ଫକୀରବେଶୀ ସୁଲତାନ ସେଠାରୁ ଚାଲିଗଲା ।

 

ସୁଲେମାନ ପୋଲର ଦକ୍ଷିଣପଟେ ଛିଡ଼ାହୋଇ ପହରା ଦେଉଥିଲା । ସେ ମଧ୍ୟ ସୁଲତାନ ସଙ୍ଗେ ସେଠାରୁ ପଳାଇଗଲା । ମହାନଦୀର ଦକ୍ଷିଣପଟ ବନ୍ଧ ଉପରେ ଗୋଟିଏ ବଉଳଗଛ ଛାଇରେ ଦୁଇଜଣଯାକ ଠିଆହେଲେ । ଜଗତ୍‌ପୁର ଷ୍ଟେସନରୁ ଗୋଟାଏ ରେଳଗାଡ଼ିର ହେଡ଼ ଲାଇଟି ଦେଖାଗଲା, ରାତି ସାଢ଼େତିନିଟା ବାଜିଳାଣି–ଏଇ ଗାଡ଼ିଟା ଯେ ମିଲିଟେରୀ ସ୍ପେସାଲ ଏଥିରେ ସନ୍ଦେହ ନାହିଁ । ଏବେ ଗାଡ଼ିଟା ଆଗେଇ ଆସୁଛି । ଇଞ୍ଜିନର ହୁଇସିଲ ମଧ୍ୟ ଶୁଣାଗଲା । ଆଉ କେତୋଟିମାତ୍ର ମିନିଟ । ତା’ପରେ ସୁଲତାନର ସର୍ବାଙ୍ଗ ଗୋଟାଏ ପୈଶାଚିକ ଆବେଗରେ ଶିହରି ଉଠିଲା । ଏହିକ୍ଷଣି ପ୍ରଚଣ୍ଡ ଶବ୍ଦକରି ପୂରା ଗାଡ଼ିଟା ପୋଲ ତଳକୁ ଓଲଟି ପଡ଼ିବ । ନଈ ବାଲିରେ ତିନି ହଜାର ଲାସ୍‌ର କୁଢ଼ ଜମିଯିବ । ଏତେବଡ଼ କାମ ସାରା ଦେଶରେ ଆଜି ପର୍ଯ୍ୟନ୍ତ କେହି କରିପାରି ନାହାନ୍ତି ।

 

ଗାଡ଼ିଟା ଧୀରେ ଧୀରେ ଆଗେଇ ଆସୁଛି, ପୋଲ ଉପରେ ବୋଲି ବୋଧହୁଏ ଧୀରେ ଧୀରେ ଚାଲୁଛି । ଆଉ କେତୋଟି ମୁହୂର୍ତ୍ତ ମାତ୍ର, ଏବେ ଆସିଗଲା ।

 

ପୋଲ ଉପରେ ପ୍ରଚଣ୍ଡ ଶବ୍ଦ ହେଲା କିନ୍ତୁ ଇଏ କ’ଣ ? ପ୍ରଚଣ୍ଡ ଭାବରେ ଦୋହଲିଯାଇ ଇଞ୍ଜିନଟା କିଛି ଦୂରରେ ଅଟକି ଗଲା । ନଈ ଭିତରେ ପଡ଼ିଗଲା ନାହିଁ କିନ୍ତୁ ମଝିର ଦୁଇଟା ଡବା କପ୍‌ଲିଙ୍କ ଛିଣ୍ଡି ପୋଲ ତଳକୁ ଗଡ଼ି ପଡ଼ିଲା । ପ୍ରଚଣ୍ଡ ଭାବରେ ଶବ୍ଦ ହେଲା । ଚାରିଆଡ଼ ଅନ୍ଧକାର ହୋଇଗଲା ।

 

କିନ୍ତୁ ଇଏ କ’ଣ ! ସୁଲତାନର ଭୟରେ ହୃତ୍‌କମ୍ପ ହେଲା, ଏହା ମିଲିଟେରୀ ସ୍ପେସାଲ ନୁହେଁ । କୋଇଲାରେ ଖୋଲା ଓ୍ୱାଗନ୍‌ ବୋଝାଇ ଗୋଟାଏ ମାଲଗାଡ଼ି ମାତ୍ର ।

 

ସୁଲତାନ ସେ ସ୍ଥାନ ଛାଡ଼ି ଦୌଡ଼ିବାକୁ ଆରମ୍ଭ କଲା । ସେଇ ଘୋର ଅନ୍ଧକାର ଭିତରେ ସୁଲେମାନ ମଧ୍ୟ ତାକୁ ଅନୁସରଣ କଲା । କିଛିଦୂର ପଛରେ ଗୋଡ଼ାଇବା ପରେ ସୁଲେମାନ ଆଉ ସୁଲତାନକୁ ଦେଖିପାରିଲା ନାହିଁ । ଆଗରେ ଆଲୁଅ ଜଳୁଛି । ଅଦୂରରେ ମ୍ୟୁନିସିପାଲିଟିର ବିଜୁଳିବତୀ ଖୁଣ୍ଟ–ଉଜ୍ଜ୍ୱଳ ଆଲୋକ ପଡ଼ିଛି, ଗୋଟାଏ ଅନ୍ଧାରୁଆ ସ୍ଥାନରେ ଛିଡ଼ାହୋଇ ଆଉ ଆଗେଇବ କି ନାହିଁ ସୁଲେମାନ ଚିନ୍ତା କରିବାକୁ ଲାଗିଲା । ହଠାତ୍‌ ଅନ୍ଧାର ଭିତରୁ କିଏ ଜଣେ ତାକୁ କୁଣ୍ଢାଇ ପକାଇଲା । ପ୍ରଚଣ୍ଡ ଭାବରେ ଚମକିପଡ଼ି ସୁଲେମାନ ନିଜକୁ ମୁକ୍ତ କରିବାକୁ ଚେଷ୍ଟା କଲା । ଅଣ୍ଟାରୁ ଛୁରା କାଢ଼ିବା ପାଇଁ ଚେଷ୍ଟାକଲା । ହଠାତ୍‌ ଅନ୍ଧାର ଭିତରୁ ଆଉ ଗୋଟିଏ ମଣିଷମୂର୍ତ୍ତି ବାହାରି ଆସିଲା । ତା’ ହାତରେ ଉଦ୍ୟତ ରିଭଲଭର୍‌ । ଗୁରୁଗମ୍ଭୀର କଣ୍ଠରେ ସେ ଲୋକଟି ଆଦେଶ ଦେଲା–ନିଶ୍ଚଳ ଭାବରେ ଛିଡ଼ା ହୋଇରହ ସୁଲେମାନ, ଆମେ ତୁମକୁ ବହୁତ ଦିନରୁ ଖୋଜୁଛୁ ।

 

ସୁଲେମାନ ଚମକି ଉଠିଲା । ଏ ସ୍ୱର ସହିତ ସେ ବହୁକାଳରୁ ପରିଚିତ । ଭବାନୀ ମହାପାତ୍ର ଆଦେଶ ଦେଲେ–ସୁଲେମାନ ହାତରେ ହାତକଡ଼ା ପିନ୍ଧାଇଦିଅ ସର୍ଜେଣ୍ଟ ଦାସ ।

 

ଗୋଟିଏ ଅତି ଗୋପନ ସ୍ଥାନରେ ସୁଲେମାନକୁ ଲୁଚାଇ ରଖି ଜେରା କରାହେଲା, ରାତ୍ରିର ଅନ୍ଧକାରରେ ସୁଲେମାନକୁ ଭବାନୀବାବୁ ଗିରଫ କଲେ ମାତ୍ର କେତେଜଣ ଭବାନୀବାବୁଙ୍କର ଅତି ବିଶ୍ୱାସୀ ସହକର୍ମୀଙ୍କ ଛଡ଼ା ଏ କଥା ଆଉକେହି ଜାଣିଲେ ନାହିଁ । ସୁଲେମାନ ଯାହା ଜାଣେ ସବୁ କହିବାକୁ ବାଧ୍ୟ ହେଲା କିନ୍ତୁ ପ୍ରକୃତରେ ସେ ଦଳର ମୁଖ୍ୟମାନଙ୍କୁ ଚିହ୍ନେ ନାହିଁ । ସେମାନେ କେଉଁଠାରେ ରହନ୍ତି–ତା’ ମଧ୍ୟ ସେ ଜାଣେ ନାହିଁ । ଯେଉଁ ରୂପରେ ସେମାନଙ୍କୁ ସେ କେତେଥର ମାତ୍ର ଦେଖିଛି, ତାହା ସେମାନଙ୍କର ପ୍ରକୃତ ରୂପ ବା ଛଦ୍ମବେଶ ତାହା ମଧ୍ୟ ସେ ଜାଣେ ନାହିଁ । ଏ ଦଳର ନେତାଙ୍କୁ ସମସ୍ତେ ‘‘କର୍ଣ୍ଣେଲ’’ ବୋଲି ସମ୍ବୋଧନ କରନ୍ତି । ଅତି ପ୍ରଚଣ୍ଡ ତାଙ୍କ ପ୍ରଭାବ, ସମସ୍ତେ ତାଙ୍କର ଆଦେଶ ନତମସ୍ତକରେ ପାଳନ କରନ୍ତି । ସୁଲେମାନ ଏତିକି ମାତ୍ର ଜାଣେ । କର୍ଣ୍ଣେଲଙ୍କ ମୁହଁ ଉପରେ ସର୍ବଦା ଗୋଟି ପ୍ଲାଷ୍ଟିକ୍‌ ମୁଖା ଥାଏ । ତାଙ୍କର ପ୍ରକୃତ ରୂପ ସୁଲେମାନ କେବେହେଲେ ଦେଖି ନାହିଁ । ତା’ଛଡ଼ା ସେ ଯେ କେଉଁଠାରେ ବାସ କରନ୍ତି, ତାହା ମଧ୍ୟ ସୁଲେମାନ ଜାଣେନାହିଁ ।

 

ସବୁ ସମ୍ବାଦ ନ ହେଲେ ମଧ୍ୟ ରହସ୍ୟର ଘୋର ତିମିର ଭିତରେ ଭବାନୀବାବୁ ଯେଉଁ ଆଲୋକ ଶିଖାଟି ଦେଖି ପାରିଲେ, ତାହା କିଛି କମ୍‌ ନୁହେଁ । ସୁଲେମାନକୁ ସେଇ ଗୁପ୍ତ ସ୍ଥାନରେ ଲୁଚାଇ ରଖି ଓ ଯଥୋଚିତ ପହରାର ବ୍ୟବସ୍ଥା କରି ପ୍ରାୟ ମଧ୍ୟାହ୍ନ ବେଳକୁ ସେ ନିଜ ଘରକୁ ଫେରି ଆସିଲେ । ଇନିସ୍ପେକ୍ଟର ଗଡ଼ନାୟକ ଓ ସବ୍‌ଇନିସ୍ପେକ୍ଟର ଇଉସୁଫ୍‌ ମଧ୍ୟ ତାଙ୍କ ସଙ୍ଗେ ଆସିଲେ ।

 

ମହାନଦୀ ପୋଲ ଉପରେ ଗତ ରାତ୍ରିର ଟ୍ରେନ ଦୁର୍ଘଟଣାର ପ୍ରକୃତ କାରଣ କାହାକୁ ଅଜଣା ରହିଲା ନାହିଁ । ତାହା ଯେ ଅନ୍ତର୍ଘାତୀମାନଙ୍କର କାର୍ଯ୍ୟ ଏହା ସମସ୍ତେ ଜାଣି ପାରିଛନ୍ତି । ଏପରି ଭୟାବହ କାଣ୍ଡରେ ସମସ୍ତେ ସ୍ତମ୍ଭିଭୂତ ହୋଇ ଯାଇଛନ୍ତି । ଏହା ଯେ ଜାଠ ରେଜିମେଣ୍ଟର ସ୍ପେସାଲ ଟ୍ରେନକୁ ଧ୍ୱଂସ କରିବା ପାଇଁ ଉଦ୍ଦିଷ୍ଟ ଥିଲା ଏହା ପୁଲିସ ଓ ସାମ୍ବାଦିକମାନେ ଜାଣି ପାରିଛନ୍ତି । ପ୍ରାୟ ଠିକ୍‌ ସେହି ସମୟରେ ସ୍ପେସାଲ ଟ୍ରେନଟି ଯିବାର ଥିଲା କିନ୍ତୁ ତାହା ଦୈବାତ୍‌ ମାମାନ୍ୟ ବିଳମ୍ବ ହେବାଯୋଗୁ ୫୧୭ ଅପ୍ ମାଲଗାଡ଼ିଟିକୁ କଣ୍ଟ୍ରୋଲର ନିର୍ଦ୍ଦେଶରେ ପ୍ରଥମେ ଯିବାକୁ ଦିଆହେଲା । ଆଉ ସେହି ମାଲଗାଡ଼ିଟି ଏ ଭୟାବହ ଦୁର୍ଘଟଣାର ସମ୍ମୁଖୀନ ହେଲା । ଈଶ୍ୱରଙ୍କ କୃପାରୁ କାହାରି ପ୍ରାଣହାନୀ ହୋଇ ନାହିଁ । ଅତି ଗୋପନରେ ମିଲିଟେରୀ ସ୍ପେସାଲ ଟ୍ରେନଗୁଡ଼ିକ ଚଳାଚଳ କରେ କିନ୍ତୁ ଏହି କରିତକର୍ମା ଅନ୍ତର୍ଘାତୀମାନେ ଅନାୟସରେ ତାହା ଜାଣି ପାରୁଛନ୍ତି ।

କେବଳ ଏଇ ରାଜ୍ୟରେ ନୁହେଁ–ସମଗ୍ର ଭାରତବର୍ଷରେ ଅନ୍ତର୍ଘାତୀମାନଙ୍କର ଏହିପରି ପୈଶାଚିକ ଲୀଳା ଅବାଧରେ ଚାଲିଛି । ଅଜସ୍ର ପ୍ରାଣହାନୀ ହେଉଛି, କୋଟି କୋଟି ଟଙ୍କାର ଜାତୀୟ ସମ୍ପତ୍ତି ଧ୍ୱଂସ ହେଉଛି । ଦେଶବାସୀ ଭୟଭୀତ ହୋଇଗଲେଣି, ସେମାନଙ୍କର ନୈତିକ ସାହାସ ଧୀରେ ଧୀରେ ଭାଙ୍ଗି ଯାଉଛି ।

ଏଇ ଟ୍ରେନ ଦୁର୍ଘଟଣାର ଧମାଧମ ତଦନ୍ତ ଚାଲିଲା । ଅସଂଖ୍ୟ ପୁଲିସ କର୍ମଚାରୀ ସାରା ସହରରେ ତଦନ୍ତ ଆରମ୍ଭ କଲେ । ବହୁ ସ୍ଥାନ ଖାନ୍‌ତଲାସ କରା ହେଉଛି । ସନ୍ଦେହରେ ବହୁଲୋକ ଗିରଫ ହେଉଛନ୍ତି । ସମଗ୍ର ପୁଲିସବାହିନୀ ସଜାଗ ହୋଇ ଉଠିଛନ୍ତି ।

ମଧ୍ୟାହ୍ନ ବେଳକୁ ଭବାନୀବାବୁ ନିଜ ଘରକୁ ଫେରିଲେ, ଧୀରସ୍ଥିର ଚିତ୍ତରେ ଏ ପର୍ଯ୍ୟନ୍ତ ପାଇଥିବା ସବୁ ଛିନ୍ନ ଓ ଖଣ୍ଡିତ ସୂତ୍ରଗୁଡ଼ିକ ସେ ତାଙ୍କର ଅତି ବିଶ୍ୱାସୀ ସହକର୍ମୀମାନଙ୍କ ସହିତ ଆଲୋଚନା କରିବାକୁ ଚାହାନ୍ତି । ଟେବୁଲ ଉପରେ ସେ ଦିନର ଡାକରେ ଆସିଥିବା କେତେଗୁଡ଼ିଏ ଚିଠି ଓ ସାନ ଗୋଟିଏ ପାର୍ଶେଲ ରଖା ହୋଇଛି । ସବୁଗୁଡ଼ିକ ତାଙ୍କର ବ୍ୟକ୍ତିଗତ ଚିଠି । ଚିଠିଗୁଡ଼ିକରେ ଥରେମାତ୍ର ଆଖି ବୁଲାଇଦେଇ ସେ ପାର୍ଶେଲଟି ଉଠାଇ ନେଲେ । ପ୍ରାୟ ଆଠ ଇଞ୍ଚ ଲମ୍ବା ସାନ ଗୋଟିଏ କାଠ ବାକ୍‌ସ । ତା’ ଉପରେ ଯଥାରୀତି ସିଲ୍‌ ଦିଆ ହୋଇଛି । ଭବାନୀବାବୁଙ୍କ ଠିକଣା ଟାଇପ୍‌ କରାହୋଇଛି । ଟାଇପ୍‌ ହୋଇଥିବା ଲେଖାଟି ଦେଖି ଭବାନୀବାବୁ କିଛିକ୍ଷଣ ପର୍ଯ୍ୟନ୍ତ ସ୍ଥିର ଦୃଷ୍ଟିରେ ତାକୁ ଚାହିଁ ରହିଲେ । ତା’ପରେ ଆଲମାରୀ ଖୋଲି କ୍ୟାପଟେନ୍‍ ପଟ୍ଟନାୟକଙ୍କ ଘରୁ ଗୁପ୍ତରେ ସଂଗ୍ରହ କରିଥିବା ଖଣ୍ଡିଏ ଟାଇପ୍‌ କାଗଜ ବାହାର କଲେ । ଦୁଇଟିଯାକ ଲେଖାକୁ ପାଖାପାଖି ରଖି ବହୁସମୟ ପର୍ଯ୍ୟନ୍ତ ପରୀକ୍ଷା କଲେ । ତାଙ୍କର ମନେହେଲା ଯେ ଦୁଇଟିଯାକ ଲେଖା ଗୋଟିଏ ମେସିନରେ ଟାଇପ୍‌ କରା ହୋଇଛି । ଅବଶ୍ୟ ସେ ନିଜେ ହସ୍ତାକ୍ଷର ବିଶେଷଜ୍ଞ ନୁହନ୍ତି । ଯଥା ସମୟରେ ତାହା ବିଶେଷଜ୍ଞଦ୍ୱାରା ପରୀକ୍ଷା କରିବେ ବୋଲି ସେ ମନେମନେ ଠିକ୍‌ କଲେ । ତା’ପରେ ଡ୍ର ଭିତରୁ ଛୁରୀ ବାହାର କରି ଅତି ସାବଧାନତାର ସହିତ ପାର୍ଶେଲଟି ଉପରୁ ଜଉ ମୋହର ଉଠାଇ ଦେଲେ । ତା’ପରେ ଛୁରୀ ସାହାଯ୍ୟରେ ବାକ୍‌ସଟିର ପତଳା ପଟାଖଣ୍ଡିକ ଉଠାଇ ଦେଲେ ।

ଢାଙ୍କୁଣୀଟି ଉଠାଇଦେବା ମାତ୍ରେ କ’ଣ ଗୋଟାଏ ବାହାରକୁ ଡେଇଁ ପଡ଼ିଲା କିନ୍ତୁ ଭବାନୀବାବୁଙ୍କ ଦେହରେ ନ ପଡ଼ି ଟେବୁଲ ଉପରେ ପଡ଼ିଲା । ଇନିସ୍ପେକ୍ଟର ଗଡ଼ନାୟକ ନିକଟରେ ବସିଥିଲେ, ସେ ହଠାତ୍‌ ଉଚ୍ଚ ଶବ୍ଦରେ ଚିତ୍କାର କରି ଉଠିଲା । ଭବାନୀବାବୁ କିଛି ବୁଝିବା ପୂର୍ବରୁ ଇନିସ୍ପେକ୍ଟର ଗଡ଼ନାୟକ ତାଙ୍କୁ ଦୁଇ ହାତରେ କୁଣ୍ଢାଇ ଟାଣିଆଣିଲେ । ଗଡ଼ନାୟକଙ୍କର ଏପରି ଅସ୍ୱାଭାବିକ ଆଚରଣରେ ଭବାନୀବାବୁ ସ୍ତମ୍ଭିତ ହୋଇଗଲେ । ସେ ଚାହିଁ ଦେଖିଲେ ଯେ ପ୍ରାୟ ପାଞ୍ଚ ଇଞ୍ଚ ଲମ୍ବର ଗାଢ଼ ସବୁଜ ବର୍ଣ୍ଣର ଗୋଟିଏ କ୍ଷୁଦ୍ର ସାପପରି ସରୀସୃପ ଟେବୁଲ ଉପରେ ପଡ଼ି ସାନ ଫଣାଟି ଟେକିଛି । ଅତି କ୍ଷୁଦ୍ର ରକ୍ତବିନ୍ଦୁ ପରି ତା’ର ଦୁଇଟି ସାନ ସାନ ନାଲି ଆଖି । ଘର କୋଣରୁ ଖଣ୍ଡେ ଲମ୍ବା ବାଡ଼ିଆଣି ଇନିସ୍ପେକ୍ଟର ଗଡ଼ନାୟକ ପାଗଳ ପରି ଟେବୁଲ ଉପରେ ପିଟିବାକୁ ଲାଗିଲେ । ଧୂର୍ତ୍ତ ସାପଟା ବିଭିନ୍ନଆଡ଼େ ଡେଇଁପଡ଼ି ଆତ୍ମରକ୍ଷା କରିବାବୁ ଲାଗିଲା । ଅବଶେଷରେ ଗୋଟିଏ ପ୍ରହାର କ୍ଷୁଦ୍ର ସରୀସୃପଟାର ମୁଣ୍ଡରେ ବାଜିଲା ଓ ସେ ଛେଚିହୋଇ ମରିଗଲା ।

ତା’ପରେ ନିଶ୍ଚିନ୍ତ ଭାବରେ ଠିଆହୋଇ କହିଲେ–ଈଶ୍ୱରଙ୍କ ଅଶେଷ କୃପାବଳରେ ଆପଣ ସୁନିଶ୍ଚିତ ମୃତ୍ୟୁ ମୁଖରୁ ରକ୍ଷା ପାଇଲେ ଭବାନୀବାବୁ ।

 

–କିନ୍ତୁ ଏଇଟି କି ଜୀବ ! ଆପଣ କ’ଣ ପୂର୍ବେ ଏପରି ସାପ ଦେଖିଥିଲେ ?

 

ଗଡ଼ନାୟକ କହିଲେ–ଇଂରାଜ ସରୀସୃପ ବିଶେଷଜ୍ଞମାନେ ଏହାର ନାମ ରଖିଛନ୍ତି ଗ୍ରୀନ ରାଟଲ୍‌ । ପୂର୍ବ ତିବ୍ବତ ଓ ତାତାର ପ୍ରଦେଶର ପାହାଡ଼ିଆ ଅଞ୍ଚଳରେ କେବଳ ଏଇ ମହା ବିଷଧର ସର୍ପ ବାସକରେ, ବିଶେଷଜ୍ଞମାନଙ୍କ ମତରେ ଏଇ ସାପଙ୍କର ବିଷ ଏତେ ଉତ୍କଟ ଯେ ମଣିଷ ବା ଯେକୌଣସି ଜୀବର ଚର୍ମରେ ଏହା ଲାଗିବା ମାତ୍ରେ ତା’ର ମୃତ୍ୟୁ ହୁଏ । ପୋଟାସିଅମ ସାଇନାଡ଼ଠାରୁ ଏହା ଉତ୍କଟତର । ମୁଁ ଯେତେବେଳେ ପୁଲିସ ବିଭାଗୀୟ ଉଚ୍ଚଶିକ୍ଷା ଲାଭ କରିବା ପାଇଁ ବିଲାତ ଯାଇଥିଲି ସେତେବେଳେ ସ୍କଟଲାଣ୍ଡୟାର୍ଡ଼ର ସଂଗ୍ରହାଳୟରେ ଏହିପରି ସାପ ଦେଖିଥିଲି । ସ୍ପିରିଟ୍‌ ଭିତରେ କେତୋଟି ମୃତ ସରୀସୃପକୁ ସେଠାରେ ସାଇତି ରଖା ହୋଇଛି । ସେଇଠାରୁ–ମୁଁ ଶୁଣିଥିଲି ଯେ ପୂର୍ବେ ଚୀନର ମାଞ୍ଚୁରିଆ ରାଜପ୍ରାସାଦମାନଙ୍କରେ ଗୃପ୍ତହତ୍ୟା ପାଇଁ ଏହିପରି ମହା ବିଷଧର ସାପସବୁ ପୋଷି ରଖା ହେଉଥିଲା । ସେ ଯାହାହେଉ ଈଶ୍ୱରଙ୍କ କୃପାରୁ ଯେ ଆପଣ ଆଜି ରକ୍ଷା ପାଇଲେ ଏହାହିଁ ପରମ ଆନନ୍ଦର କଥା ।

 

ଭବାନୀବାବୁ ସବୁ ଶୁଣି ସାମାନ୍ୟ ହସିଲେ । କହିଲେ–ଏହା ଆମର ଅଜ୍ଞାତ ବନ୍ଧୁମାନଙ୍କର ଏ ଅଧମ ଉପରେ ପ୍ରଥମ ଶର ସନ୍ଧାନ । ଏହା କଦାପି ଶେଷ ନୁହେଁ–ଆରମ୍ଭ ମାତ୍ର-। ମୁଁ ମଧ୍ୟ ସେଥିପାଇଁ ପ୍ରସ୍ତୁତ ।

 

ତା’ପରେ ଇଉସୁଫ୍‍କୁ କହିଲେ–ଇଉସୁଫ୍‍, ତୁମେ ଏଇ ଟାଇପ୍‌ କାଗଜଖଣ୍ଡିକ ଓ ପାର୍ଶେଲ ଉପରେ ଟାଇପ୍‌ ହୋଇଥିବା ଲେଖାଟି ପୁଲିସ ଲେବରିଟରୀକୁ ନେଇଯାଅ । ହସ୍ତାକ୍ଷର ବିଶେଷଜ୍ଞ ଏ ଦୁଇଟି ଟାଇପ୍‌ ଲେଖା ପରୀକ୍ଷା କରି ଜଣାଇବେ ଯେ ଏ ଦୁଇଟିଯାକ ଲେଖା ଏକା ମେସିନ୍‌ କିମ୍ବା ବିଭିନ୍ନ ଟାଇପ୍‌ ମେସିନ୍‍ର ।

 

ଇଉସୁଫ୍‍ ଚାଲିଗଲା । କିଛିକ୍ଷଣପରେ ଇନିସ୍ପେକ୍ଟର ଜୟଦେବ ବିଶ୍ୱାଳ ପହଞ୍ଚିଲେ । ଗୋଇନ୍ଦା ବିଭାଗର ସେ ଜଣେ ଅତିକରିତକର୍ମା କର୍ମଚାରୀ ଓ ଭବାନୀ ମହାପାତ୍ରଙ୍କର ବିଶ୍ୱସ୍ତ ସହକର୍ମୀ । ଟେବୁଲ ଉପରେ ଖଣ୍ଡିଏ ମାନଚିତ୍ର ଓ କେତେଗୁଡ଼ିଏ କାଗଜ ରଖି କହିଲେ–କୌଣସି ବିଶେଷ ସନ୍ଧାନ ମିଳିଲା ନାହିଁ ଭବାନୀବାବୁ । ସେ ମହିଳାଟିକୁ କୋଣାର୍କ ହୋଟେଲର ଏକାଧିକ ଲୋକ ବହୁଥର ହୋଟେଲ ଭିତରକୁ ପଶିବାର ଓ ବାହାରକୁ ଯିବାର ଦେଖିଛନ୍ତି । ଚିତ୍ରପଟ୍ଟଟି ଦେଖି ସେମାନେ ଅନାୟାସରେ ତାକୁ ଚିହ୍ନି ପାରିଲେ । ହୋଟେଲର ତେମହଲାରେ ମାତ୍ର ଆଠଟି ସୁଟ୍‌, ସେଥିରୁ ମାତ୍ର ତିନୋଟି ପୂରା ଅଛି । ବାକି ପାଞ୍ଚଟି ପ୍ରାୟ ତିନିମାସ ହେବ ଖାଲି ପଡ଼ିଛି । ତେମହଲାର ସୁଟ୍‌ଗୁଡ଼ିକ ଅତିଶୟ ବ୍ୟୟବହୁଳ, ସେଥିପାଇଁ ସେଗୁଡ଼ିକ ପୂରା ହୁଏ ନାହିଁ । ତେମହଲାର ତିନି ନମ୍ବର ସୁଟରେ କଲିକତାର ଅମୀୟ ବାନେର୍ଜି ନାମକ ଜଣେ ସିନେମା ପ୍ରଯୋଜକ ରହିଛନ୍ତି । ଏହିଠାରେ ଗୋଟାଏ ଫିଲମିର ସୁଟିଂ ପାଇଁ ସେ ଏଠାରେ ରହିଛନ୍ତି । ପାଞ୍ଚ ନମ୍ବର ସୁଟରେ ଡକ୍‌ଟର ନଟରାଜନ ନାମକ ଜଣେ ଐତିହାସିକ ଏଠାରେ ରହି ବୌଦ୍ଧଯୁଗର ଶିଳାଲିପି ବିଷୟରେ ଗବେଷଣା କରୁଛନ୍ତି । ସେ ଉତ୍କଳ ବିଶ୍ୱବିଦ୍ୟାଳୟର ଅତିଥି ଭାବରେ ଏଠାରେ ରହିଛନ୍ତି । ଆଉ ସାତ ନମ୍ବର ସୁଟରେ ଡକ୍‌ଟର ହେଲକାର୍‌ ନାମକ ଜଣେ ବୃଦ୍ଧ ବୈଜ୍ଞାନିକ ତାଙ୍କର ଅସୁସ୍ଥ ସ୍ତ୍ରୀଙ୍କ ସହିତ ବାସ କରୁଛନ୍ତି । ସେ ଗୋଆଲିୟରର୍‌ ରାଜେନ୍ଦ୍ର କଲେଜର ବିଜ୍ଞାନ ଅଧ୍ୟାପକ । ବହୁ ସମୟରେ ଏଇ ବୃଦ୍ଧ ଅଧ୍ୟାପକ ତାଙ୍କ ସ୍ତ୍ରୀଙ୍କୁ ନେଇ ହୋଟେଲର ମଟର ଗାଡ଼ିରେ ପୁରୀ ଓ ଭୁବନେଶ୍ୱର ପ୍ରଭୃତି ସ୍ଥାନକୁ ହାଉଆ ବଦଳ ପାଇଁ ଯାଆନ୍ତି । ସେଇ ଅଜ୍ଞାତ ତରୁଣୀଟି ଏଇ ଡକ୍‌ଟର ହୋଲକାର୍‍ଙ୍କ ଫ୍ଲାଟ୍‌ ଭିତରକୁ କେତେଥର ପଶିବାର ଦେଖା ଯାଇଛି କିନ୍ତୁ ଏ କଥା ସତ ଯେ ଡକ୍‌ଟର ହୋଲକାର୍‌ଙ୍କ ସହିତ କୌଣସି ତରୁଣୀ ବାସ କରୁ ନାହିଁ । ସେ ଏବଂ ତାଙ୍କର ପ୍ରୌଢ଼ା ସ୍ତ୍ରୀଙ୍କ ଛଡ଼ା ସେଠାରେ ଆଉକେହି ନାହିଁ । ହୋଟେଲର ଅନ୍ୟ ସବୁ ବାସିନ୍ଦାମାନେ ଏକ ମହଲା ଓ ଦୋ’ ମହଲାରେ ବାସ କରନ୍ତି, ହୋଟେଲର ନକ୍‌ସା ଓ ଅନ୍ୟାନ୍ୟ କାଗଜପତ୍ର ମୁଁ ନେଇ ଆସିଛି ।

 

ଭବାନୀବାବୁ ନକ୍‌ସାଟିକୁ ମନଦେଇ ପରୀକ୍ଷା କରୁଛନ୍ତି–ଏଇ ସମୟରେ ଟେବୁଲ ଉପରେ ଥିବା ଟେଲିଫୋନ୍‍ଟା ବାଜି ଉଠିଲା । ଭବାନୀବାବୁ ରିସିଭର୍‌ କାନରେ ଲଗାଇଲେ । ଆଇ.ଜି. ସାହେବ ନିଜେ ଟେଲିଫୋନ୍‌ କରୁଛନ୍ତି । କଣ୍ଠସ୍ୱର କିପରି ବିବ୍ରତ ଓ ଉତ୍ତେଜିତ । –ଭବାନୀବାବୁ, ଆପଣ ଥରେ ମୋ ଅଫିସକୁ ଶୀଘ୍ର ଆସନ୍ତୁ ।

 

ଭବାନୀବାବୁ ସାଙ୍ଗେ ସାଙ୍ଗେ ବାହାରିଲେ । ନିଜେ ଜୀପ୍‌ ଚଳାଇ ସେ ମାତ୍ର କେତେ ମିନିଟରେ ଆଇ.ଜି.ଙ୍କ ଅଫିସରେ ପହଞ୍ଚିଲେ, ଆଇ.ଜି.ଙ୍କ ନିକଟରେ ଆହୁରି କେତେଜଣ ବଡ଼ ବଡ଼ ପୁଲିସ କର୍ମଚାରୀ ମଧ୍ୟ ବସିଛନ୍ତି । ସର୍ଦ୍ଦାର ଗୁରୁଦୟାଲ ସିଂ ଆଇ.ଜି.ଙ୍କର ଅତି ନିକଟରେ ବସିଛନ୍ତି-। ତାଙ୍କ ମୁଣ୍ଡରେ ଗୋଟିଏ ବ୍ୟାଣ୍ଡେଜ ବନ୍ଧା ହୋଇଛି, କିପରି ଦୁର୍ବଳ ଦେଖା ଯାଉଛନ୍ତି । ଭବାନୀବାବୁଙ୍କୁ ବସିବାକୁ ନିର୍ଦ୍ଦେଶ କରି ଆଇ.ଜି. ସାହେବ କିଛିକ୍ଷଣ ଗମ୍ଭୀର ହୋଇ ବସି ରହିଲେ-। ତା’ପରେ କହିଲେ–ଗୋଟିଏ ଅତିଶୟ ଦୁଃଖଦାୟକ ଘଟଣା ଘଟିଯାଇଛି ଭବାନୀବାବୁ । ଆପଣ ଜାଣନ୍ତି ଯେ ଆମର ବନ୍ଧୁ ସର୍ଦ୍ଦାର ଗୁରୁଦୟାଲ ସିଂ କୋଣାର୍କ ହୋଟେଲର ଦୁଇ ମହଲାର ଗୋଟିଏ ଫ୍ଲାଟରେ ବାସ କରନ୍ତି । ଗତ ରାତିରେ ତାଙ୍କ ଉପରେ ଅତି ନିର୍ମମ ଆକ୍ରମଣ ହୋଇଛି, ତାଙ୍କର ମୁଣ୍ଡ ଫାଟି ଯାଇଛି । ତାଙ୍କର ଗୋଡ଼ ଓ ହାତକୁ ମଜଭୁତ୍‍ ରଶିରେ ବାନ୍ଧିରଖି କ୍ଲୋରଫର୍ମ ଯୋଗେ ଆତତାୟୀ ତାଙ୍କୁ ଅଜ୍ଞାନ କରି ପକାଇଲା । ତା’ପରେ ତାଙ୍କର ସବୁ ଟ୍ରଙ୍କ ବାକ୍‌ସ ଖୋଲି ସବୁ କାଗଜପତ୍ର ଖେଳାଇଛି । ସୌଭାଗ୍ୟ ବଶତଃ କୌଣସି ଗୁପ୍ତ କାଗଜପତ୍ର ସେ ନିଜ ପାଖରେ ରଖି ନ ଥିଲେ । ଆଜି ସକାଳେ ହୋଟେଲର ଜଣେ ଭୃତ୍ୟ ଚା’ ନେଇ ଆସି ତାଙ୍କୁ ଏପରି ଅବସ୍ଥାରେ ଦେଖି ଚିତ୍କାର କଲା, ତା’ପରେ ଅନ୍ୟମାନେ ଆସି ତାଙ୍କୁ ମୁକ୍ତିଦେଲେ ।

 

ଏ କଥା ଶୁଣି ଭବାନୀବାବୁ ସ୍ତମ୍ଭିତ ହୋଇଗଲେ । ଏହା ମଧ୍ୟ ଯେ ସନ୍ତ୍ରାସବାଦୀମାନଙ୍କର କାମ ଏଥିରେ ତାଙ୍କର କୌଣସି ସନ୍ଦେହ ରହିଲା ନାହିଁ । ସେ କହିଲେ–ଆତତାୟୀ ଯେ ଅନ୍ତର୍ଘାତୀ ଦଳର ଜଣେ କେହି ଏଥିରେ ମୋର ସନ୍ଦେହ ନାହିଁ ସାର୍‌ ।

 

ଭବାନୀବାବୁଙ୍କ କଥା ଶୁଣି କେବଳ ଆଇ.ଜି. ସାହେବ ନୁହନ୍ତି, ଡି.ଆଇ.ଜି. ଓ ସ୍ୱୟଂ ଗୁରୁଦୟାଲ ସିଂ ମଧ୍ୟ ହସି ଉଠିଲେ । ଏ ହସର କାରଣ ଭବାନୀବାବୁ ବୁଝିପାରିଲେ ନାହିଁ । ଆଇ.ଜି. କହିଲେ–ଆପଣଙ୍କ ସହିତ ଆମେମାନେ ମଧ୍ୟ ଏକମତ କିନ୍ତୁ ବର୍ତ୍ତମାନ କ୍ଷେତ୍ରରେ ଆତତାୟୀ ଅଜ୍ଞାତ ନୁହେଁ । ସର୍ଦ୍ଦାର ଗୁରୁଦୟାଲ ସିଂ ତାଙ୍କର ଆତତାୟୀଙ୍କୁ ପରିଷ୍କାର ଚିହ୍ନି ପାରିଛନ୍ତି ।

 

–ଚିହ୍ନି ପାରିଛନ୍ତି ! ତେବେ କିଏ ସେ !! ଭବାନୀବାବୁ ପଚାରିଲେ ।

 

ଭବାନୀବାବୁଙ୍କୁ କିଛିକ୍ଷଣ ପର୍ଯ୍ୟନ୍ତ ସ୍ଥିର ଦୃଷ୍ଟିରେ ଚାହିଁରହି ଆଇ.ଜି. କହିଲେ–ସେ ହେଉଛନ୍ତି ଆପଣଙ୍କର ବ୍ୟକ୍ତିଗତ ବନ୍ଧୁ କ୍ୟାପଟେନ୍‍ ମଦନ ପଟ୍ଟନାୟକ ।

 

ଆଇ.ଜି.ଙ୍କ କଥା ଶୁଣି ଭବାନୀବାବୁ କିଛିକ୍ଷଣ ପର୍ଯ୍ୟନ୍ତ ନୀରବରେ ଛିଡ଼ାହୋଇ ରହିଲେ-। ତା’ପରେ ଦୃଢ଼ କଣ୍ଠରେ କହିଲେ–ମୋର ବନ୍ଧୁ ହେଲେ ମଧ୍ୟ ଆଇନ୍‌ ତାଙ୍କୁ କ୍ଷମା କରିବ ନାହିଁ, ତାଙ୍କୁ ଅନାୟାସରେ ଆପଣ ଗିରଫ କରିପାରନ୍ତି ।

 

ସାମାନ୍ୟ ହସି ଡି.ଆଇ.ଜି. କହିଲେ–ନା ଭବାନୀବାବୁ ତାହା ସମ୍ଭବ ହୋଇ ନାହିଁ । କିଛିକ୍ଷଣ ପୂର୍ବେ ତାଙ୍କର ଘର ଖାନତଲାସ ହୋଇଥିଲା । କାଲି ରାତିରୁ ସେ ଫେରାର, କୌଣସି ପତ୍ତା ନାହିଁ । ତାଙ୍କ ଘରୁ ଗୋଟିଏ ମାଇକ୍ରୋଫୋନ ଓ ଗୋଟିଏ ଟେପ୍‌ ରେକର୍ଡ଼ର ଜବତ ହୋଇଛି-

 

ସମସ୍ତେ କିଛିକ୍ଷଣ ନୀରବ ରହିଲେ । ତା’ପରେ ଆଇ.ଜି. ଧୀରେ ଧୀରେ କହିଲେ–ଆସାମୀ ଆପଣଙ୍କର ପୂର୍ବପରିଚିତ ବନ୍ଧୁ ବୋଲି ଯେ ସେ ଫେରାର ହେବ ନାହିଁ, ସେ କଥା ମୁଁ କହୁ ନାହିଁ କିନ୍ତୁ ଆପଣଙ୍କୁ ମୁଁ ଭିନ୍ନ କାରଣରେ ଦାୟୀ କରୁଛି ।

 

ଭବାନୀବାବୁ ଜିଜ୍ଞାସୁ ଦୃଷ୍ଟିରେ ଚାହିଁଲେ ।

 

ଆଇ.ଜି. କହିଲେ–ଏଥିପୂର୍ବରୁ ମି: ଗୁରୁଦୟାଲ ସିଂ ଟାଇପ୍‌ ହୋଇଥିବା ଖଣ୍ଡିଏ ବେନାମୀ ଚିଠି ତାଙ୍କର ଚିଠି ବାକ୍‍ସ ଭିତରୁ ପାଇଥିଲେ । ସେ ଚିଠି ଖଣ୍ଡିକ କ୍ୟାପଟେନ୍‍ ପଟ୍ଟନାୟକ ନିଜେ ଚିଠି ବାକ୍‌ସ ଭିତରେ ପକାଇଦେବାର ଗୁରୁଦୟାଲ ସିଂ ଦେଖିଥିଲେ । ସେ ଏ କଥା ଆପଣଙ୍କୁ ଜଣାଇଥିଲେ ଏବଂ ସେ ଟାଇପ୍‌ ଚିଠି ଖଣ୍ଡିକ ମଧ୍ୟ ଆପଣଙ୍କ ଅନୁରୋଧ କ୍ରମେ ଆପଣଙ୍କୁ ଦେଇଥିଲେ–ଏ କଥା କ’ଣ ସତ ?

 

–ସମ୍ପୂର୍ଣ୍ଣ ସତ ସାର୍‌ ।

 

–ତା’ପରେ ଆପଣ କ୍ୟାପଟେନ୍‍ ପଟ୍ଟନାୟକଙ୍କ ଦ୍ୱାରା ଟାଇପ୍‌ କରା ହୋଇଥିବା ଆଉଖଣ୍ଡିଏ କାଗଜ ସଂଗ୍ରହ କରି ହସ୍ତାକ୍ଷର ବିଶେଷଜ୍ଞଙ୍କ ଦ୍ୱାରା ପରୀକ୍ଷା କରାଇ ଜାଣି ପାରିଥିଲେ ଯେ ଦୁଇଟିଯାକ ଟାଇପ୍‌ ଲେଖା ଏକ । ଅର୍ଥାତ୍‌ ସର୍ଦ୍ଦାର ଗୁରୁଦୟାଲ ସିଂ ପାଇଥିବା ବେନାମୀ ଚିଠିଖଣ୍ଡି କ୍ୟାପଟେନ୍‍ ପଟ୍ଟନାୟକଙ୍କ ମେସିନରେ ଟାଇପ୍‌ ହୋଇଛି, ନୁହେଁ କି ?

 

–ଏହା ସମ୍ପୂର୍ଣ୍ଣ ଠିକ୍‌ କଥା ସାର୍‌ ।

 

ଏଥର ଆଇ.ଜି. ଟିକିଏ ଅତିରିକ୍ତ ଗମ୍ଭୀର ଭାବରେ କହିଲେ–କ୍ୟାପଟେନ୍‍ ପଟ୍ଟନାୟକଙ୍କର ସ୍ୱରୂପ ଆପଣ ପୂର୍ବରୁ ଜାଣି ପାରିଥିଲେ ସୁଦ୍ଧା ଆପଣ ତାଙ୍କୁ ଗିରଫ କରି ନାହାନ୍ତି-। ମୋତେ ମଧ୍ୟ ଏ ସବୁ କଥା ଜଣାଇ ନାହାନ୍ତି, ସୁତରାଂ ତାଙ୍କର ବର୍ତ୍ତମାନ ଫେରାର ହୋଇଯିବା ପାଇଁ ଆପଣ ଦାୟୀ ନୁହନ୍ତି କି ?

 

ଭବାନୀବାବୁ ଉତ୍ତେଜିତ ହୋଇ କହିଲେ–ଆପଣଙ୍କର ଅଭିଯୋଗର ମର୍ମାର୍ଥ ମୁଁ ବୁଝିପାରୁଛି ସାର୍‌, ମୁଁ ଆପଣଙ୍କୁ ଜବାବ ଦେଉଛି ଯେ ଆଜିଠାରୁ ସାତଦିନ ଭିତରେ ମୁଁ ନିଜେ କ୍ୟାପଟେନ୍‍ ପଟ୍ଟନାୟକଙ୍କୁ ଧରିଆଣି ଆପଣଙ୍କ ସାମନାରେ ହାଜର କରାଇବି । ପୃଥିବୀର ଯେ କୌଣସି ପ୍ରାନ୍ତକୁ ପଳାଇଲେ ମଧ୍ୟ ମୋ ନିକଟରୁ ସେ ମୁକ୍ତି ପାଇବେ ନାହିଁ ।

 

ଏତେବେଳ ପର୍ଯ୍ୟନ୍ତ ଗୁରୁଦୟାଲ ସିଂ କୌଣସି କଥା କହି ନ ଥିଲେ । ଭବାନୀବାବୁଙ୍କ କଥା ଶୁଣି ସେ ହସି ଉଠିଲେ–ଏସ୍‌ପିଓନେଜ ଏଜେଣ୍ଟମାନଙ୍କ ବିଷୟରେ ଆପଣଙ୍କର ଧାରଣା ଅତିଶୟ ସୀମିତ ଭବାନୀବାବୁ । ସେମାନେ ସାଧାରଣ ଚୋର ଡକାୟତ ନୁହନ୍ତି ଯେ ଇଚ୍ଛାକଲେ ଆପଣ ସେମାନଙ୍କୁ ବାନ୍ଧି ଆଣି ପାରିବେ । ସେମାନଙ୍କ ବିଷୟରେ ଜାଣିବା ପାଇଁ ବହୁତ ଶିକ୍ଷାର ପ୍ରୟୋଜନ କିନ୍ତୁ ତଥାପି ମୁଁ ଆପଣଙ୍କର କୃତକାର୍ଯ୍ୟ ହେବା କାମନା କରେ ।

 

ଭବାନୀବାବୁ ଆଇ.ଜି.ଙ୍କଠାରୁ ବିଦାୟ ନେଇ ଫେରି ଆସିଲେ, ନିଜର ନିର୍ଜନ ଘର ଭିତରେ ଏକା ବସି ସେ ଗଭୀର ଧ୍ୟାନରେ ମଗ୍ନ ହେଲେ । ଅବଶେଷରେ ଟେଲିଫୋନ୍‍ର ନୀରବଚ୍ଛିନ୍ନ ଶବ୍ଦରେ ତାଙ୍କର ଧ୍ୟାନ ଭଙ୍ଗହେଲା, ରିସିଭର୍‌ ଉଠାଇନେଇ କାହା ସହିତ ଦୀର୍ଘକାଳ ପର୍ଯ୍ୟନ୍ତ କ’ଣ କଥାବାର୍ତ୍ତା କଲେ । ତା’ପରେ ରିସିଭର୍‌ ରଖିଦେଇ ବାହାରକୁ ଯିବାପାଇଁ ପ୍ରସ୍ତୁତ ହେଲେ । ସେତେବେଳକୁ ବେଳ ବୁଡ଼ିଗଲାଣି, ରାଜପଥର ବିଜୁଳି ଆଲୁଅ ଜଳି ଉଠିଲାଣି–ଭବାନୀବାବୁ ଗ୍ୟାରେଜରୁ ଜୀପ୍‌ ବାହାର କରି କୋଣାର୍କ ହୋଟେଲକୁ ବାହାରିଲେ ।

 

କୋଣାର୍କ ହୋଟେଲର ଧଳା ରଙ୍ଗର ସୁନ୍ଦର ଅଟ୍ଟାଳିକାଟା ସହସ୍ର ପ୍ରଦୀପରେ ଝଲମଲ ହୋଇ ଉଠିଛି । ସାମନାରେ ଅର୍ଦ୍ଧଚନ୍ଦ୍ର ଆକାରର ସୁରୁଚି ଢଳା ସୁନ୍ଦର ଓ ମସୃଣ ଡ୍ରାଇଭଓୟେ । ତା’ ମଝିରେ ଗୋଟିଏ ମନୋରମ ଫୁଲ ବଗିଚା । ଭବାନୀବାବୁ ତାଙ୍କ ଜୀପ୍‌ଟି ପୋର୍ଟିକୋ ତଳେ ରଖି ମେନେଜରଙ୍କ ସହିତ ସାକ୍ଷାତ କରିବାକୁ ଗଲେ, ମେନେଜର ମି: ଜନାଥନ୍‌ ଜଣେ ଏ ଦେଶୀ ଖ୍ରୀଷ୍ଟୀୟାନ, ଅତିଶୟ ଭଦ୍ର ଓ ମାର୍ଜିତ । ଭବାନୀବାବୁଙ୍କର ସେ ପୂର୍ବ ପରିଚିତ ବ୍ୟକ୍ତି । ଭବାନୀବାବୁଙ୍କୁ ନିଜ ଅଫିସ ଭିତରକୁ ପାଛୋଟି ନେଇ ମି: ଜନାଥନ୍‍ କହିଲେ–ଆସନ୍ତୁ ସାର୍‌ ! ଆପଣଙ୍କ ଉପଦେଶମତେ ସବୁ କରାହୋଇଛି । ଏଇଟି ସହରର ଗୋଟିଏ ଅତି ଆଭିଜାତ୍ୟ ହୋଟେଲ, ଏହିଠାରେ ମି: ଗୁରୁଦୟାଲ ସିଂଙ୍କ ପରି ଜଣେ ପଦସ୍ଥ ଅଫିସରଙ୍କ ଉପରେ ଯେପରି ଅମାନୁଷିକ ଆକ୍ରମଣ ହେଲା ସେଥିପାଇଁ ମୁଁ ଅତିଶୟ ଲଜ୍ଜିତ । ମୁଁ ଶୁଣିଲି ଯେ ଆସାମୀଟା ବର୍ତ୍ତମାନ ଫେରାର, କ୍ୟାପଟେନ୍‍ ପଟ୍ଟନାୟକ ନା ସେହିପରି କ’ଣ ତା’ର ନାମ । ସେ କ’ଣ ଏପର୍ଯ୍ୟନ୍ତ ଗିରଫ ହୋଇନାହିଁ ।

 

ସାମାନ୍ୟ ହସି ଭବାନୀବାବୁ କହିଲେ–ନା ମି: ଜନାଥନ୍‍ କିନ୍ତୁ ସେ ବେଶିଦିନ ଲୁଚି ରହିପାରିବ ନାହିଁ, ଶୀଘ୍ର ଗିରଫ ହେବ ।

 

ଏହାକହି ଭବାନୀବାବୁ ହୋଟେଲର କେତେକ ରେଜିଷ୍ଟର ଓ କାଗଜପତ୍ର ପରୀକ୍ଷା କରିବାକୁ ଲାଗିଲେ, ପୂର୍ବରୁ ମି: ଜନାଥନ୍‍ ଏହି କାଗଜପତ୍ରଗୁଡ଼ିକ ଭବାନୀବାବୁଙ୍କ ପାଇଁ ସଜାଡ଼ି ରଖିଥିଲେ । ବହୁକ୍ଷଣ ପର୍ଯ୍ୟନ୍ତ ଭବାନୀବାବୁ ସେ ସବୁ ପରୀକ୍ଷା କରି ନିଜର ନୋଟ୍‌ ବହିରେ କ’ଣ ସବୁ ଲେଖିଲେ । ଅବଶେଷରେ ହୋଟେଲର କେତେକ କର୍ମଚାରୀଙ୍କ ସହିତ ବହୁ ବିଷୟରେ କଥାବାର୍ତ୍ତା ହେଲେ, ହୋଟେଲର କେତେକ ଅତିଥିଙ୍କ ସଙ୍ଗେ ମଧ୍ୟ କଥାବାର୍ତ୍ତା କଲେ । ତା’ପରେ ମି: ଜନାଥନ୍‍ଙ୍କୁ ସଙ୍ଗରେ ନେଇ ଡକ୍‌ଟର ହୋଲକାର୍‌ଙ୍କ ସହିତ ସାକ୍ଷାତ କରିବାବୁ ଗଲେ ।

 

ପ୍ରୌଢ଼ ବୈଜ୍ଞାନିକ ନିଜ ଘର ଭିତରେ ବସି ବିଜ୍ଞାନ ବିଷୟକ ଖଣ୍ଡିଏ ଇଂରାଜୀ ପତ୍ରିକା ପାଠ କରୁଥିଲେ, ଗୋରା ତକତକିଆ ଦୀର୍ଘ ଦେହ–ମୁହଁରେ ଦାଢ଼ି । ଅବିନ୍ୟସ୍ତ କେଶ, ଆଖିରେ କଇଁଚ ହାଡ଼ ଫ୍ରେମ୍‌ର ଚଶମା । ପ୍ରତିଭାଦୀପ୍ତ ମୁଖ । ମେନେଜରଙ୍କ ଠାରୁ ଭବାନୀ ମହାପାତ୍ରଙ୍କର ପରିଚୟ ପାଇ ଡକ୍‌ଟର ହୋଲକାର୍‌ ତାଙ୍କ ସହିତ କରମର୍ଦ୍ଦନ କରି ବସାଇଲେ, ମେନେଜର ମଧ୍ୟ ବସିଲେ । ଅମାୟିକ ହସ ହସି ଡକ୍‌ଟର ହୋଲକାର୍‌ କହିଲେ–କହନ୍ତୁ ଭବାନୀବାବୁ ଆପଣଙ୍କୁ ମୁଁ କିପରି ଭାବରେ ସାହାଯ୍ୟ କରିପାରିବି ।

 

ଯଥେଷ୍ଟ ଭଦ୍ର ଭାବରେ ଭବାନୀବାବୁ କହିଲେ–ମୁଁ ଶୁଣିଲି ଯେ ଆପଣଙ୍କ ସ୍ତ୍ରୀ ଅସୁସ୍ଥ ଅଛନ୍ତି ଏବଂ ସେହି କାରଣରୁ ହାଉଆ ବଦଳ ପାଇଁ ଆପଣ ଛୁଟିନେଇ ଏଠାକୁ ଆସିଛନ୍ତି, ମିସେସ୍‌ ହୋଲକାର୍‌ଙ୍କର ସ୍ୱାସ୍ଥ୍ୟର କିଛି ଉନ୍ନତି ହୋଇଛି ତ ?

 

ସ୍ମିତ ମୁଖରେ ଧନ୍ୟବାଦ ଜଣାଇ ପ୍ରଫେସର କହିଲେ–ତାଙ୍କର ଯଥେଷ୍ଟ ଉନ୍ନତି ହୋଇଛି, ପୁରୀ ଓ ଭୁବନେଶ୍ୱରର ଜଳବାୟୁ ତାଙ୍କ ପକ୍ଷରେ ଅତିଶୟ ଉପକାରୀ କିନ୍ତୁ ତାଙ୍କର ବ୍ୟାଧିଟା ମୁଖ୍ୟତଃ ମାନସିକ ।

 

ତା’ପରେ ଅନ୍ୟାନ୍ୟ ଅନେକ ଗଳ୍ପ ଚାଲିଲା, ପ୍ରଫେସର ହୋଲକାର୍‌ ପ୍ରକୃତରେ ଅତିଶୟ ଜ୍ଞାନୀବ୍ୟକ୍ତି । ବିଦ୍ୟାନ୍ୱେଷଣରେ ସାରା ପୃଥିବୀ ସେ ପର୍ଯ୍ୟଟନ କରିଛନ୍ତି । ବିଜ୍ଞାନର ଅଗ୍ରଗତିରେ ପ୍ରାଚ୍ୟ ଓ ପାଶ୍ଚାତ୍ୟ ଦେଶମାନଙ୍କର ପ୍ରତିଯୋଗୀତା ବିଷୟରେ ବହୁ ତାତ୍ତ୍ୱିକ ଆଲୋଚନା କଲେ । ତାଙ୍କର ଗଭୀର ପାଣ୍ଡିତ୍ୟରେ ଭବାନୀବାବୁ ମୁଗ୍‌ଧ ହେଲେ ।

 

ସମୟ ଆଗେଇ ଚାଲିଲା, ହଠାତ୍‌ ଭବାନୀବାବୁ ବିନୀତ କଣ୍ଠରେ କହିଲେ–ଆପଣ ଯଦି ଅନୁମତି ଦିଅନ୍ତି ତେବେ ଆଉ କେବେ ଆସି ଆପଣଙ୍କଠାରୁ କିଛି ଶୁଣିବି । ମୋର ଆପଣଙ୍କ ସହିତ କିଛି ଜରୁରୀ କାମ ଥିଲା ।

 

ସାମାନ୍ୟ ଲଜ୍ଜିତ ହୋଇ ଡକ୍‌ଟର ହୋଲକାର୍‌ କହିଲେ–ମୁଁ ବଡ଼ ଦୁଃଖିତ ଭବାନୀବାବୁ, ମୁଁ ଆପଣଙ୍କୁ ଏତେବେଳ ପର୍ଯ୍ୟନ୍ତ ଅଟାକାଇ ରଖିଲି । ହଁ–ଏବେ ଆପଣଙ୍କ କଥା କହନ୍ତୁ ।

 

ଭବାନୀବାବୁ ନିଜ ଫାଇଲ ଭିତରୁ ଶିଳ୍ପୀ ଆଦିତ୍ୟଭଞ୍ଜ ଆଙ୍କି ଦେଇଥିବା ତରୁଣୀଟିର ଚିତ୍ରଖଣ୍ଡି ବାହାର କରି ପ୍ରଫେସରଙ୍କ ହାତରେ ଦେଲେ ଏଇ ଚିତ୍ରଟିକୁ ଥରେ ଭଲକରି ଦେଖନ୍ତୁ ଡକ୍‌ଟର ହୋଲକାର୍‌, ଏଇଟି କାହାର ଛବି ଆପଣ ଚିହ୍ନି ପାରୁଛନ୍ତି କି ?

 

ଟେବୁଲ ଲ୍ୟାମ୍ପର ଉଜ୍ଜ୍ୱଳ ଆଲୋକରେ ପ୍ରଫେସର ଚିତ୍ରଟିକୁ କିଛିକ୍ଷଣ ପର୍ଯ୍ୟନ୍ତ ଚାହିଁ ରହିଲେ, ତା’ପରେ ଉଚ୍ଚ କଣ୍ଠରେ କହି ଉଠିଲେ–ଆରେ, ଏଇ ଯେ ରୀତାର ଚିତ୍ର । ଆପଣ ଏହା କେଉଁଠାରୁ ପାଇଲେ ।

 

–ଆପଣ ଏହି ମହିଳାଙ୍କ ବିଷୟରେ କ’ଣ ଜାଣନ୍ତି ଦୟା କରି ମୋତେ କହିବେ କି ? ସେ ବର୍ତ୍ତମାନ କେଉଁଠାରେ ଅଛନ୍ତି, ଏଠାକୁ କ’ଣ ସେ କେବେ ଆସିଛନ୍ତି ।

 

କିଛିକ୍ଷଣ ନୀରବରେ ଭବାନୀବାବୁଙ୍କୁ ଚାହିଁରହି ପ୍ରଫେସର କହିଲେ–ରୀତା ବିଷୟରେ ଆପଣ ଏତେକଥା କାହିଁକି ପଚାରୁଛନ୍ତି ମୁଁ କିଛି ବୁଝିପାରୁ ନାହିଁ ଭବାନୀବାବୁ କିନ୍ତୁ ମୋରି ସବୁକଥା କହିବାରେ ବିନ୍ଦୁମାତ୍ର ଆପତ୍ତି ନାହିଁ । ଏଇ ଝିଅଟିର ନାଁ ହେଉଛି ରୀତା ମେନନ୍‍ । ସେ ଗୋଆଲିଅର୍‌ କଲେଜରେ ମୋର ଛାତ୍ରୀ ଥିଲା, ମୋ’ଠାରୁ ମୋ ସ୍ତ୍ରୀଙ୍କର ସେ ଅଧିକ ପ୍ରିୟ । ତାଙ୍କ ହୃଦୟରେ ରୀତା ପାଇଁ ଗୋଟିଏ ବିଶିଷ୍ଟ ସ୍ଥାନ ରହିଛି ।

 

ଆପଣଙ୍କୁ ମୁଁ କିଛିକ୍ଷଣ ପୂର୍ବେ କହିଥିଲି ଯେ ମୋର ସ୍ତ୍ରୀଙ୍କର ବ୍ୟାଧିଟା ମୁଖ୍ୟତଃ ମାନସିକ । ତା’ର କାରଣ ମଧ୍ୟ ଅତିଶୟ ମର୍ମନ୍ତୁଦ । ଆମର ଗୋଟିଏ ଝିଅ ଥିଲା । ସେ ଥିଲା ଆମର ଏକମାତ୍ର ସନ୍ତାନ । ସେ ମଧ୍ୟ ଥିଲା ଏଇ ରୀତା ବୟସର କିନ୍ତୁ ସେ ଆଉ ନାହିଁ ।

 

ପ୍ରଫେସରଙ୍କ କଣ୍ଠସ୍ୱର ଅଶ୍ରୁ ଗଦ ଗଦ ହୋଇ ଉଠିଲା କିନ୍ତୁ ନିଜକୁ ସମ୍ଭାଳି ନେଇ ସେ ପୁଣି କହିଲେ–ଆଜିକୁ ପ୍ରାୟ ଦଶବର୍ଷ ପୂର୍ବେ ଗୋଟିଏ ମଟର ଦୁର୍ଘଟଣାରେ ସୁଭଦ୍ରାର ମୃତ୍ୟୁ ହେଲା । ଏ ସମ୍ବାଦ ପାଇ ମୋର ସ୍ତ୍ରୀ ସଂଜ୍ଞାହୀନ ହୋଇ ପଡ଼ିରହିଲେ । ସେତିକିବେଳେ ଏଇ ରୀତା ଥିଲା ମୋର ଛାତ୍ରୀ । ତାକୁ ମୋର ସ୍ତ୍ରୀଙ୍କ କୋଳକୁ ଟେକିଦେଇ ମୁଁ କହିଥିଲି–ଏଇ ତୁମର ସୁଭଦ୍ରା । ସେଇ ଦିନଠାରୁ.....

 

ପ୍ରଫେସର ଆଖି ପୋଛିଲେ । ତା’ପରେ କହିଲେ–ହଁ, ରୀତା ଏଠାକୁ କେତେଥର ଆସିଛି । ସେ ବର୍ତ୍ତମାନ ଜଣେ ଲେଡି ଡକ୍‌ଟର । କେଉଁ ଗୋଟାଏ ବଡ଼ ଡାକ୍ତରୀ ଫାର୍ମର ସେ ବର୍ତ୍ତମାନ ରିପ୍ରେଜେଣ୍ଟେଟିଭ କିନ୍ତୁ ଏ ସହରର କେଉଁ ସ୍ଥାନରେ ସେ ରହିଛି ମୁଁ ଜାଣେ ନାହିଁ । କାହିଁକି ଆପଣ ରୀତା କଥା ପଚାରୁଛନ୍ତି ମୁଁ ଜାଣିପାରେ କି ?

 

କିଛିକ୍ଷଣ ନୀରବରେ କ’ଣ ଚିନ୍ତା କରି ଭବାନୀବାବୁ କହିଲେ–ଆପଣଙ୍କୁ ସବୁ କହିବା ପାଇଁ ମୋର ଆପତ୍ତି ନାହିଁ ସାର୍‌, କେତେଗୁଡ଼ିଏ ପ୍ରମାଣ ଉପରେ ନିର୍ଭର କରି ଆମର ବିଶ୍ୱାସ ହୋଇଛି ଯେ ରୀତା ମେନନ୍‍ ଏଠାରେ କୌଣସି ଶତ୍ରୁ ରାଷ୍ଟ୍ରପକ୍ଷରୁ ନିଯୁକ୍ତ ହୋଇ ଏସ୍‌ପିଓନେଜ୍‌ କାମରେ ଲିପ୍ତ ଅଛନ୍ତି ।

 

–ଏଁ !! ଏହା ହୋଇପାରେ ନା । ରୀତା ଏପରି କରି ପାରେନା । ଆପଣଙ୍କର ଭୁଲ ହୋଇଛି, ପୁଲିସ ବହୁ ସମୟରେ ଏପରି ମହା ଭ୍ରମ କରିଥାଏ–ପ୍ରଫେସର ଚିତ୍କାର କରି ଉଠିଲେ ।

 

ଠିକ୍‌ ସେତିକିବେଳେ ପାଖର ଶୋଇବା ଘରୁ ଜଣେ ପ୍ରୌଢ଼ା ହଠାତ୍‌ ପଶି ଆସିଲେ–କ’ଣ ହୋଇଛି ! ମୋ ରୀତାର କ’ଣ ହୋଇଛି !!

 

ଏଇ ମହିଳା ଯେ ପ୍ରଫେସର ହୋଲକାର୍‍ଙ୍କର ରୁଗ୍‌ଣା ସ୍ତ୍ରୀ; ଏ କଥା ଭବାନୀବାବୁ ଅନାୟାସରେ ବୁଝି ପାରିଲେ । ବୟସ ପ୍ରାୟ ପଇଁଚାଳିଶ । ନିଷ୍ପ୍ରଭ ଦୁଇଟି ରୁଗ୍‍ଣ ଆଖି । କିପରି କ୍ଳାନ୍ତ ଓ ଅବସନ୍ନ ଦେଖା ଯାଉଛନ୍ତି । ଗୋରା ଦେହ–ସାମନାପଟର କେତେକ ବାଳ ପାଚିଗଲାଣି । ଭବାନୀବାବୁ ଆସନରୁ ଉଠି ତାଙ୍କୁ ନମସ୍କାର ଜଣାଇଲେ ।

 

–କ’ଣ ରୀତା ବିଷୟରେ କଥାବାର୍ତ୍ତା ହେଉଥିଲା ? ସେ ପୁଣି ପ୍ରଶ୍ନ କଲେ ।

 

ପ୍ରଫେସର ହୋଲକାର୍‍ ବ୍ୟସ୍ତ ହୋଇ ଉଠିଲେ–ନା, ନା, ସେପରି କିଛି ନୁହେଁ । ତମେ ଯାଇ ବିଶ୍ରାମ ନିଅ । ଏହାକହି ସ୍ତ୍ରୀଙ୍କୁ ପାଖ ଘରକୁ ନେଇଗଲେ ।

 

ରାତି ନଅଟାବେଳେ ଭବାନୀବାବୁ ନିଜ ଘରକୁ ଫେରି ଆସିଲେ । ଇଉସୁଫ୍‍ ତାଙ୍କ ପାଇଁ ଅପେକ୍ଷା କରି ବସି ରହିଥିଲା । ଭବାନୀବାବୁଙ୍କୁ ଦେଖି ଉତ୍ତେଜିତ କଣ୍ଠରେ କହିଲା–ଆପଣ ଠିକ୍‌ ସନ୍ଦେହ କରିଥିଲେ ସାର୍‌, ଅଦ୍ଭୁତ ଆପଣଙ୍କର ଶକ୍ତି । ଏବେ ସବୁ ଜଣା ପଡ଼ିଗଲା ।

 

–କ’ଣ ଇଉସୁଫ୍‍ ? ଭବାନୀବାବୁ ସ୍ମିତ ମୁଖରେ ପ୍ରଶ୍ନ କଲେ ।

 

ସେଇ କ୍ୟାପଟେନ୍‍ ପଟ୍ଟନାୟକ ସାପଟା ଆପଣଙ୍କ ନିକଟକୁ ପାର୍ଶେଲ କରି ପଠାଇଥିଲା । ତା’ରି ମେସିନରେ ପାର୍ଶେଲଟାର ଠିକଣା ଟାଇପ୍‌ କରା ହୋଇଛି । ହସ୍ତାକ୍ଷର ବିଶେଷଜ୍ଞଙ୍କର ରିପୋର୍ଟ ମଧ୍ୟ ମୁଁ ନେଇ ଆସିଛି ।

 

ଭବାନୀବାବୁ ହସି କହିଲେ–ତା’ ମୁଁ ଜାଣିଥିଲି ଇଉସୁଫ୍‍, ଏବେ ତମେ ଯାଅ । ଯେପରି ମୁଁ କହିଛି ସେହିପରି କର ।

 

ବହୁତ ରାତି ପର୍ଯ୍ୟନ୍ତ ଭବାନୀବାବୁ ଏକା ବସି କେତେ କାଗଜପତ୍ର ପରୀକ୍ଷା କରିବାକୁ ଲାଗିଲେ । ରହସ୍ୟର ଘନ ଅନ୍ଧାର ଧୀରେ ଧୀରେ ମିଳାଇ ଆସୁଛି । କ୍ଷୀଣ ହେଲେ ମଧ୍ୟ ସୁନିଶ୍ଚିତ ଆଲୋକର ସନ୍ଧାନ ସେ ପାଇଛନ୍ତି । ସୂର୍ଯ୍ୟୋଦୟର ଆଉ ବିଳମ୍ବ ନାହିଁ ।

 

ଅବଶେଷରେ ଘରର ଦୁଆର ଖୁବ୍‌ ଭଲକରି ବନ୍ଦ କରି ସେ ଶୋଇବାକୁ ଗଲେ । ରାତି ପ୍ରାୟ ଦୁଇଟା ସମୟରେ ନିଦ ତାଙ୍କର ଭାଙ୍ଗିଗଲା । ଟେଲିଫୋନ୍‌ଟା ନୀରବଚ୍ଛିନ୍ନ ଭାବରେ ବାଜି ଚାଲିଛି । ବିରକ୍ତ ହୋଇ ରିସିଭର୍‍ଟା ସେ ଉଠାଇନେଲେ କିନ୍ତୁ କ୍ଷଣକ ଭିତରେ ତାଙ୍କର ବିରକ୍ତି ଉଭାଇଗଲା । ଆଇ.ଜି. ସାହେବ ନିଜେ ଟେଲିଫୋନ୍‌ କରୁଛନ୍ତି । କଣ୍ଠସ୍ୱର ତାଙ୍କର ବିବ୍ରତ ଓ ଉତ୍ତେଜିତ–ଭବାନୀବାବୁ, ଆପଣ ଥରେ ଅବିଳମ୍ବେ ମୋ ଅଫିସକୁ ଆସନ୍ତୁ, ଅତି ଜରୁରୀ ପ୍ରୟୋଜନ ।

 

କର୍ତ୍ତବ୍ୟନିଷ୍ଠ ପୁଲିସ କର୍ମଚାରୀଙ୍କର ସବୁ କ୍ଳାନ୍ତି କ୍ଷଣକ ଭିତରେ ଉଭାଇଗଲା । କେତେକ ମିନିଟ ଭିତରେ ସେ ପ୍ରସ୍ତୁତ ହୋଇ ବାହାରି ପଡ଼ିଲେ । ଗଭୀର ରାତି । ଚରାଚର ସୁସୁପ୍ତ-। ରାଜପଥ ସମ୍ପୂର୍ଣ୍ଣ ନିର୍ଜନ । ଭବାନୀବାବୁ, ଜୀପ୍‌ ବାହାର କରିବା ପାଇଁ ଘର ପଛପଟେ ଥିବା ଗ୍ୟାରେଜକୁ ଚାଲିଲେ । ଆରେ, ଗ୍ୟାରେଜ ଦୁଆରଟାରେ ତାଲା ଲଗାହୋଇ ନାହିଁ ! ଗତ ରାତ୍ରରେ ଜୀପ୍‌ଟା ରଖି ତାଲା ପକାଇବା ପାଇଁ ହୁଏତ ସେ ଭୁଲି ଯାଇଛନ୍ତି । ନିଜର ଅସାବଧାନତା ଯୋଗୁଁ ସେ ମନେ ମନେ ଲଜ୍ଜିତ ହେଲେ ।

 

ଗ୍ୟାରେଜ ଭିତରଟା ଘୋର ଅନ୍ଧକାର । ତରତରରେ ସେ ଟର୍ଚ୍ଚ ଲାଇଟିଟା ମଧ୍ୟ ଆଣିପାରି ନାହାନ୍ତି । ଜୀପ୍‌ର ହେଡ଼ ଲାଇଟିଟା ଜଳାଇଦେଲେ ସେ ଯଥେଷ୍ଟ ଆଲୁଅ ପାଇବେ । ଅନ୍ଧାର ଭିତରେ ପଶି ସେ ଡ୍ରାଇଭର ସିଟରେ ବସିଲେ । ହଠାତ୍‌ ତାଙ୍କ ନାକରେ ଗୋଟାଏ ସୁଗନ୍ଧ ଅନୁଭବ କଲେ । ଗୋଟିଏ ମୂଲ୍ୟବାନ ଏସେନ୍‌ସର ସୁଗନ୍ଧ । ତାଙ୍କର ଅତି ପରିଚିତ । ସେ ଚମକି ଉଠିଲେ । ରିଭଲଭର କାଢ଼ିବା ପାଇଁ ପକେଟରେ ହାତ ପୁରାଇଲେ କିନ୍ତୁ କାଢ଼ି ପାରିଲେ ନାହିଁ । ତା’ ପୂର୍ବରୁ କିଏ ପଛଆଡ଼ୁ ତାଙ୍କର ବେକ ଚିପି ଧରିଲା । ଅସ୍ୱାଭାବିକ ଭାବରେ ଲମ୍ବା ଓ ସରୁ ଆଙ୍ଗୁଠିଗୁଡ଼ାକ କିନ୍ତୁ ଇସ୍ପାତ ପରି ଦୃଢ଼ ଓ ଶକ୍ତ । ନିଜର ସର୍ବଶକ୍ତି ଏକତ୍ରିତ କରି ଏଇ ଅଜ୍ଞାତ ଆତତାୟୀ ଧରିବାକୁ ଚେଷ୍ଟା କଲେ କିନ୍ତୁ ସେ ଜାଣି ପାରିଲେ ଯେ ତାହା ଅସମ୍ଭବ । ତାଙ୍କର ଆତତାୟୀ ମଣିଷ ନୁହେଁ । ସର୍ବାଙ୍ଗ ତା’ର ଲୋମଶ । ସେ ମହା ଶକ୍ତିଧର ଗୋଟାଏ ଗରିଲା । କିମ୍ବା ବଡ଼ ଗୋଟାଏ ସୀମ୍ପାଞ୍ଜି ।

 

ଧୀରେ ଧୀରେ ସର୍ବାଙ୍ଗ ତାଙ୍କର ଅବଶ ହୋଇଗଲା । ଦାରୁଣ ଯନ୍ତ୍ରଣାରେ ତାଙ୍କର ହୃଦଯନ୍ତ୍ରର କ୍ରୀୟା ବନ୍ଦ ହୋଇ ଯିବାକୁ ଲାଗିଲା । ସମ୍ପୂର୍ଣ୍ଣ ଚୈତନ୍ୟ ଲୋପ ପାଇବା ପୂର୍ବରୁ ସେ ଯେପରି ନାରୀ କଣ୍ଠର ଅଟ୍ଟହାସ୍ୟ ଶୁଣି ପାରିଲେ । ବିଷଧର ସର୍ପର ଗର୍ଜନଠାରୁ ମଧ୍ୟ ତାହା ଭୟାବହ । ତା’ପରେ ଭବାନୀବାବୁଙ୍କର ନିସ୍ପନ୍ଦ ଦେହ ସେହିଠାରେ ଲୋଟି ପଡ଼ିଲା ।

 

ପ୍ରଚଣ୍ଡ କ୍ରୋଧରେ କର୍ଣ୍ଣେଲ ଗର୍ଜ୍ଜନ କରି ଉଠିଲେ । ପ୍ରକାଣ୍ଡ ହଲ୍‌ଟା ଅନ୍ଧକାର । ବଡ଼ ଟେବୁଲ୍‌ଟା ଉପରେ ତଳମୁହାଁ ହୋଇ କମ୍‌ ଶକ୍ତି ବିଶିଷ୍ଟ ଗୋଟିଏ ଟେବୁଲଲ୍ୟାମ୍ପ ଜଳୁଛି । ଆଗପରି ଘରର କାନ୍ଥକୁ ଲାଗି କେତେଗୁଡ଼ିଏ କଫିନ୍ ବାକ୍‌ସ ରଖାହୋଇଛି । ଘରର ଦୁଇଟିଯାକ ଦୁଆରରେ କଳା ରଙ୍ଗର ମୋଟା ପର୍ଦ୍ଦା ଝୁଲୁଛି ।

 

–ତୁମେ ଗୋଟିଏ ଗଜମୂର୍ଖ ଏପରି ଦାୟିତ୍ୱପୂର୍ଣ୍ଣ କାମ ପାଇଁ ସମ୍ପୂର୍ଣ୍ଣ ଅଯୋଗ୍ୟ । କେବଳ ତୁମରି କାର୍ଯ୍ୟକଳାପ ପାଇଁ ଆମର ଏଇ ଇଉନିଟ୍‌ ଉପରେ ହେଡ଼କ୍ୱାଟର ଅତିଶୟ ଅସନ୍ତୁଷ୍ଟ ହୋଇଛି । ସେମାନଙ୍କ ମତରେ ତୁମପରି ନିର୍ବୋଧ ଏ ସଂସ୍ଥାରେ ରହିବା ଉଚିତ ନୁହେଁ । ଆଉ ତୁମେ ଭଲକରି ଜାଣ ଯେ ଏ ସଂସ୍ଥାର କୌଣସି ସଭ୍ୟକୁ ଜୀବିତ ଅବସ୍ଥାରେ ମୁକ୍ତି ଦିଆଯାଏ ନାହିଁ ।

 

କର୍ଣ୍ଣେଲଙ୍କର ସୁସ୍ପଷ୍ଟ ଇଙ୍ଗିତ ବୁଝିପାରି ସୁଲତାନ ଭୟରେ ଥରିବାକୁ ଲାଗିଲା । ଧୀରେ ଧୀରେ କହିଲା–ଆପଣ କହିଥିଲେ ଯେ ରାତି ତିନିଟାଠାରୁ ସାଢ଼େ ତିନିଟା ଭିତରେ ମିଲିଟେରୀ ସ୍ପେସାଲଟା ପୋଲ ଉପର ଦେଇ ଯିବ, ମୁଁ ସେଥିପାଇଁ ରାତି ତିନିଟା ପରେ ଲାଇନ୍ ଘୁଞ୍ଚାଇଲି । ମୁଁ କ’ଣ ଜାଣିଥିଲି ଯେ ମିଲିଟେରୀ ଟ୍ରେନ ପରିବର୍ତ୍ତନରେ ଗୋଟାଏ କୋଇଲା ବୋଝାଇ ମାଲଗାଡ଼ି ଆଗ ଆସିବ ।

 

–ଚୁପ୍‌ କର ନିର୍ବୋଧ । ଏପରି ନିର୍ଲଜ ତର୍କ କର ନାହିଁ । ତୁମକୁ ମୁଁ କହି ନ ଥିଲି ଯେ ମୋ’ଠାରୁ ହାବେଳିର ସଂକେତ ଦେଖି ସାରିବା ପରେ ପରେ ତୁମେ ଲାଇନ୍‌ ଫିଟାଇବ । ତୁମେ ତାହା କରି ନାହଁ । ମୋର ଆଦେଶ ଅମାନ୍ୟ କରିଛ । ଏଥିପାଇଁ ତୁମର କୈଫିୟତ କ’ଣ ?

 

ତଳକୁ ମୁଣ୍ଡପୋତି ସୁଲତାନ ଛିଡ଼ାହେଲା । ଅସ୍ପଷ୍ଟ କଣ୍ଠରେ ଧୀରେ ଧୀରେ କହିଲା–ମୁଁ ଦୋଷ ସ୍ୱୀକାର କରୁଛି କର୍ଣ୍ଣେଲ, ମୋତେ ଏଇଥରକ ପାଇଁ କ୍ଷମା କରନ୍ତୁ । ମୋତେ ଆଉ କୌଣସି ଦାୟିତ୍ୱପୂର୍ଣ୍ଣ କାମ କରିବାର ସୁଯୋଗ ଦିଅନ୍ତୁ । ମୋର ପ୍ରାଣ ବିନିମୟରେ ମୁଁ ତାହା କରିବି ।

 

–ତୁମର ବନ୍ଧୁ ସେ ଚୋରଟା କାହିଁ, ସେଇ ସୁଲେମାନ ଖାଁ । କର୍ଣ୍ଣେଲ ବ୍ୟଙ୍ଗଭରା ପ୍ରଶ୍ନ କଲେ ।

 

–ସେତିକିବେଳୁ ମୁଁ ତାକୁ ଦେଖି ନାହିଁ କର୍ଣ୍ଣେଲ । ଗାଡ଼ି ଓଲଟି ପଡ଼ିବା ସଙ୍ଗେ ସଙ୍ଗେ ମୁଁ ଯେତେବେଳେ ମୋର ଭୁଲ ବୁଝିପାରିଲି, ଭୟରେ ମୋର ବିଚାରବୁଦ୍ଧି ଲୋପ ପାଇଲା । ମୁଁ ସେଇ ଅନ୍ଧାର ଭିତରେ ଊର୍ଦ୍ଧ୍ୱଶ୍ୱାସରେ ଦୌଡ଼ିବାକୁ ଲାଗିଲି, କିଛିଦୂର ପର୍ଯ୍ୟନ୍ତ ସୁଲେମାନ ମୋ ପଛେ ପଛେ ଦୌଡ଼ିବାର ମୁଁ ଦେଖିଛି କିନ୍ତୁ ତା’ପରେ ସେ କେଉଁଠାରେ ରହିଗଲା ମୁଁ ଜାଣେ ନାହିଁ । ସେ ତ ଗୋଟାଏ ସ୍ଥାନୀୟ ଦାଗୀ । ରାତିରେ ଏପରିଭାବରେ ଦୌଡ଼ୁଥିବାର ଦେଖି ହୁଏତ ପୁଲିସ ତାକୁ ଗିରଫ କରି ନେଇଥିବ ।

 

–ନା ପୁଲିସ ସୁଲେମାନକୁ ଗିରଫ କରି ନାହିଁ, ଅନ୍ୟ ନିର୍ଦ୍ଦୋଷ ବ୍ୟକ୍ତିଙ୍କୁ ପୁଲିସ ଗିରଫ କରି ଜନସାଧାରଣଙ୍କ ନିକଟରେ ନିଜର ମର୍ଯ୍ୟାଦା ରକ୍ଷା କରିବାକୁ ଚେଷ୍ଟା କରୁଛି । ତୁମକୁ ଅବିଳମ୍ବେ ସୁଲେମାନକୁ ଖୋଜି ବାହାର କରିବାକୁ ହେବ, ତୁମରି ପରି ଭୟରେ ସେ ବୋଧହୁଏ ଆତ୍ମଗୋପନ କରିଛି । ତୁମର ଅସାବଧାନତା ଯୋଗୁଁ ଏଇ ଚୋରଟା ଆମମାନଙ୍କର କାର୍ଯ୍ୟକଳାପ ବିଷୟରେ ବହୁ କଥା ଅବଗତ ଅଛି, ତାକୁ ଜୀବିତାବସ୍ଥାରେ ମୁକ୍ତି ଦିଆ ଯାଇପାରେନା ସୁତରାଂ ତାକୁ ମରିବାକୁ ହେବ । ତାକୁ ଅବିଳମ୍ବେ ଲୋକାନ୍ତରକୁ ପ୍ରେରଣ କରିବା ହେଉଛି ବର୍ତ୍ତମାନ ତୁମର ପ୍ରଥମ କର୍ତ୍ତବ୍ୟ ।

 

ଖୁସିହୋଇ ସୁଲତାନ କହିଲା–ମୁଁ ଅବିଳମ୍ବେ ଏ ଆଦେଶ ପାଳନ କରିବି କର୍ଣ୍ଣେଲ ।

 

ତା’ପରେ ବହୁକ୍ଷଣ ପର୍ଯ୍ୟନ୍ତ କର୍ଣ୍ଣେଲ ନୀରବରେ ବସିରହି କ’ଣ ଚିନ୍ତା କରିବାକୁ ଲାଗିଲେ । ହଠାତ୍‌ ମୁଣ୍ଡ ଟେକି କହିଲେ–ତୁମ ହାତରେ ସ୍ଥାନୀୟ ଭଲେଣ୍ଟିଅର ବର୍ତ୍ତମାନ କେତେଜଣ ଅଛନ୍ତ ?

 

–ସବୁ ସମ୍ପ୍ରଦାୟର ମିଶି ପ୍ରାୟ ପଚାଶ ଜଣ ।

 

–ସମସ୍ତେ ଅତିଶୟ ବିଶ୍ୱାସୀ ଓ ନିର୍ଭର ଯୋଗ୍ୟ ତ ? କର୍ଣ୍ଣେଲ ପଚାରିଲେ ।

 

ଟିକିଏ ମୁରୁକି ହସି ସୁଲତାନ କହିଲା–ସମସ୍ତେ ଅତି ମହାଶୟ ବ୍ୟକ୍ତି କର୍ଣ୍ଣେଲ । ଯଥେଷ୍ଟ ଟଙ୍କା ପାଇଲେ ସେମାନେ ନ କରି ପାରିବେ ଏପରି ଦୁଷ୍କର୍ମ ପୃଥିବୀରେ ନାହିଁ ।

 

–ଖୁବ ଭଲ କଥା, ସେମାନଙ୍କୁ ଯଥେଷ୍ଟ ଟଙ୍କା ଦିଅ । ସେମାନଙ୍କର ସାହାଯ୍ୟରେ ତୁମକୁ ଗୋଟିଏ କାମ କରିବାକୁ ପଡ଼ିବ । ଖୁବ୍‌ ମନଦେଇ ଶୁଣ–ବାହ୍ୟତଃ ଏହା ସାମାନ୍ୟ ମନେହେଲେ ମଧ୍ୟ ସାରା ରାଜ୍ୟରେ ରକ୍ତାକ୍ତ ଅଶାନ୍ତି ସୃଷ୍ଟି କରିବା ପାଇଁ ଏହା ଗୋଟିଏ ଅତି ଆଧୁନିକ ପନ୍ଥା କିନ୍ତୁ ଅତି ସାବଧାନତାର ସହିତ ଏହା କରିବାକୁ ହେବ ।

 

ତା’ପରେ କିଛିକ୍ଷଣ ନୀରବ ରହି ପୁଣି କହିଲେ–ଭାରତବର୍ଷ ଗୋଟିଏ ଅତି ବିଶାଳ ଦେଶ, ଆମମାନଙ୍କ ତୁଳନାରେ ଏ ଦେଶର ଜନଶକ୍ତି ଓ ସାମରୀକ ଶକ୍ତି ବହୁ ଅଧିକ । ଏ ଦେଶକୁ ଆକ୍ରମଣ କରିବା ପୂର୍ବରୁ ଆମମାନଙ୍କର ବହୁବିଧ ପ୍ରସ୍ତୁତି ପ୍ରୟୋଜନ ତା’ମଧ୍ୟରୁ ଅନ୍ୟତମ ହେଉଛି ଏ ଦେଶର ସର୍କାରଙ୍କ ବିରୁଦ୍ଧରେ ଜନସାଧାରଣଙ୍କୁ ଉତ୍ତେଜିତ କରିବା । ଅବଶ୍ୟ କେତେକ ରାଜନୈତିକ ବିରୋଧୀ ଦଳ ସେ ଚେଷ୍ଟା କରିଛନ୍ତି କିନ୍ତୁ ଶାସନଗାଦିରେ ଥିବା ତ୍ୟାଗୀ ଓ ମହାନ୍‌ ନେତାମାନଙ୍କ ପ୍ରତି ଜନତାର ପ୍ରଚଣ୍ଡ ଭକ୍ତି ଓ ଆସ୍ଥା ଯୋଗୁଁ ସେପରି ବିରୋଧୀ ଦଳମାନେ ଗୋଟାଏ ରକ୍ତାକ୍ତ ଅନ୍ତର୍ଯୁଦ୍ଧ ଘଟାଇବାକୁ ସମର୍ଥ ହେଉ ନାହାନ୍ତି । ତୁମେ ନିଜେ ଜଣେ ଉଚ୍ଚ ଶିକ୍ଷିତ ବ୍ୟକ୍ତି ସୁଲତାନ । ମୋ କଥାର ମର୍ମ ବୁଝିପାରୁଛ ତ ?

 

–ଏ ପର୍ଯ୍ୟନ୍ତ ତ ସବୁ ବୁଝିପାରିଛି କର୍ଣ୍ଣେଲ, ଆପଣ କହନ୍ତୁ ।

 

–ଏ ଦେଶର ଭବିଷ୍ୟତ କର୍ଣ୍ଣଧାର ଓ ଜାତିର ମେରୁଦଣ୍ଡ ହେଉଛନ୍ତି ଆଜିର ତରୁଣ ଛାତ୍ର ସମାଜ, ସେମାନଙ୍କୁ ଉତ୍ତ୍ୟକ୍ତ କରିବାକୁ ହେବ । ଦେଶର ସର୍କାର ଓ ନେତାମାନଙ୍କ ବିରୁଦ୍ଧରେ ସେମାନଙ୍କୁ ଉତ୍ତେଜିତ କରିବାକୁ ହେବ । ଥରେ ସେ ନିଆଁ ଜଳାଇ ପାରିଲେ ତାହା ବହୁକାଳ ସ୍ଥାୟୀ ହେବ ।

 

–କିପରି ତାହା ହୋଇପାରିବ କର୍ଣ୍ଣେଲ ? ସୁଲତାନ ପଚାରିଲା ।

 

–ଆସନ୍ତା କାଲି ସଞ୍ଜବେଳେ ଶହୀଦ ପାର୍କରେ ଗୋଟାଏ ବଡ଼ ରକମର ଛାତ୍ରସଭା ହେବ, ସର୍କାରଙ୍କ ବିରୁଦ୍ଧରେ ଛାତ୍ର ସମାଜର ବହୁ ଅଭିଯୋଗ ଅଛି କିନ୍ତୁ ମନେରଖ ସେମାନେ ସର୍କାରକୁ ବା ନେତାମାନଙ୍କୁ ଘୃଣା କରନ୍ତି ନାହିଁ । ସେଇ ବିରାଟ ଛାତ୍ର ସଭାରେ ଶାନ୍ତିଭଙ୍ଗର ଆଶଙ୍କା କରି ସଶସ୍ତ୍ର ପୁଲିସ ମଧ୍ୟ ସେଠାରେ ମୁତୟନ ରହିବେ । ତୁମର କାମ ହେଉଛି ଅତି ଗୋପନରେ ତୁମର ଲୋକମାନଙ୍କୁ ଛାତ୍ରମାନଙ୍କ ଭିତରେ ପୁରାଇ ଦେବା । ସୁଯୋଗ ବୁଝି ସେ ଲୋକମାନେ ସଶସ୍ତ୍ର ପୁଲିସମାନଙ୍କୁ ଟେକା ପଥର ପକାଇବେ । ଏପରି ତୀବ୍ର ଭାବରେ ଟେକା ବୃଷ୍ଟି ଚାଲିବ ଯେ ପୁଲିସ ଫଉଜ ଆତ୍ମରକ୍ଷା କରିବା ପାଇଁ ଛାତ୍ରମାନଙ୍କ ଉପରେ ଗୁଳି ଚଳାଇବାକୁ ବାଧ୍ୟ ହେବେ । କେତେକ ନିରୀହ ଛାତ୍ର ଯେପରି ପୁଲିସ ଗୁଳିରେ ଆହତ ଓ ନିହତ ହେବେ । ତା’ପରେ ତୁମର ‘‘ମହାଶୟ’’ ବ୍ୟକ୍ତିମାନେ ସହରର ବିଭିନ୍ନ ସ୍ଥାନରେ ଲୁଟତରାଜ ଓ ଭଙ୍ଗାରୁଜା କରିବେ । ସର୍କାରୀ ଗାଡ଼ି ଓ ସିନେମା ଘର ପ୍ରଭୃତିରେ ନିଆଁ ଲଗାଇବେ । ସେ ସବୁ ଅପକର୍ମ ଯେପରି ଛାତ୍ରମାନଙ୍କ ନାମରେ ଯିବ । ସେଥିରେ ପୁଲିସବାହିନୀ ଆହୁରି ଉଗ୍ର ହୋଇ ଉଠିବେ । ଛାତ୍ରମାନେ ମଧ୍ୟ ପୁଲିସ ଅତ୍ୟାଚାରର ନିନ୍ଦାବାଦ କରି ଉତ୍ତେଜିତ ହୋଇ ଉଠିବେ । ସେ ଇନ୍ଧନ ଧୀରେ ଧୀରେ ଦେଶର ଚାରିଆଡ଼େ ଅଗ୍ନି ଉତ୍ପାତ ସୃଷ୍ଟି କରିବ । ଦେଶର ତରୁଣ ସମ୍ପ୍ରଦାୟ ସର୍କାରଙ୍କ ବିରୁଦ୍ଧରେ ବିଦ୍ରୋହ କରିବେ, ସବୁ ବୁଝିଲ ତ ? କିନ୍ତୁ ଅତିଶୟ ଗୋପନରେ ଏହା କରିବାକୁ ହେବ । ବହୁ ଅର୍ଥବ୍ୟୟ କରିବାକୁ ହେବ । ପାରିବ ତ ?

 

–ନିଶ୍ଚୟ ପାରିବି କର୍ଣ୍ଣେଲ । କାଲି ସଞ୍ଜବେଳେ ସବୁ ବୁଝି ପାରିବେ ।

 

ବଡ଼ ଗୋଛାଏ ନୋଟ ପକେଟରେ ପୂରାଇ ସୁଲତାନ ଚାଲିଗଲା । ପ୍ରାୟନ୍ଧକାର–ଘରଟା ଭିତରେ କର୍ଣ୍ଣେଲ ବହୁକ୍ଷଣ ପର୍ଯ୍ୟନ୍ତ ଏକା ବସିରହି କ’ଣ ଚିନ୍ତା କରିବାକୁ ଲାଗିଲେ । ତାଙ୍କ ମୁହଁରେ ସେହିପରି ଗୋଟାଏ ପ୍ଲାଷ୍ଟିକ ମୁଖା । ଏଇ ଅନ୍ଧାରୁଆ ଘରଟା ଭିତରେ ପ୍ରେତ ଲୋକର ଅଧିବାସୀପରି ଭୟାବହ ମନେ ହେଉଛି ।

 

ତା’ପରେ ହାତ ଘଡ଼ିକୁ ଚାହିଁ ପକେଟରୁ ବିଚିତ୍ର ଓ ସାନ ଗୋଟିଏ ଯନ୍ତ୍ର ବାହାର କଲେ । ସେଥିରେ ଗୋଟିଏ ଇଅର୍‌ ଫୋନ୍‌ ଫିଟ୍‌ କରି କାନରେ ଲଗାଇଲେ । ସାନ ଗୋଟିଏ ମାଉଥ୍‌ ପିସ୍‌ ମଧ୍ୟ ଲଗାଇଲେ । ତା’ପରେ ସାନ ମେସିନ୍‌ଟିକୁ ଟେବୁଲ ଉପରେ ରଖି କେତେକ ବୋତାମ ଚିପିଲେ । ଅବଶେଷରେ ମେସିନ୍‌ଟି ଉପରିଭାଗରେ ସାନ ଗୋଟିଏ ନାଲି ଆଲୁଅ ଜଳି ଉଠିଲା । ବିଚିତ୍ର ଏକ ଶବ୍ଦ ବାହାରିଲା । ତା’ପରେ କର୍ଣ୍ଣେଲ କାହା ସହିତ ସେଇ ମେସିନ୍‌ ମାଧ୍ୟମରେ ବହୁ ସମୟ ଧରି କଥାବାର୍ତ୍ତା କଲେ, ଶେଷ କଥାବାର୍ତ୍ତା କରି ପୁଣି ମେସିନ୍‍ଟି ପକେଟରେ ରଖିଦେଲେ ।

 

କିଛିକ୍ଷଣ ପରେ ନିଜ ଘଡ଼ିକୁ ଚାହିଁ ସମୟ ଦେଖିଲେ । ତା’ପରେ ଟେବୁଲ ଉପରେ ଥିବା ଗୋଟିଏ ଘଣ୍ଟା ବଜାଇଲେ । ଗୋଟିଏ ଗୁଣ୍ଡା ଆକୃତିର ଲୋକ ପର୍ଦ୍ଦାଟେକି ଘର ଭିତରେ ପଶିଲା, ଗମ୍ଭୀର ଭାବରେ କର୍ଣ୍ଣେଲ ଲୋକଟିକୁ ଆଦେଶ ଦେଲେ–ମାଷ୍ଟରକୁ ଡାକିଦିଅ ।

 

କିଛିକ୍ଷଣ ପରେ ଗୋଟିଏ କ୍ଷୀଣଦେହ ବୃଦ୍ଧ ଘର ଭିତରେ ପ୍ରବେଶ କଲା । ତା’ ପିଠିରେ ଗୋଟିଏ ସୁସ୍ପଷ୍ଟ କୁଜ । ଏଇ ଅପ୍‌ରଛନିଆ ବୁଢ଼ାକୁ ସମସ୍ତେ ମାଷ୍ଟର ବୋଲି ଡାକନ୍ତି । ହାଇଡ୍‌ ଲିକ୍‌ ମେସିନ୍‌ ସାହାଯ୍ୟରେ ଜାଲ ନୋଟ୍‌ ପ୍ରସ୍ତୁତ କରିବାରେ ଲୋକଟା ଅତିଶୟ ସିଦ୍ଧହସ୍ତ । ବହୁ ଦେଶରେ ସେ ବହୁଥର ଧରାପଡ଼ି କାରାବରଣ କରିଛି ।

 

କର୍ଣ୍ଣେଲ ମାଷ୍ଟରକୁ ବସିବାକୁ ଇଙ୍ଗିତ କଲେ । ତା’ପରେ କହିଲେ–ଆଜି ଠିକ୍‌ ରାତି ଦୁଇଟାରେ ଆମର ଭୋପାଲ କେନ୍ଦ୍ରରୁ ଖଣ୍ଡିଏ ହେଲିକପ୍‌ଟର ଆସି ଏଠାରେ ଅବତରଣ କରିବ । ପାଞ୍ଚଲକ୍ଷ ଟଙ୍କାର ନୋଟ ସେଥିରେ ଦେବାକୁ ହେବ । ତୁମେ ପ୍ରସ୍ତୁତ ତ ?

 

–ହଁ ସାହେବ, ଆପଣଙ୍କ ଆଦେଶ ମୁଁ ପୂର୍ବରୁ ପାଇ ସବୁ ପ୍ରସ୍ତୁତ କରି ରଖିଛି । ଭଲ କରି ପ୍ୟାକ୍‌ ମଧ୍ୟ କରି ରଖିଛି । ହେଲିକପ୍‌ଟର ପହଞ୍ଚିବା ମାତ୍ରେ ମୁଁ ସଙ୍ଗେ ସଙ୍ଗେ ଲୋଡ଼ କରିଦେବି, ଆପଣ ନିଶ୍ଚିନ୍ତ ରହନ୍ତୁ ।

 

ଖୁସିହୋଇ କର୍ଣ୍ଣେଲ କହିଲେ–ଖୁବ୍‌ ଭଲ କଥା । ତୁମେ ବର୍ତ୍ତମାନ ଯାଅ, ସୁନ୍ଦର ସିଂ ଓ ଆଫ୍‌ଜଲକୁ ଏଠାକୁ ପଠାଇଦିଅ ।

 

ମାଷ୍ଟର ଘର ଭିତରୁ ବାହାରିଗଲା । ତା’ର କିଛିକ୍ଷଣ ପରେ ପର୍ଦ୍ଦାଟେକ ଦୁଇଜଣ ଦୀର୍ଘଦେହ ବଳିଷ୍ଠବ୍ୟକ୍ତି ଘର ଭିତରେ ପ୍ରବେଶ କଲେ । କିଛିକ୍ଷଣ ପର୍ଯ୍ୟନ୍ତ ସେମାନଙ୍କୁ ନୀରବରେ ଚାହିଁରହି କର୍ଣ୍ଣେଲ କହିଲେ–ବସ ସୁନ୍ଦର ସିଂ । ଆଫ୍‌ଜଲ ତୁମେ ମଧ୍ୟ ବସ ।

 

ଦୁଇଜଣଯାକ ଆସନ ଗ୍ରହଣ କଲେ । କିଛିକ୍ଷଣ ନୀରବ ରହି କର୍ଣ୍ଣେଲ କହିଲେ–ନାନା କାରଣରୁ ଏ ସ୍ଥାନରେ ବେଶି ଲାସ୍‌ ପୋତିବାକୁ ମୋର ଇଚ୍ଛା ନ ଥିଲା । ଏ କଥା ମୁଁ ହେଡ୍‌କ୍ୱାଟରକୁ ମଧ୍ୟ ଜଣାଇଥିଲି କିନ୍ତୁ ତଥାପି ଆଜି ରାତିରେ ଦୁଇଟି ଲାସର ଦାୟିତ୍ୱ ଆମକୁ ଗ୍ରହଣ କରିବାକୁ ପଡ଼ିବ । ଭୋପାଲରୁ ଦୁଇଟି ଉଚ୍ଚ ପୁଲିସ ଅଫିସରଙ୍କର ମୃତ ଦେହକୁ ନେଇ ଆମର ଗୋଟିଏ ହେଲିକପ୍‌ଟର ଆଜି ରାତି ଦୁଇଟାବେଳେ ଏଠାରେ ଓହ୍ଲାଇବ ତୁମେମାନେ ଆଗରୁ ଦୁଇଟି କବର ଖୋଳି ପ୍ରସ୍ତୁତ ରହ, ମୋ କଥା ବୁଝି ପାରିଛ ତ ?

 

ଉଭୟେ ମୁଣ୍ଡ ହଲାଇ ଜଣାଇଲେ ଯେ ସେମାନେ ବୁଝି ପାରୁଛନ୍ତି ।

 

କଥାରେ ଅଛି–

 

‘‘ଯାହାକୁ ରଖିବେ ଅନନ୍ତ

କି କରିପାରେ ବଳବନ୍ତ’’ ।

 

ଯାହାର ଦେହ, ମନ ଓ ପ୍ରାଣ ସମୂହ ଜନକଲ୍ୟାଣ ପାଇଁ ଉତ୍ସର୍ଗୀକୃତ–ଦେଶବାସୀଙ୍କର ଅଶେଷ ଶୁଭେଚ୍ଛା ହେଉଛି ତା’ର ରକ୍ଷା କବଚ । ବୋଧହୁଏ ସେହି କାରଣରୁ ସୁନିଶ୍ଚିତ ମୃତ୍ୟୁର କରାଳ ଦଂଷ୍ଟ୍ର ମଧ୍ୟରୁ ଭବାନୀବାବୁ ରକ୍ଷା ପାଇଗଲେ । ଦୀର୍ଘ ଦୁଇ ଦିନ ଓ ଦୁଇରାତି କାଳ ଯମ ଓ ମଣିଷ ଭିତରେ ଟଣା ଓଟରା ଚାଲିବା ପରେ ଅବଶେଷରେ ଭବାନୀ ମହାପାତ୍ରଙ୍କର ଜ୍ଞାନ ଫେରିଆସିଲା, ସେ ଆଖି ମେଲାଇ ଚାହିଁଲେ ।

 

ଭବାନୀବାବୁଙ୍କର ସ୍ନାୟୁମଣ୍ଡଳ ଇସ୍‌ପାତ ପରି ଶକ୍ତି । ଅତି ଦୃଢ଼ ତାଙ୍କର ମାଂସପେଶୀ ଓ ମନୋବଳ । ବେକରେ ତାଙ୍କର ଗଭୀର କ୍ଷତ ହୋଇ ଯାଇଛି । ଅସୀମ ବଳଶାଳୀ ପଶୁଟାର ନଖ ଦନ୍ତର ଆଘାତରେ ସର୍ବାଙ୍ଗ କ୍ଷତବିକ୍ଷତ । ମୁଣ୍ଡରେ ଦାରୁଣ ଆଘାତ ଲାଗିଛି, ଚିକିତ୍ସକମାନଙ୍କର ଅଜସ୍ର ଯତ୍ନରେ ଏତେବଡ଼ ଗୋଟାଏ ମହାନ ପ୍ରାଣ ବଞ୍ଚିଯିବାର ଦେଖି ପ୍ରବୀଣ ଚିକିତ୍ସକ ଡକ୍‌ଟର ମଙ୍ଗରାଜ ଅତିଶୟ ଆନନ୍ଦିତ ହେଲେ । ଗୋଗୀକୁ ଭଲ ଭାବରେ ପରୀକ୍ଷା କରି ଅପେକ୍ଷାମାନ ଆଇ.ଜି. ସାହେବଙ୍କୁ ଜଣାଇଲେ ଯେ ଆଉ କୌଣସି ଭୟ ନାହିଁ କିନ୍ତୁ ଅନ୍ତତଃ ପନ୍ଦରଦିନ କାଳ ବିଛଣାରେ ଶୋଇ ରହିବାକୁ ହେବ । ସ୍ନାୟୁ ଅତିଶୟ ଦୁର୍ବଳ ହୋଇ ପଡ଼ିଛି ।

 

ଏଇ ଦୁଇଟି ଦିନ ଅତିଶୟ ଉଦ୍‌ବିଗ୍ନ ହୋଇ କେବଳ ଆଇ.ଜି. ଓ ଅନ୍ୟାନ୍ୟ ବଡ଼ ବଡ଼ ପୁଲିସ ଅଫିସର ନୁହନ୍ତି, ସମଗ୍ର ନଗରବାସୀ ଚାହିଁ ରହିଥିଲେ । ଡାକ୍ତର ମଙ୍ଗରାଜଙ୍କର ଦୃଢ଼ ମତ ଶୁଣି ସମସ୍ତେ ନିଶ୍ଚିନ୍ତ ହେଲେ । ଭବାନୀବାବୁଙ୍କ ପ୍ରାଣନାଶ କରିବା ପାଇଁ ଦୁର୍ବୃତ୍ତମାନେ ଯେ ଏଇ ହସ୍‌ପିଟାଲରେ ମଧ୍ୟ ପୁଣି ଚେଷ୍ଟା କରି ପାରନ୍ତି ଆଇ.ଜି. ସାହେବଙ୍କର ସେ ଆଶଙ୍କା ପୂର୍ଣ୍ଣଭାବରେ ଥିଲା । ସେଥିପାଇଁ ହସ୍‍ପିଟାଲରେ ଭବାନୀବାବୁଙ୍କ କ୍ୟାବିନ୍‌ ଚାରିପଟେ ସଶସ୍ତ୍ର ପୁଲିସର କଡ଼ା ପହରା ମୁତୟନ କରା ହୋଇଛି । ଅତି ବିଶ୍ୱାସୀ ଡାକ୍ତର ଓ ନର୍ସମାନଙ୍କ ଛଡ଼ା ଭବାନୀବାବୁଙ୍କର କ୍ୟାବିନରେ ଆଉ କାହାରି ପ୍ରବେଶ ନିଷିଦ୍ଧ ହୋଇଛି ।

 

ଡାକ୍ତର ମଙ୍ଗରାଜ ପନ୍ଦର ଦିନ ପର୍ଯ୍ୟନ୍ତ ବିଛଣାରେ ପଡ଼ି ରହିବାକୁ ଉପଦେଶ ଦେଇଥିଲେ ମଧ୍ୟ ଭବାନୀବାବୁ ମାତ୍ର ଚାରିଦିନ ପରେ ସମ୍ପୂର୍ଣ୍ଣ ଆରୋଗ୍ୟ ହୋଇଉଠିଲେ । ଦୈହିକ ଓ ମାନସିକ ଶକ୍ତି ତାଙ୍କର ଅସୀମ । ଏଇ କେତେଦିନ ଭିତରେ ବିଛଣାରେ ପଡ଼ିରହି ସେ ଇଉସୁଫ୍‍ଠାରୁ ସବୁ ସମ୍ବାଦ ସଂଗ୍ରହ କରିଛନ୍ତି । ବିଭିନ୍ନ ସ୍ଥାନରୁ ଆସିଥିବା କେତେଖଣ୍ଡି ବେତାରବାର୍ତ୍ତା ଓ ଟିପଚିହ୍ନ ବିଶେଷଜ୍ଞଙ୍କର ଖଣ୍ଡିଏ ରିପୋର୍ଟ ଇଉସୁଫ୍‌ ତାଙ୍କୁ ଦେଖାଇଛି । ଭବାନୀବାବୁ ଯେପରି ଅସ୍ଥିର ହୋଇ ଉଠିଛନ୍ତି, ଆଉ ବିଳମ୍ବ କରିବା ଉଚିତ ନୁହେଁ । ଏଥର ଜାଲ ଟାଣି କୂଳକୁ ଉଠାଇବାର ସମୟ ଆସିଛି ।

 

ଦେଶର ସମ୍ବାଦ, ବନ୍ଧୁମାନଙ୍କ ମୁହଁରୁ ରେଡ଼ିଓରୁ ଓ ସମ୍ବାଦ ପତ୍ରରୁ ସେ ପାଉଛନ୍ତି । ଚାରିଆଡ଼େ ଛାତ୍ର ଅଶାନ୍ତିର ନିଆଁ ଜଳି ଉଠିଛି । କେତେକ ସର୍କାରୀ କୋଠାବାଡ଼ି, ଯାନବାହାନ ଓ ସାଧାରଣ ସମ୍ପତ୍ତି ଛାତ୍ରମାନେ ଜଳାଇ ଧ୍ୱଂସ କରି ଦେଇଛନ୍ତି । କେତେ ବଡ଼ ବଡ଼ ଦୋକାନ ଲୁଟପାଟ କରୁଛନ୍ତି, ପୁଲିସ ବାହିନୀକୁ ଆକ୍ରମଣ କରି ଆହତ କରୁଛନ୍ତି । ଦେଶର ଶାନ୍ତିରକ୍ଷକମାନେ କ୍ରୋଧାନ୍ଧ ହୋଇ ଗୁଳି ଚଳାଉଛନ୍ତି, ଲାଠି ଚଳାଉଛନ୍ତି । ଗ୍ୟାସ୍‌ ପ୍ରୟୋଗ କରୁଛନ୍ତି । କେତେ ତରୁଣ ତରୁଣୀ ପ୍ରାଣ ଅକାଳେ ଝଡ଼ି ପଡ଼ୁଛି । କେତେ ଛାତ୍ର ସାଂଘାତିକ ଭାବରେ ଆହତ ହେଉଛନ୍ତି କିନ୍ତୁ ତଥାପି ମୃତ୍ୟୁ ଭୀତିହୀନ ତରୁଣ ତରୁଣୀ ସମ୍ପ୍ରଦାୟ ଆଗେଇ ଚାଲିଛନ୍ତି ।

 

କିନ୍ତୁ ପ୍ରକୃତରେ କ’ଣ ଛାତ୍ରମାନେ ମାତୃଭୂମିର ଏ ମହାକ୍ଷତି କରୁଛନ୍ତି । ଭବାନୀବାବୁ ଏହା ଆଦୌ ବିଶ୍ୱାସ କରିପାରୁ ନାହାନ୍ତି, ଏହା ପଛରେ ମଧ୍ୟ ସେଇ ଅନ୍ତର୍ଘାତୀମାନଙ୍କର ଗୋପନ ଚକ୍ରାନ୍ତ ନିଶ୍ଚୟ ରହିଛି ।

 

ଆଇ.ଜି. ସାହେବ ଦୁଇଓଳି ହସ୍‌ପିଟାଲକୁ ଆସି ଭବାନୀବାବୁଙ୍କୁ ଦେଖି ଯାଉଛନ୍ତି । ସେଦିନ ଅପରାହ୍ନରେ ମଧ୍ୟ ସେ ଆସି ଭବାନୀବାବୁଙ୍କର ବିଛଣା ନିକଟରେ ବସିଲେ । –କିପରି ଅଛନ୍ତି ଭବାନୀବାବୁ ? ସ୍ମିତ ମୁଖରେ ଆଇ.ଜି. ପଚାରିଲେ ।

 

–ଖୁବ୍‌ ଭଲ ଅଛି ସାର୍‌ । ମୁଁ ସମ୍ପୂର୍ଣ୍ଣରୂପେ ଆରୋଗ୍ୟ ହୋଇଗଲିଣି ।

 

ସାମାନ୍ୟ ହସି ଆଇ.ଜି. କହିଲେ–ଆପଣ ଯଦି ଏପରି ଅସୁସ୍ଥ ହୋଇ ପଡ଼ିନଥାନ୍ତେ ତେବେ ଆପଣଙ୍କ ସାହାଯ୍ୟରେ ଆମେ ନିଶ୍ଚୟ କିଛିଦୂର ଆଗେଇପାରି ଥାଆନ୍ତୁ । ବର୍ତ୍ତମାନ ସରକାର ଓ ଜନସାଧାରଣଙ୍କ ନିକଟରେ ପୁଲିସକୁ ଅତିଶୟ ଲଜ୍ଜିତ ହେବାକୁ ହେଉଛି । ଆମର ମାନ୍ୟବର ଘରୋଇ ମନ୍ତ୍ରୀ ମଧ୍ୟ ଅତିଶୟ ବିବ୍ରତ, ଦେଶର ଭୟାବହ ଅନ୍ତର୍ଘାତୀ କାର୍ଯ୍ୟ ଗୋଟିକ ପରେ ଗୋଟିଏ ନିର୍ବିଘ୍ନରେ ଚାଲୁଛି । ଆମେମାନେ ଏ ପର୍ଯ୍ୟନ୍ତ ଅପରାଧୀମାନଙ୍କୁ ଧରିପାରି ନାହୁଁ । ଦେଶର ଜନସାଧାରଣ ଓ ସମ୍ୱାଦପତ୍ରଗୁଡ଼ିକ ତା’ର ତ୍ରୀବ ସମାଲୋଚନା କରୁଛନ୍ତି । ଘରୋଇ ମନ୍ତ୍ରୀଙ୍କର ଇସ୍ତଫା ଦାବି କରୁଛନ୍ତି ।

 

କ୍ୟାପଟେନ୍‍ ପଟ୍ଟନାୟକଙ୍କ ବିରୁଦ୍ଧରେ କେତେକ ନିର୍ଭରଯୋଗ୍ୟ ପ୍ରମାଣ ରହିଛି କିନ୍ତୁ ତାକୁ ମଧ୍ୟ ଆମେ ଗିରଫ କରି ପାରିଲୁ ନାହିଁ, ସେ ଏ ପର୍ଯ୍ୟନ୍ତ ଫେରାର । ତା’ର ଗିରଫଦାରୀ ପାଇଁ ସର୍କାର ପାଞ୍ଚ ହଜାର ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି । ସେ ଦିନର ଆପଣଙ୍କର ଦୃଢ଼ଉକ୍ତି ଉପରେ ମୋର ସମ୍ପୂର୍ଣ୍ଣ ଭରସା ଥିଲା । ଆପଣ କହିଥିଲେ ଯେ ସାତ ଦିନ ଭିତରେ ଆପଣ କ୍ୟାପଟେନ୍‍ ପଟ୍ଟନାୟକଙ୍କୁ ନିଶ୍ଚୟ ଗିରଫ କରି ଆଣିବେ କିନ୍ତୁ ଦୁର୍ଭାଗ୍ୟ ବଶତଃ ଆପଣ ଏପରି ଶଯ୍ୟାଶାୟୀ ।

 

ଆଇ.ଜି. ସାହେବଙ୍କର କଥାଶୁଣି ପ୍ରଚଣ୍ଡ ଉତ୍ତେଜନାରେ ହଠାତ୍‌ ଭବାନୀବାବୁ ବିଛଣାରେ ଉଠି ବସିଲେ । ଦୃଢ଼ କଣ୍ଠରେ କହିଲେ ମୁଁ ବର୍ତ୍ତମାନ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରିଛି ସାର୍‌ । ମୁଁ ଆଦୌ ଶଯ୍ୟାଶାୟୀ ରୋଗୀ ନୁହେଁ । ମୁଁ ବିଛଣାରେ ପଡ଼ି ରହିଥିଲେ ସୁଦ୍ଧା ମୁଁ ନିଷ୍କ୍ରିୟ ନ ଥିଲି । ଏଇ କେତୋଟି ଦିନରେ ମୁଁ ସମ୍ପୂର୍ଣ୍ଣରୂପେ ପ୍ରସ୍ତୁତ ହେବାର ଅବକାଶ ପାଇଛି ସାର୍‌ । କ୍ୟାପଟେନ୍‍ ପଟ୍ଟନାୟକଙ୍କୁ ଧରିଆଣି ସାତଦିନ ଭିତରେ ଆପଣଙ୍କ ନିକଟରେ ପହଞ୍ଚାଇବି ବୋଲି ମୁଁ ଜବାବ ଦେଇଥିଲି । ଆସନ୍ତା କାଲି ପର୍ଯ୍ୟନ୍ତ ସେ ସାତ ଦିନର ମିଆଦି ଅଛି । ଆସନ୍ତା କାଲି ଦଶଟା ସମୟରେ ଆପଣଙ୍କ ଅଫିସରେ ମୁଁ କ୍ୟାପଟେନ୍‍ ପଟ୍ଟନାୟକଙ୍କୁ ହାଜର କରିବି । ଆଉ ସେଇ ସମୟରେ ଏ ରହସ୍ୟର ସମାଧାନ ହେବ । କେବଳ କ୍ୟାପଟେନ୍‍ ପଟ୍ଟନାୟକ ନୁହେଁ, ସେତିକିବେଳେ ଏ ନରମେଧ ଯଜ୍ଞର ସବୁ ପୁରୋଧାମାନଙ୍କୁ ମୁଁ ଆପଣଙ୍କ ହାତରେ ସମର୍ପଣ କରିବି କିନ୍ତୁ ସାର୍‌, ମୋର ଗୋଟିଏ ଅନୁରୋଧ ଅଛି ।

 

କ’ଣ !

 

–କାଲି ଦଶଟାବେଳ ପର୍ଯ୍ୟନ୍ତ ଆପଣ ଏହା ସମ୍ପୂର୍ଣ୍ଣଭାବରେ ଗୋପନ ରଖିଥିବେ । ଆଉ କାଲି ଦଶଟାବେଳେ ଆପଣଙ୍କ ଅଫିସକୁ ଘରୋଇମନ୍ତ୍ରୀ, ବଡ଼ ବଡ଼ ଅଫିସର ଓ କେତେକ ସମ୍ୱାଦପତ୍ର ପ୍ରତିନିଧିଙ୍କୁ ଆମନ୍ତ୍ରଣ କରି ଆଣିବେ ।

 

ଆନନ୍ଦ ଗଦଗଦ୍‌ ଚିତ୍ତରେ ଆଇ.ଜି. ସାହେବ ଭବାନୀବାବୁଙ୍କର ଶୁଭକାମନା କରି ବିଦାୟ ନେଲେ ।

 

କିନ୍ତୁ ସେଇଦିନ ଅପରାହ୍ନ ପ୍ରାୟ ଏକଘଣ୍ଟା ସମୟରେ ଆଇ.ଜି. ସାହେବଙ୍କ ନିକଟରୁ ଜଣେ ପୁଲିସ ଅଫିସର ସିଲ୍‌ ମୋହର ଦିଆ ଖଣ୍ଟିଏ ଅତି ଜରୁରୀ ପତ୍ର ଧରି ଭବାନୀବାବୁଙ୍କ ନିକଟରେ ପହଞ୍ଚିଲା, ଭବାନୀବାବୁ ଚିଠିଟି ଖୋଲିଲେ । ଏକାନ୍ତ ବ୍ୟକ୍ତିଗତ ପତ୍ରପରି ଆଇ.ଜି. ସାହେବଙ୍କ ନିଜ ହାତର ଲଖା–ଖଣ୍ଡିଏ ଅତି କ୍ଷୁଦ୍ର ଲେଖା, ଟାଇପ୍‌ ମଧ୍ୟ ହୋଇ ନାହିଁ । ‘‘ଭବାନୀବାବୁ ଯଦି ଆପଣଙ୍କର ଶରୀର ସୁସ୍ଥ ଥାଏ, ତେବେ ଅତିଶୀଘ୍ର ଥରେ ମୋ ଅଫିସକୁ ଆସନ୍ତୁ–ଅତି ଜରୁରୀ ପ୍ରୟୋଜନ ।’’

 

ଭବାନୀବାବୁ କିଛି ବୁଝିପାରିଲେ ନାହିଁ । ଅଫିସରଟିକୁ ପଚାରିଲେ–କ’ଣ ହୋଇଛି ଦେବେନ୍ଦ୍ର ?

 

–ମୁଁ ସଠିକ୍‌ ଜାଣେନାହିଁ ସାର୍‌ । ତେବେ ସାଂଘାତିକ କିଛି ଗୋଟାଏ ଘଟିଛି ଏଥିରେ ସନ୍ଦେହ ନାହିଁ । ଆଇ.ଜି.ଙ୍କର ‘‘ସାଇଫର ଆସିଷ୍ଟାଣ୍ଟ’’ ବିବେକାନନ୍ଦ ବାବୁଙ୍କୁ ଗିରଫ କରାହୋଇଛି-। ଗୋଇନ୍ଦା ବିଭାଗ ଡି.ଆଇ.ଜି. ଓ ଗୁରୁଦୟାଲ ସିଂ ତାଙ୍କୁ କ’ଣ ଜେରା କରୁଛନ୍ତି । ଆଇ.ଜି. ସାହେବ ଅତିଶୟ ଉତ୍ତେଜିତ ହୋଇ ଉଠିଛନ୍ତି କିନ୍ତୁ ଅସଲ କାରଣ କ’ଣ ମୁଁ ଜାଣିପାରି ନାହିଁ ।

 

ସବୁ ଦୈହିକ ଦୁର୍ବଳତା ଓ ଅବସାଦକୁ ଝାଡ଼ି ଫୋପାଡ଼ିଦେଇ ଭବାନୀବାବୁ ସାଙ୍ଗେ ସାଙ୍ଗେ ବାହାରିଲେ । କେତେଦିନ ଶଯ୍ୟାଗତ ରହିବା ପରେ ବାହାରର ପବନ ଓ ଆଲୁଅ ତାଙ୍କୁ ବଡ଼ ଭଲ ଲାଗିଲା । କିଛିକ୍ଷଣ ପରେ ଖଣ୍ଡିଏ ପୁଲିସ୍‌ ଜୀପରେ ବସି ଆଇ.ଜି. ଙ୍କ ଅଫିସ ନିକଟରେ ପହଞ୍ଚିଲେ ।

 

ଆଇ.ଜି. ସାହେବ ତାଙ୍କ ରିଟାୟରିଂ ରୁମରେ ଖଣ୍ଡିଏ ଇଜି ଚେୟାର ଉପରେ ଗମ୍ଭୀର ବଦନରେ ବସିଥିଲେ । ଭବାନୀବାବୁଙ୍କୁ ଖଣ୍ଡିଏ ଚୌକିରେ ବସିବାକୁ ଇଙ୍ଗିତ କରି ଧୀର ଅଥଚ ଗମ୍ଭୀର କଣ୍ଠରେ କହିଲେ–ବଡ଼ ଅଦ୍ଭୁତ ଘଟଣା ଘଟିଛି ଭବାନୀବାବୁ, ଏହାର ସାଂଘାତିକ ପରିଣାମ କଥା ଚିନ୍ତାକରି ମୁଁ ଅତିଶୟ ଶଙ୍କିତ ହେଉଛି ।

 

ତା’ପରେ କିଛିକ୍ଷଣ ଗମ୍ଭୀର ଭାବରେ ବସିରହି ଆଇ.ଜି. ପୁଣି କହିଲେ–ମୋର ସାଇଫର ସେକ୍‌ସନରୁ ଖଣ୍ଡିଏ ଅତି ଗୁପ୍ତ ଫାଇଲ ଚୋରି ହୋଇ ଯାଇଛି । ସେଥିରେ କେତେଗୁଡ଼ାଏ ଏପରି ଗୁପ୍ତ କାଗଜପତ୍ର ରଖା ହୋଇଥିଲା, ଯାହା ଶତ୍ରୁ ହାତରେ ପଡ଼ିଲେ ଭାରତବର୍ଷର ନିରାପତ୍ତା ସମ୍ପୂର୍ଣ୍ଣ ବିପନ୍ନ ହେବ । ତା’ଛଡ଼ା ଟାଇପ୍‌ ହୋଇଥିବା ସାଇଫର କୋଡ଼ଟି ମଧ୍ୟ ସେଇ ଫାଇଲରେ ଥିଲା । ଫାଇଲଟି ଯଦି ଅତିଶୀଘ୍ର ଉଦ୍ଧାର କରାଯାଇ ନପାରେ ତେବେ ଘୋର ବିପଦ ଘଟିବ ।

 

ଆଇ.ଜି. ସାହେବଙ୍କର ମାନସିକ ଉଦବେଗର କାରଣ ଭବାନୀବାବୁ ଖୁବ୍‌ ଭଲ ଭାବରେ ବୁଝି ପାରିଲେ । ଦେଶର ନିରାପତ୍ତା ବିଷୟରେ ବହୁ ଗୁପ୍ତ ଉପଦେଶ ଦିଲ୍ଲୀର ଇନଟେଲିଜେନ୍‌ସ ଦପ୍ତରରୁ ରାଜ୍ୟର ଆଇ.ଜି.ମାନଙ୍କୁ ଜଣାଇ ଦିଆହୁଏ । ସେ ସବୁ ଅତି ଗୁପ୍ତ କାଗଜପତ୍ର ପୋଷ୍ଟାଲ ଡାକରେ ନ ପଠାଇ କୋରିଅର୍‌ ବା ପତ୍ରବାହକ ହାତରେ ପଠାହୁଏ । ସେ କାଗଜପତ୍ର ଯଦି ଶତ୍ରୁ ହାତରେ ପଡ଼େ ତେବେ ଦେଶର ନିରାପତ୍ତା ବିପନ୍ନ ହେବ ।

 

ଦୃଢ଼ କଣ୍ଠରେ ଭବାନୀବାବୁ କହିଲେ–ଫାଇଲଟି ନିଶ୍ଚୟ ଉଦ୍ଧାର କରାହେବ ସାର୍‌ । ଏଥିରେ କୌଣସି ସନ୍ଦେହ ନାହିଁ । ସାଇଫର ଅଫିସଟି ମୁଁ ଥରେ ଦେଖିବାକୁ ଚାହେଁ । ଆଉ ଟିକିଏ ସାଇଫର ଆସିଷ୍ଟାଣ୍ଡ ବିବେକାନନ୍ଦ ବାବୁଙ୍କ ସହିତ ଏ କଥା କହିବାକୁ ଚାହେଁ ।

 

ଆଇ.ଜି. ସାହେବ ବିନା ଦ୍ୱିଧାରେ ଅନୁମତି ଦେଲେ, ଭବାନୀବାବୁ ସାଇଫର ଅଫିସ ଭିତରକୁ ଆସି ବିବେକାନନ୍ଦ ବାବୁଙ୍କୁ ଅପେକ୍ଷା କରି ଖଣ୍ଡିଏ ଚୌକି ଉପରେ ବସି ରହିଲେ । ବଡ଼ ଖଣ୍ଡିଏ ଚାରିକୋଣିଆ ଘର । ସମ୍ପୂର୍ଣ୍ଣରୂପେ ଗ୍ରାଉଣ୍ଡପ୍ରୁଫ ଓ ଶୀତତାପ ନିୟନ୍ତ୍ରିତ । ଗୋଟିଏ ମାତ୍ର ଦୁଆର ବାହାର ବାରନ୍ଦାଆଡ଼େ ରହିଛି । ତିନୋଟି ଗଡ଼ରେଜ୍‌ର ସୁଦୃଢ଼ ଲୁହା ଆଲମାରୀ ରଖା ହୋଇଛି । ଘରର ଗୋଟିଏ ପଟେ ଗୋଟିଏ ଓୟାରଲେସ୍‌ ଯନ୍ତ୍ର ଓ ଗୋଟିଏ ଶକ୍ତିଶାଳୀ ରେଡ଼ିଓ ଟେଲିଫୋନ୍‌ ରହିଛି । ଘର ମଝିରେ ବଡ଼ ଖଣ୍ଡିଏ ଟେବୁଲ ଉପରେ ଚାରିଟା ଟେଲିଫୋନ୍‍ ଯନ୍ତ୍ର ରଖା ହୋଇଛି । କେତେଖଣ୍ଡ କାଠ ଚୌକି–ଏତିକି ମାତ୍ର ସାଇଫର ଅଫିସରେ ଅଛି, ଘର ଭିତରେ ଝରକା ନାହିଁ ।

 

କିଛିକ୍ଷଣ ପରେ ବିବେକାନନ୍ଦ ବାବୁଙ୍କୁ ଜଣେ ପୁଲିସ ଅଫିସର ଆଣି ଘର ଭିତରେ ପହଞ୍ଚାଇ ଦେଇ ବାହାରକୁ ଚାଲିଗଲା । ତାଙ୍କ ହାତରେ ହାତକଡ଼ି, ଆଖିରେ ଅଶ୍ରୁ । ତାଙ୍କୁ ଦେଖି ଭବାନୀବାବୁ ମନେ ମନେ ଅତିଶୟ ଦୁଃଖିତ ହେଲେ । ସହାନୁଭୂତିଭରା କଣ୍ଠରେ କହିଲେ–ବସନ୍ତୁ ବିବେକାନନ୍ଦ ବାବୁ । ଦୟାକରି ମୋତେ ସବୁ କୁହନ୍ତୁ, ମୁଁ ନିଶ୍ଚୟ ଆପଣଙ୍କୁ ସାହାଯ୍ୟ କରିବି ।

 

ବିବେକାନନ୍ଦ ବାବୁ ବସିଲେ । କ’ଣ ଜାଣିବାକୁ ଚାହାନ୍ତି ପଚାରନ୍ତୁ ଭବାନୀବାବୁ ।

 

–ଏ ଘର ଭିତରକୁ କ’ଣ ଆଉ କେହି କେବେ ଆସନ୍ତି ?

 

–କେବଳ ବଡ଼ ବଡ଼ ଅଫିସରମାନେ ଆସନ୍ତି । ଏଇଠାରୁ ସାଇଫର ବେତାର ବାର୍ତ୍ତାଗୁଡ଼ିକ ଟ୍ରାନ୍‌ସମିଟ କରାହୁଏ, ମୁଁ ନିଜେ ତାହା ଟ୍ରାନସ୍‌ମିଟ କରେ ।

 

–ଆଜି ଆପଣ କେତେବେଳେ ଅଫିସକୁ ଆସିଲେ ? ଭବାନୀବାବୁ ପ୍ରଶ୍ନ କଲେ ।

 

–ସବୁଦିନପରି ସକାଳ ଆଠଟାବେଳେ ମୁଁ ଅଫିସ ଖୋଲିଲି ।

 

–ଫାଇଲଟି କେଉଁଠାରେ ଥିଲା ?

 

–ଏଇ ଆଲମାରୀ ଭିତରେ ଥିଲା କିନ୍ତୁ ମୁଁ ଅଫିସକୁ ଆସିବା ପରେ ଅନ୍ୟାନ୍ୟ କାଗଜପତ୍ର ନେବା ପାଇଁ ମୁଁ ନିଜେ ଆଲମାରୀଟି ଖୋଲି ଦେଇଥିଲି । ସେତେବେଳେ ମଧ୍ୟ ଫାଇଲଟି ସେଠାରେ ଥିଲା ।

 

–ତା’ପରେ ଅଫିସ ଭିତରକୁ କିଏ କିଏ ଆସିଥିଲେ ମନେ ଅଛି କି ?

 

କିଛିକ୍ଷଣ ପର୍ଯ୍ୟନ୍ତ ଚିନ୍ତା କରି ବିବେକାନନ୍ଦ ବାବୁ କହିଲେ–ଅନେକ ଆସିଥିଲେ, ଆଇ.ଜି. ସାହେବ ନିଜେ ଆସିଥିଲେ । ପି.ମହାଦେବନ ଦୁଇ ତିନିଥର ଆସିଥିଲେ । ଡି.ଆଇ.ଜି. ମଧ୍ୟ କେତେଥର ଆସିଥିଲେ । ଗୁରୁଦୟାଲ ସିଂ ଥରେ ଆସିଥିଲେ । ଆହୁରି ମଧ୍ୟ କେହି ହୁଏତ ଆସିଥିଲେ କିନ୍ତୁ ମୋର ଠିକ୍‌ ମନେ ପଡ଼ୁ ନାହିଁ ।

 

ଆହୁରି ବହୁତ କଥା ବିବେକାନନ୍ଦ ବାବୁଙ୍କୁ ଭବାନୀବାବୁ ପଚାରିଲେ । ତା’ପରେ ଘରଟିର ଚଟାଣଠାରୁ ଆରମ୍ଭ କରି କାନ୍ଥ ପର୍ଯ୍ୟନ୍ତ ଖୁବ୍‌ ଭଲକରି ପରୀକ୍ଷା କରିବାକୁ ଲାଗିଲେ । ଅବଶେଷରେ କାହିଁକି କେଜାଣି ଭବାନୀବାବୁଙ୍କ ମୁଖ ଉଜ୍ଜ୍ୱଳ ହୋଇ ଉଠିଲା । ବିବେକାନନ୍ଦ ବାବୁଙ୍କ କାନ୍ଧରେ ହାତରଖି କହିଲେ–ଭୟ ନାହିଁ ଭାଇ । କାଲି ସକାଳ ଦଶଟାବେଳେ ଆପଣ ମୁକ୍ତିଲାଭ କରିବେ । ଫାଇଲଟି ମୁଁ ଉଦ୍ଧାର କରିଆଣି ଆଇ.ଜି.ଙ୍କ ହାତରେ ଦେବି । ଫାଇଲ ଚୋରକୁ ମଧ୍ୟ ଧରି ଆଣିଦେବି, ଏଥିରେ କୌଣସି ସନ୍ଦେହ ନାହିଁ ।

 

କୋଣାର୍କ ହୋଟେଲ ।

 

ଡକ୍‌ଟର ହୋଲକାର୍‍ ଆଜି ଏଠାରୁ ବିଦାୟ ନେବେ । ସସ୍ତ୍ରୀକ ସେ ପୁଣି ସ୍ୱଦେଶକୁ ଫେରିଯିବେ । ସବୁ ଜିନିଷପତ୍ର ବନ୍ଧା ସରିଛି । ହୋଟେଲର ସବୁ ଦେଣା ପାଉଣା ମିଟାଇଦେଇ ମେନେଜର ଓ ଅନ୍ୟାନ୍ୟ କର୍ମଚାରୀଙ୍କଠାରୁ ବିଦାୟ ନେଇସାରିଛନ୍ତି । ହୋଟେଲର ଯେଉଁ ନୂଆ ଖାନସାମାଟି ଗତ ଚାରି ପାଞ୍ଚ ଦିନ ହେବ ତାଙ୍କର ସବୁ କାମ କରୁଥିଲା, କେବଳ ସେହି ଲୋକଟିକୁ କିଛି ବକସିସ୍‍ ଦେବାକୁ ବାକି ଅଛି । ଅବଶ୍ୟ ଏଠାରୁ ବାହାରିବାବେଳେ ତାକୁ କିଛି ଦେଇଗଲେ ଚଳିବ ।

 

ଜଣେ ଖନସାମା ଘର ଭିତରେ ପ୍ରବେଶ କରି ଟେବୁଲ ଉପରୁ ବ୍ରେକ୍‌ଫାଷ୍ଟର ବାସନ ଉଠାଇବାକୁ ଲାଗିଲା । ପ୍ରଫେସର ଚୌକିରେ ବସି ଖଣ୍ଡିଏ ଇଂରାଜୀ ସମ୍ୱାଦପତ୍ର ପଢ଼ୁଥିଲେ । ଖାନସାମାକୁ ଚାହିଁ କହିଲେ–ଆମେମାନେ ଏହିକ୍ଷଣି ଏଠାରୁ ଚାଲିଯିବୁ ମହମ୍ମଦ । ତୁମର କାମରେ ଆମେମାନେ ଖୁବ୍‌ ଖୁସି ହୋଇଛୁ, ତୁମର ବକସିସ୍‍ ନିଅ ।

 

ଏହା କହି ପକେଟରୁ ଖଣ୍ଡିଏ ଦଶଟଙ୍କିଆ ନୋଟ କାଢ଼ି ମହମ୍ମଦ ହାତରେ ଦେଲେ, ମହମ୍ମଦ ସଲାମ ଜଣାଇ ବାହାରିଗଲା ।

 

କ୍ରମେ ଦଶଟା ବାଜିଲା, ପ୍ରଫେସରଙ୍କ ସବୁ ଜିନିଷପତ୍ର ବୁହା ହୋଇ ତଳ ମହଲାକୁ ଚାଲିଗଲାଣି କିନ୍ତୁ ପ୍ରଫେସର ଯେପରି ଉଦ୍‌ବିଗ୍ନ ହୋଇ କାହାକୁ ଅପେକ୍ଷା କରି ରହିଛନ୍ତି ।

 

ଡାକ ପିଅନ ଆସି ପହଞ୍ଚିଲା, ସେଦିନର ଚିଠିପତ୍ର ନେଇ ହୋଟେଲର ବିଭିନ୍ନ ବୋର୍ଡ଼ରମାନଙ୍କୁ ଦେଲା । ପରିଚିତ ଡାକ ପିଅନ । ଅବଶେଷରେ ପିଅନଟି ତଳମହଲାକୁ ଚଢ଼ି ଡକ୍‌ଟର ହୋଲକାର୍‍ଙ୍କ କୋଠରୀଆଡ଼େ ଚାଲିଲା । ତା’ ପଛେ ପଛେ ହୋଟେଲର ମେନେଜର ଓ ଖାନସାମା ମହମ୍ମଦ ମଧ୍ୟ ଚାଲିଲେ ।

 

–ଚିଠି ହଜୁର ।

 

ପୋଷ୍ଟ ପିଅନ ମୋଟା ଓ ଲମ୍ୱା ଖଣ୍ଡିଏ ଲଫାପା ଡକ୍‌ଟର ହୋଲାକାର୍‍ଙ୍କ ହାତକୁ ଦେଲା । ଲଫାପା ଖଣ୍ଡିକ ନେଇ ନିଜ କୋଟ ପକେଟରେ ରଖି ପ୍ରଫେସର କହିଲେ–ଏବେ ବାହାରିବାକୁ ହେବ, ବିଳମ୍ୱ ହୋଇ ଯାଉଛି । ମହମ୍ମଦ ତମେ ସେ ଏଟାଚି କେସ୍‌ଟା ଧର, ଆଉ ସବୁ ଜିନିଷ ଯାଇଛି ।

 

ପ୍ରଫେସର ଓ ତାଙ୍କର ରୁଗ୍‌ଣା ପତ୍ନୀ ଆସନ ଛାଡ଼ି ଉଠିଲେ । ମହମ୍ମଦ ଏଟାଚି କେସ୍‌ଟି ନେବା ପାଇଁ ଆଗେଇ ଗଲା କିନ୍ତୁ ହଠାତ୍‌ ଦୁଇ ପକେଟରୁ ଦୁଇଟି ରିଭଲଭର୍‌ କାଢ଼ି ପ୍ରଫେସର ଓ ତାଙ୍କ ସ୍ତ୍ରୀଙ୍କ ଛାତିରେ ଲଗାଇ ଛିଡ଼ାହେଲା । ପ୍ରଫେସର ଯେପରି ବଜ୍ରାହତ ପରି ହୋଇଗଲେ । –ଇଏ କ’ଣ ?

 

ଏହାହିଁ ତୁମମାନଙ୍କର ଲିଳାଖେଳାର ଶେଷ ଅଙ୍କ ମିଷ୍ଟର ମହମ୍ମଦ ହବିବ୍‍ । ତୁମେ ଯେ ଜଣେ ପ୍ରତିଭାବାନ ଅଭିନେତା ଏବଂ ତୁମର ପତ୍ନୀ ରୂପିଣୀ ଏଇ ରୁଗ୍‌ଣା ମହିଳା ଯେ ଛଦ୍ମ ବେଶିନୀ ରୀତା ମେନନ୍‍ ଓରଫ୍‌ ମିସ୍‌ ଜେସମିନ୍‌, ସେ ପ୍ରମାଣ ଆମେ ପାଇ ସାରିଛୁ । ଏଠାରେ ତୁମମାନଙ୍କର ଗୋଚରାର୍ଥେ ମୋର ଜଣାଇଦେବା ଉଚିତ ଯେ ମୁଁ ମଧ୍ୟ ତୁମମାନଙ୍କ ପରି ଜଣେ ଛଦ୍ମବେଶୀ । ମୁଁ ହେଉଛି ସିଟି ପୁଲିସ ଇନିସ୍ପେକ୍ଟର ଗଡ଼ନାୟକ । ନାଇଁ ନାଇଁ ଶ୍ରୀମତୀ ମାର୍ଜାରୀ । ଶ୍ରୀହସ୍ତଟି ଭ୍ୟାନିଟ୍‌ ବ୍ୟାଗ୍‌ ଭିତରକୁ ନିଅ ନାହିଁ । ତା’ ଭିତରେ ଯେ ଗୋଟିଏ ସାଂଘାତିକ ମାରଣାସ୍ତ୍ର ଅଛି, ସେ କଥା ଏ ଅଧମ ଜାଣେ ।

ମେନେଜର ସାହେବ ଆପଣଙ୍କ ସହଯୋଗ ପାଇଁ ଧନ୍ୟବାଦ, ମୋର ଏଇ କୋଟ ପକେଟରେ ଦୁଇଟି ହାତକଡ଼ି ଅଛି । ସେ ଦୁଇଟି କାଢ଼ିନେଇ ଏଇ ପିଶାଚ ଓ ପିଶାଚୀ ହାତରେ ପିନ୍ଧାଇ ଦିଅନ୍ତୁ । ଆଉ ଯେଉଁ ଲଫାପାଟି ମହମ୍ମଦ ହବିବ୍‌ ବର୍ତ୍ତମାନ ପକେଟରେ ରଖିଲା ସେଇଟିକୁ କାଢ଼ି ଆଣନ୍ତୁ । ଆଇ.ଜି.ଙ୍କର ସାଇଫର ଅଫିସରୁ ଚୋରି ଯାଇଥିବା ଗୁପ୍ତ କାଗଜପତ୍ର ସେଥିରେ ଅଛି ।

ବିନା ବାଧାରେ ଦୁଇଜଣଯାକ ଧରାଦେଲେ । ସେମାନଙ୍କ ହାତରେ ଲୌହ ବଳୟ ପିନ୍ଧାଇ ଓ ଲଫାପାଟି ନିଜ ନିକଟରେ ରଖି ଇନିସ୍ପେକ୍ଟର ଗଡ଼ନାୟକ ସେମାନଙ୍କୁ ତଳ ମହଲାକୁ ନେଇ ଚାଲିଲେ ।

ଦିନ ଦଶଟାବେଳକୁ ପୂର୍ବ ବନ୍ଦୋବସ୍ତ ମତେ ଆଇ.ଜି.ଙ୍କ ଅଫିସକୁ ସମସ୍ତେ ଆସିଗଲେ, କେବଳ ଘରୋଇ ମନ୍ତ୍ରୀ ନୁହଁନ୍ତି କାବିନେଟର ଆହୁରି ଦୁଇଜଣ ସଭ୍ୟ ମଧ୍ୟ ଆସିଛନ୍ତି । କେତେକ ବଡ଼ ବଡ଼ ସମ୍ୱାଦପତ୍ରର ପ୍ରତିନିଧି, ପ୍ରେସ ଫଟୋଗ୍ରାଫର ଓ ଆହୁରି କେତେକ ଗଣ୍ୟମାନ୍ୟ ବ୍ୟକ୍ତି ମଧ୍ୟ ଆସିଛନ୍ତି । ସବୁ ବଡ଼ ବଡ଼ ପୁଲିସ, ଗୋଇନ୍ଦା ବିଭାଗ ଅଫିସରଙ୍କ ଛଡ଼ା ଜିଲା ମାଜିଷ୍ଟ୍ରେଟ୍‌ ଓ ରେଭିନିଉ କମିସନର ମଧ୍ୟ ଆଇ.ଜି.ଙ୍କର ବିଶେଷ ନିମନ୍ତ୍ରଣରେ ଏ ସଭାରେ ଯୋଗ ଦେଇଛନ୍ତି ।

ସମସ୍ତେ ଆଇ.ଜି.ଙ୍କର ବିଶେଷ ନିମନ୍ତ୍ରଣ ପାଇ ଏ ସଭାକୁ ଆସିଥିଲେ ମଧ୍ୟ କେବଳ ଆଇ.ଜି. ଓ ଘରୋଇ ମନ୍ତ୍ରୀଙ୍କ ଛଡ଼ା ଆଉ କେହି ଏଇ ସଭାର ଅନ୍ତର୍ନିହିତ ଉଦ୍ଦେଶ୍ୟ ଜାଣନ୍ତି ନାହିଁ । ଦଶଟା ବାଜି ଯାଇଥିଲେ ସୁଦ୍ଧା ସଭାକାର୍ଯ୍ୟ ଆରମ୍ଭ ହୋଇନାହିଁ, ଆଇ.ଜି. ଉଦ୍‌ବିଗ୍ନ ଭାବରେ ଘଡ଼ି ଦେଖୁଛନ୍ତି ।

ଠିକ୍‌ ସାଢ଼େ ଦଶଟା ବାଜିବା ସଙ୍ଗେ ସଙ୍ଗେ ଘରର ପର୍ଦ୍ଦାଟେକି ଭବାନୀ ମହାପାତ୍ର ପ୍ରବେଶ କଲେ । ତାଙ୍କ ହାତରେ ଗୋଟିଏ ପୋଟଫୋଲିଓ ବ୍ୟାଗ୍‌ । ସମସ୍ତଙ୍କୁ ସମଷ୍ଟିଗତ ଭାବରେ ସମ୍ମାନ ପ୍ରଦର୍ଶନ କରି ସେ ପଛକୁ ବୁଲି ପୁଣି ଘରର ପର୍ଦ୍ଦାଟେକିଧରି କହିଲେ–ଭିତରକୁ ଆସ କ୍ୟାପଟେନ୍‍ ।

ଗୋରା ତକତକିଆ ଦୀର୍ଘଦେହ କ୍ୟାପଟେନ୍‍ ପଟ୍ଟନାୟକ ହସ ହସ ମୁହଁରେ ଘରେ ପଶିଲେ, ତାଙ୍କୁ ଦେଖି ମି. ମହାଦେବନ କହି ଉଠିଲେ–ଆସାମୀଟାକୁ ଧରି ଆଣିଛନ୍ତି ! ଖୁବ୍‌ ଭଲ କଥା କିନ୍ତୁ ତାକୁ ଖୋଲା ହାତରେ କାହିଁକି ଏଠାକୁ ଆଣିଛନ୍ତି ! ତା’ ହାତରେ ଶୀଘ୍ର ହାତକଡ଼ା ପିନ୍ଧାଇ ଦିଅନ୍ତୁ ।

ଏହାକହି ପକେଟରୁ ହାତକଡ଼ା କାଢ଼ି ମି. ମହାଦେବନ ଆଗେଇ ଆସିଲେ । ତାଙ୍କୁ ନିଜ ଆସନରେ ନୀରବରେ ବସି ରହିବାକୁ ନିର୍ଦ୍ଦେଶ ଦେଇ ଗୁରୁଗମ୍ଭୀର କଣ୍ଠରେ ଭବାନୀବାବୁ କହିଲେ–ତା’ର କୌଣସି ପ୍ରୟୋଜନ ନାହିଁ ମି. ମହାଦେବନ । ଆପଣ ଆସନ ଗ୍ରହଣ କରନ୍ତୁ । କ୍ୟାପଟେନ୍‍ ପଟ୍ଟନାୟକ ଆସମୀ ନୁହଁନ୍ତି କିମ୍ୱା ସେ ଫେରାର ହୋଇ ନ ଥିଲେ । ପ୍ରକୃତ ଆସମୀମାନଙ୍କୁ ଧରିବା ଉଦ୍ଦେଶ୍ୟରେ ମୁଁ ନିଜେ ତାଙ୍କୁ ଲୁଚାଇ ରଖିଥିଲି । ତମେ ବସ କ୍ୟାପଟେନ୍‍, ଏଇ ଚୌକି ଉପରେ ବସ ।

ତା’ପରେ ସମସ୍ତଙ୍କୁ ସମ୍ୱୋଧନ କରି ଭବାନୀବାବୁ କହିଲେ–ମହାଶୟଗଣ, ସବୁ ଷଡ଼ଯନ୍ତ୍ରର ଅବସାନ ହୋଇ ଯାଇଛି । ସହରର ବିଭିନ୍ନସ୍ଥାନରୁ ସବୁ ଅପରାଧୀମାନେ ଗିରଫ ହୋଇଛନ୍ତି । ସେମାନଙ୍କର ସଂଖ୍ୟା ବହୁତ, ଏଠାରେ ସ୍ଥାନାଭାବ ହେବ ଭାବି ସେମାନଙ୍କୁ ଯଥାବିଧି ପୁଲିସ ତତ୍ତ୍ୱାବଧାନରେ ତଳମହଲାର ଗୋଟାଏ ବଡ଼ ହଲରେ ରଖିଛି । ଅବଶ୍ୟ ସେମାନଙ୍କ ଭିତରୁ ନେତୃସ୍ଥାନୀୟ କେତେକ ବ୍ୟକ୍ତିଙ୍କୁ ଏଠାରେ ଆପଣମାନଙ୍କ ସାମନାରେ ପ୍ରୟୋଜନ ହେବ ।

ଏହି ସମୟରେ ଖାନସାମା ବେଶି ଇନିସ୍ପେକ୍ଟର ଗଡ଼ନାୟକ ଜଣେ ସୌମ୍ୟକାନ୍ତି ବୃଦ୍ଧ ଓ ଗୋଟିଏ ପ୍ରୌଢ଼ା ମହିଳାଙ୍କ ହାତରେ ହାତକଡ଼ା ପିନ୍ଧାଇ ଘରେ ପଶିଲେ । ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଲେ । ସାମାନ୍ୟ ହସି ଭବାନୀବାବୁ କହିଲେ–ଏ ଦୁଇଜଣଯାକ ଛଦ୍ମବେଶୀ । କୋଣାର୍କ ହୋଟେଲରେ ପ୍ରଫେସର ହୋଲକାର୍‍ ଓ ତାଙ୍କର ରୁଗ୍‌ଣା ପତ୍ନୀ ଭାବରେ ରହି ଏଇ ଷଡ଼ଯନ୍ତ୍ରରେ ଲିପ୍ତ ଥିଲେ–ପ୍ରକୃତରେ ଏଇ ବୃଦ୍ଧର ଛଦ୍ମବେଶରେ ଥିବା ବ୍ୟକ୍ତିଟିର ନାମ ହେଉଛି ମହମ୍ମଦ ହବିବ୍‍ । ସେ ଜଣେ ପ୍ରତିଭାବାନ ଅଭିନେତା ଓ ଜଣେ ଉଚ୍ଚଶିକ୍ଷିତ ବ୍ୟକ୍ତି । ବେଣିପ୍ରସାଦକୁ ହତ୍ୟାକରି ପୁଣି ସେଇ ବେଣିପ୍ରସାଦର ନିର୍ଭୁଲ ଛଦ୍ମବେଶରେ ସେଦିନ ରାତିରେ ସେ ପୁଲିସ ଆଖିରେ ଧୂଳିଦେଇ ଚାଲିଗଲା, ଆଉ ତାକୁ ଯେଉଁ ସୁନ୍ଦରୀ ତରୁଣୀଟି କାରରେ ବସାଇ ନେଇଗଲା–ସେ ହେଉଛି ପ୍ରୌଢ଼ା ନାରୀର ଛଦ୍ମବେଶରେ ଏହି ମହିୟସୀ ମହିଳା–ଯାହାର ନାମ ହେଉଛି ରୀତା ମେନନ୍‌ ଓରଫ୍‌ ମିସ୍‌ ଜେସମିନ୍‍ । ପାକିସ୍ଥାନ ଏସ୍‌ପିଓନେଜ ସର୍ଭିସର ଏ ଜଣେ ଉଚ୍ଚପଦସ୍ଥ କର୍ମଚାରୀ । ନାଗ ସାପପରି ବିଷାକ୍ତ ଓ ଭୟଙ୍କର ।

ଏହା କହି ଭବାନୀବାବୁ ଛଦ୍ମବେଶୀ ହବିବ୍‍ର ଦାଢ଼ି ଓ ମୁଣ୍ଡର ନକଲି ବାଳ ଟାଣି ଫୋପାଡ଼ିଦେଲେ । ତା’ପରେ ରୀତା ମେନନ୍‌ ମୁଣ୍ଡରୁ ନକଲି କେଶ ମଧ୍ୟ ଟାଣି ଆଣିଲେ । ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଏ ଦୃଶ୍ୟ ଦେଖିବାକୁ ଲାଗିଲେ । ଘରୋଇ ମନ୍ତ୍ରୀ ପଚାରିଲେ–ଆପଣ ଏ ସ୍ତ୍ରୀ ଲୋକଟିର ପରିଚୟ ପାଇଲେ କିପରି ?

ସାମାନ୍ୟ ମୁଣ୍ଡ ନୁଆଁଇ ଭବାନୀବାବୁ କହିଲେ–ମୂଳରୁ ଶେଷ ପର୍ଯ୍ୟନ୍ତ ଏ କାହାଣୀ ଏତେ ଦୀର୍ଘ ଯେ ସବୁ ଶୁଣିବାକୁ ଆପଣଙ୍କର ଧୈର୍ଯ୍ୟଚ୍ୟୁତି ଘଟିବ । ଅତି ସଂକ୍ଷେପରେ ମୁଁ କହୁଛି–ବେଣିପ୍ରସାଦର ହତ୍ୟାପରେ ଯେତେବେଳେ ଏହି ରୀତା ମଟର କାରରେ ହତ୍ୟାକାରୀ ହବିବ୍‌କୁ ନେଇଗଲା, ସେତେବେଳେ ତା’ର ଅଜ୍ଞାତସାରରେ ଦୈବାତ୍‌ ତା’ର ସୁନାର କ୍ରିଡ଼େନ୍‌ସିଲଟି ସଡ଼କ ଉପରେ ପଡ଼ି ଯାଇଥିଲା । ଏହି ପିଶାଚୀ ପାକିସ୍ଥାନ ଏସ୍‌ପିଓନେଜ ସର୍ଭିସର ୧୩ ନମ୍ୱର ଏଜେଣ୍ଟ ବୋଲି ସେଇ ସୁନା ପଦକଟିରେ ଲେଖାଥିଲା । ତା’ଛଡ଼ା ସେଇ ପଦକଟିର ମସୃଣ ଅଂଶରେ ଗୋଟିଏ ଟିପଚିହ୍ନ ସ୍ପଷ୍ଟ ଥିଲା । ତା’ପରେ ବିଭିନ୍ନ ଅବସ୍ଥାରେ ଏଇ ଗରୀୟସି ମହୀଳା ରଙ୍ଗମଞ୍ଚରେ ଉଦୟ ହୋଇଛି । ମସ୍‌ଜିଦରେ ହତ୍ୟାକାଣ୍ଡ ଓ ସାମ୍ପ୍ରଦାୟିକ ଦଙ୍ଗା ସମ୍ପର୍କରେ ଯେଉଁ ନିରୀହ ବ୍ୟକ୍ତିଟିକୁ ଗିରଫ କରା ହୋଇଥିଲା ସେ ହେଉଛନ୍ତି ଏକାଳର ଜଣେ ଅତି ପ୍ରତିଭାବାନ ଚିତ୍ରଶିଳ୍ପୀ ଆଦିତ୍ୟଭଞ୍ଜ । ସେଇ ଚିତ୍ରକରଙ୍କ ନିକଟରୁ ନିଜର ଖଣ୍ଡିଏ ଚିତ୍ର ପ୍ରସ୍ତୁତ କରିବା ଲାଗି ଏଇ ରୀତା ମେନନ୍‌ ଦୁଇଶହ ଟଙ୍କା ଅଗ୍ରୀମ ଦେଇଥିଲା । ଘଟଣାଦିନ ସଞ୍ଜବେଳେ ଚିତ୍ର ଅଙ୍କେଇବା ବାହାନାରେ ସୁଲେମାନ ନାମକ ଏଇ ସହରର ଗୋଟାଏ ଦସ୍ୟୁକୁ ସଙ୍ଗରେ ନେଇ ରୀତା ସେଠାରେ ପହଞ୍ଚିଲା । ହଠାତ୍‌ ଅଚାନକ ଭାବରେ କ୍ଷୀଣଦେହ ଚିତ୍ରକରଙ୍କୁ ସୁଲେମାନ ଆକ୍ରମଣ କରି ବାନ୍ଧି ପକାଇଲା । ତା’ପରେ ରୀତା ଘରର ଝରକାବାଟେ ମସ୍‌ଜିଦର ସଭାମଣ୍ଡପକୁ ଗୁଳି ଚଳାଇଲା । ଚିତ୍ରକର ଆଦିତ୍ୟଭଞ୍ଜ ମୋର ଅନୁରୋଧରେ ଏଇ ମେନନ୍‌ ଓ ସୁଲେମାନର ଦୁଇଖଣ୍ଡି ନିର୍ଭୁଲ ପେନ୍‌ସିଲ ସ୍କେଚ ମୋତେ ଆଙ୍କି ଦେଇଥିଲେ । ସେଇ ଛବି ଦୁଇଟି ଦେଖି ଆମର ପୁରାତନ ବନ୍ଧୁ ସୁଲେମାନକୁ ମୁଁ ଅନାୟାସରେ ଚିହ୍ନି ପାରିଲି । କିଛିଦିନ ପରେ–ଯେଉଁ ରାତିରେ ମହାନଦୀ ପୋଲ ଉପରେ ମାଲଗାଡ଼ି ଓଲଟି ପଡ଼ିଲା, ସେଇ ରାତିରେ ଆମେ ସୁଲେମାନକୁ ପାଇଲୁ ଓ ଗିରଫ କରି ଲୁଚାଇ ରଖିଲୁ । ତା’ରି ମୁହଁରୁ ଏ ଦଳର ସବୁ ସମ୍ୱାଦ ମୁଁ ସଂଗ୍ରହ କଲି । ଡକ୍‌ଟର ଡାନିୟାଲକୁ ହତ୍ୟା କରି କିପରି ପାଗଳା ଗାରଦରେ ଏମାନେ ଆଶ୍ରୟ ନେଲେ, ଦୁଇଟି ନର୍ସ ଓ ଦୁଇଟି ସୁଇପରକୁ ହତ୍ୟାକଲେ, ରେଲ ଗାଡ଼ି ଲାଇନ ଚ୍ୟୁତକଲେ ଲକ୍ଷ ଲକ୍ଷ ଟଙ୍କାର ଜାଲ ନୋଟ ଛପାଇଲେ ପ୍ରଭୃତି ବହୁକଥା ମୁଁ ସୁଲେମାନଠାରୁ ଜାଣି ପାରିଲି କିନ୍ତୁ ଏମାନଙ୍କର ଏଠାରେ ସର୍ବୋମୟ ନେତା କିଏ ତାକୁ ଜାଣିବା ପାଇଁ କିଛି ବିଳମ୍ୱ ହେଲା । ତାକୁ ଦଳର ସମସ୍ତେ ‘‘କର୍ଣ୍ଣେଲ’’ ବୋଲି ସମ୍ୱୋଧନ କରନ୍ତି । ସର୍ବଦା ସେ ମୁହଁରେ ଗୋଟିଏ ପ୍ଲାଷ୍ଟିକ ମୁଖା ପିନ୍ଧି ଦଳର ସଭ୍ୟମାନଙ୍କ ସାମନାରେ ବାହାରନ୍ତି, କେହି ତାଙ୍କର ପ୍ରକୃତ ରୂପ ଦେଖି ନାହାନ୍ତି ।

–ଅବଶେଷରେ ସେ ନେତାର ସନ୍ଧାନ ଆପଣ ପାଇଲେ କି ? ଆଇ.ଜି. ପଚାରିଲେ ।

–ହଁ ସାର୍‌ । ଆଗରୁ ଯଥେଷ୍ଟ ସନ୍ଦେହ ଥିଲେ ମଧ୍ୟ ଆଜି ସକାଳ ପର୍ଯ୍ୟନ୍ତ ଅକାଟ୍ୟ ପ୍ରମାଣର ଅଭାବ ଥିଲା । ଆପଣଙ୍କ ସାଇଫର ଅଫିସରୁ ଗୁପ୍ତ ଫାଇଲ ଚୋରିରୁ ମୁଁ ସେ ପ୍ରମାଣ ସଂଗ୍ରହ କରି ପାରିଲି ।

–ଆପଣ ସେ ଫାଇଲ ଉଦ୍ଧାର କରି ପାରିଛନ୍ତି ? ଆଇ.ଜି. ପଚାରିଲେ ।

–ହଁ ସାର୍‌, ଆଜି କିଛିକ୍ଷଣ ପୂର୍ବେ କୋଣାର୍କ ହୋଟେଲରେ ଏଇ ଛଦ୍ମବେଶୀ ଡକ୍‌ଟର ହୋଲକାର୍‍ଙ୍କୁ ଡାକପିଅନ ଏଇ ବଡ଼ ଲଫାପାଟି ଦେଉଥିବାବେଳେ ଏଇ ଖାନସାମାବେଶୀ ମୋର ସୁଯୋଗ୍ୟ ବନ୍ଧୁ ଇନିସ୍ପେକ୍ଟର ଗଡ଼ନାୟକ ତାହା ଜବତ କଲେ । ଏଇ ଲଫାପାଟି ଭିତରେ ସମ୍ପୂର୍ଣ୍ଣ ଫାଇଲଟି ଅଛି ସାର୍‌ ।

ଆଇ. ଜି. ଆଶ୍ଚର୍ଯ୍ୟ ହୋଇ ପଚାରିଲେ–ପୋଷ୍ଟାଲ ଡାକରେ କିଏ ପଠାଇଲା ?

ସାମାନ୍ୟ ହସି ଭବାନୀବାବୁ କହିଲେ–ଗତ କାଲିଠାରୁ ଏ ସନ୍ଦେହ ମୋର ହୋଇଥିଲା ସାର୍‌ । ଅଫିସ ଘରଟି ପରୀକ୍ଷା କରି ମୁଁ ଜାଣି ପାରିଲି ଯେ ଘର କାନ୍ଥରେ ଗୋଟିଏ ଛିଦ୍ର କରା ହୋଇଛି । ସେଇ ଛିଦ୍ରବାଟେ ଡାକ ବା ଚିଠି ପକାଇଦେଲେ ତାହା ଗୋଟିଏ ଟିଉବ୍‌ ବାଟଦେଇ ତଳ ମହଲାରେ ଥିବା ଡାକ ବାକ୍‌ସକୁ ଚାଲିଯାଏ । ତା’ପରେ ଦିନସାରାର ଚିଠି ଯଥାସମୟରେ ପୋଷ୍ଟ ପିଅନ ଆସି ସେଇ ବାକ୍‌ସରୁ ସଂଗ୍ରହ କରିନିଏ । ସବୁ ଦେଖି ଶୁଣି ମୋର ସନ୍ଦେହ ଦୃଢ଼ୀଭୂତ ହୋଇଗଲା ଯେ ଏ ଘର ଭିତରୁ ଫାଇଲଟି ହାତରେ ଧରି କେହି ନେଇଯିବାକୁ ସାହସ କରିବ ନାହିଁ । ସେଥିଯୋଗୁ ମୁଁ ଭାବିଲି ଯେ ସାଇଫର ଆସିଷ୍ଟାଣ୍ଟ ବିବେକାନନ୍ଦ ବାବୁଙ୍କ ଅଲକ୍ଷ୍ୟରେ କେହି ଫାଇଲଟିକୁ ଲଫାପାରେ ପୂରାଇ, ଠିକଣା ଲେଖି ଓ ଟିକଟ ଲଗାଇ ଘର ଭିତରେ ଥିବା ଏଇ ଡାକ ବାକ୍‌ସର ଛିଦ୍ରପଥରେ ଗଳାଇ ଦେଇଛି ।

 

ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ହଠାତ୍‌ ପ୍ରଚଣ୍ଡ ଖୁସିରେ କ୍ୟାପଟେନ୍‍ ପଟ୍ଟନାୟକ ଚିତ୍କାର କରି ଉଠିଲେ–ବା,ବା, ବନ୍ଧୁ ! ଅତି ସୁନ୍ଦର ଡିଡ଼କ୍‌ସନ୍‌ । ଓଣ୍ଡର୍‌ଫୁଲ । ସାରା ପୃଥିବୀରେ ତୁମର ସମକକ୍ଷ ଡିଟେକ୍‌ଟିଭ ନାହାନ୍ତି ।

 

ଗୋଇନ୍ଦା ବିଭାଗ ଡି.ଆଇ.ଜି. ପଚାରିଲେ–କିନ୍ତୁ କିଏ ସେପରି ଭାବରେ ଫାଇଲଟି ପଠାଇ ଦେଲା ? ଲଫାପା ଉପରେ ନିଶ୍ଚୟ ଠିକଣା ଲେଖାଅଛି ! କାହାର ସେ ହସ୍ତାକ୍ଷର ?

 

ତାହା ହେଉଛି ଆମର ବିଶ୍ୱାସୀ ବନ୍ଧୁ ଓ ସହକର୍ମୀ ସର୍ଦ୍ଦାର ଗୁରୁଦୟାଲ ସିଂହଙ୍କର । ସେଇ ହେଉଛନ୍ତି ଏଇ ଅନ୍ତର୍ଘାତୀ ଦଳର ନେତା–‘‘କର୍ଣ୍ଣେଲ ସାହେବ ।’’

 

ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଗୁରୁଦୟାଲ ସିଂକୁ ଚାହିଁଲେ । ଘରୋଇ ମନ୍ତ୍ରୀ ହଠାତ୍‌ ଚିତ୍କାର କରି ଉଠିଲେ–ଆରେ ଆରେ, ସେ ଏପରି ହେଉଛନ୍ତି କାହିଁକି ?

 

କିନ୍ତୁ ମୁହୂର୍ତ୍ତକ ଭିତରେ ତାଙ୍କର ପ୍ରାଣହୀନ ଦେହ ଟଳି ପଡ଼ିଲା । ଆଇ.ଜି. ସାହେବ ‘‘ଡାକ୍ତର, ଡାକ୍ତର’’ ବୋଲି ଚିତ୍କାର କରି ଉଠିଲେ, କିଛିକ୍ଷଣ ପରେ, ପୁଲିସ ଡାକ୍ତର ଆସି ପହଞ୍ଚିଲେ-। ପରୀକ୍ଷା କରି ଜଣାଇଲେ–ପୋଟାସିୟମ୍‌ ସାଇନାଡ଼ ଖାଇ ଆତ୍ମହତ୍ୟା କରିଛନ୍ତି ।

 

ବହୁକ୍ଷଣ ନୀରବତା ପରେ ଡି.ଆଇ.ଜି. କହିଲେ ଆଚ୍ଛା କ୍ୟାପଟେନ୍‍ ପଟ୍ଟନାୟକଙ୍କ ବିରୁଦ୍ଧରେ ଏପରି ମିଥ୍ୟା ପ୍ରମାଣ ଦେଖାଇବାର ପ୍ରୟୋଜନ କ’ଣ ଥିଲା ! କ୍ୟାପଟେନ୍‍ କ’ଣ ଏଇ ଗୁରୁଦୟାଲ ସିଂର ପୂର୍ବପରିଚିତ ବ୍ୟକ୍ତି ?

 

ସାମାନ୍ୟ ହସି ଭବାନୀବାବୁ କହିଲେ–ନାଇଁ ସାର୍‌, ଏଇ ରୀତା ମେନନ୍‍ ସହିତ କ୍ୟାପଟେନ୍‍ ମ୍ୟାଡ଼ାନ୍‌ ପ୍ୟାଟାର୍ନିକଙ୍କର ପୂର୍ବରୁ ପରିଚୟ ଥିଲା । କ୍ୟାପଟେନ୍‍ ଅବିବାହିତ । ତା’ପ୍ରତି ତାଙ୍କର କିଞ୍ଚିତ ଦୁର୍ବଳତା ମଧ୍ୟ ଥିଲା । ରାଜସ୍ଥାନରେ ସେମାନଙ୍କର ପ୍ରଥମ ପରିଚୟ ମଧ୍ୟ ହୋଇଥିଲା କିନ୍ତୁ ତା’ର ପ୍ରକୃତ ସ୍ୱରୂପ ତାଙ୍କୁ ଜଣା ନ ଥିଲା ।

 

ତା’ ପରେ ସ୍ୱଦେଶକୁ ଫେରିଆସି ତା’ ସହିତ କ୍ୟାପଟେନ୍‍ଙ୍କର ପୁଣି ସାକ୍ଷାତ ହେଲା । ତାଙ୍କର ମେସିନ୍‍ରୁ ଟାଇପ କରି ଏଇ ରୀତା ବେନାମି ଚିଠିଟି ଲେଖିଥିଲା । ନିରୀହ କ୍ୟାପଟେନ୍‍ଙ୍କ ଉପରେ ପୁଲିସର ସନ୍ଦେହକୁ କେନ୍ଦ୍ରୀଭୂତ କରିବାରେ ଗୁରୁଦୟାଲ ସିଂର ଦୁଇଟି ଉଦ୍ଦେଶ୍ୟ ଥିଲା । ପ୍ରଥମତଃ ପୁଲିସ ତଦନ୍ତକୁ ବିପଥଗାମୀ କରିବା । ଆଉ ଦ୍ୱିତୀୟତଃ–ଯେହେତୁ କ୍ୟାପଟେନ୍‍ ମୋର ବ୍ୟକ୍ତିଗତ ବନ୍ଧୁ, ଏ ତଦନ୍ତର ଭାର ଯେପରି ମୋ ଉପରେ ନ ରହେ ସେଥିପାଇଁ କର୍ତ୍ତୃପକ୍ଷଙ୍କୁ ପ୍ରଭାବିତ କରିବା ।

 

କିନ୍ତୁ ସାର୍‌, ଏ ଦୀର୍ଘ କାହାଣୀ ଶୁଣି ଆପଣମାନେ ହୁଏତ ବିରକ୍ତ ହେବେ, ଦୟାକରି ଆପଣମାନେ ତଳମହଲାକୁ ଆସନ୍ତୁ । ସେଠାରେ ଆହୁରି ବହୁତ ଆସାମୀ ଅଛନ୍ତି । ସେମାନଙ୍କୁ ଥରେ ଦେଖିବେ । ସହରର ଅଧିକାଂଶ ଦସ୍ୟୁ ଓ ଗୁଣ୍ଡା ଏଇ ଦଳଭୁକ୍ତ ହୋଇ ଧରା ହୋଇଛନ୍ତି । ତା’ଛଡ଼ା ଅଛି ବସ୍ତା ବସ୍ତା ଜାଲ୍‌ ନୋଟ । ନୋଟ ତିଆରି କରିବା ପାଇଁ ହାଇଡ୍ରଲିକ୍‌ ପ୍ରେସର ମେସିନ୍‌ । ଶକ୍ତିଶାଳୀ ରେଡ଼ିଓ ଟ୍ରାନ୍‌ସମିଟର । ଓୟାରଲେସ୍‌ । ପାକିସ୍ଥାନରେ ତିଆରି ଗୁଳି, ବନ୍ଧୁକ ଓ ରିଭଲଭର୍‌ । ଆଉ ଅଛି ଗୋଟାଏ ଶିକ୍ଷିତ ସିମ୍ପାଞ୍ଜି । କେବଳ ପାଗଳା ଗାରଦ ନିକଟର କବରଖାନାରୁ ସଢ଼ା ଲାସଗୁଡ଼ିକ ଏଠାକୁ ଆଣିବା ସମ୍ଭବ ହୋଇନାହିଁ ।

 

ଘରୋଇ ମନ୍ତ୍ରୀ ଆନନ୍ଦରେ ଭବାନୀବାବୁଙ୍କ ସହିତ କରମର୍ଦ୍ଦନ କଲେ । ଆଇ.ଜି. ତାଙ୍କୁ କୁଣ୍ଢାଇ ପକାଇଲେ । କ୍ୟାପଟେନ୍‍ ପଟ୍ଟନାୟକ ପୁଣି ଥରେ ଚିତ୍କାର କରି ଉଠିଲେ–ସାବାସ ବନ୍ଧୁ, ବ୍ରେଭୋ ।

Image